Unknown

 

 

 

 

 

 

 

 

 

 

 

ନିହତ ଚନ୍ଦ୍ରମା

ଯଦୁନାଥ ଦାଶ ମହାପାତ୍ର

 

 

 

 

 

 

 

 

 

 

 

ମୋର ବଡ଼ ନାତୁଣୀ

ସରିତା ଗୁରୁକୁ

ସ୍ନେହୋପହାର.......

 

‘ନିହତ ଚନ୍ଦ୍ରମା’ରେ ସନ୍ନିବେଶିତ ଗଳ୍ପଗୁଡ଼ିକୁ ମଧ୍ୟରୁ ଅଧିକାଂଶ ଗଳ୍ପ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ସଂକଳନରେ ମିନି ଗଳ୍ପଠାରୁ ଆରମ୍ଭ କରି ବଡ଼ ଗଳ୍ପ ପର୍ଯ୍ୟନ୍ତ ରହିଛି । ସତ୍ୟଘଟଣା ଉପରେ ଆଧାରିତ କେତୋଟି ଗଳ୍ପ ମଧ୍ୟ ଏଥିରେ ସ୍ଥାନ ପାଇଛି-। ବିଭିନ୍ନ ରୁଚିର ପାଠିକା ପାଠକମାନଙ୍କର ମନୋରଞ୍ଜନ କରିବା ପାଇଁ ମୋର ଏ ପ୍ରକାର ପ୍ରଚେଷ୍ଟା-। ‘ନାଲନ୍ଦା’ ପ୍ରକାଶିନୀର ବନ୍ଧୁ ଶ୍ରୀ ଶୁକଦେବ ସାହୁ ଏ ସଂକଳନରେ ପ୍ରକାଶନ ଦାୟିତ୍ୱ ନେଇ ଏହାକୁ ପାଠିକା ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିବାରୁ ମୁଁ ଏହି ଅବସରରେ ତାଙ୍କ ପ୍ରତି କୃତଜ୍ଞତା ଜଣାଉଛି । ଶିଳ୍ପୀ ବନ୍ଧୁ ଶ୍ରୀ ଅସୀମ ବସୁ ଏହାର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିବାରୁ ମୁଁ ତାଙ୍କ ପାଖରେ ଋଣୀ । ପରିଶେଷରେ ଯେଉଁସବୁ ପତ୍ରିକାର ସୁଯୋଗ୍ୟ ସମ୍ପାଦକମାନେ ଅତୀତରେ ମୋର ଏ ଗଳ୍ପଗୁଡ଼ିକୁ ସେମାନଙ୍କ ପତ୍ରିକାରେ ପ୍ରକାଶ କରି ମୋତେ ଉତ୍ସାହିତ କରିଥିଲେ ସେମାନଙ୍କୁ ମଧ୍ୟ ଗଭୀର କୃତଜ୍ଞତା ଜଣାଉଛି ।

 

ଲେଖକ

୩୦ । ୧୧ । ୧୯୮୧

Image

 

ସୂଚନା

 

୧.

ବିଦୀର୍ଣ୍ଣ ଅତୀତ

୨.

ବ୍ୟବଧାନ

୩.

ଆପଣା ହସ୍ତେ ଜିହ୍ୱାଚ୍ଛେଦି

୪.

ବିସମ୍ୱାଦ

୫.

ଶୂନ୍ୟତାର ପୂର୍ଣ୍ଣତା

୬.

ଅଧିକାର

୭.

ଜ୍ଞାନ ପାଗଳ

୮.

ମମତାର ଲୁହ

୯.

ଗୁରୁ ଦକ୍ଷିଣା

୧୦.

ହାଟ ଫେରନ୍ତା

୧୧.

ସ୍ନେହମୟୀ

୧୨.

ବିଷ

୧୩.

ଓଲଟା ପୃଥିବୀ

୧୪.

ମଣିଷ ଗଛ

୧୫.

ମରୁଧାର

୧୬.

ଦୁର୍ଘଟଣା

୧୭.

ସ୍ୱପ୍ନ ସତ୍ୟ ହେଲା

୧୮.

କ୍ଷୁଧା

୧୯.

ଅପରାଧୀ

୨୦.

ଗାଡ଼ିର ଯନ୍ତ୍ରଣା

୨୧.

ବନ୍ୟା ପରର କାହାଣୀ

୨୨.

ବାପଝିଅ

୨୩.

ଗରୁଡ଼ ପୁରାଣର ଉକ୍ତି

୨୪.

ଅନ୍ଧାର ଘର

୨୫.

ନିର୍ଜ୍ଜନ ନିଶୀର ସ୍ୱପ୍ନ

୨୬.

ଜୀବନ ଜ୍ୱାଳା

୨୭.

ନିହତ ଚନ୍ଦ୍ରମା

Image

 

 

 

 

 

 

Knowledge is not something to be packed away in some corner of our brain, but what enters into our being, colours our emotions, haunts our soul, and is as close to us as life itself.

 

Dr. S. Radhakrishnan.

 

 

 

 

 

 

 

 

 

 

 

 

ଯଦୁନାଥ ଦାଶ ମହାପାତ୍ର

ନିହତ ଚନ୍ଦ୍ରମା

 

ବିଦୀର୍ଣ୍ଣ ଅତୀତ

 

ନାଲିଧୂଳି ଉଡ଼େଇ ବସ୍‌ଟା ଆଗକୁ ଆଗକୁ ଚାଲିଯାଉଥିଲା । ସଡ଼କ ଦି’ପାଖରେ କିଆବୁଦା ଅନାବନା ଗଛର ପତଳା ଜଙ୍ଗଲ । ସଡ଼କ ଦି’ପାଖର ଟିକିଏ ଟିକିଏ ଦୂରକୁ ଗୋଟିଏ ଗୋଟିଏ ଲିଫ୍‌ଟ ଇରିଗେସନ୍‌ ଟିଉବ୍‌ଓ୍ୱେଲ ବସିଚି । ବୈଶାଖ ମାସରେ ବି କ୍ଷେତଗୁଡ଼ିକ ସବୁଜ । ସଡ଼କ ଯୋଉଠି ଶେଷ ହେଇଚି ସେଇଠି ସେ ଗାଁଟା ।

 

ଗାଁ ବାହାରେ ଲମ୍ୱା ପକ୍କାଘର । ସଡ଼କ ପାଖେ ପାଖେ ଇଲେକ୍‌ଟ୍ରିକ୍‌ ଖୁଣ୍ଟି ।

 

ବସ୍‌ ଯାଇ ସେଇ ଲମ୍ୱା ପକ୍କାଘର ପାଖରେ ରହିଲା । ସେଇଠି ଏବେ ଦି’ ଚାରିଟା ଦୋକାନ ବି ବସିଲାଣି । ଗୋଟେ ଛୋଟକାଟର ହୋଟେଲ୍‌ ମଧ୍ୟ । ଆଉ ଚୋରାମଦ ଦୋକାନ ।

 

କଣିକା ବସ୍‌ରୁ ଓହ୍ଲାଇଲା ।

 

କେତେ ପରିଚିତ ଏ ଜାଗାଟା !

 

ପୁଣି କେତେ ଅଜଣା !

 

ଦଶବର୍ଷ ତଳେ ଏଇ ଜାଗାରେ ଝାଟିମାଟି ଘରେ ଯୋଉ ହାଇସ୍କୁଲ ଆରମ୍ଭ ହୋଇଥିଲା ସେଇ ଘରଟା ଆଜି ପକ୍କାଘରରେ ପରିଣତ ହୋଇଚି । ଘର ଚାରିପଟେ କଣ୍ଟାତାରର ବାଡ଼ । ପ୍ରବେଶ ପଥରେ ସୁଦୃଶ୍ୟ ଗେଟ୍‌ । ଗେଟ୍‌ ଉପରେ ଲେଖା ହେଇଚି ‘‘ନୀଳମାଧବ ବାଳିକା ହାଇସ୍କୁଲ, ମାୟାପୁର ।’’

 

କଣିକା ହାତ ଭିତରକୁ ପଶିଲା । ଘରଟାର ସିନା ରୂପ ପରିବର୍ତ୍ତନ ହେଇଚି ହେଲେ ଭିତରେ ସବୁଗୁଡ଼ାକ ଯେମିତି ତା’ର ଚିହ୍ନାଚିହ୍ନା ମନେହେଉଥିଲା । ହଷ୍ଟେଲ୍‌ଟା ସେମିତ ମାଟିଘର ରହିଚି । ହଷ୍ଟେଲ୍‌ ଦୁଇପାଖରେ ଦୁଇତିନିଟି ପାରିବାରିକ ଘର ଯୋଉଠି ସ୍କୁଲର ଶିକ୍ଷୟିତ୍ରୀମାନେ ରହନ୍ତି ।

 

ଦଶବର୍ଷ ତଳେ କଣିକା ବି ଏଇଠି ରହିଥିଲା । ବି.ଏ.ବି.ଇଡ଼ି. ପାଶ୍‌ କଲାପରେ ଏଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଭାବେ ସେ ଗୋଟିଏ ବର୍ଷ କାମ କରିଚି ।

 

ହଁ, ଠିକ୍‌ ଗୋଟିଏ ବର୍ଷ । ତା’ପରେ ସରକାରୀ ସ୍କୁଲରେ ଚାକିରିପାଇ ସେ ଚାଲିଯାଇଚି ଅନ୍ୟଜାଗାକୁ । ବର୍ତ୍ତମାନ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନନିବାଳା ତା’ର ଘନିଷ୍ଠ ବନ୍ଧୁ । ଅତୀତର ସହପାଠିନୀ–ସହକର୍ମିଣୀ ।

 

କଣିକା ଆଉ ସେ ଏକା ସାଙ୍ଗରେ ଏଇ ସ୍କୁଲ୍‌ରେ ଚାକିରି ଆରମ୍ଭ କରିଥିଲେ । କଣିକା ଚାଲିଯିବା ପରେ ନନିବାଳା ପ୍ରଧାନ ଶିକ୍ଷୟିତ୍ରୀର ଦାୟିତ୍ୱ ନେଇଛି । ତାହାରି ନିମନ୍ତ୍ରଣରେ ଦଶବର୍ଷ ପରେ ପୁଣି କଣିକା ଆସିଚି ଏଠିକି ।

 

ସେ ଆଗରୁ ଚିଠି ଦେଇଥିଲା । ନନିବାଳା ଓ ଆଉ କେତେଜଣ ଶିକ୍ଷୟିତ୍ରୀ ତାହାରି ଅପେକ୍ଷାରେ ଥିଲେ । କଣିକା ପହଞ୍ଚିବା ମାତ୍ରେ ସେମାନେ ତାକୁ ସାଦରେ ପାଛୋଟିନେଲେ । ଯେତେବେଳଠାରୁ ବର୍ତ୍ତମାନ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବଢ଼ିଚି । ଏଇ ନନିବାଳା ଛଡ଼ା ଅନ୍ୟ ସମସ୍ତେ କଣିକାର ଅଜଣା । ତେବେ ଜଣାଶୁଣା ହବାଟା ବା କେତେବେଳ ! Birds of the same feather । ତେଣୁ ଦଶ ମିନିଟରେ ସମସ୍ତଙ୍କ ସହିତ ବନ୍ଧୁତ୍ୱ ଜମିଗଲା ।

 

ପ୍ରଧାନ ଶିକ୍ଷୟିତ୍ରୀ କଣିକା ଏବଂ ଅନ୍ୟ ସବୁ ଶିକ୍ଷୟିତ୍ରୀଙ୍କ ପାଇଁ ତାଙ୍କରି ଘରେ ରାତ୍ରିଭୋଜନର ବ୍ୟବସ୍ଥା କରିଥିଲେ । ସେମାନଙ୍କ ପାଇଁ ସେଇଟା ଥିଲା ଆନନ୍ଦମୁଖର ରାତି ।

 

ଖିଆପିଆ ପରେ ସମସ୍ତେ ବିଦାୟ ନେଇ ଚାଲିଗଲେ । ନନିବାଳା ଓ କଣିକା ଅନେକ ରାତି ପର୍ଯ୍ୟନ୍ତ ବସି ନିଜନିଜ ଜୀବନର ସୁଖଦୁଃଖର ଇତିହାସ ପୃଷ୍ଠା ଓଲଟାଉଥିଲେ ।

 

ନନିବାଳା ଗୋଟିଏ ପୁଅର ଜନନୀ । ପୁଅର ବୟସ ସାତବର୍ଷ । ସ୍ୱାମୀ ଜିଲ୍ଲା ସଦର ମହକୁମାରେ ଥିବା ସରକାରୀ କଲେଜରେ ଅଧ୍ୟାପକ । ସାତବର୍ଷର ପୁଅକୁ ସେମାନେ ଦୂରର ଏକ କନ୍‌ଭେଣ୍ଟ ସ୍କୁଲରେ ଛାଡ଼ିଛନ୍ତି । ନନିବାଳାର ସୌଭାଗ୍ୟରେ କଣିକା ନିଜକୁ ଛୋଟ ମନେ କରୁଥିଲା-

 

ସରକାରୀ ସ୍କୁଲରେ କଣିକା ଏବେ ବି ସହକାରୀ ଶିକ୍ଷୟିତ୍ରୀ ଅଛି । ପ୍ରଧାନ ଶିକ୍ଷୟିତ୍ରୀ ହେବାକୁ ହୁଏତ ଆହୁରି ପାଞ୍ଚ ସାତବର୍ଷ ଲାଗିବ । ସର୍ବୋପରି କଣିକା ଏଯାଏଁ ଅବିବାହିତା ରହିଯାଇଚି ।

 

ତିରିଶ ବର୍ଷ ବୟସର ଅବିବାହିତା କଣିକା ! ମନରେ ତା’ର ଅସୀମ ଯନ୍ତ୍ରଣା ।

 

ଦଶବର୍ଷ ତଳେ–କଣିକା ଥିଲା ସୁନ୍ଦରୀ ଯୁବତୀ । ତା’ ରୂପ ତୁଳନାରେ ନନିବାଳାର ରୂପ କିଛି ନୁହେଁ । କୃଷ୍ଣବର୍ଣ୍ଣା ନନିବାଳାର ମୁହଁର ଗଢ଼ଣ ମଧ୍ୟ ଭଲ ନଥିଲା । ମୁହଁର ସାମନା ଦାନ୍ତଗୁଡ଼ାକ ଏଭଳି ବେଢ଼ଙ୍ଗା ଯେ ତାକୁ ଦାନ୍ତୁଡ଼ୀ ନ କୁହାଗଲେ ବି କଥା କହିବାବେଳେ ତା’ର ଦାନ୍ତଗୁଡ଼ାକ ଯେ ଅସ୍ୱାଭାବିକ ଏହା ସ୍ପଷ୍ଟ ବାରିହୋଇଯାଏ । ଆଖିଗୁଡ଼ାକ ବଡ଼ ବଡ଼ । ଉଚ୍ଚତା ଚାରିଫୁଟ ଚାରିଇଞ୍ଚ । ସେଇ ଆଜି ସ୍ୱାମୀ ପୁତ୍ର ନେଇ ବେଶ୍‌ ସୁନ୍ଦର ପାରିବାରିକ ଜୀବନ ଅତିବାହିତ କରୁଚି । ଆଉ କଣିକା.... ଗଳ୍ପ ଶେଷକରି ସେମାନେ ବିଛଣା ଧଇଲେ ।

 

ନନିବାଳା ସଙ୍ଗେ ସଙ୍ଗେ ଶୋଇପଡ଼ି ଘୁଙ୍ଗୁଡ଼ି ଫୁଟେଇଲା । ବଡ଼ କର୍କଶ ସେ ଶବ୍ଦ । କଣିକା ଆଖିରେ ନିଦ ନାହିଁ । ସେ ହୁଏତ ଭାବୁଚି ସବୁ ଜାଣିଶୁଣି ସେ ଏଠିକି ଆସିଲା କାହିଁକି ?

 

ଅତୀତର ତତଲା ସ୍ମୃତିରେ ସେ ଜଳିପୋଡ଼ି ଯାଉଚି ।

 

କ’ଣ ସେ ସ୍ମୃତି !

 

ସେଇ ସ୍ମୃତି ହିଁ କ’ଣ ତା’ ପକ୍ଷରେ ଏଠିକି ଆସିବାର ଆକର୍ଷଣ ! ସେଇ ସ୍ମୃତିହିଁ କ’ଣ ତା’କୁ ଏଠିକି ଟାଣି ଆଣିଚି ?

 

ଶୋଇବାଘର ଝରକା ଖୋଲା ଅଛି । ବାହାରେ ଜହ୍ନପକ୍ଷ ରାତି । ଝରକା ସେ ପାଖରେ ଗେଙ୍ଗୁଟି ନଈର ଶୁଖିଲା ଶେଯ ।

 

କଣିକା ଝରକାଦେଇ ସେ ଆଡ଼କୁ ଚାହିଁଚି ।

 

ହେଇତ ଦିଶୁଚି ସେଇ କୃଷ୍ଣଚୂଡ଼ା ଗଛଟା ! ସେଇ ଗଛଟାର ଛାଇ କି ଭୟଙ୍କର !

 

ଦଶବର୍ଷ ତଳେ ଏଇ ଘରେ ହିଁ ରହୁଥିଲା କଣିକା । ପ୍ରତିଦିନ ସନ୍ଧ୍ୟାରେ ଏଇ କୃଷ୍ଣଚୂଡ଼ା ଗଛମୂଳରେ ଆସି ବସୁଥିଲା ଜଣେ ଯୁବକ । ବେଳେବେଳେ ବଂଶୀ ବଜେଇ ସେ ପାଖର ସେଇ ନିସ୍ତବ୍‌ଧ ଅଞ୍ଚଳଟାକୁ ସେ ମୁଖର କରୁଥିଲା । ଯୁବକର ଏଇ ଔଦ୍ଧତ୍ୟ କଣିକାକୁ ଅସ୍ଥିର କରୁଥିଲା ।

 

ଏଠି ସେ ତ ଏକା କୁମାରୀ ନୁହେଁ । ଅନେକ କୁମାରୀଙ୍କର ବାସସ୍ଥଳ ପାଖରେ ଜଣେ ଯୁବକର ବଂଶୀବାଦନ ଅତ୍ୟନ୍ତ ଅଭଦ୍ରୋଚିତ ।

 

ରାଗରେ କଣିକା ଫୁଲି ଉଠୁଥିଲା । ଦିନକର ସନ୍ଧ୍ୟା ! ସେ ଏକ ସାହସିକ କାର୍ଯ୍ୟ କରିବସିଲା । ଏକା ଏକା ସେଇ କୃଷ୍ଣଚୂଡ଼ା ଗଛତଳକୁ ଯାଇ ବଂଶୀବାଦନରତ ଯୁବକକୁ ସେ ପଚାରିଲା–କିଏ ତମକୁ କହିଲା ପ୍ରତିଦିନ ସନ୍ଧ୍ୟାରେ ଆସି ଏମିତି ଭାବରେ ବଂଶୀ ବଜେଇବାକୁ ? ଯଦି କୃଷ୍ଣ ସାଜିବାକୁ ଇଚ୍ଛା ଅନ୍ୟଆଡ଼େ ଯାଇ ସାଜ । ଏଇଟା ଗୋପପୁର ନୁହେଁ । ବାଳିକା ସ୍କୁଲ ।

 

କଣିକାର ଏଇ କଥାରେ ଯୁବକଟି କିନ୍ତୁ ଦବିଗଲା ନାହିଁ । କହିଲା–ମୁଁ ତ ବଂଶୀରେ ସମସ୍ତଙ୍କୁ ଆକୃଷ୍ଟ କରିବାକୁ ଚାହୁଁନାହିଁ ।

 

ଆଉ ? କଣିକାର କଠିଣ କଣ୍ଠସ୍ୱର । କାହାକୁ ଆକୃଷ୍ଟ କରିବାକୁ ଚାହୁଁଚ ? କିଏ ତୁମର ରାଧା ?

 

ଯୁବକଟି କଣିକାକୁ ଚାହିଁ ପଚାରିଲା–ମୋତେ ଚିହ୍ନିଚ ?

 

ଚିହ୍ନିବା ଦରକାର ନାହିଁ । କଣିକା ଉତ୍ତର ଦେଲା ।

 

ଯୁକଟିକ କିନ୍ତୁ ତା’ ପରିଚୟ ଦବାକୁ ଯାଇ କହିଲା–ମୁଁ ରାଧାମାଧବ । ନୀଳମାଧବଙ୍କ ପୁଅ ।

 

ନୀଳମାଧବ ! ଏଇ ସ୍କୁଲର ପ୍ରତିଷ୍ଠାତା ! ହେଲେ ବି ! କଣିକା ପୁଣି ପଚାରିଲା–ତୁମେ କ’ଣ ଚାହଁ ?

 

ରାଧାମାଧବ କହିଲା–ପ୍ରଥମ ଦେଖିବା ଦିନଠାରୁ ମୁଁ ଅସ୍ଥିର ହେଇଉଠିଚି । ତୁମକୁ ବିବାହ ନକଲେ ମୁଁ ବଞ୍ଚିପାରିବି ନାହିଁ ।

 

କଣିକା ଆଉ କିଛି ଉତ୍ତର ଦେଲା ନାହିଁ । ତା’ର ସର୍ବାଙ୍ଗର ରକ୍ତ ଯେମିତି ତାଳୁକୁ ଉଠିଗଲା । ସେ ଚିତ୍କାର କଲା–ଅଭଦ୍ର ! ଜାନୁଆର୍‌ ।

 

ଖାଲି ସେତିକି ନୁହେଁ । ରାଧାମାଧବ ଯେତେବେଳେ ତା’ ପାଦ ଦି’ଟାକୁ ଧରିନେଲା ସେ ଚଟି ଖୋଲି ତା’ ଗାଲରେ ଦି’ଥର କଷିଦେଇ ଦୁମ୍‌‌ ଦୁମ୍‌ ହେଇ ତା’ ବସାକୁ ଫେରିଆସିଲା ।

 

ତା’ ପରଦିନଠୁ କୃଷ୍ଣଚୁଡ଼ା ଗଛମୂଳର ବଂଶୀବାଦନ ବନ୍ଦ ହେଇଗଲା ଏବଂ ତାର ମାସକ ପରେ ସରକାରୀ ଚାକିରି ପାଇ କଣିକା ଏ ଗାଁରୁ ବିଦାୟନେଇ ଚାଲିଗଲା ।

 

ୟା’ ଭିତରେ ଦଶବର୍ଷ ବିତିଯାଇଚି । ଏଇ ଦଶବର୍ଷ ଭିତରେ ଆଉ କୌଣସି ଯୁବକ କଣିକାର ପ୍ରଣୟ-ପ୍ରାର୍ଥୀ ହେଇନାହାନ୍ତି । କଣିକାର ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ବିବାହ କରିବାର ଆବଶ୍ୟକତା ସେ ଉପଲବ୍‌ଧି କରିନାହିଁ ।

 

କିନ୍ତୁ.....

 

ଏଇ କେତେଦିନ ହେଲା ସେ ଅନୁଭବ କରୁଚି ମାନସିକ ଦୁର୍ବଳତା । ବୟସ ବଢ଼ିଲେ ନିଃସଙ୍ଗୀ-ନାରୀ ଯୋଉ ଦୁର୍ବଳତା ଅନୁଭବ କରେ । ଗତ ଦୁଇବର୍ଷ ହେଲା ସେ ଏକାନ୍ତ ଭାବରେ ଖୋଜିଚି ଜୀବନସାଥୀ । ପାଇନାହିଁ । ତା’ର ଅଭିମାନ କ୍ରମଶଃ ଚୂର୍ଣ୍ଣ ହେଇଯାଇଚି । ସେ ନିଜକୁ ଅନୁଭବ କରୁଚି ନିଃସ୍ୱ । ବେଳେବେଳେ ସେ ଭାବେ–ରାଧାମାଧବକୁ ବିବାହ କରିଥିଲେ କ’ଣ କ୍ଷତି ହେଇଥାନ୍ତା !

 

ରାଧାମାଧବ ତା’ ବାପମା’ର ଏକମାତ୍ର ସନ୍ତାନ । ବାପା ଲକ୍ଷପତି, ତେଣୁ ସେ ପୁଅକୁ ବିଶେଷ ପାଠ ପଢ଼ାଇ ନାହାନ୍ତି । କାରଣ ତାଙ୍କର ହୁଏତ ଧାରଣା ଥିଲା, ପୁଅ ତ ଚାକିରି କରିବ ନାହିଁ । ତେଣୁ ବେଶୀ ପାଠ କ’ଣ ହେବ !

 

ରାଧାମାଧବ ସେ ଦିନ ସ୍ୱେଚ୍ଛାରେ ଆଗେଇ ଆସିଥିଲା କଣିକାର ସୀମନ୍ତରେ ସିନ୍ଦୂରବିନ୍ଦୁ ଦେବାପାଇଁ । କିନ୍ତୁ ସେ ତା’କୁ ନିର୍ମମ ଭାବରେ ଫେରାଇ ଦେଇଚି । ଦେହ ମନର ଜ୍ୱାଳା ତା’ର ନିର୍ବାପିତ ହେବ କେମିତି !

 

ଏଇ ପରିସ୍ଥିତିରେ ସେ ନନିବାଳାଠୁ ଚିଠି ପାଇଥିଲା ମାୟାପୁର ଗାଁରେ ଆସି ବୁଲିଯିବାକୁ । ୟା’ ଭିତରେ ନନିବାଳାର ଚିଠିରୁ ସେ ଜାଣିଥିଲା ଯେ, ତା’ ଆସିବାର ଦୁଇବର୍ଷ ଭିତରେ ନୀଳମାଧବ ସ୍ୱର୍ଗରୋହଣ କରିଚନ୍ତି ଓ ତାଙ୍କ ପୁଅ ରାଧାମାଧବ ବିବାହ କରିନାହିଁ ।

 

ମନରେ ତା’ର ଆଶାର କ୍ଷୀଣ ପ୍ରଦୀପ ଜଳିଉଠୁଥିଲା । ଯଦି ଏବେ ବି ସମ୍ଭବ ହୁଏ......ରାତିସାରା ସେ ଅନିଦ୍ରାରେ କଟେଇଲା । ସକାଳେ ତା’ର ପ୍ରବଳ ଇଚ୍ଛା ହେଉଥିଲା ରାଧାମାଧବର ଘରଆଡ଼େ ଯିବାକୁ । ସେଦିନ ସନ୍ଧ୍ୟାର ସେଇ ଭୁଲ୍‌ ପାଇଁ ସେ ଯଦି ଯାଇ କ୍ଷମା ମାଗେ ସେ କ’ଣ ତାକୁ କ୍ଷମା ଦେବେ ନାହିଁ ?

 

ନନିବାଳା କହିଲା–ଶୁଣିଚ କଣିକା ଅପା ! ନୀଳମାଧବ ବାବୁଙ୍କ ପୁଅଟା ମଦ ପିଇ ଏବେ ପୂରା ପାଗଳ ହେଇଯାଇଚି । କିଛିଦିନ ଆସି ଆମରି ଘରପଛରେ ବଂଶୀ ବଜେଇ ନାଚୁଥିଲା-। ଦିନେ ଶୋଧିଦେବାରୁ ଆଉ ଆସୁନାହିଁ । ଆଉ ଥରେ କୁଆଡ଼େ ବେକରେ ଦଉଡ଼ିଦେଇ ମରିବାକୁ ଯାଉଥିଲା । କେତେ ବଡ଼ଲୋକର ପୁଅଟା କାହିଁକି ଯେ ଏମିତି ହେଇଗଲା-!

 

କଣିକାର ଛାତିଚିରି ଉଠୁଥିଲା ଦୀର୍ଘଶ୍ୱାସ । ଦେହ ମନରେ ସେ ଯନ୍ତ୍ରଣା ଅନୁଭବ କରୁଥିଲା । ଅତୀତ ଜଳି ଉଠୁଥିଲା ହୁହୁ ।

 

ହଠାତ୍‌ ସେ ଚାଲିଯିବାକୁ ବାହାରି ପଡ଼ିଲା ।

 

ନନିବାଳା ତଟସ୍ଥୂ ହେଲା । ଏ କ’ଣ ଅପା ? ଆସିଥିଲ ଦି’ ଚାରିଦିନ ରହିବ ନାହିଁ । ପଅରଦିନ ସ୍କୁଲର ପ୍ରାଇଜ୍‌ । ମନ୍ତ୍ରୀ ଆସିବେ । ତୁମେ ଚାଲିଯିବ ?

 

ହଁ । ମୁଁ ଚାଲିଯିବି ।

 

ନା ଅପା ! ଆମ ସମସ୍ତଙ୍କ ରାଣ । ଆମ ମୁଣ୍ଡ ଖାଇବ । ଦି’ଟା ଦିନ ଆଉ ରହିଯାଅ ?

 

ନା ।

 

ନନିବାଳା ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀମାନଙ୍କର ଅନୁରୋଧ ସେ ରଖିଲା ନାହିଁ । ଯିବାକୁ ହିଁ ହେବ ତା’କୁ । ଗଲେ ଶାନ୍ତି । ବସ୍‌ର ହର୍ଣ୍ଣ ଶୁଭୁଥିଲା । ଏଇ ହର୍ଣ୍ଣ ଆଖପାଖର ଯାତ୍ରୀମାନଙ୍କ ସତେ କି ନିମନ୍ତ୍ରଣ କରି କହୁଥିଲା–ଆସ । ମୁଁ ଏବେ ଯିବାପାଇଁ ପ୍ରସ୍ତୁତ ।

 

କଣିକା ଯାଇ ବସ୍‌ରେ ବସିପଡ଼ିଲା । ଡ୍ରାଇଭର୍‌ ଗାଡ଼ି ଷ୍ଟାର୍ଟ କଲା । ଚକ ଗଡ଼ିଲା ଆସ୍ତେ ଆସ୍ତେ । କଣିକା ଝର୍କାଦେଇ ଦେଖୁଥିଲା–ଗାଁ ଭିତରୁ ପାଗଳାଟାଏ ବଂଶୀ ବଜେଇ ବଜେଇ ନାଚି ନାଚି ଆସୁଚି ।

 

କଣିକା ଆଖି ବୁଜିଦେଲା । ବସ୍‌ର ଗତି ବଢ଼ିଉଠିଲା ।

Image

 

ବ୍ୟବଧାନ

 

ଷ୍ଟେସ୍‌ନର ନାମ–ବୋକାରୋ ଷ୍ଟିଲ୍‌ ସିଟି ।

 

ଟ୍ରେନ୍‌ର ନାମ–ପୁରୀ ଦିଲ୍ଲୀ ନୀଳାଚଳ ଏକ୍‌ସପ୍ରେସ୍‌ ।

 

ମୋର ଅବତରଣ ସମୟ–ରାତି ଦୁଇଟା ।

 

କୋଚରୁ ଓହ୍ଲାଇବା ମାତ୍ର କୁଲି ଆସି ପହଞ୍ଚିଗଲା । ସୁଟ୍‌କେଶ୍‌ ବେଡ଼ିଂ ତା’ ମୁଣ୍ଡ ଉପରକୁ ଟେକିଦେଇ ପକେଟରୁ ଟିକେଟ ଖଣ୍ଡକ କାଢ଼ି ମୁଁ ସଗର୍ବେ ଆଗେଇଗଲି ।

 

ଷ୍ଟିଲ୍‌ ପ୍ଲାଣ୍ଟରେ ମୋର ପ୍ରଥମ ନିଯୁକ୍ତି । କ୍ଲାସ ଟୁ ଅଫିସର । ଦରମା ହଜାର ଉପରେ । ପାଠପଢ଼ା ଛାଡ଼ିବାର ଏଇ ଦୁଇବର୍ଷ ଭିତରେ କେତେଆଡ଼େ କେତେ ଚାକିରିପାଇଁ ମୁଁ ପରୀକ୍ଷା ଦେଇଚି । ଶେଷରେ ଏଇ ଲୋଭନୀୟ ଚାକିରିରେ ନିଯୁକ୍ତି ପାଇ ମୁଁ ଜଏନ୍‌ କରିବାକୁ ଆସିଚି । ମନ ଭିତରେ କେତେ ସୁନେଲି କଳ୍ପନା ।

 

ଜନ୍ମ ହେଇଥିଲି ଓଡ଼ିଶା ମୁଲକର ଏକ ପଲ୍ଲୀ ଗାଁରେ । ବାପା ସମ୍ପୂର୍ଣ୍ଣ ଅଶିକ୍ଷିତ, ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଏକ ପରିବାରର କର୍ତ୍ତା ଥିଲେ । ଦୁଇଓଳି ପେଟପୂରା ଗଣ୍ଡେ ଖାଇବାକୁ ମିଳୁ ନଥିଲା ।

 

ପିଲାଟି ଦିନରୁ ମୁଁ ଥିଲି ମେଧାବୀ ଛାତ୍ର । କିଶୋର ବୟସରେ ପଢ଼ୁଥିବା ଗାଁ ମାଇନ୍‌ର ସ୍କୁଲର ହେଡ଼ମାଷ୍ଟର୍‌ ମୋର ବୁଦ୍ଧିମତ୍ତା ଦେଖି ମୋ ପ୍ରତି ଆଗ୍ରହୀ ହୋଇ ମୋତେ ଯେଉଁ ପ୍ରେରଣା ଦେଇଥିଲେ ତାହାରି ଫଳରେ ମୁଁ ବୃତ୍ତି ପାଇଲି । ବୃତ୍ତି ପାଇ ପାଇ ଚାଲିଲି ଶେଷ ପର୍ଯ୍ୟନ୍ତ । ଦୁଃଖରେ କଷ୍ଟରେ ଚଳିବାକୁ ପଡ଼ୁଥିଲେ ବି କୃତିତ୍ୱର ସହିତ ଶେଷ ପରୀକ୍ଷାରେ ପାସ୍‍ କଲି। ପୁଣି ସର୍ବଭାରତୀୟ ପ୍ରତିଯୋଗିତାରେ ଚାକିରିଟା ମିଳିଗଲା ।

 

ହଠାତ୍‌ ମୋର ଦୁର୍ଭାଗ୍ୟଟା ପରିଣତ ହେଇଗଲା ସୌଭାଗ୍ୟର । ଆସିବାବେଳେ ବାପାମା’ଙ୍କର କାନ୍ଦଣା ଦେଖି ମନରେ ପ୍ରବଳ ଦୁଃଖ ହେଉଥିଲେ ବି ଚାକିରିର ଆନନ୍ଦଟା ହିଁ ଥିଲା ମୋ ପାଖରେ ଆଶ୍ୱାସନା । ମୁହଁରେ ପ୍ରକାଶ ନ କଲେ ବି ମନେମନେ ଭାବୁଥିଲି–ମାସେ ପରେ ଯେତେବେଳେ ଦରମା ପାଇବି ଅଧେ ଟଙ୍କା ବାପାଙ୍କ ପାଖକୁ ପଠେଇଦେଇ ତାଙ୍କୁ ଚମତ୍କୃତ କରିଦେବି ।

 

ଗରିବ ବାପା । ମୋର ପାଞ୍ଚଶହ ଟଙ୍କା ଦେଖି କି ଆନନ୍ଦ ନପାଇବେ ? ଜୀବନରେ ପାଞ୍ଚଶହ ଟଙ୍କା ମାସକୁ ମାସ । ଅବଶିଷ୍ଟ ଜୀବନ ସେ ସୁଖରେ କଟେଇ ଦେଇପାରିବେ ମୋର ରୋଜଗାରରୁ ।

 

ବାପାମା’ଙ୍କର ମୁଁ ଗୋଟିଏ ସନ୍ତାନ । ମୁଁ ଜନ୍ମ ହବାପରେ ଅଭାବଗ୍ରସ୍ତ ମୋର ବାପାଙ୍କୁ ଜଣେ ସ୍କୁଲ ଶିକ୍ଷକ ନେଇଯାଇଥିଲେ ପରିବାର ନିୟନ୍ତ୍ରଣ କେନ୍ଦ୍ରକୁ । କିଛି ଟଙ୍କା ଲୋଭରେ ବାପା ବି ରାଜି ହେଇଯାଇଥିଲେ ଭେସାକ୍‌ଟୋମିପାଇଁ, ଯାହା ଫଳରେ ମୋର ଭ୍ରାତା ବା ଭଗ୍ନୀ ହେବାର ସୁଯୋଗ ଚିରଦିନ ପାଇଁ ଲୋପ ପାଇଯାଇଥିଲା ।

 

କୁଲି ଯାଇ ଗେଟ୍‌ ପାଖରେ ପହଞ୍ଚି ଗଲାଣି । ଟିକେଟ କଲେକ୍ଟର ହାତ ବଢ଼େଇଚନ୍ତି ଟିକେଟ ପାଇଁ । ମୁଁ ପକେଟରୁ ଟିକେଟ ବାହାର କରି ତାଙ୍କୁ ଦେଇଦେଲି । ଷ୍ଟେସନର ଅବସ୍ଥା ଦେଖି ମୋର ହଠାତ୍‌ ଅବିଶ୍ୱାସ ହେଲା ମୁଁ ଅବା ଭୁଲ୍‌ରେ ଅନ୍ୟ କେଉଁ ଷ୍ଟେସନରେ ଓହ୍ଲାଇ ପଡ଼ିଚି-

 

ସନ୍ଦେହ ମୋଚନପାଇଁ ପଚାରିଦେଲି, ଏଇଟା କ’ଣ ବୋକାରୋ ଷ୍ଟିଲ୍‌ ସିଟି ଷ୍ଟେସନ ? ସେ ଉତ୍ତର ଦେଲେ–ହଁ ।

 

ଆଶ୍ଚର୍ଯ୍ୟ! ଷ୍ଟିଲ୍‌ ସିଟିର ଷ୍ଟେସନ । ମାତ୍ର ପ୍ଲାଟଫର୍ମରେ ଯଥେଷ୍ଟ ଆଲଅ ନାହିଁ । ଛୋଟ ଶେଡ଼ଟାଏ ଅଛି ଯୋଉଥିରେ ପଙ୍ଖା ନାହିଁ କି ଯାହାତଳେ ବସିବାକୁ ବେଞ୍ଚଟାଏ ବି ନାହିଁ ।

 

ରାତି ଦୁଇଟାରେ ଟ୍ରେନ୍‌ ପହଞ୍ଚିବ ଜାଣି ମୁଁ ସ୍ଥିର କରିଥିଲ ଷ୍ଟେଷସନର ଓ୍ୱେଟିଂ ରୁମ୍‌ ବା ରିଟାୟାରିଂ ରୁମ୍‌ରେଳ ରାତିଟା କଟେଇ ସକାଳେ ଷ୍ଟିଲ୍‌ ସିଟିକୁ ଯିବି । ନୂଆ ଜାଗା ତ । ରାତିରେ ଯାଇ କୋଉଠି ପହଞ୍ଚିବି ?

 

ଆଗରୁ ଜାଣିକରି ଆସିଥିଲି ଷ୍ଟେସନ୍‌ରୁ ଷ୍ଟିଲ୍‌ ସିଟି ସତର ଅଠର କିଲୋମିଟର ବାଟ । ତେଣୁ ରାତିରେ ଯିବା ଘୋର ଅସୁବିଧାଜନକ । ମୋର ଜଣେ ବନ୍ଧୁଙ୍କର କ୍ୱାଟର ନମ୍ୱର ଅବଶ୍ୟ ମୋ ପାଖରେ ଥିଲା । ତଥାପି ଏତେ ରାତିରେ ଯାଇ କ୍ୱାଟର ଖୋଜିବା ସହଜ କଥା ନୁହେଁ ।

 

ଟିକେଟ କଲେକ୍ଟରଙ୍କୁ ପଚାରିଲା–ରାତିରେ ସହରକୁ ଯାଇ ହେବ ?

 

ସେତେବେଳକୁ ଗୋଟେ ଦିଟା ଟେମ୍ପୋବାଲା ମୋତେ ଆସି ପ୍ରବର୍ତ୍ତାଉଥାନ୍ତି–ଠିକଣା ଯଦି ପାଖରେ ଥାଏ, ସେମାନେ ନେଇ ପହଞ୍ଚାଇ ଦେବେ, କିଛି ଅସୁବିଧା ହେବନି ।

 

ମାତ୍ର ଟିକେଟ କଲେକ୍ଟର ବାବୁଟି କହିଲେ–ଏତେ ରାତିରେ ଯିବା ନିରାପଦ ନୁହେଁ । ରାତିଟା ଷ୍ଟେସନରେ କଟେଇ ବରଂ ସକାଳେ ଯିବେ ।

 

ଷ୍ଟେସନରେ କୋଉଠି ରାତିଟା କଟେଇବି ? ପଚାରିଲି–ରିଟାୟାରିଂ ରୁମ୍‌ ଅଛି ?

 

ସେ କହିଲେ–ନା ଫାର୍ଷ୍ଟକ୍ଲାସ୍‌ ଓ୍ୱେଟିଂ ରୁମ୍‌ରେ ରହିଯାଆନ୍ତୁ । ସେ ମୋତେ ହାତଠାରି ରୁମ୍‌ଟା ଦେଖାଇଦେଲେ ।

 

କୁଲି ବିଚରା ଭିତରକୁ ପଶିଯାଇ ମୁଣ୍ଡର ବୋଝ ଓହ୍ଲାଇ ରଖି ବାହାରେ ଆସି ଠିଆ ହେଲା । ମୁଁ ଭିତରକୁ ପଶିଯାଇ ସାଙ୍ଗେ ସାଙ୍ଗେ ବାହାରିଆସିଲି । ଦରଜା ଉପରେ ଲେଖାଥିବା ଅକ୍ଷରଗୁଡ଼ାକୁ ପଢ଼ିଲି ।

 

ନା ଠିକ୍‌ ତ ! ଲେଖା ଅଛି–‘‘ଫାର୍ଷ୍ଟ କ୍ଲାସ ଓ୍ୱେଟିଂ ରୁମ୍‌’’....ମୁଁ ଅନେକ ଫାର୍ଷ୍ଟ କ୍ଲାସ ଓ୍ୱେଟିଂ ରୁମ୍‌ ଦେଖିଚି । ମାତ୍ର ଏପରି ରୁମ୍‌ କେଉଁଠି ଦେଖିନାହିଁ ।

 

ରୁମ୍‌ଟାର ଲମ୍ୱ ବୋଧହୁଏ ଆଠହାତ, ଓସାର ଛ’ ହାତ ଖଣ୍ଡେ ହେବ । ମଝିରେ ଦୁଇଟି ଅଧାଭଙ୍ଗା କାଠର ଆର୍ମଚେୟାର ଓ ଗୋଟେ ଟିଣଚଦର ପିଟା ଟେବୁଲ୍‌ ସେ ରୁମ୍‌ର ସମ୍ୱଳ । ଉପର ସିଲିଂରେ ଫେନ୍‌ଟେ ଯଦିଓ ଝୁଲୁଚି ମାତ୍ର ତାହା ଅଚଳ । ଚାରିଆଡ଼େ ଅଳିଆ ଅସନା ପାନପିକ ପାନସିଠା–ଦୁର୍ଗନ୍ଧରେ ଭରପୂର । ଏଟେଚ୍ଡ ପାଇଖାନାର ଦୁର୍ଗନ୍ଧ ଅସହ୍ୟ ।

 

ମୁଁ ପଶିବା ବେଳକୁ ଚେୟାର ଦୁଇଟା ଓ ଟେବୁଲଟା ଉପରେ ତିନିଗଣ ଯାତ୍ରୀ ଶୋଇଥାନ୍ତି । ତଳେ ଶୋଇଥାନ୍ତି ଆଠଜଣ । ପାଇଖାନା କବାଟ ଆଡ଼କୁ ମୁଣ୍ଡ ରଖି ଦୁଇଜଣ ଭଦ୍ରବ୍ୟକ୍ତି ଭି.ଆଇ.ପି. ସୁଟ୍‌କେସ୍‌ ମୁଣ୍ଡତଳେ ଦେଇ ବେଶ୍‌ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତି ।

 

କୁଲିକୁ ଟଙ୍କାକିଆ ନୋଟଟିଏ ଦେଇଦେଲି ଓ ରୁମ୍‌ ବାହାରେ ଆସି ଠିଆହେଲି । ମୋ ସୁଟ୍‌କେସ୍‌ ଓ ବେଡ଼ିଂ ରହିବା ପରେ ରୁମ୍ ଭିତରେ ବି ଆଉ ବସିବା ପାଇଁ ବି ଜାଗା ନ ଥାଏ ।

 

ଟେମ୍ପୋବାଲା ତଥାପି ବି ମୋ ପଛରେ ଲାଗିଥାଏ । ମାତ୍ର ମୋର ସାହସ ହେଉନଥାଏ-। ଓ୍ୱେଟିଂରୁମ୍‌ ବାହାର ଚଟାଣରେ କୋଡ଼ିଏ ପଚିଶ ଜଣ ଶୋଇଥାନ୍ତି । ଗୋଟାଏ ଉଠା ପାନ ଦୋକାନୀ ଓ୍ୱେଟିଂରୁମ୍‌ ବାହାରେ ପାନ ସିଗାରେଟ୍‌ ବିକ୍ରି କରୁଥାଏ ।

 

ବୋଧହୁଏ ଠିଆଠିଆ ମୋତେ ରାତିଟା କଟେଇ ଦବାକୁ ହେବ । ପାନବାଲାଠୁ ଖଣ୍ଡେ ପରେ ଖଣ୍ଡେ ଚାରିଖଣ୍ଡ ପାଦ ଖାଇଲା ପରେ ସେ କହିଲା–ବାବୁ, ଭଲ କି ଦଶଖଣ୍ଡ ପାନ ସଜେଇ ଦେବି ? ମୁଁ ନାହିଁ କଲି ଏବଂ ଭାବିଲି ଏତେ ରାତିରେ ଏମିତ ଛେଳିପରି ମେର ପାନ ଚୋବାଇବାଟା ଠିକ୍‌ ହେଉନାହିଁ । ନିଦକୁ ଅଟକେଇବା ପାଇଁ ପାନ ଖାଇବା ଦରକାର ଥିଲେ ବି ମୁଁ ଆଉ ପାନ ଖାଇଲି ନାହିଁ ।

 

ଓ୍ୱେଟିଂରୁମ୍‌ ଭିତରେ ଥିବା ପାଇଖାନାକୁ ବାହାର ଲୋକ ଯଥା–ଷ୍ଟେସନର କୁଲି, ଟେମ୍ପୋ ଟ୍ରେଜର ଡ୍ରାଇଭରମାନେ ସ୍ୱଚ୍ଛନ୍ଦରେ ଯାଉଥାନ୍ତି ଆସୁଥାନ୍ତି । ମୋର ଭୟ ହେଉଥାଏ ସୁଟ୍‌କେସଟା ମୋ ଅସାବଧାନତାରୁ କେତେବେଳେ ଚୋରି ହୋଇଯିବ ପରା ! ତା’ର ଭିତରେ ତ ମୋର ସବୁକିଛି ଅଛି । ତେଣୁ ମୁଁ ଭିତରକୁ ଯାଉଥାଏ । ମିନିଟିଏ ରହି ପୁଣି ବାହାରକୁ ଆସୁଥାଏ ।

 

ଷ୍ଟେସନ୍‌ ବାହାରଟା ଘୋର ଅନ୍ଧାର । ବାହାରଟା କୌଣସି ଏକ ଜଙ୍ଗଲର ଅଂଶ ବିଶେଷ ଭଳି ମନେ ହେଉଥାଏ ।

 

ବୋକାରୋ ଷ୍ଟିଲ୍‌ ସିଟି । ସାରା ପୃଥିବୀରେ ନାମ ଡାକ । ଭାରତବର୍ଷର ସବୁଠୁ ବଡ଼ ଲୁହା କାରଖାନାର ସହର । ମାତ୍ର ସେଇ ସହରର ରେଲ୍‌ଷ୍ଟେସନ ଦେଖି ମନେ ହେଲା–ଏଇ ଷ୍ଟେସନ ଯେମିତି ବିରାଟ ଲୁହା କାରଖାନା ପ୍ରତି ଏକ ଉପହାସ । ଏତେ ଶିକ୍ଷିତ ବଡ଼ବଡ଼ ଲୋକ ଏଠି ବାସ କରନ୍ତି–ଋଷିୟାନ୍‌ମାନେ ଏବେ ବି ଅଛନ୍ତି–କେତେ ବଡ଼ ବଡ଼ ଲୋକ ଏଠିକି ଆସନ୍ତି ମାତ୍ର ରେଲ୍‌ ବିଭାଗର ଏ ଚରମ ଅବହେଳା କ’ଣ କାହାରି ଆଖିରେ ପଡ଼ୁନାହିଁ ?

 

ରାତିରେ ଷ୍ଟେସନରୁ ସହରକୁ ଯିବାର ସୁବିଧା ନାହିଁ–ଷ୍ଟେସନରେ ରହିବାପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ଚରମ ଦୁଶ୍ଚିନ୍ତା ଓ ଯନ୍ତ୍ରଣା ଭିତରେ ସାରା ରାତି ମୋର କଟିଗଲା । ସକାଳ ହେଲା-। ଯେଉଁ କେତେଜଣ ଯାତ୍ରୀ ଆମେ ଥିଲୁ, ଆମକୁ ନେବାପାଇଁ ଟ୍ରେଜର ଓ ଟେମ୍ପୋବାଲାଙ୍କ ମଧ୍ୟରେ ଟଣାଟଣି ଲାଗିଲେ । ସେଇ ଟଣାଟଣିରେ ମୋ ଗୋଟିଏ ହାତରୁ ସୁଟ୍‌କେସଟା ନେଇଗଲା ଜଣେ ଓ ବେଡ଼ିଂଟା ନେଇଗଲା ଆଉଜଣେ ଟ୍ରେଜରବାଲା । ମୁଁ କେଉଁ ଟ୍ରେଜରରେ ଯାଇ ବସିବି ସ୍ଥିର କରିନପାରି ଠିଆହେଇ ରହିଲି । ସେମାନଙ୍କ ଭାଷା ମଧ୍ୟ ମୁଁ ଖୁବ୍‌ ଭଲ ଭାବରେ ବୁଝି ପାରୁନଥାଏ । ମୋ ଭାଷା ମଧ୍ୟ ସେମାନେ ବୁଝିପାରୁ ନଥାନ୍ତି ।

 

ଦୁଇଟିଯାକ ଟ୍ରେକର୍‌ ଷ୍ଟାର୍ଟ କରି ରହିଛନ୍ତି ଓ ଉଭୟରେ ତିନିଚାରିଜଣ ଲେଖାଏଁ ଯାତ୍ରୀ ବସିଛନ୍ତି । ଟ୍ରେନ୍‌ ନଥିବାରୁ ସାହସ ଆଉ ଯାତ୍ରୀ ଆସିବାର ମଧ୍ୟ ସମ୍ଭାବନା ନାହିଁ । ସକାଳେ ଯେଉଁ ଗୋଟାଏ ଟ୍ରେନ୍‌ ଆସିବାର ଥିଲା ତାହା ଚାରିଘଣ୍ଟା ବିଳମ୍ୱରେ ଆସିବ ।

 

ଟ୍ରେକର ଡ୍ରାଇଭର ଦୁଇଜଣ ଆସି ମୋ ହାତଧରି ଦୁଇଦିଗକୁ ଟାଣିଲେ ।

 

ମୁଁ ଯନ୍ତ୍ରଣାରେ ଚିତ୍କାର କରିଉଠିଲି । ତଥାପି ସେମାନେ ଟାଣିବା ବନ୍ଦ କଲେ ନାହିଁ ।

 

ମୁଁ ଛାଟିପିଟି ହେଲି । ସେମାନେ ଆଉରି ଶକ୍ତକରି ମୋ ହାତ ଦି’ଟାକୁ ଧରି ଝିଙ୍କିଲେ । ହାତ ଦୁଇଟା ମୋ ଦେହରୁ ଅଲଗା ହେଇଯିବ ଅବା !

 

ଜଣକର ଜୋର୍‌ ଝିଙ୍କାରେ ମୁଁ ତଳେ ପଡ଼ିଗଲି । ସେ ତା’ ଟ୍ରେକର ପାଖକୁ ମୋତେ ଘୋଷାରି ଘୋଷାରି ନେବାକୁ ଚେଷ୍ଟା କଲା ।

 

ମୋ ଦେହରେ କ୍ଷତ । ମୁଁ ରକ୍ତାକ୍ତ ହେଲି । ଅନ୍ୟ ଟ୍ରେକର ଓ ଟେମ୍ପୋର ଡ୍ରାଇଭରମାନେ ବେଶ୍‌ ହାତତାଳି ଦେଇ ମଜା ଦେଖୁଥାନ୍ତି । ଏଇ ଅସଭ୍ୟତାରୁ ମୁକ୍ତି ପାଇବାପାଇଁ ମୁଁ ମୋର ସମସ୍ତ ଶକ୍ତି ସଞ୍ଚୟ କରି ଧାଇଁ ଧାଇଁ ଷ୍ଟେସନ୍‌ ପ୍ଲାଟଫର୍ମ ଭିତରକୁ ପଳାଇ ଆସିଲି । ଉଦ୍ଦେଶ୍ୟ–ଷ୍ଟେସ୍‍ନମାଷ୍ଟରଙ୍କୁ ଏ ବର୍ବରତା ବିଷୟରେ ଜଣାଇ ପ୍ରତିକାର ଲୋଡ଼ିବି ।

 

ଏତେ ସକାଳେ ଷ୍ଟେସନ୍‌ ମାଷ୍ଟର ଆସି ନଥିଲେ । ଡିଉଟିରେ ଥିଲେ ଜଣେ ଏ.ଏସ୍‌.ଏମ୍‌ । ଡିଉଟି ରୁମ୍‌ରେ ପଡ଼ିଥିବା ଗୋଟାଏ ଟେବୁଲ୍‌ ଉପରେ ସେ ଶୋଇଥିଲେ । ମୁଁ ଯାଇ ତାଙ୍କୁ ଡାକିଲି ।

 

ଓଃ ! ବଡ଼ ଅନିଚ୍ଛାରେ ଆଖି ମଳି ଓ ଆଖି ବଡ଼କରି ସେ ଉଠିଲେ । ଏମିତି ସବୁ କ’ଣ କହିଗଲେ ମନେହେଲା ମୁଁ ହିଁ ଯେମିତି ଏକ ଅପରାଧୀ । ତାଙ୍କୁ ଡାକିଦେଇ ମସ୍ତବଡ଼ ଏକ ଅପରାଧ କରିବସିଚି । ତଥାପି ମୁଁ ଇଂରାଜୀରେ ତାଙ୍କୁ ମୋ ବକ୍ତବ୍ୟ ଶୁଣାଇଲି ।

 

ସବୁକଥା ଶୁଣି ଆଦୌ ବିଚଳିତ ନହେଇ ସେ କହିଲେ–ଆରପାଖ ରୁମ୍‌ରେ ଥିବା ଜି.ଆର୍‌.ପି କୁ କୁହ ।

 

ଅଗତ୍ୟା ମୁଁ ଆରପାଖ ରୁମକୁ ଧାଇଁଲି । ଜି.ଆର୍‌.ପି. ଥାଉଥାଉ ମୁଁ କାହିଁକି ଅଯଥାରେ ଏତେ ସମୟ ନଷ୍ଟ କଲି ବୋଲି ନିଜକୁ ନିଜେ ରାଗିହେଲି ।

 

ଜି.ଆର.ପି. ରୁମ୍‌ରେ ଦୁଇଜଣ ପ୍ରଚଣ୍ଡ ନିଶଥିବା କନ୍‌ଷ୍ଟେବଲ ଦୁଇଟି ଟେବୁଲ ଉପରେ ଶୋଇଥାନ୍ତି ।

 

ଡାକିଲି ।

 

ସେମାନେ ଉଠିଲେ ।

 

ଭଙ୍ଗା ହିନ୍ଦୀ ଆଉ ଇଂରାଜୀ ମିଶାଇ ମୋ କଥା ସେମାନଙ୍କୁ କହିଲି । ଅନିଚ୍ଛାସତ୍ତ୍ୱେ ତାଙ୍କ ଭିତରୁ ଜଣେ ମୋ ସହିତ ବାହାରକୁ ଆସିଲା । ମାତ୍ର ଷ୍ଟାର୍ଟକରି ରହିଥିବା ଓ ମୋତେ ଅସଭ୍ୟଙ୍କ ଭଳି ଟଣାଟଣି କରୁଥିବା ଟ୍ରେକ୍‌ର ବାହାରେ ନଥିଲା । ମୋର ସୁଟ୍‌କେସ୍‌, ବେଡ଼ିଂ, ମୋର ସର୍ବସ୍ୱ ଚାଲିଯାଇଥିଲା । ଅପେକ୍ଷାକରି ରହିଥିବା ଟ୍ରେକ୍‌ର ଓ ଟେମ୍ପୋର ଡ୍ରାଇଭରମାନେ ଘଟଣା ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି କହିଲେ ।

 

ମୋ ସହିତ ପ୍ଲାଟଫର୍ମ ବାହାରକୁ ଆସିଥିବା ନିଶୁଆ କନ୍‌ଷ୍ଟବଲଟି ନିର୍ମମ ନିଷ୍ଠୁର ଚାହାଣିରେ ମୋତେ ଜାଳିଦେଲା ଓ ବଜ୍ରଭଳି ଶବ୍ଦ କରି ମୋ ସପ୍ତପୁରୁଷଙ୍କପାଇଁ ଶ୍ରାଦ୍ଧ ବାଢ଼ିଦେଲା-। ମୁଁ ସେତେବେଳକୁ ଗୋଟାପଣେ ଥରୁଥିଲା । ମୋର ବାକ୍‌ଶକ୍ତି ଲୋପ ପାଇଯାଇଥାଏ-

 

ପକେଟରେ ଯାହା ପଇସା ଥିଲା ସେଇଥିରୁ ଖର୍ଚ୍ଚକରି ଚାରିଘଣ୍ଟା ପରେ ମୁଁ ଷ୍ଟିଲ ସିଟିକୁ ଆସିଲି । ଚାରିଘଣ୍ଟା ପରେ ଟ୍ରେନ୍‌ ପହଞ୍ଚିବାରୁ ଯାତ୍ରୀମାନଙ୍କୁ ନେଇ ଟ୍ରେକ୍‌ର ସବିୁ ଗୋଟେ ପରେ ଗୋଟେ ଛାଡ଼ିଲେ ।

 

ଟ୍ରେକର ମୋତେ ଆଣି ନୟାମୋଡ଼ରେ ଓହ୍ଲେଇ ଦେଇ ଚାସ୍‌ଆଡ଼କୁ ଚାଲିଗଲା । ମୁଁ ଯେଉଁ ସେକ୍ଟରକୁ ଯିବି ସେଇଟା ସେଠୁ ପ୍ରାୟ ଆଉରି ଛ’ ସାତ କିଲୋମିଟର ବାଟ । ଅଗତ୍ୟା ରିକ୍ସାଟାଏ କରି ଠିକଣା ଜାଗାକୁ ମୁଁ ଆସିଲି । ବନ୍ଧୁଜଣକ ମୋତେ ଏମିତି ଖାଲି ଖାଲି ଦେଖି ବିସ୍ମିତ ହେଲେ । ଭାବିଲେ–ଟ୍ରେନରେ ବୋଧହୁଏ ସବୁ ଚୋରି ହୋଇଯାଇଛି ।

 

ମୁଁ ତାଙ୍କୁ ସବୁକଥା କହିଲି । ସେ ଗଭୀର ସମବେଦନା ଜଣାଇଲେ ।

 

ଗାଧୁଆପାଧୁଆ ଶେଷ କରି ମେଡ଼ିକାଲ ଟେଷ୍ଟପାଇଁ ଯିବାକଥା । ମୋ ପାଖରେ ଆଉ ଜାମାପେଣ୍ଟ ବି ନଥାଏ । ବନ୍ଧୁଙ୍କ ଠାରୁ ଜାମାପେଣ୍ଟ ଧାର କରି ପିନ୍ଧିକରି ଗଲି । ମେଡ଼ିକାଲ୍‌ ଫିଟ୍‌ନେସ୍‌ ପରେ ‘ଟ୍ରେନିଜ୍‌ ହଷ୍ଟେଲ’କୁ ମୋତେ ପଠାଇ ଦିଆଗଲା ।

 

ହଷ୍ଟେଲରୁ କର୍ମକ୍ଷେତ୍ର ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରାୟ ଦଶ କିଲୋମିଟର ବାଟ । ଅନେକ ଟ୍ରେନିଙ୍କର ସ୍କୁଟର୍‌ ବା ମଟର ସାଇକେଲ୍‌ ଥାଏ । କିନ୍ତୁ ଅଧିକାଂଶ ସାଇକେଲ୍‌ରେ ଯିବାଆସିବା କରୁଥାନ୍ତି । ସାଇକେଲ୍‌ଟିଏ ନ କିଣିଲେ ପ୍ରତିଦିନ ଦଶ କିଲୋମିଟର ବାଟ ଚାଲିଚାଲି ଯିବା ଓ ପୁଣି ଫେରିବା ସମ୍ଭବ ନୁହେଁ ।

 

ନିଯୁକ୍ତିପତ୍ରରେ ଥିଲା ଆସିବାବେଳେ ଦୁଇହଜାର ଟଙ୍କା ସାଙ୍ଗରେ ନେଇ ଆସିବାକୁ । ତେଣୁ ବାପାଙ୍କର ଥିବା ମାତ୍ର ଗୋଟିଏ ଏକର ଜମିକୁ ବନ୍ଧାଦେଇ ସେ ମୋତେ ଦୁଇହଜାର ଟଙ୍କା ଦେଇଥିଲେ । ତାହା ସୁଟ୍‌କେସ୍‌ ସହିତ ଚାଲିଯାଇଛି ।

 

ବନ୍ଧୁଙ୍କୁ ପଚାରିଲି–ଏ ସମ୍ପର୍କରେ ଆଉ କିଛି କରିହେବ କି ନାହିଁ ?

 

ସେ କହିଲେ–କୌଣସି ଏକ ଘଟଣାକୁ କେନ୍ଦ୍ର କରି ପୋଲିସ୍‌ ଓ ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀମାନଙ୍କ ମଧ୍ୟରେ ମନାନ୍ତର ହେଇଚି । ତୁମ କଥା କେହି କିଛି ଶୁଣିବେ ନାହିଁ । ସେ ବିଷୟରେ ଆଉ ଖୋଳତାଡ଼ କରି କିଛି ଲାଭ ନାହିଁ ।

 

ବନ୍ଧୁ ସଦୟ ହୋଇ ମୋର ଆସବାବପତ୍ର ଓ ସାଇକେଲ୍‌ କିଣିବାପାଇଁ ମୋତେ ଦୁଇହଜାର ଟଙ୍କା ଧାର ଦେଲେ । ବାପା କରଜ କରିଥିବା ଦୁଇହଜାର ଏମିତି ଚାରିହଜାର ଟଙ୍କାର ଋଣଭାର ବହନ କରି ମୁଁ ମୋର ଚାକିରିରେ ଯୋଗଦେଲି ।

 

ମୋର ମନେ ପଡ଼ୁଥିଲା ବାପାମା’ଙ୍କର ସେଇ ନିରୀହ ନିର୍ବୋଧ ଅଶ୍ରୁ ସଜଳ ମୁହଁ ଦୁଇଟି । ମୁଁ ସେମାନଙ୍କ ପାଖକୁ କେବେ ଟଙ୍କା ପଠାଇବି ?

 

ବାପା ପରଘରେ ହାଡ଼ଭଙ୍ଗା ପରିଶ୍ରମ କରି ନିଜର ପେଟ ପୋଷୁଥିବେ । ଆଉ ମୁଁ ଷ୍ଟିଲ୍‌ ପ୍ଲାଣ୍ଟରେ ହଜାରେ ଟଙ୍କା ଦରମା ପାଉଥିବା ଜଣେ କ୍ଲାସ୍‌ ଟୁ ଅଫିସର । ମୋର ଆବଶ୍ୟକତା ବଢ଼ି ବଢ଼ି ଚାଲିବ ।

 

ଅନ୍ୟମାନଙ୍କ ସହିତ ତାଳଦେଇ ନିଜକୁ ସମ୍ମାନଜନକ ଅବସ୍ଥାରେ ରଖିବାକୁ ପଡ଼ିବ । ମୁଁ ବିଭା ହେବି । ସ୍କୁଟର କିଣିବି । ଫ୍ରିଜ୍‌ କିଣିବି । ଏଠି ସବୁ କ୍ଲାସ୍‌ ଟୁ ରେଙ୍କ୍‍ର ଅଫିସରମାନେ ଯେମିତି ଚଳୁଛନ୍ତି ସେମିତ ଚଳିବ । ହୁଏତ କେଉଁଦିନ ଭୁଲିଯିବ ମୋର ସେଇ ନାଲିଗୋଡ଼ି ମାଟିର ପାହାଡ଼ ତଳି ଗାଁକୁ ଓ ଜୀବନର ବହୁ ଅଭୁଲା ସ୍ମୃତିକୁ । ମୋ ପିଲାଦିନର ସାଙ୍ଗସାଥୀ କିଏ ମେଟ୍ରିକ୍‌ ଫେଲ୍‌ ହେଇଚି ତ କିଏ ମାଇନର ଟପିପାରିନାହିଁ । ସେମାନଙ୍କର ସେଇ ମୁହଁଗୁଡ଼ାକ କ୍ରମଶଃ ନିଷ୍ପ୍ରଭ ହେଇଆସିବ । ଗାଁ ମଝିର ସାହୁଘରର ମାଇନ୍‌ର ଫେଲ ହେଇ ମୋ’ପାଇଁ ଅପେକ୍ଷା କରି ରହିଥିବା ସେଇ ଝିଅଟି, ଯେ ଚପଲ୍‌ ପିନ୍ଧି ଜାଣେ ନାହିଁ, ଏ ଯୁଗର ଫେଶନ୍‌ ଯାହାକୁ ମୁଁ ଆସିବାବେଳେ ଅନେକ ଆଶ୍ୱାସନା ଦେଇ ଅପେକ୍ଷା କରିବାକୁ କହି ଆସିଥିଲି, ସେଇ ରତି....ଏଇ ଯନ୍ତ୍ରର ଅସୁର ସହର କ’ଣ ତା’କୁ ସ୍ୱାଗତ କରିପାରିବ ?

 

ମୁଁ ଭାବୁଥିଲି–ମୁଁ ଆଉ ମୁଁ ନୁହେଁ । ସୁଦୂର ଓଡ଼ିଶାର କେଉଁ ଏକ ଅଖ୍ୟାତ ପଲ୍ଲୀର ମୁଁ ଶ୍ରୀ ହରିସାହୁର ମୃତ୍ୟୁ ହେଇଯାଇଚି ଆଉ ତା’ ସ୍ଥାନରେ ଜନ୍ମ ନେଇଚି ଶ୍ରୀ ହରିଶ୍ଚନ୍ଦ୍ର ସାହୁ–ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟର କ୍ଲାସ୍‌ ଟୁ ଅଫିସର ।

 

ମୋର ପରସ୍ଥିତି ଓ ପରିବେଶ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯାଇଚି । ସତେ ଅବା କେତେ ପୁରୁଷ, କେତେ ଯୁଗର ଶୂନ୍ୟସ୍ଥାନ ପରେ ଅନ୍ୟ ଏକ ସଭ୍ୟତାରୁ ମୋର ଜନ୍ମ । ମୋର ଅତୀତ ଏବଂ ଭବିଷ୍ୟତ ମଧ୍ୟରେ କୌଣସି ଯୋଗସୂତ୍ର ନାହିଁ । ମୁଁ ସମ୍ପର୍କ ବିହୀନ ଏକ ପ୍ରାଣୀ । ମୋର ହଜିଥିବା ଅତୀତ ଏବଂ ଅନାଗତ ଭବିଷ୍ୟତ ମଧ୍ୟରେ ସତେ ଯେମିତି ବିରାଟ ବ୍ୟବଧାନ ।

Image

 

ଆପଣ ହସ୍ତେ ଜିହ୍ୱାଛେଦି

 

ଅସମୟରେ ବର୍ଷା ହେଇଯିବାରୁ ଛାଡ଼ିଯାଇଥିବା ଶୀତ ପୁଣି ଫେରିଆସିଲା ।

 

ଭୋର୍‌ ଭୋର୍‌ ଶୀତ ଲାଗିବାରୁ ଶ୍ରୀନିବାସ ବିଛଣା ଚଦରକୁ ଘୋଡ଼େଇହେଇ ପୁଣି ଶୋଇପଡ଼ିବାକୁ ଚେଷ୍ଟା କଲା ।

 

ଆଜି ତ ସେକେଣ୍ଡ୍‌ ସଟର ଡେ । ଅଫିସ ବନ୍ଦ । ଶୀଘ୍ର ଉଠିବାର ତାଡ଼ନା ନାହିଁ । ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ଓଡ଼ିଆ ସମ୍ୱାଦ ପରିବେଷଣ ପର୍ଯ୍ୟନ୍ତ ବେଶ୍‌ ଶୁଆଯାଇପାରେ ।

 

ଜଗନ୍ନାଥ ଏକ୍ସପ୍ରେସ୍‌ ଷ୍ଟେସନକୁ ଆସିବାର ତୃତୀୟ ଘଣ୍ଟା ବାଜିଉଠିଲା । ମାଇକ୍‌ରୁ ଶୁଭିଲା ଗାଡ଼ି ପହଞ୍ଚୁଥିବାର ଘୋଷଣା ।

 

ଶ୍ରୀନିବାସର ମନେହେଲା ରାତି ଆଉରି ଅନେକ ଅଛି । ଏ ଟ୍ରେନ୍‌ଟା ତିନିଟାବେଳେ ପହଞ୍ଚେ । ମାତ୍ର ସକାଳ ହବା ଇଙ୍ଗିତ ଦେଇ କୁଆର ‘କା କା’ ଶବ୍ଦ, କୁକୁଡ଼ାର ‘କକ୍‌ କକ୍‌’ ଶବ୍ଦ ଶୁଭୁଚି ଯେ !

 

ଗାଡ଼ି ଆସିବା ଡେରିହେଇଚି ନା କାଉକୁକୁଡ଼ାମାନେ ଶୀଘ୍ର ଉଠିପଡ଼ିଚନ୍ତି ?

 

ଚିତ୍‌ହୋଇ ଶୋଇ ଶ୍ରୀନିବାସ ଭାବୁଚି–ସେକେଣ୍ଡ୍‌ ସଟର ଡେ ଆଉ ସନ୍‌ଡ଼େ ପୂରା ଦୁଇଦିନ ରାତି ହେଇଯାଆନ୍ତି କି !

 

ଛୁଟିକୁ ତା’ର ଭାରି ଡର । ଛୁଟି ଦିନମାନଙ୍କରେ ସେମାନେ ଆସି ତା’ର ଖୋଜ୍‌ ନିଅନ୍ତି । ସେ କୁଆଡ଼େ ପଳାଇଯିବ ବୋଲି ସେମାନେ ଅତି ଭୋର୍‌ ଆସନ୍ତି । ଘରର ଚାକର ପିଲାଟାକୁ ଯେତେ ତିଆରିଲେ ବି ସେ ମିଛ କହୁକହୁ ଧରାପଡ଼ିଯାଏ ।

 

ଥରେ ତ ଯାଇ କହିଦେଲା–ବାବୁ କହିଲେ ସେ ଘରେ ନାହାନ୍ତି । ତା’ର ଏ ବକ୍ତବ୍ୟ ଶୁଣି ଆଗନ୍ତୁକ ଫେରିଗଲେ ଓ ବସ୍ତିରୁ ଚାରିଜଣ ‘ବି’ ଗ୍ରେଡ଼୍‌ ‘ଦାଦା’ଙ୍କୁ ନେଇ ରୀତିମତ ଘର ଉପରେ ଚଢ଼ାଉ କଲେ । ଘର ଭିତରେ ପଶି ନାନାପ୍ରକାର ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ।

 

ଶ୍ରୀନିବାସ ତିନିମାସ ସମୟ ନେଇଥିଲା । କାଲି ପନ୍ଦର ତାରିଖ–ତିନିମାସ ସମୟର ମିଆଦ ପୂରିଯିବ । ସେ ବହୁତ ଚେଷ୍ଟା କରି ୟା’ ଭିତରେ ଦୁଇମାସର ଘରଭଡ଼ା ଦେଇଦେଇଚି । ଆଉରି ଚାରିମାସର ବାକି ଅଛି । ସବୁ ବାକି ଟଙ୍କା ପରିଶୋଧ କରି ଷୋଳ ତାରିଖ ସକାଳେ ଘର ଛାଡ଼ିଦବା କଥା । ସେଥିପାଇଁ ଅନ୍ୟ ଘରଟିଏ ଯୋଗାଡ଼ କରିବାକୁ ସେ ଆପ୍ରାଣ ଚେଷ୍ଟା କରି ବିଫଳ ହେଇଚି । ଘର ଯୋଗାଡ଼ ହେଇପାରି ନାହିଁ । ତା’ଭଳି ଜଣେ କିରାଣିକୁ ଘରଭଡ଼ା ଦବ ବା କିଏ ?

 

ସହରରେ ଘର ସଙ୍କଟ ବଢ଼ିବଢ଼ି ଚାଲିଚି । ସରକାରଙ୍କର ନୂଆ ନୂଆ ଯୋଜନାରେ ନୂଆ ନୂଆ ଅଫିସମାନ ଖୋଳିଚାଲିଚି, ହେଲେ ସେ ଅନୁପାତରେ ଘର ତିଆରି ହେଉନାହିଁ । ବିଭିନ୍ନ ଅଫିସ୍‌ ପାଇଁ ସରକାର ମଧ୍ୟ ଘରୋଇ ଘର ଖୋଜୁଛନ୍ତି । ମିଳିଗଲାକ୍ଷଣି ଆଗ ନେଇନେଉଛନ୍ତି । ଅନ୍ୟମାନଙ୍କୁ ଘରଭଡ଼ା ମିଳୁନାହିଁ ।

 

ଶ୍ରୀନିବାସର ଜୀବନରେ ଅଭାବର ତୀବ୍ର ତାଡ଼ନା । ଅତିମାତ୍ରାରେ ଦାରିଦ୍ର୍ୟ । ସେଥକୁ ପୁଣି ପାଞ୍ଚବର୍ଷରେ ପାଞ୍ଚଟି ସନ୍ତାନ ଜନ୍ମହେଇ ସାରିଲେଣି । ସ୍ତ୍ରୀ ପୁଣି ଗର୍ଭବତୀ ।

 

ତା’ ପରିବାର ତା’ ପାଖରେ ହିଁ ଥିଲେ । ମାତ୍ର ଗତବର୍ଷ ବାପା ମରିଯିବା ପରେ ଗାଁରେ ଥିବା ଘର ଓ ସାମାନ୍ୟ ଜମିବାଡ଼ି ଦେଖାଶୁଣା କରିବାପାଇଁ ସ୍ତ୍ରୀ ଯାଇ ଗାଁରେ ରହୁଛି । ଦୁଇଆଡ଼େ ଦୁଇଟି ଏଷ୍ଟାବ୍ଲିଶମେଣ୍ଟ୍‌ । ସ୍ତ୍ରୀ ଓ ସନ୍ତାନମାନଙ୍କୁ ଗାଁରେ ଛାଡ଼ିଆସିବା ପରେ ସେ ହୋଟେଲଖିଆ ତା’ ଦେହରେ ଗଲାନାହିଁ । ମାସେ କାଳ ଡିସେଣ୍ଟ୍ରି ଭୋଗିବାପରେ କିଛିଦିନ ହାତେ ରୋଷେଇ କରି ଖାଇଲା । କିନ୍ତୁ ତା’ ବି ସମ୍ଭବ ହେଲାନାହିଁ । ତେଣୁ ଘରଣୀଙ୍କ ଜିଦ୍‌ରେ ଗୋଟିଏ ଚାକର ପିଲା ଆଣି ରନ୍ଧାବଢ଼ା କରିବା ପାଇଁ ଏଠି ରଖିଚି । ଏଠି ଏକ ପେଟରୁ ଦୁଇପେଟ ହେଇଚି । ସେହି ଅନୁସାରେ ଖର୍ଚ୍ଚ ବି ବଢ଼ିଚି । ବଢ଼ୁଚି ପ୍ରତ୍ୟହ ବଜାର ଦର ସହିତ ତାଳ ରଖି । ଏଠି ତ ସବୁ କିଣିବାକୁ ହୁଏ....ବେଳେ ବେଳେ ପାଣି ପର୍ଯ୍ୟନ୍ତ ।

 

ଚାକିରି ଅନାଟନ ଯୁଗରେ ଛ’ ବର୍ଷ ତଳେ ବହୁ ଚେଷ୍ଟା ଚରିତ୍ର କରି, କହିବାକୁ ଗଲେ ରୀତିମତ ଋଷିର ସାଧନା କରି ଶ୍ରୀନିବାସ ଯେତେବେଳେ କିରାଣି ଚାକିରିଟିଏ ପାଇଲା, ସେତେବେଳେ ସେ, ଯେ କି ଆନନ୍ଦ–କେତେ ଯେ ବନ୍ଧୁ ତାକୁ ଆସି ସମ୍ୱର୍ଦ୍ଧନା ଜଣାଇଥିଲେ–କେତେ ବି ତା’ର ସୌଭାଗ୍ୟରେ ଈର୍ଷାଳୁ ହୋଇଉଠିଲେ ସେ ସବୁକଥା ଭାବିଲେ ଆଜି ମନରେ ରୋମାଞ୍ଚ ଜାତ ହୁଏ । ଚାକିରି ପାଇବା ପରେ ବହୁ କନ୍ୟା ପିତାଙ୍କର ଆବିର୍ଭାବ–ଶ୍ରୀନିବାସର ମୋଟା ଯୌତୁକ ଦେବାର ପ୍ରଲୋଭନ ଏବଂ ଶେଷର ଚାକିରି କରିବାର ବର୍ଷେ ନ ପୂରୁଣୁ ଶ୍ରୀନିବାସକୁ ଯଜ୍ଞ-ଛାଗ (ବର୍ତ୍ତମାନ ବିବାହ ସମ୍ପର୍କରେ ତା’ର ସେଇ ମନ) ହେବାକୁ ପଡ଼ିଥିଲା । ବାପା ମା ବଞ୍ଚିଥିଲେ । ଜଞ୍ଜାଳ କିଛି ନଥିଲା । ସେତେବେଳେ ମନ ତା’ର ଚାହୁଁଥିଲା ନବବିବାହିତା ପତ୍ନୀଟିକୁ ପାଖରେ ରଖି କିଛିଦିନ ଫୂର୍ତ୍ତିରେ କଟାନ୍ତା ମାତ୍ର ତା’ ସମ୍ଭବ ହେଇପାରିଲା ନାହିଁ । ଗତାନୁଗତିକ ଜୀବନ ପଥର ପଥିକ ଶ୍ରୀନିବାସ ପ୍ରତି ଶନିବାର ଦିନ ଥଳି ବୋଝେଇ ଘର ବରାଦି ଜିନିଷ ଧରି ଘରକୁ ଯାଏ ଆଉ ସୋମବାର ରାତି ନପାହୁଣୁ ବସ୍‌ ଧରି କର୍ମସ୍ଥଳକୁ ଫେରିଆସେ ।

 

Saturday night must be delight ରେ ବର୍ଷଟିଏ କଟିବା ପରେ ଜନ୍ମ ନେଲା ପ୍ରଥମ ସଂତାନ ଯେ’ ପୁତ୍‌ ନାମକ ନରକରୁ ପିତାମାତାଙ୍କୁ ଉଦ୍ଧାର କରେ । ତିନିଟି ପିଲା ଜନ୍ମ କରି ସ୍ତ୍ରୀ ଆସିଲେ କର୍ମକ୍ଷେତ୍ରକୁ । ତା’ପରେ ଦୁଇବର୍ଷରେ ଆଉ ଦୁଇଟି । ସ୍ତ୍ରୀ ପୁଣି ଆସନ୍ନପ୍ରସବା । ଯଦିଓ ଇତିମଧ୍ୟରେ ପିତାମାତାଙ୍କର ମୃତ୍ୟୁ ହେଇଯାଇଚି ତା’ ସହିତ ଶ୍ରୀନିବାସର ମନଟା ମଧ୍ୟ ମରିଯାଇଚି । ତେଇଶବର୍ଷ ବୟସ୍କା ସ୍ତ୍ରୀର ଯୌବନକୁ ସେ ଧରି ରଖିପାରିନାହିଁ । ବେଳେବେଳେ ନିଜ ସନ୍ତନାମାନଙ୍କ ଉପରେ ତା’ର ରାଗ ହୁଏ । ହତଭାଗାଗୁଡ଼ାକ କାହାଠୁ ଅଭିଶାପ ପାଇ ଗୋଟେ ପରେ ଗୋଟେ ଯେମିତି ତା’ରି ଘରେ ଜନ୍ମ ନେଉଛନ୍ତି ।

 

ଆଉ ଶନିବାରରେ ଘରକୁ ଯିବାର ଆଗ୍ରହ ନାହିଁ । ସମ୍ୱଳ ବି ନାହିଁ । ଏବେ ମାସରେ ଥରେ ଗଲେ ଚଳୁଚି । ଘରକୁ ଯିବା ଖର୍ଚ୍ଚ କାଟି ରନ୍ଧାବଢ଼ା କରିବାପାଇଁ ସେ ପିଲାଟିଏ ରଖିବାକୁ ସମର୍ଥ ହେଇଚି ।

 

ତଥାପି ଅଭାବ...ଅଭାବ ଏକ ଦୈତ୍ୟପରି ତାକୁ ଗ୍ରାସ କରିଚି । ବର୍ତ୍ତମାନ ଯୁଗରେ ସ୍ତ୍ରୀ ଓ ପାଞ୍ଚଟି ସନ୍ତାନର ଭରଣପୋଷଣ କେତେ ଖର୍ଚ୍ଚ ସାପେକ୍ଷ ଓ ଜଣେ କିରାଣି ପକ୍ଷରେ ତାହା କିପରି କଷ୍ଟକର ବ୍ୟାପାର ତାହା ଅନୁଭବୀମାନେହିଁ ଜାଣନ୍ତି ।

 

ଶୀତରେ ଶୋଇବାକୁ ଚେଷ୍ଟା କରି ମଧ୍ୟ ତା’ ଆଖିକି ଆଉ ନିଦ ଆସିଲା ନାହିଁ । ଦିଲ୍ଲୀ କେନ୍ଦ୍ରର ସମ୍ୱାଦ ପ୍ରଚାର ସମୟକୁ ଅପେକ୍ଷା କଲେ ଘରବାଲା ଆସି ବିପଦ ସୃଷ୍ଟି କରିପାରେ । ତେଣୁ ସହଳ ସହଳ ମୁହଁ ହାତ ଧୋଇ ତାକୁ ପଳାଇ ଯିବାକୁ ପଡ଼ିବ । ଲକ୍ଷ୍ୟହୀନ ଭାବରେ ଏଣେତେଣେ ବୁଲି ଦି’ ପହର ବେଳେ ଲୁଚିଲୁଚି ଆସି ଭାତଗଣ୍ଡେ ଖାଇ ପୁଣି ବାହାରି ଯିବାକୁ ହେବ । ଘରବାଲା ଆସି ଚାକର ପିଲାକୁ ପଚାରିଲେ ସେ କହିବ–ଗାଁକୁ ଯାଇଛନ୍ତି । ଘରବାଲା ବିରକ୍ତ ହେବ । ମାତ୍ର ଫେରି ତ ଯିବ ।

 

କିନ୍ତୁ.....

 

କେତେଦିନ ତାକୁ ଫେରାଇ ପାରିବ ଶ୍ରୀନିବାସ ?

 

ତା’ର ବିକଟାଳ ମୁହଁ ଓ ନିଷ୍ଠୁର ବାକ୍ୟବାଣ ତା’ ମନରେ ଭୟ ସଞ୍ଚାର କରୁଚି । ତ୍ରାହି ନାହିଁ ।

 

ମୁହଁ ହାତ ଧୋଇ ସେ ବାହାରିଗଲା । ଘଡ଼ିଟାକୁ ବିକି ଯଦି ଶହେ ଟଙ୍କା ଯୋଗାଡ଼ କରାଯାଇପାରେ ଅନ୍ତତଃ ଗୋଟାଏ ମାସ ତ ଆଶୁ ବିପଦରୁ ରକ୍ଷା ମିଳିବ ।

 

ପୁଣି ମାସକ ପରେ ?

 

ସ୍ତ୍ରୀ ଦେହରେ ଗୋଟିଏ ସୁନାମୁଦି ଛଡ଼ା ଆଉ କିଛି ଅଳଙ୍କାର ନାହିଁ । ସେଇଟାକୁ ଯଦି ହାତ କରାଯାଇପାରେ ।

 

ମାତ୍ର ତା’ପରେ ?

 

ଏଇଠି କ’ଣ ଦୁଃଖର ଶେଷ ?

 

ଅଭାବର ପରିସମାପ୍ତି ?

 

ଅଭାବଗ୍ରସ୍ତ ପରିବାରର କର୍ତ୍ତା ହେଇ ମଣିଷ ସଂସାରକୁ ଆସେ କାହିଁକି ?

 

ମଣିଷ ଅଭାବକୁ ନିମନ୍ତ୍ରଣ କରେ ନା ଅଭାବ ମଣିଷକୁ ଧ୍ୱଂସ କରିବାକୁ ଧାଇଁ ଆସେ ?

 

ବହୁ ସନ୍ତାନର ଜନକ ଶ୍ରୀନିବାସ ଆଜି ଚିନ୍ତା କରୁଥିଲା, ସେ ନିଜେ ନିଜେ ଅଭାବକୁ ସୃଷ୍ଟି କରିଚି । ଭୁଲ୍‌ଟା ତା’ରି । ତା’ ବାପାଙ୍କର ସେ ଥିଲା ଗୋଟିଏ ପୁଅ । ଅଭାବ ଭିତରେ ବି ତା’ ବାପା ତାକୁ ମଣିଷ କରିପାରିଥିଲେ । ମାତ୍ର ସେ ଜାଣି ଜାଣି ତା’ର ଓ ତା’ ପରିବାରର ଭବିଷ୍ୟତକୁ ଅନ୍ଧାର କରିଦେଇଚି ।

 

ଲକ୍ଷ୍ୟହୀନ ଭାବରେ ପାଞ୍ଚଘଣ୍ଟା କାଳ ଏଣେତେଣେ ବୁଲି ଦି’ ପହର ବେଳକୁ ସେ ଫେରିଲା । ସିଧା ସଳଖ ରାସ୍ତାରେ ନ ଆସି ସାପପରି ବଙ୍କା ଦୀର୍ଘପଥ ସେ ଅତିକ୍ରମ କରି ଆସିଚି-। ଭାତ ଦି’ଟା ପେଟରେ ପୂରେଇ ପୁଣି ସେ ଆତ୍ମଗୋପନ କରିବ ।

 

ଘରେ ପହଞ୍ଚିବାକ୍ଷଣି ଚାକର ପିଲାଟି ଖଣ୍ଡେ ନାଲିଆ କାଗଜ ବଢ଼େଇଦେଇ କହିଲା–ମୋଠୁ ଦସ୍ତଖତ ନେଇ ପୋଷ୍ଟାଫିସ୍‌ ପିଅନ ଦେଇଯାଇଚି ।

 

ଟେଲିଗ୍ରାମ୍‌ । ସେ ଖୋଲି ପଢ଼ିଲା । ଲେଖାଅଛି–

 

Friday 6 P.M.–Blessed with a son.

 

Blessed ଶବ୍ଦଟା ଆଶର୍ବାଦ କି ଅଭିଶାପ ସେ ବୁଝିପାରୁନଥିଲା । ତା’ ମୁଣ୍ଡରେ, ଛାତିରେ ଓ କ୍ରମଶଃ ସର୍ବାଙ୍ଗରେ ସେ ଯନ୍ତ୍ରଣା ଅନୁଭବ କରୁଥିଲା ।

Image

 

ବିସମ୍ୱାଦ

 

ପୂଜା ଆସୁଚି ।

 

ଧନୀଗରିବ, ଯୁବାବୃଦ୍ଧ, ଛାତ୍ରଶିକ୍ଷକ, ନରନାରୀ ସମସ୍ତଙ୍କପାଇଁ ଏକ ନୂତନ ସମ୍ଭାବନା ନେଇ ପୂଜା ଆସୁଚି ।

 

ଆମ ଏଇ ଛୋଟ ସହରଟିରେ ଅନେକ ସାଜସଜ୍ଜା । ଦୋକାନଗୁଡ଼ିକରେ ଅସମ୍ଭବ ଭିଡ଼ । ପୂଜାରେ ସବୁରି ଘରଦ୍ୱାର ପୂରି ଉଠିବ ବନ୍ଧୁ ବାନ୍ଧବମାନଙ୍କ ଆଗମନରେ ।

 

ଲୁଗାଦୋକାନଗୁଡ଼ାକ ନାଲିନେଳି ବତୀରେ ଦୋକାନ ସାମନାକୁ ସଜେଇଚନ୍ତି । ଆମ ରିକ୍ସାଟା ଯାଇ ଗୋଟାଏ ଲୁଗାଦୋକାନ ସାମନାରେ ଛିଡ଼ା ହେଇଗଲା ।

 

ପ୍ୟାରେଲାଲ୍‌ଙ୍କ ପ୍ରସିଦ୍ଧ ଲୁଗାଦୋକାନ । ଲକ୍ଷାଧିକ ଟଙ୍କାର ଷ୍ଟକ୍‌ । ମୁଁ ରିକ୍ସାରୁ ଓହ୍ଲାଇ ପଡ଼ିବା କ୍ଷଣି ଗଦି ଉପରୁ ପ୍ୟାରେଲାଲ୍‌ ଚିତ୍କାର ଛାଡ଼ିଲେ–ଆଇଏ, ଆଇଏ.....

 

ମୁଁ ସାମାନ୍ୟ ହସି ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ଧରି ଦୋକାନ ଭିତରକୁ ଗଲି । ସ୍ତ୍ରୀଙ୍କ ପାଇଁ ଶାଢ଼ୀ, ସାୟା, ବ୍ଲାଉଜ୍‌ ପିସ୍‌; ପିଲାଙ୍କପାଇଁ ପେଣ୍ଟ୍‌, ଜାମା, ଫ୍ରକ୍‌; ଆଉ ମୋ ପାଇଁ ମୋ ସ୍ତ୍ରୀଙ୍କ ପସନ୍ଦ ଅନୁସାରେ କିଛି କପଡ଼ା କିଣା ହବ । ବର୍ଷରେ ଏଇ ତ ଗୋଟିଏ ପର୍ବ । ନୂଆ ବସ୍ତ୍ର ନ ହେଲେ ସମସ୍ତଙ୍କ ମୁହଁ ଭାରି ହୁଏ ।

 

କାଉଣ୍ଟର୍‌ ପାଖରେ ଠିଆହବା ମାତ୍ରେ ହରେକ୍‌ ଦାମର ହରେକ୍‌ ରଙ୍ଗର ଶାଢ଼ୀ ଜମା ହେଇଗଲା । ଦାମ୍‌ ଶହେରୁ ତିନିଶହ ଟଙ୍କା ଭିତରେ । ତାଠୁ ଉପରକୁ ଆମ ଷ୍ଟେଟସ୍‌ ନୁହେଁ । ଚେହେରା ଦେଖି ସେମାନେ ବୋଧହୁଏ ଜାଣିପାରନ୍ତି କିଏ କେତେଟଙ୍କା ପର୍ଯ୍ୟନ୍ତ ଯାଇପାରେ ।

 

ଶାଢ଼ୀରେ ମୋ ସ୍ତ୍ରୀ ମନୋନିବେଶ କରିଥାନ୍ତି ଓ ଗୋଟିଏ ପରେ ଗୋଟିଏ ଶାଢ଼ୀ ବେଶ୍‌ ଆଗ୍ରହର ସହିତ ଦେଖୁଥାନ୍ତି । ପର୍ସ ତ ତାଙ୍କ ହାତରେ । ବାଛିବେ, କିଣିବେ, ପଇସା ଦେବେ ସେ । ମୁଁ ଖାଲି ଦର୍ଶକ ମାତ୍ର ।

 

ଅନେକ ଦେଖାଦେଖି ବଛାବଛି ପରେ ତାଙ୍କର, ପିଲାଙ୍କର ତଥା ମୋର ଲୁଗା କିଣା ହେଲା । ସମୁଦାୟ ଆଠଶହ ଟଙ୍କାର ବିଲ୍‌ । ସ୍ତ୍ରୀ ଆଠଶହ ଟଙ୍କା କାଢ଼ି ମୋ ହାତକୁ ବଢ଼ାଇଦେଲେ-। ମୁଁ ନେଇ ପ୍ୟାରେଲାଲ୍‌ଙ୍କୁ ଟଙ୍କା ଦେବାବେଳେ ସେ ହସି ହସି ସୁନା ଛାଇଥିବା ସବୁଯାକ ଦାନ୍ତ ଦେଖାଇଦେଇ କହିଲେ–ବାବୁଜୀ, ନମସ୍ତେ । ଫିର୍‌ ଆଇଏ ।

 

ମୁଁ ବି ପ୍ରତି–ନମସ୍ତେ ଜଣାଇ ବାହାରକ ଆସିଲି । ବାହାରେ ଦେଖିଲି ଆମ ଘରେ ଠିକାକାମ କରୁଥିବା ବୁଢ଼ୀଟି ତା’ର ଝିଅକୁ ଧରି ସେଠି ହାଜର ।

 

ମୋ ସ୍ତ୍ରୀ ପଚାରିଲେ–ଜାଡ଼ିମା, ତୁ କୁଆଡ଼େ ଲୋ ?

 

ମୁଁ କହିଲି–ତା’ର ବି ତ ପୂଜା ଅଛି । ପିଲାଛୁଆ ଅଛନ୍ତି ।

 

ସେ କିନ୍ତୁ କହିଲା–ନାଇଁ ବାବୁ, ପୂଜାର ସଉଦାପାଇଁ ପଇସା ନାଇଁ । ମୁଁ ତମକୁ ଖୋଜି ଖୋଜି ଏଠିକି ଆସିଚି ।

ତାର ବିଷଣ୍ଣ ଝାଉଁଳା ମୁହଁଟାକୁ ଚାହିଁ ମୁଁ ପଚାରିଲି–କାହିଁକି ? କ’ଣ ହେଇଚି ?

ମୋର ଏଇ ପ୍ରଶ୍ନରେ ସେ ଟିକିଏ ଗୁମ୍‌ ମାରିଗଲା । ତା’ ପରେ କହିଲା–ବାବୁ; ମୋର ଏଇ ଝିଅର ବାପ, ଆଜି ସଞ୍ଜରେ ଆଉ ଗୋଟିଏ ମାଇକିନିଆ ଆଣି ଘରେ ପୂରେଇଚି ଆଉ ଆମ ମା’ ଝିଅଙ୍କୁ ଘରୁ ବାହାର କରିଦେଇଚି। ତମେ ଟିକିଏ ଥାନାକୁ ଫୂନ୍‌ କରିଦେଲେ ମୁଁ ଯିବି ।

ମୁଁ ଟିକିଏ ବିରକ୍ତ ହେଇ କହିଲି–ଥାନାରେ ଜଣେଇବୁ ? ଘର ଭିତର କଥାଟାକୁ ପଦାରେ ପକେଇବୁ ?

ମୋର ଏ କଥାପରେ ସେ ପୁଣି କହିଲା–ହଁ, ସେ ଯଦି ଇମିତିକା ଅପରଛିନିଆ କାମ କଲା, ମୁଁ ନକରିବି କାହିଁକି ? ବାବୁ; ତମେ ଖାଲି ଟିକିଏ ଥାନାକୁ ଫୂନ୍‌ କରିଦିଅନା, ମୁଁ ସେ ଦିହିଁଙ୍କି ଦେଖିନେବି ।

ମୁଁ କାଲି ସକାଳ ପର୍ଯ୍ୟନ୍ତ କଥାଟାକୁ ଟାଳଟୁଳ କରିବାକୁ ଚାହୁଁଥିଲି । ଯୁଆନ୍‌ ଝିଅଟାକୁ ନେଇ ରାତିରେ ଥାନାକୁ ଯିବାଟାକୁ ମୁଁ ପସନ୍ଦ କରୁନଥିଲି । ସେ କିନ୍ତୁ ମାନିଲାନି । ମୋ ଫୋନ୍‌କୁ ଅପେକ୍ଷା ନକରି ସେ ଚାଲିଗଲା ।

ଆମେ ବି ଚାଲିଆସିଲୁ ।

ପରଦିନଠାରୁ ସେ ଆଉ ଆମ ଘରକୁ କାମ କରିବାକୁ ଆସିଲା ନାହିଁ । ମୁଁ ଭାବିଲି, ବୋଧହୁଏ ତାକୁ ସାହାଯ୍ୟ ନ କରିବାକୁ ସେ ରାଗିଯାଇ ଆଉ ଆସୁନାହିଁ । ଅଥବା ଘରେ ଆଉରି କିଛି ଗଣ୍ଡଗୋଳ ଘଟିଛି ।

ଘରର କାମସବୁ ଆମକୁ ନିଜ ହାତରେ କରିବାକୁ ପଡ଼ିବାରୁ ପୂଜାର ଅଧେ ଆନନ୍ଦ ଏଇ କର୍ମବ୍ୟସ୍ତତା ଭିତରେ ମିଳାଇଗଲା ।

ମହାଷ୍ଟମୀ ଦିନ । ସକାଳୁ ସ୍ନାନପରି ପୂଜା ଦେବାପାଇଁ ଆମେ ଦେବୀମଣ୍ଡପକୁ ବାହାରୁ ଥାଉ । ଖୁବ୍‌ ବଡ଼ ପାଟିରେ କାନ୍ଦି କାନ୍ଦି ଜାଡ଼ିମା ଆସି ଆମଘରେ ହାଜର ହେଲା ।

ଭାବିଲି–ନିଶ୍ଚୟ ଆହୁରି ବଡ଼ଧରଣର କିଛି ଅଘଟନ ଘଟିଯାଇଚି ।

ମୋର ଅନୁମାନ ଠିକ୍‌ ।

ଜାଡ଼ିମା କଥାରୁ ଜଣାପଡ଼ିଲା ଯେ–ସେଦିନ ରାତିରେ ସେ ଥାନାକୁ ଯାଇଥିଲା । ସକାଳେ ତା’ କଥା ବୁଝିବେ କହି ଥାନାବାବୁ ରାତିରେ ତାକୁ ଗୋଟିଏ କନ୍‌ଷ୍ଟବଲ ବସାରେ ରଖାଇଦେଲେ । ପରଦିନ ସକାଳେ ପୂଜାପାଇଁ ବାବୁଙ୍କ ସ୍ତ୍ରୀ ପିଲାପିଲି ଗାଁକୁ ଗଲେ । ବାବୁ ବୁଢ଼ୀକି କହିଲେ–ବାବୁଆଣୀ ଆସିବା ପର୍ଯ୍ୟନ୍ତ ଜାଡ଼ି ଯାଇ ତାଙ୍କ ଘରେ କାମ କରିବ । ଭାତ ରାନ୍ଧିବ ଆଉ ସେଇଠି ଖାଇବ ମଧ୍ୟ । ରାତିରେ ବି ଜାଡ଼ି ବାବୁଙ୍କ ଘରେ ରହୁ, ସେ ଚାହିଁଲେ । ମାତ୍ର ରାତିରେ ରହିବା ପ୍ରସ୍ତାବରେ ମା’ ଝିଅ ରାଜି ହେଲେ ନାହିଁ ।

କଥା ଛିଡ଼ିଲା–ଜାଡ଼ି ତାଙ୍କ ଘରକୁ ସକାଳେ ଯିବ । କାମଦାମ ସାରି ସନ୍ଧ୍ୟା ପୂର୍ବରୁ ତା’ ମା’ ପାଖକୁ ଫେରିଯିବ । ତା’ ମା ସେତେବେଳକୁ ଆଉ ଜଣେ ବାବୁ, ଯାହାଙ୍କ ଘରେ ବି ସେ ଠିକାକାମ କରୁଥିଲା, ତାଙ୍କରି ଘର ଗୋହାଳ ପାଖରେ ଥିବା ଗୋଟିଏ ଛୋଟ ଘରେ ରହୁଥିଲା ।

 

ତା’ ପରେ ଏଇ ଅଘଟଣ ।

 

ସପ୍ତମୀ ଦିନ ଦି’ପହରେ ବାବୁ ଖାଇସାରି ଗୋଡ଼ ଟିପିବାପାଇଁ ଜାଡ଼ିକି ଡାକିଲେ ଓ ଏଇ ଗୋଡ଼ଟିପା ଭିତରେ ତା’ ପ୍ରତି ଦୁର୍ବ୍ୟବହାର କରିବାକୁ ଚାହିଁଲେ । ଜାଡ଼ି ଭୟଭୀତା ହେଇ ଦଉଡ଼ି ପଳାଇ ଆସିଲା । ଆଉ ଏଇ ପଳାଇ ଆସିବାବେଳେ ତାକୁ ଧରିଥିବା ବାବୁଙ୍କର ହାତଟାକୁ କାମୁଡ଼ି ଦେଇ ଆସିଲା । ଆଜି ସକାଳେ ବାବୁ ଦୁଇଜଣ ସିପାହୀ ପଠାଇ ଚୋରି କରିଥିବା ଅଭିଯୋଗରେ ଜାଡ଼ିକୁ ଧରିନେଇ ଯାଇଛନ୍ତି । ବୁଢ଼ୀ ଆସିଚି ମୋ ସାହାଯ୍ୟରେ ଝିଅକୁ ଉଦ୍ଧାର କରିବାପାଇଁ ।

 

ମୋ ଓକାଲତି ବୁଦ୍ଧି ମୁଁ ଖଟେଇଲି । ମାତ୍ର ପୋଲିସ ହାତରେ ଏଭଳି ଅଖଣ୍ଡ କ୍ଷମତା ରହିଛି ଯେ ଆଇନ୍‌ ଅନୁସାରେ ସେମାନଙ୍କ ବିରୁଦ୍ଧରେ କ’ଣ ବା କରିହବ ? ଯଦି ବା କିଛି କରାଯାଏ ପୋଲିସ୍‌ ବିରୁଦ୍ଧରେ କୋଉ ମେକଦ୍ଦମା ବା ଟେକିବ ? ସାକ୍ଷୀ ବା ଦବ କିଏ ? ଜାଡ଼ି ମା’ ପାଖରେ ଏତେସବୁ କରିବାପାଇଁ ପଇସା ବା କାହିଁ ?

 

ଜାଡ଼ି ମା’ ମୁହଁକୁ ଅତି ଅସହାୟ ଭାବରେ ମୁଁ ଚାହିଁଲି । ତା’ର କରୁଣ ମୁହଁ ଦେଖି ମୋର ଦୀର୍ଘଶ୍ୱାସ ଉଠିଲା । କିପରି ତାକୁ ମୁଁ ସାହାଯ୍ୟ କରିପାରିବି ? ତା’ର ଅନୂଢ଼ା ଯୁବତୀ ଝିଅକୁ ଅକ୍ଷତ ଅବସ୍ଥାରେ କିଭଳି ଫେରାଇ ଆଣିପାରିବି ?

 

ମୁଁ କିଂକର୍ତ୍ତବ୍ୟବିମୂଢ଼ !

 

ଜାଡ଼ିମା ବ୍ୟସ୍ତ–ବିକଳ ।

 

ପୋଲିସ ହାଜତରେ ଯୁବତୀ ଝିଅର ଜୀବନରେ ରାତ୍ରି ହୁଏତ ହେବ ଭୟଙ୍କର । ଥାନାବାବୁ କ’ଣ ଜାମିନ୍‌ ଦେବେ ? ଯଦି ନଦିଅନ୍ତି ଜାମିନ୍ ଆଣିବାକୁ କୋର୍ଟକୁ ଯିବାକୁ ପଡ଼ିବ ।

 

ମାତ୍ର–

 

ସେ କ’ଣ ଏତେଶୀଘ୍ର ତାକୁ କୋର୍ଟର ହାଜର କରେଇବେ ?

 

ମୋ ମନରେ ଅସୁମାରି ପ୍ରଶ୍ନ । ଦାରିଦ୍ର୍ୟ ଯୋଗୁଁ ସିଏ ପରଘରର ଅଇଁଠାବାସନ ମାଜି ନିଜର ପେଟ ପୋଷେ–ଯୁଆନ୍‌ ଝିଅକୁ ମଧ୍ୟ ପରଘରେ ଖଟାଏ–ଏତେ କରି ମଧ୍ୟ ସ୍ୱାମୀଦ୍ୱାରା ଲାଞ୍ଛିତା ହେଇ ପରଘରେ ଆଶ୍ରୟ ନିଏ–ସ୍ତ୍ରୀତ୍ୱର ଅଧିକାରକୁ ଜାହିର୍‌ କରିବାପାଇଁ ଆଇନ୍‌ର ରକ୍ଷକମାନଙ୍କ ପାଖରେ ଶରଣ ପଶେ–ତା’ କପାଳରେ ଆହୁରି କେତେ ଦୁଃଖ ଥାଏ... !

 

ପୂଜାମଣ୍ଡପରେ ମହାଷ୍ଟମୀର ପୂଜା ଆରମ୍ଭ ହେଇଯାଇଥାଏ । ପୂଜକଙ୍କ କଣ୍ଠରୁ ଡାକବାଜି ଯନ୍ତ୍ରଯୋଗେ ଭାସିଆସୁଥାଏ ସନ୍ଧିପୂଜାର ମନ୍ତ୍ର ।

 

ମୁଁ ମୋ ଭାବନା ଭିତରେ ବୁଡ଼ିରହି କିଛି ଥଳକୂଳ ପାଉନଥାଏ ।

 

ଜାଡ଼ିମା କାନ୍ଦୁଚି ।

 

ଆଉ ମୁଁ ଭାବୁଚି–ସେ କେଉଁ ଯୁଗରେ ଜଗଜ୍ଜନନୀ ଦୁର୍ଗତିନାଶିନୀ ମା’ ଅସୁର ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବାପାଇଁ ଦୁର୍ଗାରୂପେ ଅବତୀର୍ଣ୍ଣା ହୋଇ ଦାନବରାଜ ମହିଷାସୁରକୁ ବଧ କରିଥିଲେ । ଆଜି ଏଇ ପୃଥିବୀପୃଷ୍ଠରେ ସହସ୍ର ସହସ୍ର ମହିଷାସୁରର ଅତ୍ୟାଚାର । ରକ୍ଷକ ଆଜି ଭକ୍ଷକ । ସୃଷ୍ଟି ବିଷାକ୍ତ । ଏବଂ ଆମେ ଅସହାୟ !

 

ଆମର ପ୍ରାର୍ଥନା–ଦୁର୍ଗତି-ନାଶିନୀ ଜଗଜ୍ଜନନୀ ଦୁର୍ଗା ଆଜି ଏଇ ପାପାତ୍ମାମାନଙ୍କ କବଳରୁ ବସୁନ୍ଧରାକୁ ରକ୍ଷା କରନ୍ତୁ । ଜାତିର ଦୁଃଖ ଘୁଞ୍ଚୁ, ଜାଡ଼ିମାର ଇଜ୍ଜତ ବଞ୍ଚୁ ।

Image

 

ଶୂନ୍ୟତାର ପୂର୍ଣ୍ଣତା

 

ଜହ୍ନରାତି ବପରେ ଅନ୍ଧାର ରାତି ଆସିଲା । ସେଇ ଅନ୍ଧାର ଭିତରେ କୋଣାର୍କର ମୁଗୁନି ପଥର ମୂର୍ତ୍ତିଗୁଡ଼ାକ ହଜିଗଲେ ।

 

ସମୁଦ୍ରରୁ ଖୁବ୍‌ ଜୋର୍‌ରେ ପବନ ବହିଲା । ସେଇ ପବନ ସହିତ କୋଣାର୍କର ପଥର ମୂର୍ତ୍ତିଗୁଡ଼ାକ ଉଡ଼ିଗଲେ ।

 

ରାତି ବଢ଼ିଉଠିଲା ।

 

ଚତୁର୍ଦ୍ଦିଗ ଶୂନ୍‌ଶାନ୍‌ ।

 

ଅନେକ ଅଦୃଶ୍ୟ ଆତ୍ମାର ନିଃଶ୍ୱାସରେ କୋଣାର୍କର ଛାତି ଉଷ୍ଣ ହେଲା ।

 

ଶାମ୍ୱ, ଛାୟା, ଚନ୍ଦ୍ରଭାଗା....

 

ବିଶୁ, ଶିବେଇ, ନରସିଂହ....

 

ଅନ୍ଧାର ଭିତରେ ସମସ୍ତେ ଆଗେଇ ଆସିଲେ । ମନ୍ଦିର ଭିତରେ ସେମାନେ ଖୋଜିଲେ ନିଜନିଜକୁ ।

 

କିନ୍ତୁ ସେଇ ମହା ଅନ୍ଧାର ଭିତରେ କେହି କାହାକୁ ପାଇଲେ ନାହିଁ ।

 

ପାଚିରି ବାହାର ବାଲିରେ ବସୁବସୁ ଆମ ଆଖିକି ନିଦ ଘାରିଗଲା ।

 

ଆମ ମନରେ ଭୂତର ଭୟ ।

 

କୋଣାର୍କ ଏକ କଳାର ଶ୍ମଶାନ ।

 

ନୈରାଶ୍ୟର ଚରମ ନିର୍ଯ୍ୟାସ ।

 

ନୀଳିମା କହିଲା–ଆହୁରି ପାଖକୁ ଘୁଞ୍ଚିଆସ ।

 

ମୁଁ କହିଲି–ନା, ଏଇଟା ଧର୍ମକ୍ଷେତ୍ର, ମନ୍ଦିର ।

 

ସେ କହିଲା–ଦେବତାବିହୀନ ମନ୍ଦିରର ଅର୍ଥ କ’ଣ ?

 

ମୁଁ କହିଲି–ବିଶ୍ୱାସ ।

 

ସେ କହିଲା–ମନ୍ଦିର ଦେହର ସେଇ ମୂର୍ତ୍ତିଗୁଡ଼ାକ ତୁମେ ଦେଖିଚ ? ମନ୍ଦିର ଦେହରେ ଯେଉଁଟା ସମ୍ଭବ ହେଇଚି ମନ୍ଦିର ବାହାରେ ସେଇଟା ଅସମ୍ଭବ ହେବ କାହିଁକି ?

 

ମୁଁ ନିରୁତ୍ତର !

 

ସେ ମୋ ଦେହ ସହିତ ମିଶିଯାଇଚି ।

 

ସେଇ କାକଡ଼େଣା ଅନ୍ଧାର ଭିତରେ ମନ୍ଦିର ଭିତରର ମୂର୍ତ୍ତିକୁ ଭୁଲି ମୁଁ ବି ଖୋଜୁଚି ବାହାରର ସେଇ ମୂର୍ତ୍ତିଗୁଡ଼ାକୁ । ସେଇ ନଗ୍ନତାକୁ ।

 

ମନରେ ପ୍ରଶ୍ନ ଉଠୁଚି–କେଉଁଟା ସତ୍ୟ ?

 

ମନ୍ଦିର ଭିତରର ଦେବତା ନା ମନ୍ଦିର ବାହାରର ନଗ୍ନତା ?

 

ମୁଁ ତା’ ଦେହ ସହିତ ମିଶିଯାଇଚି ।

 

ସକାଳ ହେଲା । ପୂର୍ବାକାଶରେ ଏକ ଲୋଭନୀୟ ସୂର୍ଯ୍ୟ । ସେ ଡିଆଁମାରି ଆକାଶକୁ ଉଠୁଚି ।

 

କିନ୍ତୁ......

 

ମନ୍ଦିର ଭିତରଟା ଶୂନ୍ୟ ।

 

ବାହାରର ମୂର୍ତ୍ତିଗୁଡ଼ାକ ଆମକୁ ଚାହିଁ ହସୁଚନ୍ତି ଓ କହୁଚନ୍ତି–ମନ୍ଦିର ଭିତରେ ସୂର୍ଯ୍ୟଙ୍କୁ ଦେଖିବାର ଆବଶ୍ୟକତା ନାହିଁ । ବାହାରେ ସୂର୍ଯ୍ୟଙ୍କ ଆଲୋକରେ ଆମକୁ ହିଁ ଦେଖ ।

Image

 

ଅଧିକାର

 

କେତେ କାହାଠୁ ଥଟ୍ଟା ଟାହିଟାପରା ଶୁଣିବାକୁ ପଡ଼ୁଥିଲା ।

 

କ’ଣ କରିବ ବିଚାରୀ ? ଅଳ୍ପ ବୟସରେ ବିଧବା ହେଇଯାଇଚି ।

 

ତା’ର ସବୁଠୁ ବଡ଼ ସମସ୍ୟା ତା’ର ରୂପ ।

 

ତା’ର ସବୁଠୁ ବଡ଼ ସମସ୍ୟା ତା’ର ଯୌବନ ।

 

କେହି ତ ‘ଆହା‘ ପଦେ କହିଲେ ନାହିଁ ।

 

କେହି ତ ତା’ ମର୍ମଦାହ ବୁଝିଲେ ନାହିଁ ।

 

ହାଟ ଛକରେ ସେମାନେ ତାକୁ ଦେଖି ପାଟିକରି କହୁଥିଲେ । ଚିଗୁଲଉଥିଲେ । କ’ଣ ପ୍ରେମ ଖେଳ ସରିଗଲା ?

 

ପ୍ରେମ ଖେଳ ! କାହାର ନ ସରେ ! ଆଜି ହଉ ବା କାଲି ହଉ ।

 

ଅଳ୍ପ ଦୂରରେ କେଦାରଗୌରୀ ମନ୍ଦିର । ସେମାନଙ୍କ ବ୍ୟର୍ଥପ୍ରେମ ତ ପ୍ରେମ ଥିଲା ।

 

ତା’ ପ୍ରେମ ତ ସାର୍ଥକ !

 

ଗୋଟିଏ ବର୍ଷ । ତିନିଶହ ପଅଁଷଠି ରାତି । ପ୍ରେମ ବୋଲି ଯାହାକୁ କୁହାଯାଏ–ଯାହାପାଇଁ ମଣିଷ ପାଗଳ ହୁଏ ତାକୁ ସେ ଏକାନ୍ତରେ ପାଇଛି ।

 

ମାତ୍ର ଗୋଟିଏ ବର୍ଷ । ତା’ପରେ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କ’ଣ ଅଛି ?

 

ଯମ ତ ନ ଜାଣଇ ବାଳୁତ-ଯୁବା ।

 

ହାଟ ଛକର ସେଇ ଟୋକାମାନେ ଯେଉଁମାନେ ଜୀବନ କ’ଣ ଜାଣିନାହାନ୍ତି–ସଂସାର ବିଷୟରେ ଯେଉଁମାନଙ୍କର ଅଭିଜ୍ଞତା ନାହିଁ–ସେମାନଙ୍କ ଟାହିଟାପରାର କୌଣସି ଉତ୍ତର ନ ଦବା ଭଲ ।

 

ହାଟରୁ ପରିବା କିଣି ବେଗଟାକୁ ହାତେ ଝୁଲାଉ ଆସୁଥିଲା ଉଷା । ରିକ୍‌ସା କରିବାର ସମ୍ୱଳ ଆଜି ଆଉ ନାହିଁ ।

 

ତା’ର ବିରାଟ ଭବିଷ୍ୟତ ଧୂଧୂ ହେଇ ଜଳୁଚି । ଏତେ ରୂପ–ଏତେ ଯୌବନକୁ ନେଇ ସେ କ’ଣ କରିବ ?

 

ଘରକୁ ଫେରି ରନ୍ଧାବଢ଼ା କରିବାକୁ ଆଉ ଇଚ୍ଛା ହେଲା ନାହିଁ ।

 

ନିଜର ପେଟଟି ଛଡ଼ା ଆଉ କିଏ ଅଛି ଖାଇବାକୁ !

 

ତା’ ଘରକୁ ସେ ନିଜେ ଚିହ୍ନିନାହିଁ । ପ୍ରେମ କରି ବାହା ହେଇଥିବାରୁ ଶ୍ୱଶୁରଘର ସହିତ ତାର ସମ୍ପର୍କ ନାହିଁ । ସ୍ୱାମୀ ରହୁଥିବା ସରକାରୀ କ୍ୱାଟର୍‌ରେ ସେ ରହୁଚି । ନୋଟିସ୍‌ ଲାଗିଚି ଆଗାମୀ ପହିଲାରେ ଛାଡ଼ିବାପାଇଁ । କେହି କ’ଣ ତା’ ଦୁଃଖ ବୁଝିଲେ ? ବୁଝିବାକୁ ଚାହିଁଲେ ?

 

ଶ୍ୱଶୁରଘର ତାକୁ ଖୋଜନ୍ତିନି କି ଲୋଡ଼ନ୍ତିନି ।

 

ସବୁରି ହିଂସ୍ର ଆଖି ।

 

ସବୁଠି ଅଶ୍ଲୀଳ ଇଙ୍ଗିତ ।

 

କାରଣ–ସେ ବେଓ୍ୟା–ବେଓ୍ୟାରିସ୍‌ ।

 

ରାତିର ଅନ୍ଧାରରେ ସେ ଦୁଃସ୍ୱପ୍ନ ଦେଖୁଥିଲା । ସତୀଦାହ ପ୍ରଥା ଲୋପ କରିଥିବା ଗୋରା ବଡ଼ଲାଟଙ୍କୁ ସେ ମନେମନେ ଅଭିଶାପ ଦେଉଥିଲା ।

 

ଭାଙ୍ଗିଥିବା ମନ ଭାଙ୍ଗିଥିବା ଜୀବନକୁ ଆଉ କ’ଣ ଯୋଡ଼ି ହୁଏ ?

 

ଯାହା ଯୋଡ଼ିହୁଏ ତାହା କ୍ଷୁଧା-ପ୍ରେମର ନକଲି ରୂପ ।

 

ମଧ୍ୟରାତ୍ରିରେ ଦୁଃସପ୍ନ ବଢ଼ି ଉଠିଲା । ସେ ଯନ୍ତ୍ରଣାରେ ଛଟପଟ ହେଲା ।

 

ସେ ଦଉଡ଼ିଲା କୂଅ ପାଖକୁ ।

 

ସେ ଦଉଡ଼ିଲା ପଣସ ଗଛ ତଳକୁ ।

 

ଜୀର୍ଣ୍ଣବସ୍ତ୍ର ଫିଙ୍ଗିଦେଇ ନୂତନ ବସ୍ତ୍ର ପିନ୍ଧିବାର ଆକାଂକ୍ଷା ନେଇ ସେ ମିଶିଗଲା ରାତିର ଅନ୍ଧାର ସହିତ ।

Image

 

ଜ୍ଞାନ-ପାଗଳ

 

‘‘ମୁଁ ଆଉ ବିବାହ କରିବି ନାହିଁ ।’’

 

ସେ ଘୋଷଣା କଲେ ।

 

ମୋର ତାଙ୍କ ସହିତ ଦ୍ୱିତୀୟ ଥର ଦେଖାହେବା ବେଳକୁ ସେ ଖୁବ୍ ବିଷଣ୍ଣ ଦେଖାଯାଉଥିଲେ । ମୋ ସହିତ କଥା କହୁକହୁ ସେ ହସୁଥିଲେ । ତାଙ୍କର ଯେମିତି କିଛି ହେଇନାଇଁ ଏହି ଧାରଣା ଦେବାକୁ ଚେଷ୍ଟା କରୁଥିଲେ ।

 

ତା’ ସତ୍ତ୍ୱେ ମୁଁ ଠିକ୍‌ ବୁଝିପାରୁଥିଲି ତାଙ୍କ ମନ ଆଉ ହୃଦୟକୁ କୀଟ ଦଂଶନ କରିବା ଆରମ୍ଭ କରିଛି । ସେ ଯନ୍ତ୍ରଣା–କାତର ଅବସ୍ଥାରେ କିଛିଦିନ କଟେଇଛନ୍ତି । ପୂର୍ବର ସେ ଆତ୍ମପ୍ରତ୍ୟୟକୁ ମୁଁ ତାଙ୍କ ପାଖରେ ଖୋଜି ନିରାଶ ହେଉଥିଲି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ଚେହେରାରେ ବିଶେଷ କିଛି ପରିବର୍ତ୍ତନ ମୁଁ ଲକ୍ଷ୍ୟ କରି ପାରୁନଥିଲି । ତାଙ୍କ ଚେହେରାଟା ତାଙ୍କ ମନର ଦର୍ପଣ ନଥିଲା ।

 

କାର୍ଯ୍ୟ ଉପଲକ୍ଷ୍ୟରେ ମୁଁ ଏହି ସହରକୁ ଆସିଥିଲି । ମାର୍କେଟରେ ହଠାତ୍‌ ତାଙ୍କ ସାନଭାଇ ସାଙ୍ଗରେ ଦେଖାହେଲା । ତାହାରିଠୁ ଶୁଣିଲି ଯେ ସେମାନେ ବର୍ତ୍ତମାନ ଏଇ ସହରରେ ଅଛନ୍ତି । ଘରର କୁଶଳ ସମ୍ୱାଦ ତା’ଠୁ ଶୁଣିଲି । ‘ବାପା ମା’ ଦିଦି କେମିତି ଅଛନ୍ତି’ ମୋର ଏ ପ୍ରଶ୍ନର ଉତ୍ତରରେ ସେ କହିଥିଲା–‘ସବୁ ଭଲ ।’

 

ଦୀର୍ଘ ଦଶବର୍ଷର ବ୍ୟବଧାନ ପରେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ମନଟା ଛଟପଟ କଲା ।

 

ତାଙ୍କ ସାନଭାଇ ପଚାରିଲା–ଆମ ବସାଆଡ଼େ ଯିବେନି ?

 

ଏ ପ୍ରଶ୍ନର ଉତ୍ତର କ’ଣ ଦେବି ? ହଁ ନା ନା ?

 

ମୋର ନୀରବତା ଦେଖି ସେ କହିଲା–ଆମ କଦମାରେ ଅଛୁ ।

 

କ୍ୱାଟର ନମ୍ୱର ବି ସେ ଦେଇଗଲା ଓ ଘରର ସମସ୍ତଙ୍କ ତରଫରୁ ମୋତେ ଯିବାପାଇଁ ନିମନ୍ତ୍ରଣ କରିଗଲା ।

 

ହଠାତ୍‌ ମୋ ମନ-ପର୍ଦ୍ଦାରେ ଭାସି ଉଠୁଥିଲା ଦଶବର୍ଷ ତଳ ଜୀବନ୍ତ ମୁହୂର୍ତ୍ତଗୁଡ଼ାକ । ବାଲେଶ୍ୱର ସହରରେ ମୋ ଘର ନିକଟରେ ସେମାନେ ଆସି ଗୋଟିଏ ବସାଘର ନେଇ ଏକବର୍ଷ କଟାଇଥିଲେ । କୌଣସି ଏକ ବ୍ୟାଙ୍କ୍‍ରୁ ନିଜର ଦୁଇଖଣ୍ଡ ବହି ପ୍ରକାଶ କରିବାପାଇଁ ଟଙ୍କା ଆଣି ଭଲ ପ୍ରେସ୍‌ଟିଏର ସନ୍ଧାନରେ ସେମାନେ ଏହି ସହରକୁ ଆସିଥିଲେ । ମୋ ସହିତ ସାକ୍ଷାତ କରି ମୋ’ରି ପ୍ରେସ୍‌ରେ କହି ଛପାଇବାର ସିଦ୍ଧାନ୍ତ ନେଇ ସେମାନେ ମୋ’ରି ପ୍ରେସ୍‌ ପାଖରେ ଭଡ଼ା ଘରଟିଏ ନେଇ ରହିଲେ । ଦୀର୍ଘ ଗୋଟିଏ ବର୍ଷ–ପ୍ରତିଦିନ ସନ୍ଧ୍ୟାରେ ମୁଁ ତାଙ୍କ ଘରକୁ ଯାଉଥିଲି ।

 

ଘରର କର୍ତ୍ତା ଋଷିପ୍ରତିମ ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଆଚାର୍ଯ୍ୟ ନାନାପ୍ରକାର ତତ୍ତ୍ୱ ଆଲୋଚନାରେ ମୋତେ ଆପ୍ୟାୟିତ କରୁଥିଲେ । ଏ ହେଉଛନ୍ତି ତାଙ୍କରି କନ୍ୟା ଯାହାଙ୍କ ସହିତ ପ୍ରଥମ ଦେଖାରୁ ହିଁ ମୋର ମନେ ହେଉଥିଲା, ସେ ଜଣେ ବିଦୁଷୀ । ହିନ୍ଦୀ, ବଙ୍ଗଳା, ଅହମିୟା, ଗୁଜରାଟୀ, ମରାଠୀ, ଇଂରାଜୀ, ଜାପାନୀ, ଚାଇନିଜ୍‌ ପ୍ରଭୃତି ଭାଷାରେ ସେ ଲେଖାଲେଖି ମଧ୍ୟ କରିଛନ୍ତି । ତାଙ୍କର ବହୁ ଲେଖା ଭାରତ ତଥା ଭାରତ ବାହାରେ ପ୍ରକାଶିତ ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଡକ୍ଟର ଆଚାର୍ଯ୍ୟଙ୍କ ସହିତ ତତ୍ତ୍ୱ ଆଲୋଚନା ଏବଂ ସାହିତ୍ୟ ଆଲୋଚନାରେ ବେଶ୍‌ କଟିଗଲା ଗୋଟାଏ ବର୍ଷ ।

 

ଏହି ବର୍ଷକ ଭିତରେ ସେ ମୋ ପରିବାର ସହିତ ଏମିତି ସ୍ନେହପାଶରେ ଆବଦ୍ଧ ହେଇ ପଡ଼ିଲେ ଯେ, ପ୍ରତ୍ୟହ ସକାଳେ ସେ ମୋ ଘରକୁ ଆସୁଥିଲେ । ମୋ ସ୍ତ୍ରୀ ତାଙ୍କୁ ଚା’ କରି ଖୁଆଉଥିଲେ ।

 

ସନ୍ଧ୍ୟାଟା କଟୁଥିଲା ତାଙ୍କ ଘରେ । ସହରର ସଂସ୍କୃତି ପ୍ରିୟ ଲୋକମାନେ ମଧ୍ୟ କ୍ରମଶଃ ତାଙ୍କର ଘରକୁ ଆସିବା ଆରମ୍ଭ କରିଦେଇଥିଲେ । ସତ କହିବାକୁ ଗଲେ ତାଙ୍କ ଘରଟା ସହରର ଏକ ସାଂସ୍କୃତିକ ମିଳନ-କେନ୍ଦ୍ର ହେଇଉଠିଥିଲା ।

 

ଚାହୁଁ ଚାହୁଁ ଗୋଟାଏ ବର୍ଷ କେମିତି ଯେ’ କଟିଗଲା ଆମ କାହାରିକୁ ଜଣାପଡ଼ିଲା ନାହିଁ-। ଏହି ବର୍ଷକ ଭିତରେ ବହିଛପା କାମ ଆରମ୍ଭ ବି ହେଇପାରିଲା ନାହିଁ । ଛପା ତ ଦୂରର କଥା ପାଣ୍ଡୁଲିପି ମଧ୍ୟ ପ୍ରସ୍ତୁତ ହେଇପାରିଲା ନାହିଁ ।

 

ବର୍ଷକ ପରେ ତାଙ୍କ ଗାଁଆରୁ ଖବର ଆସିଲା ଯେ’ ଅଧ୍ୟାପକଙ୍କର ସ୍ତ୍ରୀ ଗୁରୁତର ଅସୁସ୍ଥ । ଆମ ସହରଠୁ ତାଙ୍କ ଗାଁ ପ୍ରାୟ ଦୁଇ ଶହ କିଲୋମିଟର ଦୂର । ଖବର ପାଇ ଅଧ୍ୟାପକ ଏବଂ ତାଙ୍କ କନ୍ୟା ସୂର୍ଯ୍ୟା ଦିନେ ହଠାତ୍‌ ଆମ ସହରରୁ ବିଦାୟ ନେଲେ । ଯିବାବେଳେ ତାଙ୍କର ସମସ୍ତ ଆସବାବପତ୍ର ନେଇଗଲେ ।

 

ଦୁଃଖପୂର୍ଣ୍ଣ ହୃଦୟରେ ସେଦିନ ମୁଁ ଓ ମୋ ସ୍ତ୍ରୀ ତାଙ୍କୁ ବିଦାୟ ଦେଇଥିଲୁ । ଅନୁରୋଧ କରିଥିଲୁ ଘରେ କିଛି ଅଘଟଣ ନ ଘଟିଲେ ଶୀଘ୍ର ଫେରିଆସିବାକୁ । ପରେ ତାଙ୍କ ପତ୍ରରୁ ଜାଣିଲି ଯେ, ତାଙ୍କ ସ୍ତ୍ରୀ ପ୍ରାୟ ଦୁଇମାସ ଅସୁସ୍ଥ ରହିବାପରେ ଆରୋଗ୍ୟଲାଭ କରିଛନ୍ତି । ମୁଁ ତାଙ୍କୁ ପତ୍ର ଲେଖିଥିଲି ଶୀଘ୍ର ପୁଣି ଆସି ଆମ ସହିତ ମିଳିତ ହବାକୁ । ମାତ୍ର ସେ ଆସିଲେ ନାହିଁ । ତାଙ୍କ ପ୍ରତୀକ୍ଷାରେ କଟିଗଲା ଦୀର୍ଘ ଦଶ ବର୍ଷ । କ୍ରମେ ମୁଁ ତାଙ୍କ କଥା ଭୁଲିଆସିଲି ।

 

ସେମାନଙ୍କ ସହିତ ମୋର ସଂପର୍କ ବା’ କ’ଣ ? ଜୀବନ ପଥରେ ହଠାତ୍‌ ଏମିତି ସେମାନଙ୍କ ସହିତ ଦେଖା, ଦେଖାରୁ ଘନିଷ୍ଠତା । ମାତ୍ର ଏଇ ଘନିଷ୍ଠତାର ଜୋର୍‌ ସେମାନଙ୍କ ଅଦର୍ଶନରେ କେତେଦିନ ବା ରହିପାରନ୍ତା !

 

ସେମାନେ ଯିବାପରେ କିଛିଦିନ ମୁଁ ସେମାନଙ୍କ କଥା ପ୍ରତିଦିନ ଭାବୁଥିଲି । ସନ୍ଧ୍ୟା ହେଲେ ମନେ ହେଉଥିଲା ମୁଁ ଯେମିତି କିଛି ଗୋଟାଏ ହରେଇ ବସିଚି । ସେଇ ଆତ୍ମୀୟତା, ମନର ମିଳନ, ଆନନ୍ଦ ଉପଲବ୍‌ଧି । ଦିନକୁ ଦିନ ମୁଁ ଯେମିତି ନିଃସ୍ୱ ହେଇପଡ଼ିଲି ।

 

ଅନେକଦିନ ଗୋଟିଏ ପ୍ରଶ୍ନ ମୋ ମନକୁ ଆଚ୍ଛନ୍ନ କରି ରଖିଥିଲା । ଅଧ୍ୟାପକ ଆଚାର୍ଯ୍ୟ ଥିଲେ ଖୁବ୍‌ ଆତ୍ମାଭିମାନୀ । ସୂର୍ଯ୍ୟା ମଧ୍ୟ କମ୍‌ ନଥିଲେ । ସୂର୍ଯ୍ୟା ବିବାହ ନ କରିବାର କାରଣ କ’ଣ ଏଇ ଆତ୍ମାଭିମାନ ! ନା ଆଉ କିଛି ?

 

ଏତେ ଘନିଷ୍ଠତା ସତ୍ତ୍ୱେ ଏ ସମ୍ପର୍କରେ ଅଧ୍ୟାପକଙ୍କୁ ବା ସୂର୍ଯ୍ୟାଙ୍କୁ ମୁଁ କିଛି ପଚାରିପାରି ନଥିଲି । ଜଣେ ଭଦ୍ରମହିଳାଙ୍କ ବିବାହ-ସମ୍ପର୍କୀୟ ପ୍ରଶ୍ନ ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତା ବା ଦାତ୍ରୀ ଉଭୟଙ୍କ ପକ୍ଷରେ ଖୁବ୍‌ ଅସୁବିଧାଜନକ । ମୋ ପ୍ରଶ୍ନ ମୋ ମନରେ ହିଁ ରହିଯାଇଥିଲା । ୟା’ର ଉତ୍ତରପାଇଁ ମୋ ମନ ଭିତରେ ମୁଁ ବହୁତ କସରତ୍‌ କରିଚି । ନାନାପ୍ରକାର ଉତ୍ତର ଆସି ମୋ ମନ ଭିତରେ ଛନ୍ଦିଯାଇଚି । ମାତ୍ର ମୁଁ କେଉଁଥିରେ ସନ୍ତୁଷ୍ଟ ହୋଇପାରିନାହିଁ ।

 

ହେଇପାରେ ବରପାତ୍ରମାନେ ହୁଏତ ଖୁବ୍‌ ଯୌତୁକ ଦାବି କରିଥିଲେ ।

 

ହେଇପାରେ ହୁଏତ ତାଙ୍କ ସମକକ୍ଷ କୌଣସି ପାତ୍ର ସେ ପାଇଲେ ନାହିଁ ।

 

ହେଇପାରେ କାହାକୁ ପ୍ରେମ କରି ସେ ବ୍ୟର୍ଥ ହେଇଛନ୍ତି ।

 

ମୁଁ ଯେତିକି ଯେତିକି ତାଙ୍କ ବିଷୟରେ ଭାବୁଥିଲି ସେ ସେତିକି ସେତିକି ମୋ ପାଖରେ ରହସ୍ୟମୟୀ ହେଇଉଠୁଥିଲେ । ଶେଷରେ ତାଙ୍କ ସମ୍ପର୍କରେ ସବୁପ୍ରକାର ଭାବନାରୁ ମୁଁ କ୍ଷାନ୍ତ ହେବାପରେ ହଠାତ୍‌ ତାଙ୍କ ସାନଭାଇ ସହିତ ଦେଖାହେଲା ।

 

ମନରେ ମୋର ଦ୍ୱନ୍ଦ୍ୱ । କାହିଁକି ମୁଁ ଯିବି ? ଦଶବର୍ଷ ଚଲିଗଲାଣି । ବୟସ ବି ବଢ଼ିଗଲାଣି । ପୃଥିବୀରେ ଆମ ଅବସ୍ଥିତି ଆଉ ବା କେତେବର୍ଷ !

 

ସମ୍ପର୍କ ଏକ ମାୟାଜାଲ ।

 

ସମ୍ପର୍କ ଏକ ମରୀଚିକା ।

 

ସେଦିନ ମୋତେ ସେହି ସହରରେ ରହିବାକୁ ପଡ଼ିଲା । ମାତ୍ର ମୁଁ ଆଉ ତାଙ୍କ ବସାଆଡ଼େ ଯାଇପାରିଲି ନାହିଁ । ପକେଟରେ ଥିବା ତାଙ୍କ ଠିକଣାଟା ବାରମ୍ୱାର ମୋର ମନେ ପଡ଼ୁଥିଲା । ରାତିଟା ମୋର ହେଲଶ ନିଦ୍ରାହୀନ । ସେମାନେ ଏଇଠି ଅଛନ୍ତି ଜାଣି ମୁଁ ଯଦି ନଯାଏ....

 

ମୁଁ ନିଜକୁ ଅପରାଧୀ ମନେ କରୁଥିଲି । କିଏ ଜାଣେ, ଏଇ ଦଶବର୍ଶ ଭିତରେ ଅନେକ ଝଡ଼ଝଞ୍ଜା ସେମାନଙ୍କ ଜୀବନରେ ଯାଇଥିବ ! କିଏ ଜାଣେ,ଏଇ ଦଶବର୍ଷ ଭିତରେ ସୂର୍ଯ୍ୟା ବିବାହ କରି ପୁତ୍ରକନ୍ୟାର ଜନନୀ ହେଇସାରିଥିବେ !

 

ମୁଁ କୌତୂହଳୀ ।

 

ଖୁବ୍‌ ଭୋରୁ ଉଠି ମୋର ନିତ୍ୟକର୍ମ ସାରି, ହୋଟେଲ୍‌ର ବିଲ୍‌ ଚୁକ୍ତିକରି ଛ’ଟା ବେଳେ ମୁଁ ବାହାରି ପଡ଼ିଲି । ଦେଖାକରି ଯିବାଟା ହିଁ ମୋ ପକ୍ଷରେ ଉଚିତ ।

 

ସାଢ଼େ ଛ’ଟା ବେଳେ ସେହି କ୍ୱାଟର୍‌ ପାଖରେ ମୁଁ ପହଞ୍ଚିଲି । ଅଧ୍ୟାପକ ଆଚାର୍ଯ୍ୟ ସେତେବେଳକୁ ଉଠି ସାମନା ବଗିଚାରେ ଫୁଲଗଛ ରୋପଣ କରୁଥିଲେ । ମୋତେ ଦେଖି ଚିତ୍କାର କରି ଉଠିଲେ–ବୁଢ଼ୀ ବୁଢ଼ୀ, ଅଜୟବାବୁ ଆସିଛନ୍ତି ।

 

ବୁଢ଼ୀ ଅର୍ଥାତ୍‌ ସୂର୍ଯ୍ୟା ଘର ଭିତରୁ ବାହାରି ଆସିଲେ । ମୁଁ ହାତରେ ଧରିଥିବା ବେଗ୍‌ଟାକୁ ଭିତରକୁ ନେଇଗଲେ । ମା’ଙ୍କୁ ଡାକି କହିଲେ, ମା ଅଜୟବାବୁ ଆସିଛନ୍ତି । ଚା’ କର ।

 

ତା’ପରେ ତାଙ୍କ ସାନଭାଇକୁ ପଠେଇଦେଲେ ପାଖ ଦୋକାନରୁ ମୋ ପାଇଁ ଓ ତାଙ୍କ ବାପାଙ୍କ ପାଇଁ ପାନ ଆଣିବାକୁ । ମୁଁ ଯେମିତି ଘରର କୁଣିଆ । ସେମାନଙ୍କ ବ୍ୟବହାରରେ ମୁଁ ସ୍ତମ୍ଭୀତ ।

 

ମୁଁ କହିଲି–ଆପଣମାନଙ୍କ ସହିତ ସାକ୍ଷାତ କରି ମୁଁ ଚାଲିଯିବି ।

 

ଅଧ୍ୟାପକ ଆଚାର୍ଯ୍ୟ କହିଲେ–ବୁଢ଼ୀ, ଅଜୟବାବୁ ଚାଲିଯିବେ ।

 

ସୂର୍ଯ୍ୟା ଘରଭିତରୁ ବାହାରକୁ ଆସି କହିଲେ–କୁଆଡ଼େ ଚାଲିଯିବେ ? ଦଶବର୍ଷ ପରେ ଦେଖା, ଦଶଘଣ୍ଟା ବି ରହିବେନି ?

 

ମୁଁ କହିଲି–ସକାଳ ନ’ଟା ପରେ ଫେରିବାକୁ ଆଉ ବସ୍‌ ନାହିଁ ।

 

ଅଧ୍ୟାପକ ଆଚାର୍ଯ୍ୟ କହିଲେ–ରାତିରେ ଟ୍ରେନ୍‌ ଅଛି ।

 

ମୁଁ ଆଉ କିଛି କହିପାରିଲି ନାହିଁ । ନୀରବ ରହିଲି ।

 

ଗାଧୁଆ ପାଧୁଆ କରି ଜଳଖିଆ ଖାଇସାରି ଆମେ ବସିଲୁ । ମୁଁ, ଅଧ୍ୟାପକ ଆଚାର୍ଯ୍ୟ ଓ ସୂର୍ଯ୍ୟା । ଅଧ୍ୟାପକ ଆଚାର୍ଯ୍ୟ ଅନେକ ଫଟୋ, ଅନେକ ପତ୍ରିକା, ଅନେକ ଚିଠି ମୋତେ ଦେଖାଇଲେ । ଏସବୁ ଦେଖି ମୋର ମନେହେଲା ଏହି ଦଶବର୍ଷ ସେମାନେ କେବଳ କୌଣସି ଏକ ସତ୍ୟର ସନ୍ଧାନରେ ଯେମିତି ଘୂରି ବୁଲିଚନ୍ତି । ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ, କାମାକ୍ଷା ଦେଶରୁ ଦ୍ୱାରକା ପର୍ଯ୍ୟନ୍ତ କେଉଁ ସ୍ଥାନ ସେମାନେ ବାଦ୍‌ ଦେଇନାହାନ୍ତି । ସନ୍ୟାନ ନନେଇ ମଧ୍ୟ ସେମାନଙ୍କର ଏହି ପ୍ରବଯ୍ୟା ନିଶ୍ଚୟ ସନ୍ଧାନ-ଧର୍ମୀ । ଦଶବର୍ଷ କାଳ ତାହାକୁ ସେ ଖୋଜିଛନ୍ତି ଏବଂ କ’ଣ ପାଇଛନ୍ତି ? ମୋ ମନ ଭିତରେ ରହସ୍ୟ ଆହୁରି ଘନୀଭୂତ ହେଉଥିଲା ।

 

ସୂର୍ଯ୍ୟାଙ୍କ ମୁଣ୍ଡରେ ସିନ୍ଦୂର ନଥିବାର ଦେଖି ମୁଁ ଜାଣିପାରିଲି ଯେ’ ସେ ବର୍ତ୍ତମାନ ମଧ୍ୟ ଅବିବାହିତା । ଏହି ଦଶବର୍ଷ ଭିତରେ ସେ ଅନେକ ସାହିତ୍ୟ ରଚନା କରିଛନ୍ତି । ସେଥିରୁ କିଛି ପଢ଼ିଲି ଓ ତାଙ୍କ ମନର ଖବର ମଧ୍ୟ କିଛି ପାଇଲି । ମାତ୍ର ମୋର ପ୍ରଥମ ଜିଜ୍ଞାସା, ସେ ବିଭା ନହବାର କାରଣ କିଛି ଜାଣିପାରିଲି ନାହିଁ ।

 

ଦ୍ୱିପ୍ରହରେ ଖିଆପିଆଟା ଖୁବ୍‌ ଭଲ ହେଲା । ସନ୍ଧ୍ୟା ହେବାକ୍ଷଣି ମୁଁ ବ୍ୟସ୍ତ ହେଇ ଉଠିଲି ଷ୍ଟେସନ ଯିବାପାଇଁ ।

 

ଅଧ୍ୟାପକ ଆଚାର୍ଯ୍ୟ ହଠାତ୍‌ କହିଲେ–ଏଠି ଜଣେ ବିଖ୍ୟାତ ସାହିତ୍ୟିକ ଅଛନ୍ତି । କମଲ୍‍ ଯୋଷୀ । ସେ ଆପଣଙ୍କୁ ଦେଖିଲେ ଭାରି ଖୁସି ହେବେ । ଚାଲନ୍ତୁ, ତାଙ୍କ ଘରଆଡ଼େ ଯିବା ।

 

ତାଙ୍କର ଏ ପ୍ରସ୍ତାବରେ ପାଳି ଦେଇ ସୂର୍ଯ୍ୟା ମଧ୍ୟ କହିଲେ–ରାତିଟାରେ ହଇରାଣ ହେଇ ଯିବେ କାହିଁକି ? ବରଂ ସକାଳ ବସ୍‌ରେ ଚାଲିଯିବେ । ଚାଲନ୍ତୁ, ବୁଲି ଆସିବା ।

 

ବାରଘଣ୍ଟା ରହିବା ପରେ ମୁଁ ମୋର ନିଜତ୍ୱ ଯେମିତି ହରେଇ ବସିଥିଲି । ସେମାନଙ୍କ ମନୋବଳ ନିକଟରେ ମୁଁ ପରାଜିତ । ପ୍ରତିବାଦ କରିବାର ଶକ୍ତି ନଥିଲା ।

 

ଗୋଟାଏ କିଲୋମିଟର୍‌ ବାଟ ଚାଲି ଚାଲି ଆମେ ଗଲୁ । ଅଧ୍ୟାପକ ଆଚାର୍ଯ୍ୟ ପଞ୍ଚସ୍ତରି ବର୍ଷ ବୟସରେ ଚାଲୁଥିଲେ ପଇଁତ୍ରିଶ ବର୍ଷର ଯୁବକ ଭଳି । ଆମେ ପଛରେ ପଡ଼ି ଯାଉଥିଲୁ ।

 

ଯାଉ ଯାଉ ସୂର୍ଯ୍ୟା କହିଲେ–ବର୍ଷେ ହେଲା ମୁଁ ଖୁବ୍‌ ଅସୁସ୍ଥ । ବ୍ଲଡ଼ ପ୍ରେସର ବଢ଼ି ଯାଇଚି-। ଚାଲିବାକୁ କଷ୍ଟ ହେଉଚି । ବାପା ଅପେକ୍ଷା ନକରି କେଡ଼େ ଜୋର୍‌ ଚାଲିଯାଇ ପାରୁଛନ୍ତି-

 

ଡକ୍ଟର ଆଚାର୍ଯ୍ୟ ଅନେକ ଆଗେଇ ଯାଇଥିଲେ । ସୂର୍ଯ୍ୟାଙ୍କୁ ନିଃସଙ୍ଗ ନ କରିବାକୁ ମୁଁ ମୋ ପାଦର ଗତି କମେଇ ଦେଇଥିଲି । ସେ କହିଲେ–ଜୀବନଟା ଅପୂର୍ଣ୍ଣ ରହିଗଲା ।

 

ଉଜ୍ଜ୍ୱଳ ରାସ୍ତାବତୀ ତଳେ ମୁଁ ତାଙ୍କ ମୁହଁକୁ ଭଲ କରି ଚାହିଁଲି । ଦଶବର୍ଷ ପୂର୍ବର ସେ ଦୃଢ଼ତା ଆଜି ନାହିଁ । ଆଖିରେ ପ୍ରଚଣ୍ଡ ନୈରାଶ୍ୟ । ସେ ଭାଙ୍ଗି ପଡ଼ିଛନ୍ତି ।

 

ଆମେ ଯାଇ କମଲ୍‌ ଯୋଷୀଙ୍କ ଘର ପାଖରେ ପହଞ୍ଚି ଯାଇଥିଲୁ । ଅଧ୍ୟାପକ ଆଚାର୍ଯ୍ୟ କମଲ୍‌ ଯୋଷୀଙ୍କ ସହିତ ମୋର ପରିଚୟ କରାଇଦେଲେ । କଫି ଖାଇ ଘଣ୍ଟାଏ କାଳ କଥାବାର୍ତ୍ତା କରି ଆମେ ଫେରିଲୁ ।

 

ସୂର୍ଯ୍ୟା କହିଲେ–ମୁଁ ଆଉ ଚାଲିପାରିବି ନାହିଁ–ରିକ୍ସା ଡାକ ।

 

ବସାରେ ପହଞ୍ଚିବାପରେ ଅଧ୍ୟାପକ ଆଚାର୍ଯ୍ୟଙ୍କ ଗୃହିଣୀ ବେଶ୍‌ ସୁଖାଦ୍ୟ ପରିବେଷଣ କରି ମୋତେ ପୁଣି ଆପ୍ୟାୟିତ କଲେ ।

 

ଡକ୍ଟର ଆଚାର୍ଯ୍ୟ ସଦ୍ୟ କିଣିଥିବା ନୂଆ ନୂଆ ବହିଗୁଡ଼ାଏ ଆଣି ମୋ ଆଗରେ ଜମା କରିଦେଲେ ।

 

ସୂର୍ଯ୍ୟା କହିଲେ–ଏଇ ଗୁଡ଼ିକ ହିଁ ଆମର ସମ୍ୱଳ । ଆମର ସବୁକିଛି ଆୟ ଏଇ ବହି କିଣାରେ ଯାଇଛି । ବାପା ଏମିତି ଜ୍ଞାନପାଗଳ ଯେ’ ସେ ପୂରାପୂରି ପରିବାର କଥା ଭୁଲି ଯାଇଛନ୍ତି-। ବାପା ଏମିତି ଜ୍ଞାନପାଗଳ ଯେ’ ସେ ପୂରାପୂରି ପରିବାର କଥା ଭୁଲି ଯାଇଛନ୍ତି । ସାନଭାଇ ଅନନ୍ତ ଏଠି ଚାକିରିଟିଏ ପାଇଛି । ଅନେକ କଷ୍ଟରେ ଏ କ୍ୱାଟର୍‌ଟା ତା’ ନାଁରେ ଏଲଟ୍‌ କରାଇଛୁ-। ତା’ର ବୟସ ପଇଁତ୍ରିଶ ହେଲାଣି । ତା’ ପାଇଁ ଗୋଟାଏ ଝିଅ ସେ ନିଜେ ଦେଖିଛି । ତା’ର ଭାରି ଇଚ୍ଛା ସେ ସେଇ ଝିଅକୁ ବାହା ହବ । କାଲି ମା’ ଓ ମୁଁ ସେ ଝିଅକୁ ଦେଖିବାକୁ ଯିବୁ ।

 

ମୁଁ ପଚାରିଲି–ବାପା ଯିବେ ନାହିଁ ?

 

ସେ କହିଲେ–ବାପାଙ୍କୁ ଆମେ ସାଂସାରିକ ଜଂଜାଳରୁ ମୁକ୍ତି ଦେଇଛୁ ।

 

ଅଧ୍ୟାପକ ଆଚାର୍ଯ୍ୟ କହିଲେ–ଗତ କୋଡ଼ିଏ ବର୍ଷ ହେଲା ମୁଁ ମୋ ପରିବାରକୁ ସ୍ୱାଧୀନତା ଦେଇଛି । ସେମାନଙ୍କର କୌଣସି କାମରେ ମୁଁ ହସ୍ତକ୍ଷେପ କରେ ନାହିଁ । ଏପରିକି ସୂର୍ଯ୍ୟାର ବିବାହ ସମ୍ପର୍କରେ ମଧ୍ୟ ମୁଁ ନୀରବ ରହିଛି ।

 

ତାଙ୍କ ମୁହଁର କଥା ସରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟା ଦୀର୍ଘନିଶ୍ୱାସ ପକେଇଲେ ।

 

ଅଧ୍ୟାପକ ଆଚାର୍ଯ୍ୟ କହିଲେ–ମୁଁ ତା’କୁ କହି ଦେଇଚି ଯେତେବେଳେ ଯେଉଁ ମୁହୂର୍ତ୍ତରେ ତୁ ତୋ ଜୀବନର ସଙ୍ଗୀ ବାଛି ଚାଲିଯିବୁ, ମୁଁ ତୋତେ ବାଧାଦେବି ନାହିଁ । ଏବେ ବି ସୂର୍ଯ୍ୟାର ସେ ସ୍ୱାଧୀନତା ରହିଛି ।

 

ଡକ୍ଟର ଆଚାର୍ଯ୍ୟ ନୀରବ ରହିଲେ ।

 

ସୂର୍ଯ୍ୟା ମୋ ମୁହଁକୁ ଚାହିଁଥିଲେ ଖୁବ୍‌ ଅସହାୟ ଭାବରେ । ତାଙ୍କର ମେଘ-ଗମ୍ଭୀର ମୁହଁ ଦେଖି ମୁଁ ଭାବୁଥିଲି, ସୂର୍ଯ୍ୟାଙ୍କର ବିବାହ ହେଇଗଲେ ମୁଁ ଖୁସି ହୁଅନ୍ତି ।

 

ସୂର୍ଯ୍ୟା ହଠାତ୍‌ କହି ଉଠିଲେ–ମୋ ବିବାହ ପ୍ରଶ୍ନ ଆଉ ଉଠୁଚି କାହିଁକି ? ବୟସ ଚାଳିଶ ଟପିଗଲାଣି । ମୁଁ ଆଉ ବିବାହ କରିବି ନାହିଁ ।

 

ତାଙ୍କର ଏ କଥାରେ ମୁଁ ମର୍ମାହତ ହେଲି । ଅଧ୍ୟାପକ ଆଚାର୍ଯ୍ୟ କହିଲେ ବୟସରୁ କିଛି ଯାଏ ଆସେ ନାହିଁ ମା ! ସବୁ ନିର୍ଭର କରେ ମନ ଉପରେ । ମନଟା ତୋର ନିଜସ୍ୱ ।

 

ସୂର୍ଯ୍ୟା କହିଲେ–ବାପା, ପରିବାରର କର୍ତ୍ତା ହିସାବରେ ତୁମର ଯେଉଁ ଦାୟିତ୍ୱ ଥିଲା ତୁମେ କରିନାହଁ । ଜ୍ଞାନ ଚର୍ଚ୍ଚାରେ ବୁଡ଼ିରହି ତୁମ ପରିବାରକୁ ତୁମେ ଭୁଲିଯାଇଛ । ଯେଉଁ ସମୟ ଚାଲିଯାଇଚି ସେ ଆଉ କ’ଣ ଫେରିଆସିବ ?

 

ନିଜ ଝିଅକୁ ଆଉ କୌଣସି ଉତ୍ତର ଦେଇନପାରି ଅଧ୍ୟାପକ ଆଚାର୍ଯ୍ୟ ଚୁପ୍ ରହିଲେ । ସୂର୍ଯ୍ୟା ଅନ୍ୟ ଘରକୁ ଉଠିଗଲେ । ତାଙ୍କ ଅବର୍ତ୍ତମାନରେ ଅଧ୍ୟାପକ ପୁଣି କହିଲେ–ଅଜୟବାବୁ, ଆପଣ କହି ସୂର୍ଯ୍ୟାକୁ ରାଜି କରେଇ ଦିଅନ୍ତୁ । ମୋ ଉପରେ ତା’ର ଯେଉଁ ଅଭିମାନ ରହିଯାଇଚି ମୁଁ ଚାହେଁ ମୋ ମୃତ୍ୟୁ ପୂର୍ବରୁ ସେଇଟାର ଅବସାନ ହେଉ । ତା’ହେଲେ; ମୁଁ ଯାଇ ଶାନ୍ତିରେ ମରିପାରିବି । ମୁଁ ମାନୁଚି ଦୋଷଟା ପୂରାପୂରି ମୋର । କିନ୍ତୁ ସେତେବେଳେ ମୋ ସହିତ ସେ’ ବି ତ ଜ୍ଞାନଲିପ୍‌ସାରେ ନିଜକୁ ନିୟୋଜିତ କରିଥିଲା । ସେତେବେଳେ ତା’ର ବିବାହପାଇଁ ସମ୍ମତି ନଥିଲା । କିନ୍ତୁ ଏବେ ମୁଁ ବେଶ୍‌ ବୁଝିପାରୁଚି ବିବାହ ବୟସ ଅତିକ୍ରାନ୍ତ ହେଉଥିବାରୁ ସେ ଖୁବ୍‌ ବିଚଳିତ ହେଇପଡ଼ିଚି । ବାପହେଇ ଝିଅର ମନକଥା ମୁଁ ବେଶ୍‌ ବୁଝିପାରୁଚି । ହେଲେ ବର୍ତ୍ତମାନ ବା ମୁଁ କ’ଣ କରିପାରିବି ? ମୁଁ ସିନା ବେଶ୍‌ ସୁସ୍ଥ ଦେଖାଯାଉଚି କିନ୍ତୁ ଯେଉଁଦିନ ଅସୁସ୍ଥ ହେବି ସେଦିନ ଆଉ ମୋର ସୁସ୍ଥତା ଫେରିଆସିବ ନାହିଁ । ମୁଁ ସେଇ ଦିନର ଅପେକ୍ଷାରେ ଅଛି । ପୃଥିବୀର ବହୁସ୍ଥାନ ବୁଲି, ବହୁଶାସ୍ତ୍ର ଅଧ୍ୟୟନ କରି ମୁଁ ବେଶ୍‌ ବୁଝିପାରିଚି ଯେ’ ଏ ପୃଥିବୀ ଅଜ୍ଞାତ । ପେନ୍‌ସନ କେତୋଟି ଟଙ୍କା ବ୍ୟତୀତ ମୋର ଆଉ କିଛି ସମ୍ବଳ ନାହିଁ । ମୁଁ ସଂସାର ସମ୍ପର୍କରେ ଉଦାସୀନ ରହିବାଦ୍ୱାରା ପୁଅ ବି ମେଟ୍ରିକ୍‌ ପାଶ୍‌ କରି ପାରିଲା ନାହିଁ । ବହୁ କଷ୍ଟରେ ତାକୁ ଏବେ ଫୋର୍ଥ ଗ୍ରେଡ଼ ଚାକିରିରେ ଅସ୍ଥାୟୀ ଭାବରେ ପୂରେଇଛି । ଭଗବାନ ଜାଣନ୍ତି ତା’ର ଭବିଷ୍ୟତ କ’ଣ ହେବ ? ସେ ଚାହୁଁଚି ବିବାହ କରିବ । ସୂର୍ଯ୍ୟା ଆଉ ତା’ର ମା’ ପାଣିପିଇ ତା’ ବିବାହପାଇଁ ଲାଗିଛନ୍ତି । ମୋର କୌଣସିଥିରେ ଆପତ୍ତି ନାହିଁ । ହେଲେ ସୂର୍ଯ୍ୟା ! ତା’ ଜୀବନଟା ଅପୂର୍ଣ୍ଣ ରହିଗଲା ।

 

ସେମାନଙ୍କ ସମସ୍ତ ପରିବାର ଓ ମୁଁ ଗୋଟିଏ ରାତି ଗୋଟିଏ ଘରେ କଟେଇଲୁ । ସେମାନଙ୍କ ପରିବାରର ପ୍ରତ୍ୟେକଙ୍କର ଦୀର୍ଘନିଃଶ୍ୱାସ ମୋତେ ଜାଳିପୋଡ଼ି ଦେଉଥିଲା । ଜ୍ଞାନ ପାଇଁ ପାଗଳ ହବାର ଏଇ କ’ଣ ପରିଣତି ?

 

ଋଷିପ୍ରତିମ ଅଧ୍ୟାପକ ଆଚାର୍ଯ୍ୟ

 

ଆର୍ଯ୍ୟକନ୍ୟା ବିଦୁଷୀ ସୂର୍ଯ୍ୟା

 

ସେମାନଙ୍କର ସ୍ନେହଶୀଳା ପତ୍ନୀ/ଜନନୀ

 

ଏବଂ ନିରୀହ ସରଳ ଅନନ୍ତ !

 

ଏଇମାନଙ୍କୁ ନେଇ ପୃଥିବୀର ରଙ୍ଗମଞ୍ଚରେ ଯେଉଁ ନାଟକ ଅଭିନୀତ ହେଉଛି ମୁଁ ତା’ର ଜଣେ ନୀରବ ଦର୍ଶକ ।

 

ଅଧ୍ୟାପକଙ୍କର ଅନୁରୋଧ–ସୂର୍ଯ୍ୟାକୁ ବୁଝାନ୍ତୁ ।

 

କେମିତି ବୁଝେଇବି ?

 

କ’ଣ କହି ବୁଝେଇବି ?

 

ସାମାଜିକ ପ୍ରଥା ଅନୁସାରେ ତାଙ୍କ ପାଇଁ ଜଣେ ପଇଁଚାଳିଶରୁ ପଚାଶ ବର୍ଷର ବରପାତ୍ର ଦରକାର । ଅବିବାହିତ ପଚାଶ ବର୍ଷର ଯୋଗ୍ୟ ବରପାତ୍ର କେଉଁଠୁ ମିଳିବେ ? ଏଭଳି ଏକ ଯୋଗ୍ୟ ବରପାତ୍ର ମିଳିବାର ସମ୍ଭାବନା ଯେତେବେଳେ ନାହିଁ, ତାଙ୍କୁ ବୁଝେଇବା ବୃଥା ।

 

ସକାଳେ ବାହାରିବା ବେଳକୁ ସୂର୍ଯ୍ୟା ମୋତେ ହଳେ ସୁନା ଇଏରିଂ ଓ ହଳେ ରୂପା ପାଉଁଞ୍ଜି ଦେଖେଇଲେ । କହିଲେ–ଅନନ୍ତର ବୋହୂ ପାଇଁ କରିରଖିଚି । ତା’ ବାହାଘର ବେଳକୁ ନିଶ୍ଚୟ ଆସିବେ ।

 

ବସ୍‌ଟାଇମ୍‌ ହେଇଯାଉଥିବାରୁ ମୁଁ ତରତର ହେଇ ଚାଲିଆସିଲି । ମୋତେ ବସ୍‌ରେ ଉଠେଇଦବାକୁ ଆସିଲା ଅନନ୍ତ । ପାଠ ସିନା ପଢ଼ିଲା ନାହିଁ, ହେଲେ ପିଲାଟା ଖୁବ୍‌ ଭଲ ଏବଂ ଭଦ୍ର-। ବସ୍‌ରେ ବସି ମୁଁ କହିଲି–ତମ ବାହାଘର ନିମନ୍ତ୍ରଣ ପଠେଇବ । ମୁଁ ଆସିବି ।

 

ସେ କହିଲା–ଦିଦି ବାହାଘର ନହେଇ ସାରିବା ପର୍ଯ୍ୟନ୍ତ ମୋ ବାହାଘର କ’ଣ ହେବ ?

 

ଅବିଶ୍ୱାସର ଝାପ୍‌ସା ମେଘରେ ମୁହଁ ତା’ର ଆଚ୍ଛାଦିତ ।

 

ମୁଁ କହିଲି–ଦିଦି ତ ଆଉ ବାହାହେବ ନାହିଁ ବୋଲି କହୁଚନ୍ତି । ତମ ବାହାଘରପାଇଁ ତ ଯୋଗାଡ଼ ଚାଲିଛି । ତମ ବାହାଘରଟା ୟା’ ଭିତରେ ହେବ ।

 

ସେ କହିଲା–କେଜାଣି ? ବିଶ୍ୱାସ ନାହିଁ ।

 

ମୁଁ କହିଲି–କେଜାଣି ନୁହେଁ, ନିଶ୍ଚୟ । ମୋ ପାଖକୁ ଯେମିତି ନିମନ୍ତ୍ରଣ ପଠେଇବ । ତଥାପି ତା’ ମୁହଁରେ ଆଶାର କୌଣସି ଚିହ୍ନ ମୁଁ ଦେଖିଲି ନାହିଁ ।

 

ବସ୍‌ ଛାଡ଼ିଦେଲା । ପୁନରାୟ ଅଧ୍ୟାପକ ଆଚାର୍ଯ୍ୟ, ସୂର୍ଯ୍ୟା ପ୍ରମୁଖ ଅନ୍ଧାରି ଅତୀତ ଭିତରେ ଲୁଚିଗଲେ ।

 

କାହିଁ ?

 

ୟା’ ଭିତରେ ବର୍ଷେ ବିତିଗଲାଣି । ଅନନ୍ତର ବିବାହ ନିମନ୍ତ୍ରଣ ପତ୍ର ଏଯାଏ କାହିଁ ?

 

ଅଧ୍ୟାପକ ଆଚାର୍ଯ୍ୟଙ୍କର ଜ୍ଞାନପିପାସା ଅଦ୍‌ଭୁତ । ଅଥବା ସେ ଅନ୍ୟ ଏକ ଜଗତର ବାସିନ୍ଦା । ମରଜଗତ ସହିତ ତାଙ୍କର ଯେମିତି କିଛି ସମ୍ପର୍କ ନାହିଁ । ସେ ସମସ୍ତ ସାଂସାରିକ ବନ୍ଧନର ଊର୍ଦ୍ଧ୍ୱରେ । ସତରେ ସେ ଜ୍ଞାନ-ପାଗଳ ।

Image

 

ମମତାର ଲୁହ

 

ଜାତୀୟ ରାଜପଥ ପାଖରେ ଛୋଟ ଏକ ବଜାରରେ ଛୋଟିଆ ଏକ ଘରେ ସେ ରହେ-। ଆଗେ ବଜାର ପାଖରୁ ଟିକିଏ ଦୂରରେ ଥିବା ସେଇ ଅନ୍ଧାରିଆ ଗାଁ ଭିତରେ ତା’ର ଘର ଜମିବାଡ଼ି ଥିଲା । ତା’ ବଗିଚାରେ କୁଆଡ଼େ ପଚାଶଟା ନଡ଼ିଆ ଗଛ ଥିଲା । ମାତ୍ର ଲୋକଟା ତା’ ଯୌବନାବସ୍ଥାରେ ନିଶାପାଣି ଖାଇ ଘରଦ୍ୱାର ଜମିବାଡ଼ି ସବୁ ହରେଇ ଦେଲା ।

 

ସେ ବାହା ହେଇଥିଲା । ବିଭାଘରରେ ଦଶବାର ବର୍ଷ ପରେ ତା’ ସ୍ତ୍ରୀ ଜନ୍ମ କରିଥିଲା ଏକ କନ୍ୟା-ସନ୍ତାନ । କନ୍ୟା ଜନ୍ମ ହବାର ଦୁଇଦିନ ପରେ ସ୍ତ୍ରୀ ଆଖି ବୁଜି ଦେଲା । ତା’ ଠିକ୍‌ ବର୍ଷକ ପରେ ସେ ଅନ୍ଧ ହେଇଗଲା । ସେତେବେଳକୁ ତା’ର ଅଧିକାଂଶ ଜମିବାଡ଼ି ଚାଲି ଯାଇଥିଲା । ଆଉ ଯାହା ଥିଲା ସେତକ ପାଇଁ ତା’ ସାନଭାଇ କରିଥିବା ମାଲିମୋକଦ୍ଦମାରେ ସେ ଜଡ଼ିତ ହେଇପଡ଼ିଥିଲା । ଘରବାଡ଼ି ମଧ୍ୟ ମୋକଦ୍ଦମାର ଅନ୍ତର୍ଭୁକ୍ତ ଥିଲା । ଘରବାଡ଼ିର ପ୍ରଧାନ ଆକର୍ଷଣ ଥିଲା ପଚାଶଟି ନଡ଼ିଆଗଛ ।

 

ଦଶବର୍ଷ ମୋକଦ୍ଦମା ଚାଲିଲା । ଶେଷ ଅଦାଲତର ରାୟ ତା’ ବିରୁଦ୍ଧରେ ଗଲା । ପୈତୃକ ସମ୍ପତ୍ତିରୁ ତା’ର ଯେତିକି ଭାଗ ପାଇବା କଥା ତା’ଠୁ ଅଧିକ ସମ୍ପତ୍ତି ସେ ବିକ୍ରି କରିଦେଇଥିବାରୁ ଅବଶିଷ୍ଟ ଥିବା ସମ୍ପତ୍ତିରେ ସେ ଆଉ କୌଣସି ଭାଗ ପାଇଲା ନାହିଁ ।

 

ଆଠବର୍ଷର ଝିଅକୁ ସାଙ୍ଗରେ ଧରି ଦିନେ ସେ ସର୍ବହରା ହେଇ ଘରୁ ବାହାରି ଆସିଲା । କେଉଁଠି ରହିବ ?

 

କାହା ଓଳିରେ ଆଶ୍ରୟ ନେବ ?

 

ବଜାରରେ ଆଦି ସାହୁ ଗୁଡ଼ିଆ ଦୋକାନ ପିଣ୍ଡାରେ ତିନିଦିନ ଆଶ୍ରୟ ନେବା ପରେ ବଜାରର ଲୋକେ ତା’ ପାଇଁ ଯାଇ ତା’ ସାନଭାଇ ପାଖରେ ଅଳି କଲେ ।

 

-ହଁରେ ସୁରେନ୍ଦ୍ର ! ଯେତେହେଲେ ତ ବଡ଼ଭାଇଟା । ଝିଅଟାକୁ ଧରି ହୀନସ୍ଥା ହେଇ କୋଉଠି ବୁଲିବ ? ବଜାରରେ ଥିବା ଘରୁ ବଖରାଏ ତାକୁ ଦେ । ସେଇଠି ହେଲେ ମୁଣ୍ଡ ଗୁଞ୍ଜିବାକୁ ସେ ଥାନ ପାଉ ।

 

ସୁରେନ୍ଦ୍ର କହିଲା–ମୁଁ କ’ଣ ବଡ଼ଭାଇ ବୋଲି କେବେ ଅସମ୍ମାନ କରିଚି ? ଚାଲୁ, ମୋ ଘରେ ରହୁ । ଝିଅକୁ ବି ବାହା କରେଇବାର ଦାୟିତ୍ୱ ମୁଁ ନେବି ।

 

ସେ କିନ୍ତୁ ଯିବାକୁ ନାରାଜ ।

 

ଯେଉଁ ଘର ଉପରେ ଛେପ ପକେଇ ସବୁଦିନ ପାଇଁ ସେ ଚାଲି ଆସିଚି ସେ ଘରକୁ ଆଉ ସେ ଫେରିବ କେଉଁ ମୁହଁରେ ? ବଜାର ପିଣ୍ଡାରେ କାଳ କାଟିବ । ଭିକ ମାଗି ପେଟ ପୋଷିବ-। ସେ ବରଂ ଭଲ । ଯୋଉ ଭାଇ ତାକୁ ଏତେ ହୀନସ୍ଥା କଲା ତା’ ଓଳିରେ ଯାଇ ସେ ଆଶ୍ରୟ ନେବ ନାହିଁ ।

 

ସାନଭାଇ କହେ–ତା’ର ଦୋଷ କ’ଣ ? ମାଲିମୋକଦ୍ଦମା କରି ନଥିଲେ ତା’ ପିଲାଛୁଆ ବି ଭାସି ଯାଇଥାନ୍ତେ । ନିଶା ଖାଇ ସେ ତ ଅବଶିଷ୍ଟ ଥିବା ସବୁ ଜମିକୁ ବିକି ଦେଇଥାନ୍ତା ।

 

ତଥାପି ବଜାର ଲୋକେ ସୁରେନ୍ଦ୍ରକୁ ବୁଝାଇଲେ–ହଁରେ, ତା’ର ଆଉ କିଏ ଅଛି ? ଝିଅଟା କୋଉଠି ହେଲେ ତ ମୁଣ୍ଡ ଲାଗିବ । ସେ ଆଖି ବୁଜିବା ପରେ ଘରଟା ପୁଣି ତୋ ଦଖଲକୁ ଚାଲିଆସିବ । ରହିବାପାଇଁ ଗୋଟେ ଘର । ତା’ ଉପରେ ଦୟା କର ।

 

ସୁରେନ୍ଦ୍ର ଦୟାକରି ତାକୁ ବଖରାଏ ଘର ଦେଇଚି । ସେଇଠି ସେ ରହେ । ସାଙ୍ଗରେ ରହେ ଆଠବର୍ଷର ଝିଅଟା । ସେ ଖୁବ୍ ବୁଢ଼ା ନ ହେଇଥିଲେ ବି ଅଂଧ ହେଇଯିବା ଦିନଠୁ ବାଡ଼ି ଠୁକ୍‌ଠୁକ୍‌ କରି ଚାଲେ । ତା’ ଗୋଟେ ହାତ ଧରିଥାଏ ଝିଅଟି । ବଜାର ପାଖରେ ବସ୍‌ଟେ ଆସି ଠିଆ ହବା ମାତ୍ରେ ବାପଝିଅ ଯାଇ ବସ୍‌ ପାଖରେ ହାଜର ହୁଅନ୍ତି । ତା’ ମୁହଁରୁ ଶୁଭେ–ଅନ୍ଧକୁ ଦୟା କର ବାବା !

 

ବସ୍‌ ଯାତ୍ରୀଙ୍କ ଭିତରୁ କେହି ବି ଦୟାକରି ପାଞ୍ଚ ପଇସିଟେ ଦଶପଇସିଟେ ପକେଇ ଦିଅନ୍ତି । ଆଉ ବା କେହି ତା’ ଆଡ଼କୁ ଚାହାନ୍ତିନି ।

 

ମୁଁ ଅଧିକାଂଶ ସମୟରେ ସେଇ ବାଟ ଦେଇ ବସ୍‌ରେ ଯିବା ଆସିବା କରେ । ମୋର ଅଭ୍ୟାସ ବସ୍‌ର ଝରକା ପାଖ ସିଟ୍‌ ଦେଖି ବସିବା । ସେ ଆସି ହାତ ପାତେ । ମୋଟା କଣ୍ଠରେ କହେ–ଅନ୍ଧକୁ ଦୟାକର ବାପା !

 

ମୁଁ ତା’ର ଅତୀତ ଜାଣେ । ନିଶା ଖାଇବାର ସର୍ବନାଶୀ ପରିଣତି । ମୋର ଦୟା ହୁଏ । ବଜାରରେ ବସ୍‌ ଠିଆହବା ଆଗରୁ ହିଁ ମୁଁ ପକେଟରେ ହାତ ପୂରେଇଥାଏ । ସେ ହାତ ପାତିବା କ୍ଷଣି ମୋ ହାତରେ ଯାହା ପଡ଼େ ଦଶପଇସିଠାରୁ ପଚାଶପଇସି ପର୍ଯ୍ୟନ୍ତ ତା’କୁ ଦେଇଦିଏ । ସେ ତ ଦେଖିପାରେ ନାହିଁ । ଝିଅଟିର ମୁହଁ କିନ୍ତୁ ଉଜ୍ଜଳି ଉଠେ । ସେ ମୋ ମୁହଁକୁ ଚାହିଁ ହସିଦିଏ ।

 

କ୍ରମଶଃ ସେଇ ଅନ୍ଧଟି ସହିତ ମୋର ସମ୍ପର୍କ ଏପରି ହେଲା ଯେ ମୁଁ ବସ୍‌ରେ ବସିଥିବାର ଦେଖିଲେ ସେ ଝିଅଟି ଆଗ ତାକୁ ମୁଁ ବସିଥିବା ଝରକା ପାଖକୁ ନେଇଆସେ ଓ ତା’ର ଯାହା ପ୍ରାପ୍ୟ ନେଇଯାଏ ।

 

ଝିଅଟି ଖଣ୍ଡେ ମଇଳାପେଣ୍ଟ ପିନ୍ଧି ଆସେ । ଦେହରେ ଜାମା ନଥାଏ । ଜାମା କିଣିବାକୁ ହୁଏତ ସମ୍ୱଳ ଯୋଗାଡ଼ ହେଇପାରୁ ନାହିଁ ।

 

ମୋର ବେଳେବେଳେ ଇଚ୍ଛା ହୁଏ ମୋ ଦଶବର୍ଷର ଝିଅଟିର ଦୁଇ ଚାରିଟା ପୁରୁଣା ଜାମା ନେଇଆସି ତାକୁ ଦେଇଦେଲେ ଝିଅଟା ହୁଏତ କିଛିଦିନ ଚଳିଯାଆନ୍ତା !

 

ସତକୁ ସତ ଦିନେ କଟକ ବାହାରିବା ପୂର୍ବରୁ ମୋ ଝିଅର ପୁରୁଣାଜାମା ଦୁଇଖଣ୍ଡ ମୋ ଥଳିରେ ପୂରେଇଲି । ମୋ ସ୍ତ୍ରୀ କହିଲେ–ମଲା ମଲା, ଛୁଞ୍ଚ କନା କରିବାପାଇଁ ସେ ଜାମାଗୁଡ଼ା ମୁଁ ରଖିଚି । ତାକୁ କାହିଁକି ଥଳିରେ ପୂରଉଚ ?

 

ମୁଁ କହିଲି–ଜାମାଗୁଡ଼ାକ ଭଲ ଅଛି । ତାକୁ ଛୁଞ୍ଚ କନା କରିହେବ ?

 

ସେ କହିଲେ–ଝିଅକୁ ସେଗୁଡ଼ା ସାନ ହେଇଗଲାଣି । ସେ ଆଉ ପିନ୍ଧୁ ନାହିଁ । ଆଉ କିଏ ଅଛି ଯେ କାହାକୁ ପିନ୍ଧେଇବି ?

 

ମୁଁ କହିଲି–ବାଟରେ ଗୋଟେ ଭିକାରୀ ଝିଅଟେ ଫୁଙ୍ଗୁଳା ଦେହରେ ସବୁଦିନେ ଆସି ଭିକ ମାଗେ । ତାକୁଇ ଦେଇଦେବି ।

 

ମୋ ସ୍ତ୍ରୀ ତଟସ୍ଥ ହୋଇ ମୋ ମୁହଁକୁ ଚାହିଁଲେ । ହୁଏତ ସେ ବୁଝିପାରିଲେ ନାହିଁ ମୋ ମନର ଭାବ ବା ଆଉ କ’ଣ ଭାବିଲେ କେଜାଣି !

 

ଗୋଟାଏ କେଉଁ ଅପରିଚିତା ଭିକାରୀ ଝିଅଟେ ପ୍ରତି ମୋର ଯେ ଏପରି ଦୟା ହେଇପାରେ ତା’ ଥିଲା ତାଙ୍କ କଳ୍ପନାର ବାହାରେ ।

 

ମୋ ଝିଅ ବି ଆସି ମୁଁ କାହିଁକି ତା’ ଜାମା ନେଇଯାଉଛି ବୋଲି ପଚାରି ଥଳି ଭିତରୁ ତାକୁ ଟଣାଟଣି ଆରମ୍ଭ କରିଦେଲା ।

 

ମୁଁ ତାକୁ କହିଲି–ବାଟରେ ଗୋଟେ ତୋର ସାନଭଉଣୀ ଅଛି ରେ ମା’, ତାକୁଇ ଦେବି ।

 

ସେ କହିଲା–ମୁଁ ତାକୁ ଦେଖିବି ।

 

ମୁଁ କହିଲି–ହଉ ଫେରିବା ବେଳକୁ ତାକୁ ନେଇ ଆସିବି । ତୁ ତା’ ସହିତ ଖେଳିବୁ । ମୋ କଥ ଶୁଣି ସେ ଚୁପ୍‌ଚାପ୍‌ ଚାଲିଗଲା । ମୁଁ ବି ବସ୍‌ ଧରିବା ପାଇଁ ଚାଲିଆସିଲି ।

 

ବଜାରଟା ହେଇ ଦିଶୁଚି ।

 

ଛୋଟ ଜାଗାଟା । ବସ୍‌ ସେଠି ମିନିଟକରୁ ବେଶୀ ରହେ ନାହିଁ । ହୁଏତ ଜଣେ ଦି’ ଜଣ ଓହ୍ଲାନ୍ତି, ଜଣେ ଦି’ ଜଣ ଚଢ଼ନ୍ତି । ଏତକ ପାଇଁ ଯେତକ ସମୟ ଲାଗେ ।

 

ମୁଁ ଥଳି ଖୋଲି ଜାମା ଦି’ଖଣ୍ଡ ହାତରେ ଧରିଲି । ବସ୍‌ ରହିବାକ୍ଷଣି ତା’କୁ ଦେଇଦେବି । ଶୀତରେ ଜାମା ଦି’ଖଣ୍ଡ ପାଇ ସେ ଭାରି ଖୁସି ହବ ।

 

ଦୂରରୁ ଦିଶୁଚି । ବିପରୀତ ଦିଗରୁ ଟ୍ରକ୍‌ଟାଏ ଆସୁଚି । ହଠାତ୍ କାହିଁକି କେଜାଣି ପର୍ବତ ପ୍ରମାଣେ ବୋଝେଇ ହେଇଥିବା ସେଇ ଟ୍ରକ୍‌ଟାକୁ ଦେଖି ମୁଁ ଭୟ ପାଇଗଲି ।

 

କେଡ଼େ ଜୋର୍‌ ଆସୁଚି !

 

ଖଚାଙ୍ଗ୍‌.....

 

ଟ୍ରକ୍‌ଟା ଜୋର୍‌ରେ ବ୍ରେକ୍‌ ଦେଲା ।

 

ଆଗରୁ ବସ୍‌ଟାକୁ ଆସୁଥିବାର ଦେଖି ଝିଅଟା ବାପ ହାତ ଧରି ସଡ଼କଟାକୁ ପାରିହେଇ ବସ୍‌ ଆସି ଠିଆ ହବା ପୂର୍ବରୁ ଠିକ୍‌ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା । ହାୟ ! ସେ ଚେଷ୍ଟା ତା’ର ଶେଷ ଚେଷ୍ଟାରେ ହିଁ ପରିଣତ ହେଇଗଲା । ଦାନବରୂପୀ ଟ୍ରକ୍‌ ତଳେ ବାପଝିଅ ଦିହେଁ ଯାକ ଛେଚିହେଇ ଜାତୀୟ ରାଜପଥ ଉପରେ ଟୁକୁରା ହାଡ଼ମାଂସ ଖଣ୍ଡରେ ପରିଣତ ହେଇଗଲେ ।

 

ଆମ ବସ୍‌ଟା ଠିଆ ହେବାପାଇଁ ବ୍ରେକ୍‌ ଦେଉଥିଲା । ମାତ୍ର ସଡ଼କ ମଝିରେ ଏଇ ଦୁର୍ଘଟଣା ଦେଖି ଆଉ ଠିଆ ନ ହେଇ ଖୁବ୍‌ ଦ୍ରୂତଗତିରେ ପୁଣି ଆଗେଇ ଚାଲିଲା ।

 

କାରଣ ଟ୍ରକ୍‌ଟା ଚାପିଦେଇ ଠିଆ ନ ହେଇ ପଳେଇ ଯାଇଚି । ଏ ଦୃଶ୍ୟ ଦେଖି ଲୋକେ ନିଶ୍ଚୟ ଉତ୍ୟକ୍ତ ହେବେ । ବସ୍‌ଟା ଯଦି ଠିଆ ହୁଏ ଉତ୍ୟକ୍ତ ଜନତା ବସ୍‌ ଡ୍ରାଇଭର୍‌କୁ ମାଡ଼ ଦେଇ ବସ୍‌ରେ ନିଆଁ ଲଗେଇ ଦେଇପାରନ୍ତି ।

 

ତେଣୁ ବସ୍‌ ଠିଆ ହେଲା ନାହିଁ । ମୁଁ ଆଣିଥିବା ଦୁଇଖଣ୍ଡ ପୁରୁଣା ଫ୍ରକ୍‌ ଝରକା ବାହାରକୁ ଧରି ରଖିଥିଲି । ସେ ଦୁଇଖଣ୍ଡ ମୋ ହାତରୁ ତଳକୁ ଖସି ପଡ଼ିଲା । ମରିଯାଇଥିବା ସେଇ ଝିଅଟି ଉପରେ ତାହା ପଡ଼ିଲା କି ନାହିଁ ମୁଁ ଦେଖିପାରିଲି ନାହିଁ । ହୁଏତ ପଡ଼ିଥିବ । ସେଇ ପୁରୁଣା ଫ୍ରକ୍‌ରେ ତା’ର ରକ୍ତାକ୍ତ ଦେହଟା ଢାଙ୍କି ହେଇଯାଇଥିବ । ମୋ ଆଖିରୁ ବୁନ୍ଦାବୁନ୍ଦା ଲୁହ ଝରି ପଡ଼ିଲା-

 

ତିନିଦିନ ପରେ ମୁଁ ଫେରିବା ବେଳକୁ ସଡ଼କରେ ଆଉ ଦୁର୍ଘଟଣାର ଚିହ୍ନବର୍ଣ୍ଣ ନଥିଲା । ସବୁଦିନପାଇଁ ସେଇ ମୋଟା କଣ୍ଠର ଅଳି–‘ଅନ୍ଧକୁ ଦୟାକର ବାବା’ ହଜି ଯାଇଥିଲା ଆଉ ହଜି ଯାଇଥିଲା ଗୋଟିଏ ଝିଅର ଭୋକିଲା କରୁଣ ମୁହଁ ।

 

ଆଜି ବି ତା’ କଥା ମନେପଡ଼ିଲେ ମୋ ଆଖିକି ଲୁହ ଆସେ ।

Image

 

ଗୁରୁ ଦକ୍ଷିଣା

 

ଆଦ୍ୟ ଆଷାଢ଼ର ସକାଳ ବର୍ଷା ବି ତାଙ୍କର ଅଶାନ୍ତ ହୃଦୟକୁ ଶାନ୍ତ କରିପାରୁ ନଥିଲା । ପ୍ରାତଃକାଳରେ ନିଦ୍ରା ତ୍ୟାଗ କରିବାର ଅଭ୍ୟାସ ଯୋଗୁଁ ସେ ପାଞ୍ଚଟାବେଳୁ ଉଠି ବିଛଣାରେ ପଡ଼ି ରହିଥିଲେ । ପାଖ ଟିପୟରେ ଚା’ଟା ଥଣ୍ଡାହେଇ ଆସୁଥିଲା । ଜୀବନରେ ପ୍ରଥମକରି ସେ ଏକ ବିରାଟ ନିଃସଙ୍ଗତା ଅନୁଭବ କଲେ । ଖୋଲାଥିବା ଝର୍କାଦେଇ ବାହାରକୁ ଚାହିଁ ଦେଖିଲେ ବର୍ଷାବାରି ବଗିଚାରେ ରୋପିତ ଫୁଲଗଛଗୁଡ଼ାକ ଉପରେ ପ୍ରସ୍ରବଣ ପରି ଝରିପଡ଼ୁଛି । ପତ୍ରଗୁଡ଼ାକ ଆନନ୍ଦରେ ନାଚୁଛି–ଅନେକ ଦିନର ଈପ୍‌ସିତ ପଦାର୍ଥ ପାଇଲେ ମନଟା ଯେମିତି ନାଚିଉଠେ ।

 

ଉଦ୍ୟାନ ଭେଦକରି ଆଖି ପ୍ରସରି ଯାଉଛି ଦୂରକୁ । ବୃକ୍ଷରାଜିର କଅଁଳ ଶ୍ୟାମଳିମା ଆଖିରେ ତୃପ୍ତି ଆଣୁଚି ସତ, କିନ୍ତୁ ମନ ଭିତରଟା ଯୋଉ ବିଷାକ୍ତକୁ ସେଇ ବିଷାକ୍ତ.... ।

 

ସେ ବିଛଣା ଉପରେ ଉଠି ବସିଲେ ।

 

ଅଦୂରରେ ଦିଶୁଥିବା ଐତିହାସିକ ଶିବମନ୍ଦିରରେ ପ୍ରାଚୀନକାଳରୁ ପ୍ରତିଷ୍ଠିତ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉ ଜଣାଉ ଦୁଇହାତ ତାଙ୍କର ଥରିଉଠିଲା ।

 

ଦୁର୍ବଳତା..... ମନର ବଳ ତାଙ୍କର ଭାଙ୍ଗିଯାଇଛି ।

 

ତାଙ୍କ ଘର ଓ ମନ୍ଦିର ମଝିରେ ଗୋଟିଏ କୋଠା ତିଆରି କାମ ଚାଲିଚି । କୋଠାଟି ସମ୍ପୂର୍ଣ୍ଣ ହୋଇଗଲେ ତାଙ୍କ ଘରୁ ମନ୍ଦିର ଅଦୃଶ୍ୟ ହେଇଯିବ । ସେ ଦୀର୍ଘନିଃଶ୍ୱାସ ପକେଇଲେ ।

 

ମନର ବଳକୁ ସେ କ’ଣ ଧରି ରଖିପାରିବେ ? ଜୀବନରେ ଏଇ ମନବଳ ଥିଲା ତାଙ୍କର ସର୍ବସ୍ୱ । ପୂର୍ବତନ ଗଡ଼ଜାତ ଅଞ୍ଚଳରେ ବଣଜଙ୍ଗଲଘେରା ଏକ ସୁଦୂର ପଲ୍ଲୀରେ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରି ନିଜର ନିଷ୍ଠା ଓ ମନବଳ ଯୋଗୁଁ ସେ ନିଜକୁ ପ୍ରତିଷ୍ଠା କରିପାରିଥିଲେ-। ପଦାର୍ଥ ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରି ଏକ ବୃହତ୍ତମ ମହାବିଦ୍ୟାଳୟରେ ସେ ଅଧ୍ୟାପନାରତ । ପଦାର୍ଥ ବିଜ୍ଞାନର ଗୂଢ଼ତତ୍ତ୍ୱ ଓ ତଥ୍ୟ ସହିତ ପ୍ରତିଦିନ ସେ ଆଳାପ କରନ୍ତି ।

 

ଗବେଷଣାଗାର ହିଁ ତାଙ୍କର ମଧୁଶଯ୍ୟାର କକ୍ଷ । ବିବାହର ଆବଶ୍ୟକତା ସେ କେବେହେଲେ ଅନୁଭବ କରିନାହାନ୍ତି । ଶୂନ୍ୟତାର ବୀଭତ୍ସତା ତାଙ୍କୁ କେବେହେଲେ ଅସ୍ଥିର କରିନି-। ଗବେଷଣାଗାରରେ ନୂତନ ସୃଷ୍ଟିର ଆନନ୍ଦ ସନ୍ତାନର ଅଭାବଠୁ ତାଙ୍କୁ ଦୂରରେ ରଖିଛି-। ଜୀବନଭରି ସାଧନା–ଅନେକ ନୂତନ ତଥ୍ୟର ଆବିଷ୍କାର । ତାଙ୍କ ପାଖରେ ସମ୍ମାନ କୁଢ଼େଇ ହେଇପଡ଼ିଚି । ଭାରତ ଏବଂ ଭାରତ ବାହାରେ ଅନେକ ସୁଖ୍ୟାତି । ତାଙ୍କ ଲିଖିତ ତଥ୍ୟସମ୍ୱଳିତ ବହିଗୁଡ଼ାକର ମୁଦ୍ରିତ ଅକ୍ଷରକୁ ଦେଖି ସେ ଆତ୍ମବିଭୋର ହୁଅନ୍ତି । ଭାବନ୍ତି, ପଦାର୍ଥ ବିଜ୍ଞାନର ତଥ୍ୟରାଜି ଉପରେ ଏଇଗୁଡ଼ିକ ହିଁ ଶେଷଶବ୍ଦ–ଶେଷବାକ୍ୟ । ତାଙ୍କର ମତ ଖଣ୍ଡିତ ହେବାର ନୁହେଁ-

 

ବହୁଛାତ୍ର ତାଙ୍କ ନିକଟରେ ଗବେଷଣା କରି ସମ୍ମାନ ଲାଭ କରିଛନ୍ତି । ବିଲାତ ଆମେରିକା ମଧ୍ୟ ତାଙ୍କ ଛାତ୍ରମାନଙ୍କର କୃତିତ୍ୱକୁ ସ୍ୱୀକାର କରିଛି । କୋଉଛାତ୍ର ତାଙ୍କଠୁ ସନ୍ତାନ-ସୁଲଭ ସ୍ନେହ ନ ପାଇଚି ? ଜ୍ଞାନଦାନ କରିବାରେ ତାଙ୍କର କାର୍ପଣ୍ୟ ନଥାଏ । ବାଛବିଚାର, ପରଆପଣା ଜ୍ଞାନ ନ ଥାଏ ।

 

ଆପଣାର ହେଇ ତାଙ୍କର ଆଉ କିଏ ଅଛି ? ବାପା ମା’ଙ୍କର ତ ସେ ଥିଲେ ଏକମାତ୍ର ସନ୍ତାନ । ତାଙ୍କର ଶୈଶବରୁ ଉଭୟ ହିଁ ପରପୁରର ଯାତ୍ରୀ । ଜ୍ଞାନଚର୍ଚ୍ଚାକୁ ନେଇ ସେ ଜୀବନ କଟାଇଦେଲେ ।

 

ବିବାହ ମଣିଷ ଜୀବନରେ ପୂର୍ଣ୍ଣତା ଆଣେ–ଏ ସତ୍ୟ ତାଙ୍କ ନିକଟରେ ଅଜ୍ଞାତ ରହିଗଲା-। କୁମୁଦ, ନୀଳମାଧବ ଆଜି ବିଲାତ ଆମେରିକାରେ ଅଧ୍ୟାପକ ହେଇଛନ୍ତି । ସେମାନେ ନୂତନ ତଥ୍ୟରାଜି ଆବିଷ୍କାର କରି ମୋଟା ମୋଟା ବହି ପ୍ରକାଶ କରିଛନ୍ତି । କିନ୍ତୁ ସେ ଯାହା ଆଶା କରୁଥିଲେ–ଟିକିଏ କୃତଜ୍ଞତା–ଟିକିଏ ସ୍ୱୀକୃତି ସେ ବହିମାନଙ୍କରେ ନାହିଁ । ଏଇଟା ହିଁ ତାଙ୍କ ଦୁଃଖର କାରଣ । ତାଙ୍କ ବାର୍ଦ୍ଧକ୍ୟର ଅସଲ ମନସ୍ତାପ ।

 

ସେ ଆଜି ଭାବୁଛନ୍ତି, ନିଜ ରକ୍ତର କୌଣସି ସନ୍ତାନ ଯଦି ଏମିତି ଯୋଗ୍ୟ ହୋଇଥାନ୍ତା ତେବେ ସେ ଲିଖିତ ସ୍ୱୀକୃତି ନ ଦେଲେ ବି ଦୁନିଆ ତା’ ସ୍ୱୀକାର କରନ୍ତା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଅଧ୍ୟାପକ ଉମେଶଚନ୍ଦ୍ରଙ୍କର ପୁଅ–ଯୋଗ୍ୟ ପିତାର ଯୋଗ୍ୟ ଉତ୍ତରାଧିକାରୀ ।

 

ଦୁଃଖରେ ସେ ଭାଙ୍ଗିପଡ଼ୁଥିଲେ । ହାତ ତାଙ୍କର ଅବଶ ହୋଇପଡ଼ୁଥିଲା । ବୁଦ୍ଧିର ତେଜ ନିଷ୍ପ୍ରଭ ହୋଇଆସୁଥିଲା । ଆଗ୍ରହ କମି ଯାଉଥିଲା । ପୃଥିବୀରୁ କୃତଜ୍ଞତା କ’ଣ ଲୋପ ପାଇଯାଇଚି-? ଦାନର ପ୍ରତିଦାନ କ’ଣ କିଛି ନାହିଁ ?

 

ସେ ଗଭୀର ଚିନ୍ତାମଗ୍ନ.... ଗଭୀର. ଗଭୀର.... ।

 

ସାର୍‌ ! ସବୁକିଛି ଭୁଲ୍‌ ହେଇଯାଇଚି । ନୂତନ ଭାବରେ ଗବେଷଣାରତ ଛାତ୍ରଟି ସେଦିନ ଉମେଶଚନ୍ଦ୍ରଙ୍କୁ ଚେତେଇଦେଲା ।

 

ଉମେଶଚନ୍ଦ୍ର ବିସ୍ମୟ ବିସ୍ଫାରିତ ନେତ୍ରରେ ତାଙ୍କୁ ଚାହିଁଲେ ।

 

ସତକଥା ତ ! ସାଧାରଣ ତଥ୍ୟଗୁଡ଼ାକୁ ବି ସେ ଭୁଲିଯିବାକୁ ଆରମ୍ଭ କଲେଣି । ଗରମ ଚାହା କପେ ମଗାଇ ସେ ଧୀରେ ଧୀରେ ଓଠପାଖକୁ ନେଇ ପିଇବାକୁ ଆରମ୍ଭ କଲେ । ମୁହଁର ଗମ୍ଭୀରତା–ଔଜଲ୍ୟ ନିଷ୍ପ୍ରଭ–ସତେ କି ରାହୁଗ୍ରସ୍ତ ଚନ୍ଦ୍ର !

 

କହିଲେ–ନା’, ମୁଁ ଆଉ ପାରିବିନି ।

 

ତାଙ୍କର ଏହି ‘ନା’ ପଦକରେ ସବୁଯାକ ଛାତ୍ର ଚିତ୍କାର କରିଉଠିଲେ–ସାର୍‌ !

 

ଉମେଶଚନ୍ଦ୍ର କହିଲେ–ତୁମେମାନେ ଏବେ ଅନ୍ୟ କାହାପାଖରେ ଗବେଷଣା କର ।

 

ଛାତ୍ରମାନେ ପ୍ରତିବାଦ କଲେ–ନା ସାର, ତା’ ହେଇପାରିବିନି । ଆପଣ ଯେମିତି ଭାବରେ କିଛିମାତ୍ର କାର୍ପଣ୍ୟ ନ କରି ଜ୍ଞାନାଲୋକ ବିକିରଣ କରନ୍ତି ଅନ୍ୟକେହି ତାହା କରନ୍ତି ନାହିଁ-

 

ଉମେଶଚନ୍ଦ୍ର ଦୀର୍ଘନିଶ୍ୱାସ ପକେଇଲେ । ମନକୁ ମନ କହିଲେ–ମୁଁ ଏବେ ବୁଝୁଛି–ସେଇଟାହିଁ ମୋର ଭୁଲ୍‌ । ମସ୍ତବଡ଼ ଭୁଲ୍‌ ।

 

ଖବରକାଗଜବାଲା ଖବରକାଗଜ ଦେଇଗଲା । ପ୍ରଥମ ପୃଷ୍ଠାରେ ଆଖି ପକେଇ ଉମେଶଚନ୍ଦ୍ର ଥରିଉଠିଲେ । ଅନ୍ତତଃ ତାଙ୍କପାଇଁ ଭୟାବହ ସମ୍ୱାଦ । ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିବା ତାଙ୍କରି ଛାତ୍ର ଜ୍ୟୋତିପ୍ରକାଶ ତାଙ୍କରି ଏକ ତଥ୍ୟକୁ ଭୁଲ୍‌ ବୋଲି ପ୍ରମାଣିତ କରି ନୋବେଲ୍‌ ପୁରସ୍କାର ହାସଲ କରିଚି ।

 

ଏ ସମ୍ୱାଦରେ ସେ ବିଚଳିତ ହେଇପଡ଼ି ହଠାତ୍‌ ପାଗଳଭଳି ବ୍ୟବହାର କଲେ । ଗବେଷଣାଗାରରେ ସଜାହୋଇ ରହିଥିବା ଯନ୍ତ୍ରପାତି ଖଣ୍‌ଝାଣ୍‌ କରି ଭାଙ୍ଗିବାକୁ ଆରମ୍ଭ କଲେ । ଭୀଷଣ ଉନ୍ମତ୍ତତା । ସତେ ଅବା ଶିବତାଣ୍ଡବ । ଧ୍ୱଂସର ଲୀଳା । ସୃଷ୍ଟିକର୍ତ୍ତା ଯେମିତି ଧ୍ୱଂସର ଅବତାର ଗ୍ରହଣ କରି ମହାପ୍ରଳୟ ଭିଆଉଛନ୍ତି । ତାଙ୍କୁ ପ୍ରତିହତ କରିବାକୁ ଯାଇ କେତେକ ଛାତ୍ର ଆହତ ହେଲେ । ମୁଣ୍ଡରେ ଆଘାତ ଲାଗିଲା । ରକ୍ତସ୍ରାବ । ଏହିପରି ଭାବରେ କିଛି ସମୟ ଅତିବାହିତ ହେଲା । ପାଗଳ ଅଧ୍ୟାପକ ଅବଶ ହୋଇ ଭୂଇଁରେ ଲୋଟି ପଡ଼ିଲେ ।

 

କାଳରାତ୍ରି । ଅଧ୍ୟାପକ ବିଷପାନ କରିଛନ୍ତି । ତାଙ୍କର ଜୀବନରକ୍ଷା ପାଇଁ ଡାକ୍ତରମାନଙ୍କର ଅକ୍ଳାନ୍ତ ଚେଷ୍ଟା । ଡାକ୍ତରଖାନାରେ ସହରର ସମସ୍ତ ବୁଦ୍ଧିଜୀବୀ ରୁଣ୍ଡ ହେଇଛନ୍ତି । ସମସ୍ତଙ୍କ ମୁହଁରେ ଈଶ୍ୱରଙ୍କୁ ପ୍ରାର୍ଥନା–ଏତେ ବଡ଼ ପ୍ରତିଭାର ଅବସାନ ନ ହେଉ ।

 

ହଠାତ୍.....

 

ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ଭିଡ଼ ଠେଲି ଜଣେ ତରୁଣ ଆଗେଇ ଗଲେ । ସମସ୍ତଙ୍କ ଦୃଷ୍ଟି ତାଙ୍କରି ଉପରେ ନିବଦ୍ଧ ।

 

କିଏ ଏହି ଯୁବକ ?

 

କ’ଣ ତାଙ୍କର ପରିଚୟ ?

 

ସେ ଆଗେଇଯାଇ ଉମେଶଚନ୍ଦ୍ରଙ୍କ ପାଦ ପାଖରେ ଲୋଟି ପଡ଼ିଲେ ।

 

ସାର୍ ! ସାର୍‌ !

 

ବୃଦ୍ଧ ସାମାନ୍ୟ ଆଖି ଖୋଲିଲେ ।

 

ମୁଁ ଆସିଛି ସାର୍‌ !

 

କିଏ ? ଜ୍ୟୋତିପ୍ରକାଶ ? ବୃଦ୍ଧଙ୍କ ଓଠ ଥରିଉଠି ନିସ୍ତେଜ ହେଇପଡ଼ିଲା ।

 

ହଁ ସାର୍‌ ! ଆପଣଙ୍କ ଆଶୀର୍ବାଦରୁ ମୁଁ ନୋବେଲ୍‌ ପ୍ରାଇଜ୍‌ ପାଇଛି ସାର୍‌ !

 

ଖବରଟା ଜାଣିବା ସଙ୍ଗେ ସଙ୍ଗେ ମୁଁ ବିଲାତରୁ ଧାଇଁ ଆସିଲି ଆପଣଙ୍କ ପାଦଧୂଳି ନେବି ବୋଲି । ମୋତେ ଆଶୀର୍ବାଦ କରନ୍ତୁ ସାର ! ମୁଁ ସ୍ଥିର କରିଛି ଆଉ ବିଲାତ ଫେରିବି ନାହିଁ । ନିଜ ଦେଶରେ ଆପଣଙ୍କ ପାଖରେ ହିଁ ରହିବି । ପାଇଥିବା ସମସ୍ତ ଟଙ୍କାର ବିନିଯୋଗରେ ପୃଥିବୀକୁ ଆହୁରି ଜ୍ଞାନଦୀପ୍ତ କରି ଆପଣଙ୍କୁ ଅମର କରିଯିବି ଯୁଗଯୁଗ ପାଇଁ । ମୁଁ ଯେଉଁ ବିଜ୍ଞାନାଗାର ପ୍ରତିଷ୍ଠା କରିବି ତା’ର ନାମ ହେବ–ଉମେଶଚନ୍ଦ୍ର ବିଜ୍ଞାନାଗାର ।

 

ସମସ୍ତେ ସ୍ତବ୍‌ଧ । ସନ୍ତାନହୀନ ଅଧ୍ୟାପକ ଅବଶ ଡାହାଣ ହାତକୁ ବହୁ କଷ୍ଟରେ ଟେକିବାକୁ ଚେଷ୍ଟା କରୁଥିଲେ । ମାତ୍ର ପାରୁ ନଥିଲେ । ମୁହଁରେ ଖେଳି ଯାଉଥିଲା ତୃପ୍ତିର ବିଦ୍ୟୁତ୍‌ ଝଲକ । ବିଶ୍ୱ ସନ୍ତାନମାନଙ୍କ ପାଇଁ ଦୁର୍ବଳତା ।

 

ତା’ ହେଲେ ସେ ଏ ଭୁଲ୍‌ କଲେ କାହିଁକି ? କାହିଁକି ?

 

କିନ୍ତୁ ଏ ପ୍ରଶ୍ନର କୌଣସି ଉତ୍ତର ମିଳିବା ପୂର୍ବରୁ ଆଖିପତା ତାଙ୍କର ବନ୍ଦ ହେଇଗଲା । ନିର୍ଜୀବ ପିଣ୍ଡ ଛାଡ଼ି ଅମର ଆତ୍ମା ଉଡ଼ିଗଲା ଦୂରକୁ.... ଦୂରକୁ... ସୀମାହୀନ ଅନ୍ତରୀକ୍ଷକୁ । ସମବେତ ଜନତାର ଉଚ୍ଛ୍ୱସିତ କ୍ରନ୍ଦନରୋଳରେ ଡାକ୍ତରଖାନାର ବକ୍ଷ ମୁଖରିତ ହୋଇଉଠିଲା ।

 

ଶବ ଶୋଭାଯାତ୍ରା । ସମଗ୍ର ସହର ଏହି ଶୋଭାଯାତ୍ରାରେ ଯୋଗଦେଇଛି । ସତେ ଅବା ସମସ୍ତେ ତାଙ୍କର ଆତ୍ମୀୟଜ୍ଞାତ ବନ୍ଧୁ କୁଟୁମ୍ୱ ।

 

ଜୂଇ ଉପରେ ଅଧ୍ୟାପକଙ୍କର ମର ଶରୀରକୁ ଶୁଆଇ ଦିଆଗଲା । ସମସ୍ତଙ୍କର ସିଦ୍ଧାନ୍ତ ଅନୁଯାୟୀ ମୁଖାଗ୍ନି ଦେଲେ ସତ୍ୟ ନୋବେଲ୍‌ ପୁରସ୍କାର ପାଇଥିବା ଛାତ୍ର ଜ୍ୟୋତିପ୍ରକାଶ ଏବଂ ଏହାହିଁ ଥିଲା ବୋଧହୁଏ ତାଙ୍କ ପାଇଁ ବିଧି-ନିର୍ଦ୍ଦେଶିତ କର୍ତ୍ତବ୍ୟ ।

Image

 

ହାଟ ଫେରନ୍ତା

 

ଅବିରାମ ଗତିରେ ଚାଲିଛି ଜୀବନ ସଂଗ୍ରାମ ।

 

କ୍ୟାପିଟାଲ ହାଟ ପାଖର ଠିଆ ହେଇ ମୁଁ ସେହି ସଂଗ୍ରାମକୁ ଲକ୍ଷ୍ୟ କରୁଥିଲି ।

 

ପ୍ରାୟ ସନ୍ଧ୍ୟା ଛ’ଟା । ଅଫିସ ସବୁ ଶୂନ୍‌ଶାନ୍‌ ହେଇ ସାରିଲାଣି । କର୍ମଚାରୀବହୁଳ ଏହି ସହରରେ ସନ୍ଧ୍ୟା ପରଟା ଖୁବ୍ ନିରସ । ଯାତ୍ରା ଥିଏଟର ନାଚଗୀତ ଖେଳ କସରତ ପ୍ରଭୃତିର ବିଶେଷ ସୁଯୋଗ ନଥିବାରୁ ଅଫିସ ଫେରନ୍ତା କର୍ମଚାରୀମାନେ ସନ୍ଧ୍ୟାବେଳଟା ହାଟରେ ହିଁ କଟେଇ ଦିଅନ୍ତି । ତେଲ ଲୁଣ ସଂସାରର ତାଗିଦା । ଅଫିସରୁ ଫେରି ଚା’ କପେ ଖାଉ ଖାଉ ଗୃହିଣୀ ବଜାର ସଉଦାର ତାଲିକା ଆଉ ବଜାର ଥାଳି ରଖିଦେଇଯା’ନ୍ତି । ବାବୁମାନଙ୍କର ଅଫିସ ଯିବା ଯେମିତି ନିତିଦିନିଆ ଅଭ୍ୟାସ, ଅଫିସରୁ ଫେରି ହାଟକୁ ଯିବା ସେମିତି ନିତିଦିନିଆ ଅଭ୍ୟାସ ।

 

ସେଦିନ ଥାଏ ଶୁକ୍ରବାର । ଶୁକ୍ରବାର ଦିନରେ ବାବୁମାନଙ୍କର ମାଛ ପ୍ରତି ଆଗ୍ରହଟା ବେଶୀ ଥାଏ । କାରଣ ତା’ ପୂର୍ବଦିନ ଗୁରୁବାରରେ ଅଧିକାଂଶ ଘରକୁ ଆମିଷ ଯାଏନା । ସାଧାରଣତଃ ଆମ ଓଡ଼ିଆ ଘରର ବୋହୁମାନେ ଗୁରୁବାର ଦିନ ନିରାମିଷ ଖାଆନ୍ତି । ତେଣୁ ସେ ଦିନଟା ଅଧିକାଂଶ ପରିବାରକୁ ନିରାମିଷ ଖାଇବାକୁ ପଡ଼ିଥାଏ । ତା’ ସାଙ୍ଗକୁ ପୁଣି ଆଜିକାଲି ବଜାରରେ ସବୁ ଜିନିଷ ତ ଦର, ମାଛ ଦର ତ ଆକାଶଛୁଆଁ । ହାଟକୁ ଥଳୀ ଯାଏ–ତେଲ ଲୁଣ ଆଳୁ ବାଇଗଣ କିଣୁ କିଣୁ ପଇସା ସରିଯାଏ । ମାଛ ହାଟକୁ ଯିବାର ଲୋଭ ଥିଲେବି ଯିବା ସମ୍ଭବ ହୁଏନାହିଁ । ଛ’ ଶହ ଟଙ୍କା ପାଉଥିବା ଲୋକ ମଧ୍ୟରେ ଭଲରେ ଚଳିପାରେ ନାହିଁ । ପିଅନ ଚପରାସୀ ଏଲ.ଡ଼ି,. ପ୍ରଭୃତିଙ୍କ କଥା ତ ଛାଡ଼ ।

ହାଟ ଏହିଭଳି ଏକ ସ୍ଥାନ ଯେଉଁଠି ସଂଗ୍ରାମରତ ମଣିଷର ଚିହ୍ନ ସୁସ୍ପଷ୍ଟ–ଯେଉଁଠି ସାମ୍ୟବାଦ ପୁଞ୍ଜିବାଦର ଚେହେରା ବାରି ହୁଏ–ଯେଉଁଠି ମଣିଷ ବଞ୍ଚିବା ପାଇଁ ଖାଏ ଏବଂ ଖାଇବାପାଇଁ ବଞ୍ଚେ ମଧ୍ୟ ।

-ହଲୋ, କାହା ଅପେକ୍ଷାରେ ଠିଆ ହେଇଚୁ ?

ପଛକୁ ଫେରି ଦେଖିଲି ବନ୍ଧୁ ନିରାକାର ସାଇକେଲ ଆଗରେ ବଜାର ଥଳୀ ଝୁଲେଇ ମୋ କାନ୍ଧ ଉପରେ ହାତ ରଖି ମୋତେ ପଚାରୁଚି ।

ତା’ ସହିତ ଅନେକ ଦିନ ପରେ ଦେଖା । ମୁଁ ତ ରାଜଧାନୀର ବାସିନ୍ଦା ନୁହେଁ । ସୁଦୂର ମଫସଲର ଜଣେ ହାଇସ୍କୁଲ ଶିକ୍ଷକ । କାମର ତାଡ଼ନାରେ ବେଳେବେଳେ ଆସେ । ତା’ ପୁଣି ବର୍ଷରେ ଦୁଇଚାରି ଥର । ନିରାକାର ଏକଦା ମୋର ସହପାଠୀ ଓ ରୁମ୍‌ମେଟ୍‌ ଥିଲା । ଆମ ଦୁହିଁଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତ୍ୱ–ଥିଲୁ ଏକାତ୍ମା । ଏବେ ସେ ସଚିବାଳୟରେ ଇଉ.ଡି. କିରାଣୀ ।

ସେ ପଚାରିଲା–ଆଉ ତୋର ଖବର କ’ଣ ରେ ?

ଅନେକ ଦିନ ପରେ ତୋ ସହିତ ଦେଖା ହେଲା । କେବେ ଆସିଲୁ ? କେତେଦିନ ରହୁଚୁ ?

ମୁଁ କହିଲି–କାଲି ଚାଲିଯିବି । ସାମାନ୍ୟ ଟିକିଏ କାମ ଥିଲା, ଆସିଥିଲି ।

ସେ ପୁଣି ପଚାରିଲା–କି କାମ ?

ମୁଁ କହିଲି–ମୋ ପୁଅଝିଅଙ୍କର ସ୍କଲାରସିପ୍‌ ଟଙ୍କା ଏ ଯାଏ ଯାଇନାହିଁ ଯେ ତା’ରି ଖବର ନବାକୁ ଆସିଥିଲି ।

-ଆରେ, ତୋ ପୁଅଝିଅ ଉଭୟ ସ୍କଲାରସିପ୍‌ ପାଇଲେଣି । ଭାଗ୍ୟବାନଟେ ତୁ । ମୋ ପୁଅଟା ବାଳୁଙ୍ଗା ହେଇ ବୁଲୁଚି । ଦି’ ଦିଥର ମ୍ୟାଟ୍ରିକ୍‌ ଫେଲ୍‌ ହେଲାଣି । କ’ଣ କରିବି ଭାଇ ? ତା’ ପାଇଁ ମୋର ଅନେକ ଦୁଶ୍ଚିନ୍ତା ।

-ହବା କଥା । ଆଜିକାଲି ଚାକିରି ବଜାର ଯାହା ପିଲାଏ ଭଲ ନ ପଢ଼ିଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ।

-କାହାକୁ ଅପେକ୍ଷା କରିଚୁ ? ତା’ର ପ୍ରଶ୍ନ ।

-କାହାକୁ ନୁହେଁ । ଏଠି ମୋର କିଏ ଅଛି ଯେ ମୁଁ କାହାକୁ ଅପେକ୍ଷା କରିବି ? ଏମିତି ଠିଆ ହେଇ ଆଲୋକ ସଜ୍ଜା ଦେଖୁଥିଲି । ରାଜଧାନୀର ଚେହେରା ବଦଳି ଯାଇଛି । ମୁଁ କହିଲି ।

ହଠାତ୍‌ କଥାର ପୂର୍ଣ୍ଣଚ୍ଛେଦ ପକେଇ ସେ କହିଲା–କବିପ୍ରାଣ ! ହଉ ତୁ ଠିଆ ହେଇଥା । ମୁଁ ଗଲେ ପୁଣି ରୋଷେଇ ହବ । ଥା–

ମୋତ ସେଇଠି ରଖିଦେଇ ସେ ଚାଲିଗଲା । ମୁଁ ଭାବୁଥିଲି ମଣିଷ କେଡ଼େ ଯାନ୍ତ୍ରିକ ହେଇପଡ଼ିଚି ସତେ । ଦଶବର୍ଷ ତଳେ ଦେଖାହେଲେ ଯୋଉ ନିରାକାର ମୋତେ ତା’ଘରକୁ ନ ନେଇ ଛାଡ଼ୁ ନଥିଲା ସେଇ ନିରାକାର କ’ଣ ଇଏ ନୁହେଁ ? ସେ ତା’ ଘରକୁ ଯେ’ ମୋତେ ଡାକିବ, ମୁଁ ଏଇ ଆଶା କରୁଥିଲି । ମାତ୍ର କ’ଣ ହେଲା ? ଦୁଇ ଚାରିପଦ ସୌଜନ୍ୟମୂଳକ କଥା । ବାସ୍‌, ଏତିକିରେ ଦୀର୍ଘଦିନ ପରର ସାକ୍ଷାତଟା ଶେଷ ହୋଇଗଲା । ନା, ମଣିଷ ଅତିମାତ୍ରାରେ ସ୍ୱାର୍ଥପର ପାଲଟି ଯାଇଚି । ନିଜର ସ୍ୱାର୍ଥ–ନିଜ ପରିବାରର ସ୍ୱାର୍ଥ ନେଇ ସେ ଆଜି ବ୍ୟସ୍ତ ପାଗଳ ।

ମୁଁ ସେମିତି ଠିଆ ହେଇ ଜନସ୍ରୋତକୁ ଦେଖୁଥାଏ । ସାଇକେଲ ଷ୍ଟାଣ୍ଡ ଭର୍ତ୍ତି–ଅସଂଖ୍ୟ ସ୍କୁଟର୍‌ ଓ କିଛି କାର୍‌ ଉତ୍କଣ୍ଠିତ ହେଇ ଅପେକ୍ଷା କରିଥାନ୍ତି ସେମାନଙ୍କ ଆରୋହୀମାନେ କେତେବେଳେ ଆସିବେ !

ଆଉ ଜଣେ ବନ୍ଧୁ ଦୂରରୁ ଆସୁଥିବାର ଦେଖିଲି । ହାତରେ ଜିନିଷଭରା ଥଳୀ ଧରି ଚାକର ଛୁଆଟି ବୋଧହୁଏ ଆଗେ ଆଗେ ଚାଲିଛି ଆଉ ପଛରେ ଚାଲିଛନ୍ତି ବୋଧହୁଏ ତାଙ୍କ ଶ୍ରୀମତୀ । ଭଦ୍ରଲୋକ ମୋର ସହପାଠୀ ଥିଲେ । ମ୍ୟାଟ୍ରିକ୍‌ଠାରୁ ବି.ଏ. ପର୍ଯ୍ୟନ୍ତ କ୍ଲାସ୍‌ରେ ମୁଁ ହେଉଥିଲି ପ୍ରଥମ ଆଉ ସେ ଦ୍ୱିତୀୟ । ଏବେ ସେ ହଜାରେ ଟଙ୍କାରୁ ଉର୍ଦ୍ଧ୍ୱ ବେତନଭୋଗୀ ପ୍ରଥମ ଶ୍ରେଣୀର କର୍ମଚାରୀ ଆଉ ମୁଁ ସ୍କୁଲ ଶିକ୍ଷକ । ସଙ୍କୋଚରେ ଜଳି ଯାଉଥିଲି କିନ୍ତୁ ଦୁର୍ଭାଗ୍ୟକୁ ଦୁହେଁ ସାମନାସାମନି ହେଇଗଲୁ । ସେ ମୋତେ ଚିହ୍ନିପାରି କହିଲେ–ଆରେ, ତୁ ଅଲେଖ ନା ? କ’ଣ ଖବର ? କେବେ ଆସିଚୁ ? ବାସ୍‌ । ସେତିକି । ପ୍ରଶ୍ନ ପଚାରି ମୋ ଉତ୍ତର ପାଇଁ ବି ତାଙ୍କର ସମୟ ନଥିଲା । ତାଙ୍କ ଗତିର ମନ୍ଥରତାକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କ ଶ୍ରୀମତୀ କହିଲେ–ଚଞ୍ଚଳ ଚାଲ । ମୁନ୍ନାଟା ଭାରି ଦୁଷ୍ଟାମି କରୁଥିବ । ସେ ଆଉ ମୋ ମୁହଁକୁ ଚାହିଁବାପାଇଁ ବି ସମୟ ପାଇଲେ ନାହିଁ । ଚାଲିଗଲେ ।

ମୁଁ ସେମିତି ଲକ୍ଷ୍ୟହୀନ ଭାବରେ ଠିଆ ହେଇଥାଏ । ଖାଲି ଥଳୀ ହାଟକୁ ଯାଉଥାଏ ଓ ପୁଣି କିଛି ସମୟରେ ପରେ ଭରା ଥଳୀ ହାଟରୁ ଫେରୁଥାଏ । ହାଟପାଗଳ ନରନାରୀ ବାହାର ଜଗତଟାକୁ ଭୁଲି ଯାଇଥାନ୍ତି । ଦିନସାରା କଲମ ଚାପି–ରାତିରେ ହାଟ ସଉଦା–ଭୋଜନ ନିଦ୍ରା–ଏହି ହଉଚି ଏଠାକାର ଜୀବନ । ରାଜଧାନୀ ହାଟଟା ସତେ ରାଜଧାନୀବାସୀଙ୍କର ପରମ ତୀର୍ଥକ୍ଷେତ୍ର । ପୁରୀ ବାରାଣସୀ ।

ମୁଁ ମଫସଲରୁ ଆସିଚି । ଭାବୁଥିଲି ଆମ ମଫସଲଟା ବରଂ ଭଲ । ଯେଉଁଠି ପ୍ରତି ସନ୍ଧ୍ୟାରେ ହାଟକୁ ଯିବାର ତାଗିଦା ନଥାଏ । ଆମ ଭାଗବତ ଟୁଙ୍ଗୀ, ଗାଁ ମନ୍ଦିର, ପୁନେଇ ପରବ, ଜହ୍ନ ରାତିରେ ପିଲାଙ୍କର ହାଡ଼ୁଡ଼ୁ ଖେଳ ଆଉ ବଡ଼ମାନଙ୍କର ତାସ୍‌-ପଶା ଜୀବନକୁ କେଡ଼େ ସରସ କରେ ସତେ !

ହଠାତ୍‌ ମୋ ସାମନାରେ ଏକ ଅଘଟଣ ଘଟିଗଲା । କଡ଼ା ବ୍ରେକ୍‌ଦେଇ କାର୍‌ଟା ଠିଆ ହେଇଗଲା । ସାମନାରେ ପଡ଼ିଯାଇଥିବା ପିଲାଟା ଛିଟିକି ପଡ଼ିଲା ଦୂରକୁ । ତା’ ହାତଗୋଡ଼ ଜଖମ ହେଲା–ମୁଣ୍ଡ ଫାଟିଗଲା । ଜନତା ଉତ୍ୟକ୍ତ ହେଇ କାର୍‌ ଚାଳକକୁ ବାହାରକୁ ଟାଣିଆଣି ନିସ୍ତୁକ ମାଡ଼ ଦେଲେ । କାର୍‌ ଭିତରେ ଜଣେ ମହିଳା ଓ ପିଲାଟିଏ ଥାଉ ଥାଉ ସେମାନେ କାର୍‌ରେ ନିଆଁ ଲଗାଇଦେଲେ । କାର୍‌ଟା ହୁତ୍‌ହୁତ୍‌ ହେଇ ଜଳି ଉଠିଲା । ମୁଁ ଧାଇଁଯାଇ ମହିଳା ଜଣଙ୍କୁ କାର୍‌ରୁ ବାହାରକୁ ଟାଣିଆଣି ରକ୍ଷା କରିବାକୁ ଚେଷ୍ଟା କରୁଥିଲି । ପୋଲିସ୍‌ ଆସି ପହଞ୍ଚିଗଲେ । ସେତେବେଳକୁ ସେମାନେ ପଳେଇ ଗଲେଣି । କିଛି ଦେଖଣାହାରୀ ଥିଲେ । ପୋଲିସ୍‌ର କାର୍ଯ୍ୟାନୁଷ୍ଠାନରେ ସେମାନେ ବି ପ୍ରାଣଭୟରେ କିଏ କୁଆଡ଼େ ପଳାଇଗଲେ । ବାକି ଯୋଉମାନେ ପଳାଇ ନଯାଇ ରହିଗଲୁ ପୋଲିସ ଆମକୁ ଥାନାକୁ ନେଇଗଲେ । ଯେଉଁମାନଙ୍କ ହାତରେ ସଉଦାଭରା ଥଳୀ ଥିଲା ସେମାନେ ହାଟକୁ ଆସିଥିବାର ସଫେଇ ଦେଇ ଛାଡ଼ ପାଇଗଲେ । ରହିଗଲୁ ଆମେ ତିନିଜଣ, ଯେଉଁମାନେ ସେ ଭଦ୍ରମହିଳା ଓ ସେ ପିଲାଟିକି ଜୀବନ୍ତ ଦଗ୍‌ଧ ହେବାରୁ ରକ୍ଷା କରିବାକୁ ଚେଷ୍ଟା କରୁଥଲେ ଏବଂ ଯେଉଁମାନଙ୍କ ହାତରେ ସଉଦା ଥଳୀ ନଥିଲା । ଖାଲି ହାତରେ କେହି କ’ଣ ହାଟକୁ ଆସେ ? ତାହାହେଲେ ଆମେ ଆସିଥିଲୁ କାହିଁକି ? ଦଙ୍ଗାହାଙ୍ଗାମା କରିବାକୁ ? ଆମେ ନିଶ୍ଚୟ ଅସାମାଜିକ ବ୍ୟକ୍ତି !

ସାରା ରତି ଆମକୁ ଥାନାରେ କଟେଇବାକୁ ପଡ଼ିଲା । ସେଇଠି ଅନ୍ୟ ଦୁଇଜଣଙ୍କ ସହିତ କଥାବାର୍ତ୍ତାରୁ ଜାଣିଲି ସେ ଦୁଇଜଣ ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀ ବେକାର ଯୁବକ । ଦୁଇବର୍ଷ ହେଲା ଚାକିରୀ ସନ୍ଧାନୀ । ସେମାନଙ୍କ ସହିତ ରାତିଟା ବେଶ୍‌ ଗପସପରେ କଟିଗଲା । ସେଇମାନଙ୍କ ମେଳରେ ଥାନାରେ ରହିବାର ଦୁଃଖଟା ମୁଁ ଭୁଲିଗଲି ।

କାର୍‌ଟା ଥିଲା ସରକାରୀ । ଆରୋହୀ ଥିଲେ ଜଣେ ପଦସ୍ଥ ଅଫିସର୍‌ । ମାଡ଼ ଖାଇ ଥାନାରେ ଖବର ନ ଦେଇ ସେ ତ ପଳେଇଗଲେ । ରାତିରେ ଆଉ ଆସିବାକୁ ସାହାସ କଲେ ନାହିଁ-। ଆଉ କାହାରିଠୁ କାର୍‌ପୋଡ଼ି ଖବର ପାଇ ଥାନାରୁ ପୋଲିସ୍‌ ଆସିଥିଲେ । ପୋଲିସ୍‌ ଡାକରାରେ ପରଦିନ ସକାଳୁ ଥାନାକୁ ଆସିଲେ । ମୁଁ ତାଙ୍କୁ ଦେଖି ଚିହ୍ନିଲି–ସେ ମୋର ସେଇ ବନ୍ଧୁ–ପଦସ୍ଥ ଅଫିସର । ମୋତେ ଦେଖି ସେ ପାଖେଇ ଆସିଲେ ଓ କହିଲେ–କିରେ, ଏଠି କାହିଁକି ?

ମୁଁ କହିଲି–ଖାଲି ହାତରେ ରାଜଧାନୀ ହାଟକୁ ଯିବା ଯୋଗୁଁ ମୋର ଏ ଦୁର୍ଦ୍ଦଶା ।

ମାନେ ? ସେ କିଛି ବୁଝିପାରିଲେ ନାହିଁ ।

ମୁଁ ତାଙ୍କୁ ସବୁକଥା କହିବା ପରେ ସେ କହିଲେ-ଆରେ ସେ ଗାଡ଼ିରେ ମୁଁ ତ ଥିଲି । ତୋ ସହିତ ଦେଖା ହେବା ପରେ କାର୍‌ ପାର୍କିଂ ଜାଗାରୁ କାର୍‌ଟା ନେଇ ତରତରରେ ଫେରୁ ଫେରୁ ସେଇ ଦୁର୍ଘଟଣା । ଲୋକେ ଉତ୍ୟକ୍ତ ହୋଇ ଯାହା କଲେ ନା ଭାଗ୍ୟ ଭଲ ମୋ ପ୍ରାଣଟା ରହିଗଲା-। ମୋ ସ୍ତ୍ରୀଙ୍କ ଗୋଡ଼ ପୋଡ଼ିଯାଇଚି । ସେ ବର୍ତ୍ତମାନ ହସପିଟାଲରେ । ମୋ ଚାକର ପିଲାର ଅବସ୍ଥା ଆହୁରି ଖରାପ । ତୁ ତ ସେଠି ଥିଲୁ । ସବୁ ଦେଖିଥିବୁ ।

ମୁଁ କହିଲି–ଥିଲି ଯେ, ହେଲେ ସେ ଲୋକଗହଳିରେ ଚିହ୍ନିବା ସମ୍ଭବ ନୁହେଁ । ହାୟ ଭଗବାନ ! ତୋ’ରି କପାଳରେ ଏ ଦଶା ! ମୁଁ ତୋ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ପୋଲିସ ହାବୁଡ଼ରେ ପଡ଼ିଲି । ହାତରେ ମୋର ଯଦି ପରିବାଭର୍ତ୍ତି ଥଳୀଟେ ଥାଆନ୍ତା ମୁଁ ହୁଏତ ଏଭଳି ବିପଦରେ ପଡ଼ି ନଥାନ୍ତି ।

ଏତେ ଦୁଃଖରେ ମଧ୍ୟ ମୋ କଥା ଶୁଣି ସେ ହୋ ହୋ କିନି ହସିଉଠିଲେ । ତା’ପରେ ଯାଇ ଥାନାବାବୁଙ୍କୁ ମୋ କଥା କହିଲେ । ଥାନାବାବୁଙ୍କ ସହିତ ଅନେକ ସମୟ କଥାବାର୍ତ୍ତା ପରେ ଥାନାରୁ ମୁଁ ମୁକୁଳିଲି ।

ମାତ୍ର ସେଇ ଦୁଇଜଣ ବେକାର ଯୁବକ–ଉଚ୍ଚଶିକ୍ଷିତ–ଚାକିରୀ ସନ୍ଧାନୀ । ତାଙ୍କ ପାଇଁ କିଏ କହିବ ? ମୁଁ ଆସିବାବେଳେ ସେମାନେ ବସି କାନ୍ଦୁଥିଲେ ମୁଁ କିନ୍ତୁ ତାଙ୍କ ପକ୍ଷରୁ କିଛି କହିପାରିଲି ନାହିଁ । କହିଥିଲେ କ’ଣ ଫଳ ବା ହେଇଥାନ୍ତା ?

ଧନ୍ୟ ରାଜଧାନୀ ହାଟ ! ତାହାରି ପାଇଁ ସନ୍ଧ୍ୟାରେ ଲୋକଙ୍କର କି ପାଗଳାମି । ଥଳୀ ହାତରେ ନ ନେଇ ହାଟକୁ ବା ତା’ ପାଖକୁ ଯିବାଟା ଯେମିତି ଅପରାଧ । ଥଳୀ ନଥିଲେ ସେ ରାଗିଉଠେ–ଅଭିଶାପ ଦିଏ । ଆଜି ଯେମିତି ମୋ ଉପରେ ରାଗିଉଠିଲା–ଅଭିଶାପ ଦେଲା ।

 

ମୁଁ ଥାନାରୁ ଫେରି ସିଧା ହାଟକୁ ଯାଇ ଥଳୀଟିଏ କିଣିଲି । ପରିବା ଦୋକାନକୁ ଯାଇ ଥଳୀ ଭର୍ତ୍ତି କଲି । ତା’ପରେ ବାହାର ଫୁଟପାଥକୁ ଆସି ଠିଆହେଲି । ମୁଁ ବର୍ତ୍ତମାନ ନିର୍ଭୟ । ମୋର କିଏ କ’ଣ କରିବ, କରୁ । ଶହେଟା ଗାଡ଼ି ପୋଡ଼ି, ଶହେଟା ଦୋକାନ ଲୁଟି ହେଇଗଲେ ବି ମୋ ଦେହରେ କେହି ହାତ ଦେଇପାରିବେ ନାହିଁ । କାରଣ–ମୁଁ ହାଟ ଫେରନ୍ତା ।

 

ମୋ ହାତରେ ପରିବାଭର୍ତ୍ତି ଥଳୀ ।

Image

 

ସ୍ନେହମୟୀ

 

ଅଧାବାଟରୁ ସେ ବସ୍‌ରେ ଉଠିଲା । ବସିବାକୁ ଜାଗା ନଥାଏ । ସେ ଠିଆ ହେଲା ।

 

ବସ୍‌ର ମାଲିକ କଣ୍ଡକ୍ଟରକୁ କହିଲେ–ଝିଅଟାକୁ ଲେଡ଼ିଜ୍‌ରେ କୋଉଠି ଏଡ଼ଜଷ୍ଟ୍‌ କରିଦିଅ ।

 

ଦୁଇଜଣ ବସିଥିବା ମହିଳା ସିଟ୍‌ର ଜଣେ ବୁଢ଼ୀ କଣ୍ଡକ୍ଟରଙ୍କ ଅନୁରୋଧରେ ଝିଅଟିକି ବସିବାପାଇଁ ଛ’ ଇଞ୍ଚ ପରିମିତ ଜାଗା ଛାଡ଼ିଦେଲେ । ଝିଅଟି ଅଧା ସିଟ୍‌ରେ ଅଧା ବାହାରେ ଏମିତି କରି ବସିଲା ।

 

କଣ୍ଡକ୍ଟର ପଚାରିଲା–କେଉଁଠିକି ଯିବ ?

 

ଝିଅଟି କହିଲା–ଚଣ୍ଡୀଖୋଲ୍‌ ।

 

ତା’ପରେ କଣ୍ଡକ୍ଟର ଟିକେଟ ବହି କାଢ଼ି ଲେଖୁ ଲେଖୁ ପଇସା ମାଗିଲା । ଝିଅଟି କିଛି ନ କହି ଚୁପ୍‌ ରହିଲା । କଣ୍ଡକ୍ଟର ଟିକେଟ ବଢ଼ାଇବା ବେଳକୁ ଝିଅଟି ସାମାନ୍ୟ ହସି କହିଲା–ଅସୁବିଧାରେ ପଡ଼ିଛି, ପଇସା ନାହିଁ ।

 

କଣ୍ଡକ୍ଟର ଯାଇ ମାଲିକ ସାଙ୍ଗରେ କ’ଣ କଥାବାର୍ତ୍ତା କରି ଆସି ଚୁପ୍‌ଚାପ ବସିଲା । କଣ୍ଡକ୍ଟର ବସିଥିବା ସିଟ୍‌ର ଠିକ୍ ଡାହାଣଟା ଝିଅଟା ବସିଥାଏ ।

 

ସନ୍ଧ୍ୟା ହେଇ ଆସୁଥାଏ । ଗାଡ଼ି ଭିତରର ଲାଇଟ୍‌ ଡ୍ରାଇଭର୍‌ ନିଭାଇଦେଇ ଟେପ୍‌ ରେକର୍ଡ଼ରରେ ଗୀତ ଆରମ୍ଭ କରିଦେଲା ।

 

ମଝିରେ ମଝିରେ କଣ୍ଡକ୍ଟର ସେ ଝିଅଟାକୁ କ’ଣ ପଚାରୁଥାଏ, ଓ ସେ’ ଝିଅଟି ଅନୁଚ୍ଚ କଣ୍ଠରେ ତା’ର ଜବାବ ଦଉଥାଏ ।

 

ମାଲିକ ଯେ କି ଡ୍ରାଇଭର୍‌ ସିଟ୍‌ର ଠିକ୍‌ ପଛରେ ବସିଥିଲେ, କଣ୍ଡକ୍ଟରକୁ ଡାକିଲେ । ସେ ଉଠିଗଲା । ଦୁଇ ତିନି ମିନିଟ କଥାବାର୍ତ୍ତା କରି ଆସିଲା ତା’ ଜାଗାକୁ ।

 

ବାହାରେ ସାମାନ୍ୟ ଝିପିଝିପି ବର୍ଷା ଆରମ୍ଭ ହେଇଚି । ସେ ଦିନ ବୋଧହୁଏ ପୂର୍ଣ୍ଣମୀ ରାତି । ବାହାର ଜ୍ୟୋତ୍ସ୍ନା ଭାରି ଭଲ ଲାଗୁଥାଏ, ପୁଣି ବସ୍‌ ଚାଲିବା ବେଳର ପବନ । ମନ ଉତ୍‌ଫୁଲ୍ଲ ହେଇଉଠୁଥାଏ ବେଳେବେଳେ । ଟେପ୍‌ ରେକର୍ଡ଼ର୍‌ ବି ଚାଲିଥାଏ ।

 

ରାତି ଆଠ ବେଳକୁ ବସ୍‌ ଆସି ଚଣ୍ଡୀଖୋଲ’ଠି ଠିଆହେଲା । କଣ୍ଡକ୍ଟର କହିଲା–ଗାଡ଼ି ପନ୍ଦର ମିନିଟ ରହିବ, ଯେଉଁମାନେ ଚା’ ଜଳଖିଆ ଖାଇବେ, ଯାଇ ଖାଇଆସନ୍ତୁ ।

 

ଅନେକ ଯାତ୍ରୀ ତଳକୁ ଓହ୍ଲାଇ ଗଲେ । ମୁଁ ବି ତଳକୁ ଆସିଲି । ମେଘ ପଡ଼ିବା ଆଉ ନଥାଏ ।

 

ବସ୍‌ ଠିଆହେବା ମାତ୍ରେ ପେଡ଼ାବାଲା, ବାଦାମବାଲା, କାକୁଡ଼ିବାଲା ଆସି ବସ୍‌କୁ ଘେରିଯାଇ ଚିତ୍କାର ଛାଡ଼ିଲେ । ସେ ଝିଅଟିର ଗନ୍ତବ୍ୟ ସ୍ଥଳ ଆସିଯାଇଛି । ସେ ବି ଓହ୍ଲାଇ ପଡ଼ିଲା ।

 

ତା’ ହାତରେ କୌଣସି ଜିନିଷ ନାହିଁ । ଦେହର ପରିଧାନ କେବଳ ଘାଗରା ଆଉ ହାଓ୍ୟାଇନ୍‌ । ମୁଁ ପାଖ ପାନଦୋକାନକୁ ଗଲି । ସେ ଝିଅଟି ବି ସେଠିଇକି ଯାଇ ଦି’ଖଣ୍ଡ ପାନ ବରାଦ କରି ଠିଆହେଲା ।

 

କଣ୍ଡକ୍ଟର ତଳକୁ ଓହ୍ଲାଇଆସି ଫେରିବାଲାଙ୍କୁ ପଚାରିଲା–ସେ ଝିଅଟା କିଏ ? ଏଠି କ’ଣ କରେ ?

 

ଚିନାବାଦାମ ବିକାଳୀ ଜଣକ କହିଲା–ସେ ବେଶ୍ୟା ।

 

ତାର ସେଇ ‘ବେଶ୍ୟା’ ଶବ୍ଦଟା ଚାଉଁକିନା ମୋ କାନରେ ଲାଗିଲା । ମୋ ଅତି ପାଖରେ ଠିଆ ହେଇଥିବା ସେ ଝିଅଟାକୁ ମୁଁ ଖୁବ୍‌ ନିରୀକ୍ଷଣ କରି ଦେଖିଲି । ବୟସ ତା’ର କେତେ ହବ ? ଖୁବ୍‌ ବେଶି ହେଲେ ପନ୍ଦର ଷୋଳ । ନାରୀତ୍ୱକୁ ସେ କେତେଦିନ ହେଲା ଦେଖିଚି ?

 

କଣ୍ଡକ୍ଟର ଚିନାବାଦାମ ବିକାଳୀକି ଆତୁର ହେଇ କହିଲା–ତାକୁ ଡାକ ଡାକ ।

 

ଚିନାବାଦାମ ବିକାଳୀ ଯାଇ ତାକୁ କେମିତି ଭାବରେ କ’ଣ ଇଙ୍ଗିତ ଦେଲା କେଜାଣି, ପାନ ଦି’ଖଣ୍ଡ ନେଇସାରି ସେ ଝିଅଟା ଆସି କଣ୍ଡକ୍ଟର ପାଖରେ ଠିଆ ହେଲା ।

 

କଣ୍ଡକ୍ଟର ଆଉ କିଛି ନ କହି କେବଳ କହିଲା–ବସ୍‌ରେ ଯାଇ ବସ ।

 

ଝିଅଟି ବିନା ବାକ୍ୟ ବ୍ୟୟରେ ବସ୍‌ ଉପରକୁ ଉଠୁଥିଲା ।

 

କଣ୍ଡକ୍ଟର ପୁଣି ପଚାରିଲା–କଡ଼ା ପାନ ଖାଅ ନା ସାଦାପାନ ?

 

ଝିଅଟି ‘କଡ଼ାପାନ’ କହି ଭିତରକୁ ଯାଇ ପୂର୍ବ ନିର୍ଦ୍ଧାରିତ ଜାଗାରେ ପୁଣି ସେମିତି ବସିଲା-। ପାନ ନେଇ ମୁଁ ବସ୍‌ ଭିତରକୁ ଆସିଲି । ବାହାର ଦୋକାନର ଗୋଟାଏ ପିଲା ଖଣ୍ଡେ ପତରରେ ଦୁଇଟା ବିରିବଡ଼ା ଓ ଗୋଟାଏ କପ୍‌ ଚା ଆଣି ସେ ଝିଅକୁ ଦେଇ କହିଲା–କଣ୍ଡକ୍ଟରବାବୁ ପଠାଇଛନ୍ତି ।

 

ଝିଅଟି ଅବଶ୍ୟ ଟିକିଏ ଇତସ୍ତତଃ ହେଇ ସେ ସବୁ ନେଲା । ବସ୍‌ ଛାଡ଼ିବାବେଳ ହେବାରୁ କଣ୍ଡକ୍ଟରବାବୁ ଚାରିଖଣ୍ଡି ପାନ ହାତରେ ଧରି ବସ୍‌ ଭିତରକୁ ଆସିଲେ ଓ ସେଗୁଡ଼ାକୁ ଝିଅଟିକି ଧରେଇ ଦେଇ, ସାମନାରେ ବସିଥିବା ମାଲିକଙ୍କୁ ଡାକିଆଣି ତାଙ୍କ ନିଜ ଜାଗାରେ ବସେଇଦେଲେ ଓ ନିଜେ ଝିଅଟିକି ଲାଗି ଠିଆ ହେଲେ । ପୁଣି ବସ୍‌ ଚାଲିବାକୁ ଆରମ୍ଭ କଲା । ପୁଣି ବାଜି ଉଠିଲା ଟେପ୍‌ ରେକର୍ଡ଼ର ଓ ନିଭିଗଲା ବସ୍‌ ଭିତରର ଲାଇଟ୍‌ ।

 

ମୋ ମନ ଭିତରଟା କେମିତି ବିଷାକ୍ତ ହେଇ ଉଠୁଥିଲା । ଦୁଶ୍ଚିନ୍ତାରେ ଆଖି ବୁଜି ଆସୁଥିଲା ।

 

ସେ ଝିଅଟାକୁ ମୁଁ ଚିହ୍ନେ ନାହିଁ । ତା’ର ଠିକଣା ମଧ୍ୟ ଜାଣେ ନାହିଁ । କିନ୍ତୁ ତାକୁ ଦେଖି ମୋ ମନରେ ଦୟା ଆସୁଥିଲା । କିଏ ଜାଣେ, କି ଭଳି ପରିସ୍ଥିତିରେ ପଡ଼ି ଅତି କଅଁଳ ବୟସର ଏଇ ଝିଅଟି, ଏଇ ବୃତ୍ତିକୁ ଆଦରି ନେଇଛି ।

 

ଝିଅଟି ପୁଣି ଥରେ ଆସି ବସ୍‌ରେ ବସିବା ପରେ ବସ୍‌ ଭିତରେ ତାକୁଇ ନେଇ କିଛି ଆଲୋଚନା ଆରମ୍ଭ ହେଇଯାଇଚି । ମୋର ଠିକ୍‌ ପଛକୁ ବସିଥିବା ଦୁଇଜଣ ଯୁବକ ଯେଉଁ କଥାବାର୍ତ୍ତା ହେଲେ ତା’ର ସାରାଂଶ ହେଉଛି–ଏ ଝିଅଟି ପ୍ରତ୍ୟହ ସନ୍ଧ୍ୟାବେଳେ କୋଇଲିପୁରରୁ ଚଣ୍ଡୀଖୋଲ ଆସେ ଓ ସକାଳେ ଫେରିଯାଏ । କୋଇଲିପୁରରେ ଗୋଟାଏ ଦୋକାନରେ ତା’ ମା ବାସନ ମାଜେ । ଝିଅଟିର ଦୁଇ ଭାଇ ହାଇସ୍କୁଲରେ ପଢ଼ନ୍ତି । ବାପ ଟ୍ରକ୍‌ ଡ୍ରାଇଭର ଥିଲା । ଦୁଇବର୍ଷ ତଳେ ଦୁର୍ଘଟଣାରେ ମରିଯାଇଚି । ଝିଅଟି ଏମିତି କରି ମା’କୁ ଯାହା ଟଙ୍କା ଦିଏ ସେଇଥିରେ ଦୁଇଭାଇ ପାଠ ପଢ଼ନ୍ତି । ବଡ଼ଭାଇଟି ଏଥର ମେଟ୍ରିକ୍‌ ପରୀକ୍ଷା ଦବ ।

 

ସାନଭାଇ ଅଷ୍ଟମରେ ।

 

ବସ୍‌ ଆସି ବାଦାମବାଡ଼ିରେ ପହଞ୍ଚିଲା । ଯାତ୍ରାର ଶେଷ ସ୍ଥଳ । ଜଣ ଜଣ କରି ସବୁ ଯାତ୍ରୀ ଓହ୍ଲାଇଗଲେ । ମୋର ଏଟେଚିଟାକୁ ଧରି ମୁଁ ମଧ୍ୟ ଓହ୍ଲାଇ ଆସିଲି । ବସ୍‌ରୁ କେବଳ ସେହି ଝିଅଟି ଓହ୍ଲାଇଲା ନାହିଁ । ଆମକୁ ସବୁ ଓହ୍ଲାଇ ଦେଇ ବସ୍‌ ପୁଣି ଫେରିଗଲା ଓ.ଏମ୍‌.ପି. ପାଖ ଫିଲିଂ ଷ୍ଟେସନରୁ ଡିଜେଲ୍‌ ଭରିବାପାଇଁ ।

 

ମାଲିକ, ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପର ଓ ସେହି ଘାଗରା ହାଓ୍ୟାଇନ୍‌ ପିନ୍ଧିଥିବା ଝିଅଟିର ଚେହେରା ମୋ ଆଖି ଆଗରେ ବାରମ୍ୱାର ଭାସି ଉଠୁଥିଲା ।

 

ବେଶ୍ୟାବୃତ୍ତି ଏକ ନିନ୍ଦନୀୟ ବ୍ୟବସାୟ । କିନ୍ତୁ କାହିଁକି କେଜାଣି ମୋ’ଠୁ ବୟସରେ ଅନେକ ସାନ ସେଇ ସ୍ନେହମୟୀ ଭଗ୍ନୀଟିକୁ ମୋର ନମସ୍କାର କରିବାକୁ ଇଚ୍ଛାହେଲା ।

Image

 

ବିଷ

 

ଗୋଟିଏ ପାଖରୁ ଆଲ୍ଲା, ହୋ ଆକବର୍‌...

 

ଆଉ ଗୋଟାଏ ପାଖରୁ ଜୟ, ବଜରଙ୍ଗ୍‍ବାଲୀ କି ଜୟ.....

 

ସାରା ସହରଟା ଯେମିତି ଉନ୍‌ମତ୍ତ ।

 

ଛୁରି, ଖଣ୍ଡା, ତଲଓ୍ୟାର୍‌, ବନ୍ଧୁକ, ବୋମା....

 

ଢିମାପଥର, ଲାଠି ପ୍ରଭୃତିର ପ୍ରୟୋଜନ ଆଉ ନାହିଁ । କୋଉ ଯୁଗରେ ସେ ସବୁ ଥିଲା-। ଏବେ ବିଜ୍ଞାନର ଅଗ୍ରଗତି ଘଟିଚି । ହୁଏତ କିଛି ବର୍ଷ ପରେ ଦୁଇ ଦଳ, ଦୁଇ ଜାତି, ଦୁଇ ଧର୍ମର ସଂଘର୍ଷରେ ପରମାଣୁ ଅସ୍ତ୍ର ବ୍ୟବହୃତ ହେବ ।

 

ସାମାନ୍ୟ କଥା । ହିନ୍ଦୁ ବହୁଳ ଭାରତବର୍ଷରେ ହିନ୍ଦୁମାନଙ୍କର ପୁଣ୍ୟ ଶୋଭାଯାତ୍ରା ସଂଖ୍ୟାଲଘୁ ମୁସଲମାନଙ୍କ ମସ୍‌ଜିଦ୍‌ ସାମନାରେ ଢୋଲ ବଜେଇ, ବାଣ ଫୁଟେଇ, ପତାକା ଉଡ଼େଇ ଯିବ କି ନାହିଁ ।

 

ଗଲେ କ୍ଷତି କ’ଣ ?

 

ନ ଗଲେ କ୍ଷତି କ’ଣ ?

 

ତଥାପି ଉଭୟ ପକ୍ଷର ଜିଦ୍‌ । ହିନ୍ଦୁମାନେ ଯିବେ ।

 

ମୁସଲମାନମାନେ ଯିବାକୁ ଦେବେ ନାହିଁ ।

 

ଧର୍ମନିରପେକ୍ଷ ରାଷ୍ଟ୍ର ଭାରତ !

 

ମହାତ୍ମାଗାନ୍ଧିର ଦେଶ ଭାରତ !

 

ଯୁଗଯୁଗ ଧରି ଏଇ ଦେଶରେ ଆମେ ସବୁ ଧର୍ମକୁ ସହିଆସିଚୁ ।

 

ମହମ୍ମଦ, ଯେସସ୍‌, କ୍ରାଏଷ୍ଟ, ବଜରଙ୍ଗବାଲୀ, ବୁଦ୍ଧ !

 

ଗୀତା, କୋରାନ୍‌, ବାଇବେଲ୍‌, ତ୍ରିପିଟକ !

 

କିଏ ଆମକୁ ଶାସନ ନ କରିଚି ! କିଏ ଆମକୁ ଧର୍ମ ଶିକ୍ଷା ନ ଦେଇଚି !

 

ଦୟା ଦାକ୍ଷିଣ୍ୟ ସହିଷ୍ଣୁତାରେ ପରିପୂର୍ଣ୍ଣ ଥିଲା ଏ ଭାରତ । ସବୁ ଜାତି, ସବୁ ଧର୍ମକୁ ଆମେ କୋଳେଇ ନେଉଥିଲୁ ସ୍ନେହ ଓ ଶ୍ରଦ୍ଧାରେ । ଆମେଇ ଗଢ଼ିଥିଲୁ ନାଳନ୍ଦାର ସଭ୍ୟତା । ଆମର ମନ୍ତ୍ର ଥିଲା ‘ବସୁଧୈବ କୁଟୁମ୍ୱକମ୍‌’ ।

 

କିନ୍ତୁ ଆଜି ?

 

ଏ କଥା ହେଇପାରେନା–କେବେ ନୁହେଁ–ଅସମ୍ଭବ । ଶୋଭାଯାତ୍ରା ମସ୍‌ଜିଦ୍‌ ଆଗରେ ଯାଇପାରିବ ନାହିଁ ।

 

ଏ କଥା ନିଶ୍ଚୟ ହେବ–ଅଲବତ୍‌ ହେବ । ଶୋଭଯାତ୍ରା ମସ୍‌ଜିଦ୍‌ ଆଗରେ ନିଶ୍ଚୟ ଯିବ-

 

ତା’ପରେ ସେଇ ବର୍ବରତା–ବୀଭତ୍ସତା–ନୃଶଂସତା–ହାଣକାଟ ଧ୍ୱଂସ ପ୍ରଳୟ ।

 

ଖାଲି କ’ଣ ହିନ୍ଦୁ ମଲେ ?

 

ଖାଲି କ’ଣ ମୁସଲମାନ ମଲେ ?

 

ଖାଲି କ’ଣ ଅଦରକାରୀ ଜୀବଗୁଡ଼ିଏ ମଲେ ?

 

ସଭ୍ୟତାର ପ୍ରତୀକ ଶିକ୍ଷିତ ସମ୍ପ୍ରଦାୟ କ’ଣ ବାଦ୍‌ ପଡ଼ିଲେ ?

 

ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ କ’ଣ ରକ୍ଷା ମିଳିଲା ?

 

ନିରୀହ ଦୋକାନୀ, ଶ୍ରମିକ, ରିକ୍ସାବାଲା, ଘରକୋଣର ଝିଅ ବୋହୂ କିଏ ବାଦ୍ ପଡ଼ିଲା-?

 

କୋଠାବାଡ଼ି ଧ୍ୱଂସ ।

 

ରକ୍ତର ସୁଅ ।

 

ଶାନ୍ତି ରକ୍ଷା କରିବା ପାଇଁ ପୋଲିସ୍‌ର ଗୁଳି ।

 

ବହୁ ଅମୂଲ୍ୟ ଜୀବନର ଶେଷ ଯବନିକା ଟାଣିଦେଲା ସାମ୍ପ୍ରଦାୟିକତାର ବିଷ ।

 

ହେ ଭଗବାନ !

 

ହେ ଆଲ୍ଲା !

 

ତୁମେ ମଣିଷକୁ ସୃଷ୍ଟି କରିଥିଲ କ’ଣ ଏଇଥିପାଇଁ ?

 

ତୁମେ ଦୁହେଁ ବନ୍ଧୁ ନା କାଫେର୍‌ ?

 

ତା’ ହେଲେ ?

 

ଆଜି ଏ ବିଡ଼ମ୍ୱନା କାହିଁକି ?

 

ମଣିଷ ମଣିଷ ଭିତରେ ଏତେ ପାର୍ଥକ୍ୟ କାହିଁକି ? କାହିଁକି ଏତେ ଅପ୍ରାକୃତିକ ପାଚେରି-?

 

ମଣିଷ ଆଜି ମଣିଷ ନା ପଶୁ ?

 

ବିବେକୀ ନା ପାଗଳ ?

 

ସଭ୍ୟ ନା ଅସଭ୍ୟ ?

 

ଆଉ ଏକ ମହାଦେବ କ’ଣ ପୃଥିବୀର ବିଷତକ ପାନକରି ମଣିଷକୁ ବିଷ ଜ୍ୱାଳାରୁ ରକ୍ଷା କରିବେ ନାହିଁ ?

 

ମଣିଷ ଜାତିକୁ ସମୂହ ଧ୍ୱଂସରୁ ରକ୍ଷା କରିବା ପାଇଁ ତାହା ହିଁ ଆଜି କାମ୍ୟ । ତାହା ହିଁ ଆଜି ପ୍ରାର୍ଥନୀୟ । ମଣିଷ ହେଉ ବିଷମୁକ୍ତ ଅମୃତର ପୁତ୍ର । ଭଗବାନ, ଗଡ଼୍‌, ଖୋଦାଙ୍କ ଭିତରେ ନରହୁ କିଛି ତାରତମ୍ୟ ।

Image

 

Unknown

ଓଲଟା ପୃଥିବୀ

 

କୌଣସି ଆନନ୍ଦ ସହିତ ସେ ନିଜକୁ ସାମିଲ୍‌ କରିପାରୁନଥିଲେ । ତାଙ୍କ ଜୀବନରେ ଏପରି ଏକ ଘଟଣା ଘଟିଯାଇଛି ଯୋଉଥିରେ କି ସବୁ ଆନନ୍ଦ ଯେମିତି ମରିଯାଇଚି । ଆନନ୍ଦ ଏମିତି ମରିଯାଏ ।

 

ସେ ବ୍ୟାକୁଳ ହେଇ ସମସ୍ତଙ୍କ ପଚାରନ୍ତି–ମୋ ଜୀବନରେ ଆଉ କ’ଣ ଆନନ୍ଦ ଫେରିବ ନାହିଁ ? ମୁଁ କ’ଣ ଆଉ ହସିପାରିବ ନାହିଁ ?

 

ତାଙ୍କର ପ୍ରଶ୍ନର ଉତ୍ତର କେହି ଦିଅନ୍ତି ନାହିଁ, ଦେଇପାରନ୍ତି ନାହିଁ ।

 

ବଡ଼ପୁଅ ଏମ୍‌.ଏ. ପାଶ୍‌କରି ବେକାର । ସାନପୁଅ କଲେଜରେ । ବଡ଼ ଝିଅର ବିବାହ ହେଇଯାଇଥିଲେ ହେଁ ତା’ ତଳକୁ ଆହୁରି ଦୁଇ ଝିଅ ଅଛନ୍ତି । ସାଂସାରିକ ଜଞ୍ଜାଳ ତାଙ୍କୁ ଘାରିଘେରି ରହିଛି ।

 

ସେଇ ଏକ ଦୁର୍ଭାବନା । ନ ଭାବିଲେ କ’ଣ ଚଳନ୍ତା ନାହିଁ । ସେ ଘଟଣା କ’ଣ ଆଜିର-? ଏ ବର୍ଷର ?

 

ୟା’ ଭିତରେ ଏକ–ଦୁଇ କରି ପାଞ୍ଚବର୍ଷ କଟିଗଲାଣି । ବୟସ ହେଲାଣି ତାଙ୍କର ଷାଠିଏ-

 

ଶେଷପର୍ଯ୍ୟନ୍ତ ଚାକିରିରେ ଥିଲେ ଦୁଇବର୍ଷ ହେଲା ସେ ଅବସର ନେଇସାରନ୍ତେଣି । ନ ହେଲେ ବା ଆଉ ତିନିବର୍ଷ ଆଗରୁ ଚାକିରିରୁ ତାଙ୍କୁ ଅନ୍ତର କରିଦିଆଯାଇଛି । ‘ଗତସ୍ୟ ଶୋଚନା ନାସ୍ତି’ ମହାବାକ୍ୟକୁ ଆଉଡ଼େଇ ବି ସେ ଶାନ୍ତି ପାଇପାରୁନାହାନ୍ତି ।

 

ଆଜୀବନ ଥିଲେ ସେ ଜଣେ ମୋରାଲିଷ୍ଟ । ସହର ମଝିରେ ଥିବା ବ୍ରାହ୍ମସମାଜକୁ ଲାଗି ତାଙ୍କ ଘର । ବ୍ରାହ୍ମ ସମାଜର ପୂର୍ବ ପ୍ରସାର ଓ ପ୍ରତିପତ୍ତି ଆଉ ନଥିଲେ ବି ସହରର ନିର୍ଦ୍ଦିଷ୍ଟ କେତେଜଣ ଭଦ୍ରଲୋକ ପ୍ରତ୍ୟହ ସେଠାକୁ ଯାଆନ୍ତି । ବ୍ରହ୍ମ ଉପାସନା କରନ୍ତି ।

 

ନୀଳାଦ୍ରିବାବୁଙ୍କ ବାପା ଥିଲେ ଜଣେ ବ୍ରହ୍ମବାଦୀ । ସେ ଇଂରେଜ ଶାସନାଧୀନ ତତ୍‌କାଳୀନ କଲେକ୍‌ଟରିଏଟ୍‌ରେ କିରାଣୀ ଥାଇ ପ୍ରତ୍ୟେହ ବ୍ରହ୍ମ ଉପାସନା କରୁଥିଲେ । ବ୍ରହ୍ମ ମନ୍ଦିର ହିଁ ଥିଲା ସହରର ବହୁବିଶିଷ୍ଟ ଲୋକଙ୍କର ମିଳନର କ୍ଷେତ୍ର ।

 

ନୀଳାଦ୍ରିବାବୁ ପିଲାଦିନେ ବେଳେବେଳେ ବାପାଙ୍କ ସହିତ ବ୍ରହ୍ମ ସମାଜର ଉପାସନାକୁ ଯାଉଥିଲେ । ଶୈଶବର ସେଇ ଛାପ ସାରାଜୀବନ ତାଙ୍କ ଉପରେ ରହିଯାଇଛି ।

 

ଚାକିରି କରି ବି ନୀଳାଦ୍ରିବାବୁ ଥିଲେ ନିର୍ଭୀକ । ସ୍ୱାଧୀନତା । ବାପା ଥିଲେ କଲେକ୍‌ଟରିଏଟର କିରାଣି । ସେ ହେଲେ କଲେକ୍‌ଟରିଏଟ୍‌ର ଡେପୁଟୀ କଲେକ୍‌ଟର । ଚାକିରି ଜୀବନ ବେଶ୍‌ ତ କଟି ଯାଉଥିଲା । କିନ୍ତୁ.....

 

ତାଙ୍କ ଉପରିସ୍ଥ ହାକିମଙ୍କ ସହିତ କେତେକ କାରଣରୁ ତାଙ୍କର ହେଲା ମନୋମାଳିନ୍ୟ । ଏ ମନୋମାଳିନ୍ୟକୁ ଆଦର୍ଶଗତ ବୋଲି କୁହାଯାଇପାରେ ।

 

ଉପର ହାକିମଙ୍କ ମତ–ଚାକିରି କରି ଉପୁରି କିଏ ନ ନେଉଛି ? ଏପ୍ରିଲ୍‌ ବିଚାରଠୁ ଆରମ୍ଭ କରି ପିଅନ କିରାଣୀ ନିଯୁକ୍ତି ବଦଳି ପର୍ଯ୍ୟନ୍ତ । ଯୁଗ କୁଆଡ଼େ ବଦଳିଯାଇଚି । ଏ ଯୁଗର ମହାଜନମାନେ କୁଆଡ଼େ ଏହି ପନ୍ଥା ପ୍ରଦର୍ଶନ କରିଛନ୍ତି ।

 

ନୀଳାଦ୍ରିବାବୁଙ୍କର ଜଣେ ଘନିଷ୍ଠ ବନ୍ଧୁ ହଜାରେ ଟଙ୍କା ଦେଇ ନପାରିବାରୁ ତାଙ୍କରି ବଦଳି ହେଲା ସଦର ମହକୁମାଠାରୁ ଶହେ କିଲୋମିଟର୍‌ ଦୂର ଏକ ଅପନ୍ତରା ଜାଗାକୁ । ବିଚରା ବିପତ୍ନୀକ । ଘରେ ପାଠ ପଢ଼ୁଥିବା ପିଲାଙ୍କ ସଂଖ୍ୟା ତିନ୍‌ । ବଡ଼ ଝିଅ ବିବାହଯୋଗ୍ୟା ।

 

ସେ ଭଦ୍ରଲୋକ ନୀଳାଦ୍ରିବାବୁଙ୍କ ପାଖରେ ଯାଇ ପହଞ୍ଚି ପ୍ରତିକାର ଲୋଡ଼ିଲେ । ନୀଳାଦ୍ରିବାବୁ ମଧ୍ୟ ବନ୍ଧୁଙ୍କ ପାଇଁ ଯାଇ ଉପର ହାକିମକୁ କହିଲେ ।

 

ଉପର ହାକିମ କହିଲେ–ନୀଳାଦ୍ରି; ପିଲାଛୁଆ ନେଇ ତୁମେ କ’ଣ ଘର କରିନାହଁ ? ତୁଚ୍ଛା କଥାରେ କିଛି କ’ଣ ହୁଏ ? ଏ ଅନାଟନ ଯୁଗରେ କାହା ଦରମା କାହାକୁ କୁଳଉଚି ?

 

ତାଙ୍କ କଥା ଶୁଣି ନୀଳାଦ୍ରିବାବୁଙ୍କ ଆଖି ତାଳୁକୁ ଉଠିଗଲା । ସେ କହିଲେ–ସାର୍‌, ସେ ମୋର ଘନିଷ୍ଠ ବନ୍ଧୁ । ଖୁବ୍‌ ଅସୁବିଧାରେ ପଡ଼ିଛି । ତା’ ପାରିବାରିକ ଅସୁବିଧା କଥା ଆପଣ ଜାଣନ୍ତି-। ଦୟା କରନ୍ତୁ ।

 

ଉପର ହାକିମ ଟିକିଏ ନୀରବ ରହି କହିଲେ–ହଉ, ତୁମେ କହୁଚ ଯେତେବେଳେ, ସମସ୍ତ ବଦଳି ବନ୍ଦ ପାଇଁ ଯାହା ଦଉଚନ୍ତି ସେ ତା’ର ଅଧା ଦିଅନ୍ତୁ ।

 

ଅଧା–ଅର୍ଥାତ୍‌ ପାଞ୍ଚଶହ ଟଙ୍କା । ନୀଳାଦ୍ରିବାବୁ ପୁଣି କହିଲେ–ସାର୍‌, ଗରିବ କିରାଣିମାନଙ୍କ ବଦଳିରେ ଟଙ୍କା ନବାଟା....

 

ଉପର ହାକିମ କଟମଟ ଆଖିରେ ତାଙ୍କୁ ଚାହିଁଲେ । କହିଲେ–ଏ ନୀତିବାକ୍ୟଗୁଡ଼ା ମତେ ଆଉ ଶୁଣାଅନି । ତମ କଥାଗୁଡ଼ା ଚାଲୁଣି ଛୁଞ୍ଚିକୁ କହିବା ଭଳି । ତୁମ ନାଁରେ ତ ଅସଂଖ୍ୟ ଅଭିଯୋଗ ?

 

ନୀଳାଦ୍ରିବାବୁ ତଟସ୍ଥ ହେଲେ । କହିଲେ–ଅସାଧୁ ହେବାକୁ ମୋ ବାପା ମୋତେ ଶିଖେଇ ନାହାନ୍ତି ସାର୍‌ । ଆପଣଙ୍କର ମୋ ପ୍ରତି ନିହାତି ଭୁଲ୍‌ ଧାରଣା ।

 

ଉପର ହାକିମ କହିଲେ–ଯାଅ ଯାଅ । ଏତେ ଆଉ ସାଧୁପଣିଆ ଦେଖାଅ ନାହିଁ । ସମସ୍ତଙ୍କ ବିଷୟରେ ମୁଁ ଖବର ରଖିଚି । ବଦଳି ଅର୍ଡ଼ରରେ କୌଣସି ପରିବର୍ତ୍ତନ ହେବ ନାହିଁ ।

 

ନୀଳାଦ୍ରିବାବୁ ଫେରିଆସିଲେ । ଏହି ଯେ ଉପର ହାକିମଙ୍କ ସହିତ ତାଙ୍କର ମନାନ୍ତର ହେଲା ଏହା କ୍ରମଶଃ ବଢ଼ିବାକୁ ଲାଗିଲା ।ଫଳରେ ତାଙ୍କ ଚରିତ୍ରପଞ୍ଜିକାରେ ଲାଗ ଲାଗ ତିନିବର୍ଷ ଲିପିବଦ୍ଧ ହେଲା-

 

In subordination–amenable to bribes-misbehaves with superior officers etc.

 

ବାସ୍‌ । ଏଇ ତିନିବର୍ଷର ଚରିତ୍ର ପଞ୍ଜିକା ହିଁ ଯଥେଷ୍ଟ ହେଲା ତାଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦେବାପାଇଁ । ତିନିବର୍ଷ ଚାକିରି ଥାଉ ଥାଉ ସେ ଅକାଳରେ ଚାକିରିରୁ ବିଦାୟ ନେଇ ଆସିଲେ ।

 

ଦୋଷ କଲେ ଦଣ୍ଡ ମିଳେ । ସେ ପ୍ରକାର ଦଣ୍ଡ ବିରୁଦ୍ଧରେ କହିବାର କିଛି ନଥାଏ । ମାତ୍ର ନିର୍ଦ୍ଦୋଷ ପ୍ରତି ଏ ପ୍ରକାର ଅନ୍ୟାୟ ଦଣ୍ଡବିଧାନ......

 

ନୀଳାଦ୍ରିବାବୁ ହତବାକ୍‌ ।

 

କାହାକୁ କହିବେ ଏ ଦୁଃଖ ? କିଏ ଶୁଣିବ ? ଶୁଣି ବା କିଏ ବିଶ୍ୱାସ କରିବ ଯେ, ସେ ସାଧୁ ସଚ୍ଚରିତ୍ର ନିଷ୍କଳଙ୍କ !

 

ତାଙ୍କର ମନର ଯନ୍ତ୍ରଣା ବଢ଼ିଲା । ଦସେ ଛଟପଟ ହେଲେ ।ଆନନ୍ଦ ଉଭେଇଗଲା ।

 

ତାଙ୍କ ଯନ୍ତ୍ରଣା ବଢ଼ୁଥିଲା ଯେତେବେଳେ ସେ ଦେଖୁଥିଲେ ଯେ ତାଙ୍କରି ବନ୍ଧୁମାନେ ଶତ ଅନ୍ୟାୟ କରି ମଧ୍ୟ ବେଶ୍‌ ଆରାମରେ କାଳ କାଟୁଛନ୍ତି । ନ୍ୟାଯ୍ୟ ଆୟଠାରୁ ଅଧିକ ରୋଜଗାର କରି ବି ସେମାନେ ବେଶ୍‌ ଛାତି ଫୁଲାଇ କହିପାରୁଛନ୍ତି–ନେଇଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ ।

 

ନୀଳାଦ୍ରିବାବୁ ଅଭିନୟ କରୁଥିଲେ–ପୃଥିବୀରେ ନୀଳାଦ୍ରିବାବୁମାନେ ସଂଖ୍ୟାଲଘୁ । ଏ ଯୁଗ ଅନ୍ୟାୟର । ନ୍ୟାୟ ରାହୁଗ୍ରସ୍ତ ।

 

ଏ ପରିସ୍ଥିତିରେ ସେ ହସନ୍ତେ କେମିତି ?

 

ସେଇ ଉପର ହାକିମ ଆହୁରି ଉପର ଜାଗାକୁ ପ୍ରମୋଶନ୍‌ ପାଇଲେଣି । ସେ ଅସାଧୁ ବୋଲି କିଏ କହିବ ? କାହା ଜିଭରେ ହାଡ଼ ଅଛି ?

 

ନୀଳାଦ୍ରିବାବୁଙ୍କର ଅନୁଶୋଚନାର ଅନ୍ତ ନାହିଁ । ଯେ’ ପରିମାଣରେ ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କରିବା କଥା ତାହାଠୁ ଅଧିକ ପରିମାଣରେ ତାଙ୍କୁ ଗ୍ରାସ କରିସାରିଲାଣି ।

 

କି ବିଚିତ୍ର ଏହି ସମାଜ ! କି ବିଚିତ୍ର ୟା’ର ଚଳଣି !

 

ପୁସ୍ତକ ମାଧ୍ୟମରେ ପିଲାଙ୍କୁ କୁହାଯାଉଚି–ଆଜିର ପିଲା କାଲିର ନାଗରିକ । ସେମାନେ ନେବେ ଏ ଦେଶର ଦାୟିତ୍ୱ । ଚଳେଇବେ ଏ ଦେଶକୁ । ସେମାନଙ୍କ ସାଧୁତା ଉପରେ ଏ ଦେଶର ଭବିଷ୍ୟତ ନିର୍ଭର କରେ ।

 

ଏ ସବୁ ପାଠ୍ୟ ଆଜି ଅପାଠ୍ୟ । କାରଣ, ଆମେ ଯାହା ପଢ଼ୁଚୁ, ଜୀବନରେ ତା’ର ବିପରୀତ କରୁଛୁ । ସମସ୍ତେ ଆଜି ମିଥ୍ୟାବାଦୀ ସାଜିଛନ୍ତି । ବିରାଟ ପ୍ରବଞ୍ଚନା ! ଚରମ ବିଡ଼ମ୍ୱନା ! ଦେଶର ଘୋର ଦୁର୍ଯ୍ୟୋଗ !

 

ନୀଳାଦ୍ରିବାବୁଙ୍କର ପରିମୁଷ୍ଟିମେୟ ସାଧୁ ଅସାଧୁ ମେଳରେ ନିଜର ନିଜତ୍ୱ ହରାଇବେ ସିନା ଅନ୍ୟକୁ ପ୍ରଭାବିତ କରିପାରିବେ ନାହିଁ । କରିବାକୁ ଚେଷ୍ଟା କଲେ ନିଜର ସର୍ବନାଶ କରିବେ ।

 

ନୀଳାଦ୍ରିବାବୁଙ୍କର ସର୍ବନାଶ ହେଇଚି ।

 

ତାଙ୍କ ମୁହଁରୁ ସବୁଦିନପାଇଁ ହସ ସରିଯାଇଚି ।

 

ସେ ବର୍ତ୍ତମାନ ‘ଆନନ୍ଦ’ଠାରୁ ବହୁ ଦୂରରେ–ବୋଧହୁଏ ଅନ୍ଧକାର ନର୍କ ଭିତରେ । ଏ ଯୁଗରେ-

 

ସାଧୁମାନେ ଯିବେ ନର୍କକୁ ଅସାଧୁମାନେ ଯିବେ ସ୍ୱର୍ଗକୁ ।

 

ଆମେ ଆଜି ଏକ ବିପରୀତ ପୃଥିବୀର ଅଧିବାସୀ । ସୃଷ୍ଟି ମନ୍ତ୍ରକୁ ଭୁଲିଯାଇ ସୃଷ୍ଟି କରୁଚୁ ଏକ ଓଲଟା ପୃଥିବୀ ।

Image

 

ମଣିଷ ଗଛ

 

ବାହାରେ କୋଳାହଳ–ଚିତ୍କାର ।

 

Down Down Resign Resign–ଏଇ ହେଲା ସେମାନଙ୍କ ଦାବି ବକ୍ତବ୍ୟ ।

 

ଭିତରର ପରିବେଶ ଖୁବ୍ ଗମ୍ଭୀର । ସଂଘ ସଭାପତି ନିର୍ମଳ ପଟ୍ଟନାୟକଙ୍କ ସାମନାସାମନି ବସିଚି ନିଖିଳେଶ । ସେ ସଂଘର ସଂପାଦକ ।

 

ସଂଘର ଆଉ ଚାରିଜଣ ମୁଖିଆ ସଭ୍ୟ ଆଲୋଚନାପାଇଁ ବସିଛନ୍ତି । ଆଲୋଚନାର ସାରାଂଶ–ସଂଘର ସଂପାଦକ ପଦରୁ ନିଖିଳେଶ ଦାସ ଇସ୍ତଫା ଦିଅନ୍ତୁ ।

 

କାରଣ..... ?

 

ସଭାପତି କହିଲେ–ବାହାରର ଉତ୍ତେଜନା ତ ଦେଖୁଛନ୍ତି ନିଖିଳେଶବାବୁ ! ଶ୍ରମିକ ସଂଘରେ ଶ୍ରମିକମାନେ ହିଁ ହେଲେ ମୁଖ୍ୟ । ସେମାନଙ୍କ ଇଚ୍ଛା ଉପରେ ଆମର ରହିବା ନ ରହିବା ନିର୍ଭର କରୁଚି । ସେମାନେ ଯେତେବେଳେ ଆପଣଙ୍କୁ ଆଉ ଚାହୁଁ ନାହାନ୍ତି, ଆପଣ ଇସ୍ତଫା ଦେଇଦିଅନ୍ତୁ ।

 

ନିଖିଳେଶର ଆଖିରେ ଲୁହ ଜକେଇ ଆସୁଥିଲା । ଛାତିର ପଞ୍ଜରା ଚିରି ଉଠୁଥିଲା ଦୀର୍ଘଶ୍ୱାସ । ଅତୀତ ମନେପଡ଼ି ତା’ର ହୃଦୟକୁ ବ୍ୟଥାସିକ୍ତ କରୁଥିଲା ।

 

ନୂଆହେଇ ପ୍ରତିଷ୍ଠିତ ହେଇଥିବା ଏହି କାରଖାନାରେ ଶ୍ରମିକ ସଂଘ ନଥିଲା । ଚାରିବର୍ଷ ତଳେ ନିଖିଳେଶର ଉଦ୍ୟମରେ ହିଁ ଏହା ପ୍ରତିଷ୍ଠିତ ହେଇଥିଲା । ଆରମ୍ଭବେଳେ ନିଖିଳେଶ ଯେଉଁ ପରିଶ୍ରମ କରିଚି ସେ ପରିଶ୍ରମର ବ୍ୟଥା ଏବେ ବି ତା’ ଅଙ୍ଗପ୍ରତ୍ୟଙ୍ଗରୁ ଯାଇନାହିଁ । ମାଲିକଙ୍କ ଧମକ, ଚାକିରି ଚାଲିଯିବାର ଭୟ ସବୁକୁ ସେ ତୁଚ୍ଛ କରିଥିଲା । ପ୍ରତ୍ୟେକ ଶ୍ରମିକ ଦୃଢ଼ ହେଇ ଠିଆ ହେଇଥିଲେ ତା’ପଛରେ । ଶ୍ରମିକମାନଙ୍କର ଇଚ୍ଛା ଥିଲା ନିଖିଳେଶ ଏହି ଶ୍ରମିକ ସଂଘର ସଭାପତି ହେଉ । ମାତ୍ର ବୟସ ଦୃଷ୍ଟିରୁ ସେ ଏ ପ୍ରସ୍ତାବରେ ସମ୍ମତ ହେଇନଥିଲା । ତାହାରି ପ୍ରସ୍ତାବ ଅନୁସାରେ ଅଧିକ ବୟସ୍କ ନିର୍ମଳ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା ।

 

ଏହି ଚାରିବର୍ଷ ଭିତରେ ମାଲିକଙ୍କ ସହିତ ସଂଗ୍ରାମ କରି ଶ୍ରମିକମାନଙ୍କୁ ପାଇଁ ବହୁ ସୁବିଧା ସୁଯୋଗ ହାସଲ କରାଯାଇଛି । ଶ୍ରମିକମାନେ ନିଖିଳେଶକୁ ଦେବତା ଭଳି ପୂଜା କରିଆସିଛନ୍ତି । ମାତ୍ର ହଠାତ୍‌ ପୁଣି ତା’ର ଇସ୍ତଫା ପ୍ରଶ୍ନ ଉଠିଲା କାହିଁକି ?

 

ଆଲୋଚନାରତ ଥିବା ଚାରିଜଣ ଶ୍ରମିକ ପ୍ରତିନିଧି ଥିଲେ ନିଖିଳେଶର ଅନୁଗତ । କହିବକୁ ଗଲେ ସେମାନେ ଥିଳେ ତା’ର ସୃଷ୍ଟି । ସେହି ହିଁ ସେମାନଙ୍କୁ କଥା କହିବା ଶିଖେଇଚି । ଆଜି ସେମାନେ ସମ୍ପୂର୍ଣ୍ଣ ଭାବେ ବଦଳି ଗଲେ କେମିତି ?

 

ନିଖିଳେଶ ଚାହୁଁଥିଲା ଜାଣିବାକୁ, ତା’ ବିରୁଦ୍ଧରେ ଅଭିଯୋଗଟା କ’ଣ ? ସେମାନେ କହିଲେ–ସମ୍ପାଦକ ହିସାବରେ ଶ୍ରମିକ ସଂଘକୁ ସେ ଠିକ୍‌ ଭାବରେ ପରିଚାଳିତ କରିପାରିନାହିଁ ।

 

ନିଖିଳେଶ ମନରେ ପ୍ରଶ୍ନ ଉଠୁଚି ଏହି ଚାରିବର୍ଷ ଭିତରେ ଏଭଳି ଅଭିଯୋଗ ତ କେବେ କେହି କରିନଥିଲେ, ଆଜି କ’ଣ ହେଲା ?

 

ସଭାପତିଙ୍କ ଜ୍ୱାଇଁ (ଯେ’ କି ସହସମ୍ପାଦକ) କହିଲା–ଏଇଟା କୋର୍ଟକଚେରୀ ନୁହେଁ, ଯେ, ଅଭିଯୋଗଟା ପ୍ରମାଣ କରିବାକୁ ପଡ଼ିବ । ଆମେ ଯେତେଦିନ ଚାହୁଁଥିଲୁ ଆପଣ ସମ୍ପାଦକ ରହିଲେ, ବର୍ତ୍ତମାନ ଆମେ ଚାହୁଁ ନାହୁଁ ଆପଣ ଆଉ ରହିପାରିବେ ନାହିଁ ।

 

ପୁଣି ସେହି ଅତୀତ ମନେପଡ଼ୁଥିଲା ନିଖିଳେଶର ।

 

ନିର୍ମଳ ପଟ୍ଟନାୟକ ସଭାପତି ହେବାର ଦୁଇବର୍ଷ ପରେ । ସେ ପ୍ରସ୍ତାବ ଦେଲେ–ନିଜ ଲୋକମାନଙ୍କୁ ସଂଘର କାର୍ଯ୍ୟକାରୀ ସମିତିରେ ନ ରଖିଲେ ସଂଘର କାର୍ଯ୍ୟ ପରିଚାଳନା ସୁରୁଖୁରୁରେ ହେଇପାରିବ ନାହିଁ । ସଭାପତିଙ୍କ ନିଜସ୍ୱ ଚିନ୍ତାଧାରାକୁ ସମ୍ମାନ ଦେବା ପାଇଁ ନିଖିଳେଶ ତାଙ୍କରି ଇଚ୍ଛାକୁ କାର୍ଯ୍ୟକାରୀ କରିଗଲା । କାହିଁକି ବା ନ କରନ୍ତା ! ଏହା ତ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେଉଁଠି ମିଶନେରି ମନୋବୃତ୍ତି ନେଇ କାମ କରାଯାଏ । ଏଠି ପରସ୍ପର ପ୍ରତି ବିଦ୍ୱେଷର କୌଣସି କାରଣ ନାହିଁ । ନିଖିଳେଶ ସେହିଭଳି ନିଃସ୍ୱାର୍ଥପର ମନୋବୃତ୍ତି ନେଇ କାମ କରୁଚି । ଶ୍ରମିକମାନଙ୍କର ତା’ ଉପରେ ରହିଥିବା ଅତୁଟ ବିଶ୍ୱାସକୁ ସେ କେବେ ଅମର୍ଯ୍ୟାଦା କରିନାହିଁ ।

 

ସେହି ବିଶ୍ୱାସର ଶକ୍ତ ଖୁଣ୍ଟଟାକୁ ହଠାତ୍‌ ଭାଙ୍ଗିଦେଲା କିଏ ?

 

ବାହାରେ ଉତ୍ତେଜନା ବଢ଼ୁଚି । ଭିତରେ ନିଖିଳେଶ ନିଜର ବିବେକ ସହିତ ଯୁଦ୍ଧ କରୁଚି-। ସେ ଜାଣିଚି, ସେ ଚାଲିଯିବା ପରେ ଏ ସଂଘ ହୁଏତ ସଭାପତିଙ୍କର ଏକ ବ୍ୟକ୍ତିଗତ ଅନୁଷ୍ଠାନରେ ପରିଣତ ହେଇଯିବ । ନିଜର ବ୍ୟକ୍ତିଗତ ସ୍ୱାର୍ଥପାଇଁ ସମୂହ ସ୍ୱାର୍ଥକୁ ବଳି ଦିଆଯିବ । ତା’ର ନିସ୍ୱାର୍ଥପରତା ହିଁ ତା’ପାଇଁ କାଳ ହେଇଚି । ସମ୍ପାଦକ ହିସାବରେ ଶ୍ରମିକ ସଂଘ ନାଁଆରେ ସେ ଛପନ ହଜାର ଟଙ୍କା ଜମା ରଖିଚି । ବତିଶ ହଜାର ଟଙ୍କା ଖର୍ଚ୍ଚରେ ସଂଘର ଅଫିସ୍‌ ଘର ତିଆରି କରିଚି । ସଂଘର ଗୋଟିଏ ପଇସା ମଧ୍ୟ ସେ ବରବାଦ ହେବାକୁ ଦେଇନାହିଁ । ଏଇ ତ ସେଦିନ ଶ୍ରମିକ କଲ୍ୟାଣ ପାଠାଗାର ପାଇଁ ପାଞ୍ଚହଜାର ଟଙ୍କାର ବହି ଖରିଦ କରିଛି । ସେ ସମ୍ପାଦକ ପଦରୁ ଚାଲିଯିବା ପରେ ଏସବୁ ଛିନ୍ନଛତ୍ର ହେଇଯିବ ।

 

ସ୍ୱାର୍ଥ ଯେଉଁଠି ରାଜୁତି କରେ ନିଖିଳେଶମାନେ ସେ’ଠି ଅସହାୟ । ଚକ୍ରାନ୍ତର ପାଚେରିକୁ ଡେଇଁ ମୁକୁଳିବାର ଆଉ ବାଟ ନଥିଲା । ସେ ଯେଉଁ ମଣିଷଗଛ ଲଗେଇଥିଲା ସେଇମାନେ ହିଁ ଆଜି ତା’ର ମୂଳୋତ୍ପାଟନ କଲେ ।

 

ସେଦିନ ବାଧ୍ୟହେଇ ସେ ଇସ୍ତଫା ଦେଇ ଚାଲିଆସିଲା ଏବଂ ତା’ ସ୍ଥାନରେ ନିଯୁକ୍ତ ହେଲା ନିର୍ମଳ ପଟ୍ଟନାୟକଙ୍କ ଜ୍ୱାଇଁ ଯାହାକୁ ଦେଢ଼ବର୍ଷ ତଳେ ସେ ତ’ ସହକାରୀ ଭାବରେ ନିଯୁକ୍ତି ଦେଇଥିଲା ।

Image

 

ମରୁଧାର

 

ତା’ ଆଖି ଜଳୁଥିଲା । ଅସ୍ତାଚଳର ରବିର ରକ୍ତିମା ଭଳି ନାଲ୍‌ ।

 

ମୁଁ ତା’ ଆଖିତଳେ ସୁରାର ସନ୍ଧାନ କରୁଥିଲି ।

 

ଅଭିମାନିନୀ ସେ, ଅଭିମାନ କରିଚି ରାଗ କରିଚି ।

 

ଆଗ୍ନେୟଗିରିର ଅଗ୍ନିସ୍ଫୁରଣ ଭଳି ଚକ୍ଷୁଯୁଗଳରୁ ତା’ର ବାହାରୁଚି ବିଷାକ୍ତ ଜ୍ୱଳନର ଦୀପ୍ତି-। ସର୍ପିଣୀର ବିଷବିମନ ଭଳି ଚକ୍ଷୁ ତା’ର ଚଞ୍ଚଳ-ଦଂଶନୋନ୍ମୁଖୀ ।

 

ତଥାପି....

 

ସେ ଅଭିମାନ କରିଚି । ପ୍ରଣୟିନୀ ନିକଟରେ ଯାହା ସ୍ୱାଭାବିକ ତାହାହିଁ ସେ କରିଚି । ତା’ର ବ୍ୟବହାରଟା ଅସ୍ୱାଭାବିକ ହେଲେ ମଧ୍ୟ ଏଇଥିରେ ହିଁ ବୋଧହୁଏ ଭଲ ପାଇବାର ସାର୍ଥକତା-। ସ୍ୱାମୀ ଯଦି ସ୍ତ୍ରୀର ଗୋଟାଏ ଅଭାବ ପୂରଣ ନ କରେ, ଦାମ୍ପତ୍ୟ କଳହ ଆରମ୍ଭ ହୁଏ । ତା’ପରେ ସ୍ତ୍ରୀ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରେ ତାକୁ କ’ଣ କୁହାଯିବ ?

 

ଅଭିମାନ ନିଶ୍ଚୟ, ସେ ଯେତେ ତୀବ୍ର ହେଉ ପଛେ ।

 

ମୁଁ ତା’ର ସ୍ୱାମୀ । ସେଇ ଅଧିକାରକୁ ବେଳେବେଳେ ମୁଁ ଜାହିର କରୁଥିଲି ଓ ଅଭିମାନିନୀର ଅଭିମାନର ମାତ୍ରା ବଢ଼ୁଥିଲା ।

 

ବାହାରେ କିଛି ସମୟପାଇଁ ଝଡ଼ ଉଠିଥିଲା ମାତ୍ର ଏବେ ତା’ର ଅବସାନ ଘଟିଚି । ଗଛର ପତ୍ରରୁ ଝରୁଥିବା ମୁକ୍ତାର ଟପ୍‌ଟପ୍‌ ଶବ୍ଦ ବନ୍ଦ ହୋଇନି । ପହରିକିଆ ଶିଆଳର କଟୂକଣ୍ଠ ଅଯାଚିତ ଭାବରେ ଗୃହ ମଧ୍ୟରେ ବିରକ୍ତିର ହାଓ୍ୟା ସୃଷ୍ଟି କରିବାରେ ବ୍ୟସ୍ତ । ବତ୍ସହରା ଜନନୀର ଅସମ୍ଭାଳ କାନ୍ଦଣା ।

 

ଉଷା ସହିପାରିଲାନି ।

 

ତମିସ୍ରାର ନିବୁଜ ବକ୍ଷତଳେ ପବନ କିମ୍ପାଇ କ୍ଷଣକପାଇଁ ଖେଳି ବୁଲୁଥିଲା ମୂକ ବାଛୁରୀର ଅସ୍ଥିପଞ୍ଜରହୀନ ପଳାୟମାନ ଆତ୍ମା । ପଶୁ ଶିଶୁ ସେ । ତା’ ଜୀବନର ଯବନିକାପାତ ସନ୍ତାନହୀନା ଉଷାର ମାତୃହୃଦୟକୁ ଥରାଇ ଦେଇଚି ।

 

ସେ ଏଇ ବାଛୁରୀକି ଜୀବନ ଦେଇ ଭଲ ପାଉଥିଲା । ସତେ ଅବା ତା’ ନିଜର ସନ୍ତାନ ସେ । ତା’ର ଖାଦ୍ୟ ନିଜ ହାତରେ ପ୍ରସ୍ତୁତ କରି ଖୁଆଏ ତା’କୁ । ତା ଦେହରେ ତେଲ ମାଲିସ୍‌ କରି ତାକୁ ଗାଧୋଇ ଦିଏ । ତଉଲିଆରେ ପୋଛିଦିଏ ତା’ର ଦେହ ।

 

ବଡ଼ଲୋକ ଘରର ଝିଅ–ତୂଳି–ତଳ୍ପର ନାୟିକା–ରାଜରାଣୀର ଜୀବନଧାରାକୁ ଦୁଇ ମାସର କଅଁଳ ମୂକ ବାଛୁରୀଟେ ବଦଳେଇ ଦେଇଥିଲା ।

 

ଉଷା ହୃଦୟର ସୂକ୍ଷ୍ମତମ ତନ୍ତ୍ରୀ ଆଜି କାନ୍ଦି ଉଠୁଚି । ସେ ଯେମିତି ଗୋଟାଏ ବିରାଟ ଜିନିଷକୁ ହରେଇ ବସିଚି । ସେ ନିଶ୍ଚଳ–ସ୍ଥାଣୁ । ମୁଁ ତା’ର ପରିବର୍ତ୍ତନକୁ ଲକ୍ଷ୍ୟ କରୁଚି । ହଠାତ୍‌ ନୀଳଗଗନର ବକ୍ଷ ଫଟାଇ ବର୍ଷାଧାରା ପରି ଦରଦର ଧାରାରେ ଦୁଇ ଆଖିରୁ ତା’ର ବହିଗଲା ଧାରଧାର ଲୁହ ।

 

ସେ କ’ଣ ଅପ୍ରକୃତିସ୍ଥା ?

 

ସେ କ’ଣ ଜ୍ଞାନହୀନା ?

 

ଘନହେଇ ଆସୁଥିଲା ତମିସ୍ରା । ତା’ ଛାତି ଭିତରର ବେଦନା ଆହୁରି ଜମାଟ ବାନ୍ଧି ଆସୁଥିଲା ।

 

ଚାକର ଡାକିଲା ବାବୁ ।

 

ମନ ଭିତରର ମୁମୂର୍ଷୁ ଚିନ୍ତା ଅପସରି ଗଲା । ମୁଁ ଜବାବ ଦେଲି–କ’ଣ ?

 

ମୋ ମୁଖମଣ୍ଡଳ ଗମ୍ଭୀର ।

 

ସେ ଦବିଗଲା । ବୋଧହୁଏ ଅନୁମାନ କରିନେଲା ମୋ ମନର ଅବସ୍ଥା । ପ୍ରଭୁ ଆଗରେ ଭୃତ୍ୟ ଏକ ଅସ୍ୱାଭାବିକ ପରିସ୍ଥିତିରେ ।

 

ସେ ଆଉ କିଛି ନ କହୁଥିବାର ଦେଖି ମୁଁ ତା’କୁ ଅଭୟ ଦେଲି । ସେ ଆହୁରି ବିସ୍ମିତ ହେଲା । ଉଷାର କୋମଳ ହୃଦୟ ଆହୁରି ଅଧିକ ଜୋର୍‌ରେ ଫାଟି ପଡ଼ୁଥିଲା । ସିମେଣ୍ଟେଡ଼ ଫ୍ଲୋର୍‌ ଉପରେ ଜମାହେଇ ଯାଇଚି ଅଶ୍ରୁଜଳ ।

 

କହ । କହିଲି ।

 

ବାଛୁରୀଟାକୁ ଉଠେଇବାକୁ ହବ । ଧୀର କଣ୍ଠରେ କହିଲା ଚାକର ।

 

ତୀବ୍ର ଝଡ଼ ପରି ତା’ କଥାରେ ପ୍ରତିବାଦ କଲା ଉଷା ।

 

ନା, ତାକୁ କେହି ଉଠାଇପାରିବେ ନାହିଁ । ସେ ସେଇଠି ରହିବ । ତା’ ମା ପାଖରେ ।

 

ହାୟ ପାଗଳିନୀ । ଏ ପାଗଳାମି କାହିଁକି ?

 

ମଲାପିଣ୍ଡ–ମାଟିଗୋଡ଼ିର ଶରୀର । ତା’କୁ ଚିର ଜୀବନ୍ତ କରି ରଖିବାର ପ୍ରୟାସ ପାଗଳ ଛଡ଼ା କିଏ କରେ ?

 

ମୁଁ ଚାକରକୁ ଇଙ୍ଗିତ ଦେଲି–ଯା’ ଉଠେଇ ଦେ ।

 

ଉଷା ମୋ ଇଙ୍ଗିତ ବୁଝିପାରିଲା । ଧାଇଁଆସି ମୋ ହାତ ଧରିନେଇ କହିଲା–କୁହ, ତା’କୁ କ’ଣ କହିଲ ? କୃତଘ୍ନ ! ନିର୍ଦ୍ଦୟ !

 

ମୂଁ ଅବାକ୍‌ । ସତେ ଅବା ଅଭିନୟ ଦେଖୁଥିଲି ।

 

ଉଷା ସୁପ୍ତା ।

 

ଶବର ସତ୍କାର ହେଇଗଲା । ପ୍ରିୟ ବାଛୁରୀଟିକୁ ଫିଙ୍ଗି ଦିଆ ନ ଯାଇ ପୋତି ଦିଆଗଲା-

 

ନୃତ୍ୟକ୍ଲାନ୍ତା ରତିପରି ଉଷା ସୁପ୍ତା । କପାଳରୁ ତା’ର ଝରୁଥିଲା ଘର୍ମବିନ୍ଦୁ । ମୁଁ ତା’ର କପାଳ ସ୍ପର୍ଶ କରି ଅଯତ୍ନ କେଶଗୁଡ଼ିକୁ ସଜାଇ ଦେଉଁ ଦେଉଁ ତା’ର ନିଦ ଭାଙ୍ଗିଗଲା–ସ୍ୱପ୍ନ ଭାଜିଗଲା ।

 

ସେ କହିଲା–ଅତ୍ୟାଚାରୀ !

 

ଠିକ୍‌ !!!

 

ମଣିଷ ମନର ବେଦନା ବୁଝିବା ମଣିଷ ଶକ୍ତିର ଅତୀତ । ଉଷା ତା’ର ରକ୍ତଗୋଲାପ ମୁହଁକୁ କିଞ୍ଚିତ୍‌ କୁଟିଳ କରି କହିଲା–ପଶୁ ପ୍ରକୃତି ତମଠାରେ ଖୁବ୍‌ ବେଶୀ । ମୁଁ ତମକୁ ଖୁବ୍‌ କ୍ଷମା ଦେଇଚି । ପ୍ରତି ପଦକ୍ଷେପରେ ତମର ଅତ୍ୟାଚାର ସହିଚି । ମାତ୍ର ତମେ ଅଧିକରୁ ଅଧିକ ଅତ୍ୟାଚାରୀ ହେଇଉଠିଚି–ବୁଦ୍ଧି ବିବେକ ହରେଇ ବସିଚ । ଆଉ ଅଧିକା କ’ଣ ତମେ ଚାହଁ ତମ ସ୍ତ୍ରୀଠାରୁ ?

 

ସେ ଚୁପ ରହିଲା । ମୁଁ ନିଜକୁ ନିଜେ ଚିହ୍ନିପାରିଲିନି । ମୁଁ କ’ଣ ?

 

ମୁଁ କ’ଣ–ତା’ର ଜବାବ ଦେଇଚି ଉଷା । ମୁଁ ପଶୁର ବ୍ୟବହାର ଦେଖେଇ ଆସିଚି କିନ୍ତୁ ସେ ପୂଜା କରିଚି ମତେ ନୈବେଦ୍ୟ ଦେଇ । ନା, ମୁଁ ଆଉ କୃତଘ୍ନ ହେବିନି । ତା’ର ଅଭାବ ମେଣ୍ଟାଇ ଦେବି । ତା’ର ଅଳି ପୂରଣ କରିବି । ମାତ୍ର....

 

ଶୁକପକ୍ଷୀ ପିଞ୍ଜରା ଛାଡ଼ି ଉଡ଼ିଯାଇଚି ଆକାଶକୁ । ସେ ବୁଝିଚି, ପିଞ୍ଜରା ଭିତରେ ଆବଦ୍ଧ ରହିବାର ଯନ୍ତ୍ରଣା । ସବୁ ବୁଝି ସେ କ’ଣ ଆଉ ଫେରିବ ?

 

ବାଛୁରୀ ମରିଚି । ତା’ ଜାଗାରେ ଆଉ ଗୋଟିଏ ଅଣାଯାଇପାରେ । କିନ୍ତୁ ଠିକ୍‌ ସେଇଟି ଆଉ ମିଳିବନି । କିନ୍ତୁ ଅନ୍ୟଟିରେ.... ଉଷାର ମନ ଯଦି ବୁଝିଯାଏ । ଚେଷ୍ଟା କଲି ତା’କୁ ବୁଝେଇବାପାଇଁ ।

 

ଉଷାର ବ୍ରତ ଭାଙ୍ଗିଚି । ସେ ଆଶାର ବଳବତୀ ମଣ୍ଡଳରେ ଘୂରି ବୁଲୁଚି–ବାଛୁରୀ ଆସିବ ।

 

ମାତ୍ର ସବୁ ବିଫଳ । ଠିକ୍‌ ସେମିତି ବାଛୁରୀଟେ ମିଳିବା ଦୁଷ୍କର । ମୂଲିଆ ଫେରିଆସିଚି ଖାଲି ହାତରେ ।

Image

 

ଦୁର୍ଘଟଣା

 

ସବୁଦିନ ପରି ସକାଳର ସୂର୍ଯ୍ୟ ସେଦିନ ଉଇଁଥିଲା । ତା’ପୂର୍ବରୁ କୁଆମାନେ କା..... କା..... କରି ଶୋଇଥିବା ମଣିଷମାନଙ୍କୁ ନିଦରୁ ଉଠେଇ ଦେଉଥିଲେ ।

 

ସକାଳ ଛ’ଟାରେ କାରଖାନା କାମରେ ଯାଇ ଯୋଗଦେବାକୁ ହେବ । ଘରର ଘରଣୀମାନେ ଅନ୍ଧାର ଥାଉ ଥାଉ ଉଠି କୋଇଲା ଚୁଲି ଲଗେଇବା ଆରମ୍ଭ କରିସାରିଲେଣି । ପେଟପୂରା ଖାଇ ନଗଲେ କାରଖାନାର ହାଡ଼ଭଙ୍ଗା ପରିଶ୍ରମ କରିବା ସମ୍ଭବ ନୁହେଁ ।

 

ବେଲ୍‌ ପାହାଡ଼ର ଶ୍ରମିକ ବସ୍ତି । କାରଖାନା ତୂରୀ ବାଜିବାବେଳକୁ ସେମାନଙ୍କୁ ଯାଇ କାରଖାନା ଭିତରେ ଯେ ଯାହାର ଡିଉଟୀରେ ହାଜିରା ଦେବାକୁ ପଡ଼େ । ଡେରି ହେଲେ ହାଜିରା ବହିରେ ନାଲିଛକି ପଡ଼ିଯାଏ । ଭାଗ୍ୟକୁ ଆଦରି ମୁହଁ ଶୁଖେଇ ସେମାନଙ୍କୁ ଫେରିବାକୁ ହୁଏ ।

 

କାରଖାନା ତ ସଦାବର୍ତ୍ତ ମଠ ନୁହେଁ, ଯେ ଯେତେବେଳେ ଆସିବ ତା’ର ଖୋରାକିର ବ୍ୟବସ୍ଥା ହେଇପାରିବ । କଡ଼ା ନିୟମକାନୁନଦ୍ୱାରା ପରିଚାଳିତ ଏହା ଏକ ସଂସ୍ଥା । ଏଠାରେ ଦୟାମାୟା ମମତାର ପ୍ରଶ୍ନ ନାହିଁ । କାମ କର, ମଜୁରି ନିଅ । No work, no pay…..

 

ମେସିନ୍‌-ମିସ୍ତ୍ରୀ ରଙ୍ଗାଧର ବୁଟ ଛତୁରେ ଲୁଣଗୋଳି ବେଲାଏ ପିଇ ଦେଇ ସହଳ ସହଳ ଆଜି ବାହାରି ପଡ଼ିଚି । ସ୍ତ୍ରୀ ଉମା ହାତରୁ କପେ ଚା’ କି ଦି’ଖଣ୍ଡ ପାନ ନବାପାଇଁ ବି ତା’ର ବେଳ ନାହିଁ ।

 

କାଲିଠାରୁ ମେସିନ୍‌ ଅସଜ ହେଇପଡ଼ିଚି । ଜଲ୍‌ଦି ଯାଇ ସେଇ ଅସୁରଟାକୁ ବାଟକୁ ଆଣି ସଜାଡ଼ି ଦେଲେ ଫେର୍‌ କିଛିଦିନ ସେ ଶାନ୍ତିରେ ନିଃଶ୍ୱାସ ମାରିବ ।

 

ଘରୁ ବାହାରି ସାମନା ଘରେ ରହୁଥିବା ଦୁଇ ହେଲ୍‌ପର ଜଗୁ ଆଉ ରଘୁଙ୍କୁ ସେ ଡାକ ପକେଇଲା ।

 

ଆସ ବେ ଜଲଦି..... କେତେ ରାତିଯାଏ ବୋହୂକୁ ନେଇ ଚାହିଁଥିଲ ବେ, ଏତେ ଡେରି କରୁଚ ?

 

ମିସ୍ତ୍ରୀର ଡାକ ଶୁଣି ଜଗୁ ବାହାରି ଆସିଲା !

 

ରଘୁର ନିଦ ଭାଙ୍ଗିନାହିଁ । ତା’ର ସ୍ୱର ଶବ୍ଦ ନାହିଁ ।

 

ମିସ୍ତ୍ରୀ ଆଉ ଜଗୁ ଉଭୟେ ଯାଇ ତା’ କବାଟରେ ଧକ୍‌କା ଦେଲେ ।

 

ଦୁଆର ଖୋଲିଲା । ରଘୁର ବୋହୂ ହାତେ ଓଢ଼ଣାଟାଣି ଦୁଆର ସେପାଖରେ ଠିଆହୋଇ କହିଲା–ତାକୁ ଜର । ଯାଇ ପାରିବେନି ଆଜି ।

 

ମିସ୍ତ୍ରୀ ଗର୍ଜିଉଠିଲା–ଜରଫର ଛଡ଼େଇ ତାକୁ କୁହ ବାହାରି ଆସିବାକୁ । ଆଜି ଦିନଟା ଗଲେ କାଲି ସିକ୍‌ କରି ରହିଯିବ ଯେ ଯେତେ ଇଚ୍ଛା ସେତେ ଗେଲାଗେଲି ହେଉଥିବ । ଆଜି ବହୁତ କାମ ଅଛି । ଘରେ ରହିଲେ ଚଳିବନି ।

 

ମିସ୍ତ୍ରୀ କହିଚାଲିଥାଏ । ଜଗୁ ଘର ଭିତରକୁ ପଶିଯାଇ ଶୋଇରହି କୁନ୍ଥଉଥିବା ରଘୁକୁ ଗୋଟାପଣେ ଶେଯରୁ ଘୋଷାରି ଘୋଷାରି ନେଇଆସିଲା ।

 

ଶଳା ଚାକିରି ପିତା ଲାଗୁଛି କି ବେ ? ଭେଳିକି କାଢ଼ି ଶୋଇଛୁ ? ମେସିନ୍‌ ଠିକ୍‌ ନହେଲେ କେତେ ଲୋକ ବସି ରହିବେ ! ଚାଲ, କାଲିକି ସିକ୍‌ କରିବୁ ।

 

ରଘୁକୁ ଆଉ ଭିତରକୁ ଯିବାକୁ ସେମାନେ ଫୁରୁସତ୍‌ ଦେଲେ ନାହିଁ ।

 

କବାଟ କୋଣରେ ଓଢ଼ଣାଦିଆ ମୁହଁଟା ସେମିତି ଦିଶୁଥିଲା ।

 

ରଘୁ ଆଉ ସେଇ ମୁହଁ ଆଡ଼କୁ ଚାହିଁବାକୁ ବି ବେଳ ପାଇଲା ନାହିଁ । ମନେ ମନେ ଭାବିଲା–ମିସ୍ତ୍ରୀ ଯେତେବେଳେ ନିଜେ ଆସି ଡାକୁଚି ଓ ଯିବାପାଇଁ ଜିଦ୍‌ କରୁଚି, ସେ ବରଂ ହାଫ୍‌ ଡିଉଟୀ କରି ଫେରି ଆସିବ ।

 

ଏଇ ମାସେ ହବ ସେ ବାହା ହେଇଚି । ଆଜି ସେ ଠିକ୍‌ କରିଥିଲା, କାମକୁ ନଯାଇ ବଜାରକୁ ଯିବ । ଗତକାଲି ତା’ ବୋହୂ କହିଥିଲା ନୂଆଶାଢ଼ୀଟେ ପାଇଁ । ଶାଢ଼ୀ ସାଙ୍ଗକୁ ବ୍ଲାଉଜ୍‌ଟେ କିଣିବାକୁ ବି ସେ ଠିକ୍‌ କରିଥିଲା ।

 

ହେଲେ....

 

ମିସ୍ତ୍ରୀ ଆସି ସବୁ ମାଟି କରିଦେଲା ।

 

ତିନିଜଣ ଯାକ ଚଞ୍ଚଳ ଚଞ୍ଚଳ ପାହୁଲ ପକାଇ କାରଖାନାଫାଟକ ଆଡ଼କୁ ଧାଇଁଚନ୍ତି । ଏମାନଙ୍କର କାରଖାନା ସହିତ ଘନିଷ୍ଠ ସମ୍ପର୍କ । ଏମାନଙ୍କ ହାତ ଲାଗିଲେ ଅଚଳ କାରଖାନାଟା ସଚଳ ହୋଇଯାଏ । ଯେଡ଼େ ବେରାମ ତାକୁ ଧରିଥାଉ, ସେ ସୁସ୍ଥହେଇ ବସେ । ଘାଉଁକିନି ଗର୍ଜିଉଠେ । ତା’ର ବଡ଼ ବଡ଼ ଚକାଗୁଡ଼ାକ ଅସମ୍ଭବ ଗତିରେ ଘୂରେ । କାରଖାନାରେ ଜୀବନ ସଞ୍ଚରିଯାଏ ।

 

ଖୋଦ୍‌ ମେନେଜର ବାବୁ ଆସି ପହଞ୍ଚିଛନ୍ତି । ଝାଳନାଳ ହେଇ କାମ କରୁଥିବା ମିସ୍ତ୍ରୀକୁ ପଚାରୁଛନ୍ତି–କ’ଣ ମିସ୍ତ୍ରୀ..... ଆଉ କେତେ ଡେରି ?

 

ମିସ୍ତ୍ରୀ ପ୍ରାଣପଣେ ଲାଗିଛି । ଅସଜଟା ଖୁବ୍‌ ବଡ଼ଧରଣର ନ ହେଲେ ବି ସମୟସାପେକ୍ଷ । ମେସିନ୍‌ ତ ଆଉ ଖାଇଯିବା ଜିନିଷ ନୁହେଁ । ନଟ୍‌ଟେ ଫିଟେଇବାକୁ ତ ପନ୍ଦର ମିନିଟ ଲାଗିଯାଏ । ମୁଣ୍ଡ ଠିକ୍‌ ରଖି କାମ କରିବାକୁ ପଡ଼େ ।

 

ମିସ୍ତ୍ରୀ କହିଲା–ସାର୍‌, ଏ ତରବରିଆ କାମ ନୁହେଁ । ଆଉରି ଦୁଇଘଣ୍ଟା ଲାଗିପାରେ । ମେନେଜର ବାବୁ ହାତବନ୍ଧା ଘଡ଼ିକୁ ଚାହିଁଲେ । ନ’ଟା ବାଜିଚି । ସେ ତାଙ୍କ ଅଫିସ୍‌କୁ ଫେରିଗଲେ ।

 

ଶ୍ରମିକମାନଙ୍କର ଇଚ୍ଛା ତିଆରିହବା ଡେରି ହଉ ।

 

ପରିଚାଳନା କର୍ତ୍ତୃପକ୍ଷଙ୍କର ଇଚ୍ଛା ଖୁବ୍‌ ଶୀଘ୍ର ମେସିନ୍‌ ଗର୍ଜିଉଠୁ ।

 

ମିସ୍ତ୍ରୀ ଏବଂ ତା’ର ଦୁଇଜଣ ସହକାରୀ କର୍ମରତ ।

 

ହଠାତ୍‌ ଏ କ’ଣ ହେଲା ?

 

ମେସିନଟା ଘାଉଁପରି ଗର୍ଜିଉଠିଲା । ସ୍ଥିରଥିବା ଚକ ପବନ ଗତିରେ ଘୂରିବାକୁ ଆରମ୍ଭ କଲା । ଆଉ ସେଇ ଚକ ଆଘାତରେ ମିସ୍ତ୍ରୀ ଓ ତା’ର ଦୁଇଜଣ ସହକାରୀଙ୍କର ରକ୍ତାକ୍ତ ଶରୀର ଢାଏଢ଼ାଏ ପିଟିହୋଇ ସିମେଣ୍ଟ ଚଟାଣ ଉପରେ ଲୋଟି ପଡ଼ିଲା ।

 

ହାଁ..... ହାଁ...... ହାଁ.....

 

ଚିତ୍କାର । କାରଖାନାର ସବୁଦିଗରୁ ଶ୍ରମିକମାନେ ଧାଇଁଲେ । ପରିଚାଳନା କର୍ତ୍ତୃପକ୍ଷ ଏବଂ ଖୋଦ୍‌ ମାଲିକ ମଧ୍ୟ ଆସି ପହଞ୍ଚିଗଲେ ।

 

ବିରାଟ ଦୁର୍ଘଟଣା ।

 

ତିନିଜଣ କର୍ମଚାରୀ ମୃତ ।

 

ମିଲ୍‌ଗେଟ ପାଖରେ ସେମାନଙ୍କ ପାଇଁ ଶୋକସଭା ଅନୁଷ୍ଠିତ ହେଲା । ମାଲିକ ଘୋଷଣା କଲେ–ଏହା ଏକ ଦୁର୍ଘଟଣା । ମିସ୍ତ୍ରୀମାନେ ମେସିନର କାମ ଶେଷ କରିଦେଲେଣି ବୋଲି ଭାବି ଜଣେ କର୍ମଚାରୀ ମେସିନ୍‌ର ସୁଇଚ ଟିପି ତା’କୁ ଚାଲୁ କରିଦେବାରୁ ଏ ଦୁର୍ଘଟଣା ଘଟିଲା । ମୃତବ୍ୟକ୍ତିମାନଙ୍କର ପରିବାରକୁ ଦୁଇହଜାର ଲେଖାଏଁ ଟଙ୍କା ଦିଆଯିବ ଓ ସେମାନଙ୍କ ସ୍ତ୍ରୀ ମାନଙ୍କୁ କାରଖାନାରେ କାମ ଦିଆଯିବ ।

 

ହତଭାଗ୍ୟ କର୍ମଚାରୀମାନଙ୍କର ହତଭାଗିନୀ ସ୍ତ୍ରୀମାନଙ୍କୁ ଚାକିରି ଓ ଟଙ୍କା ମିଳିଲା । କିନ୍ତୁ ସେମାନଙ୍କର ଅବଶିଷ୍ଟ ଦୀର୍ଘ ଜୀବନର ଯନ୍ତ୍ରଣା ଓ ହାହାକାରର ଉପଶମ ହେଲା କି ? ମୃତସ୍ୱାମୀମାନେ ସେମାନଙ୍କ ପାଖକୁ ଆଉ କ’ଣ ଫେରିଆସିବେ ।

 

(ସତ୍ୟାଶ୍ରୟୀ ଗଳ୍ପ–୧୯୭୯ ମସିହାରେ ବେଲ୍‌ପାହାଡ଼ରେ ମେସିନ୍‌ ଦୁର୍ଘଟଣାରେ ତିନିଜଣ ଶ୍ରମିକ ପ୍ରାଣ ହରାଇଥିଲେ)

Image

 

ସ୍ୱପ୍ନ ସତ୍ୟ ହେଲା

 

ସେ ସ୍ୱପ୍ନ ଦେଖୁଥିଲେ । ନିଦରେ ନୁହେଁ ଚାହାନ୍ତାରେ ।

 

ଦୀର୍ଘଦିନର ଅତୀତକୁ ସେ ଫେରି ଚାହୁଁଥିଲେ ।

 

ଗୋଟିଏ ଶତାବ୍ଦୀ ଭିତରେ ପୃଥିବୀରେ କି ପରିବର୍ତ୍ତନ ନ ହେଇଯାଇଚି ! ରାଜତନ୍ତ୍ର ସ୍ଥାନରେ ସାମ୍ୟତନ୍ତ୍ର-ଗଣତନ୍ତ୍ର ମୁଣ୍ଡ ଟେକିଛନ୍ତି । ମୂର୍ଖ ପିଲାଗୁଡ଼ାକୁ କେରେ ନା କେତେ ପାଠ ପଢ଼ିଲେଣି । କିଏ ଯାଇ ଉଠିଲାଣି ହିମାଳୟ ଶୃଖଙ୍ଗରେ ତ କିଏ ଯାଇ ପହଞ୍ଚିଲାଣି ଚନ୍ଦ୍ରମଣ୍ଡଳରେ-। କେତେ ରାଜ୍ୟର ସୀମା ଅଦଳବଦଳ ହେଇଗଲାଣି । କେତେ ସାମ୍ରାଜ୍ୟ ଭାଙ୍ଗିଗଲାଣି । ତାଙ୍କରି ଆଖି ସାମନାରେ କେତେ ଲୋକ ଜନ୍ମନେଇ ପୁଣି ପୃଥିବୀ ପୃଷ୍ଠରୁ ବିଦାୟ ନେଇଗଲେଣି-

 

ସେ କିନ୍ତୁ ବଞ୍ଚି ରହିଛନ୍ତି । ବୟସ ତାଙ୍କର ୧୦୯ ବର୍ଷ ।

 

ଶ୍ରୀମତୀ ରାମୋନ୍‌ ଆଗୁଡ଼ିନ୍‌ ନିଜ ଘର ବୈଠକଖାନାରେ ବସି ବାହାରୁ ଭାସିଆସୁଥିବା ପବନକୁ ଉପଭୋଗ କରୁଥିଲେ । ଆଖି ନିସ୍ତେଜ ହେଇଆସିଚି । ସାମନାରେ ସେ ଦେଖୁଥିଲେ ଧଳା ଆଉ ସବୁଜ ରଙ୍ଗର ଛବିଗୁଡ଼ାଏ... କିଛି ଘର ଆଉ କିଛି ପ୍ରକୃତି । ଚକ୍ରବାଳଟା ତାଙ୍କୁ ଦିଶୁଥିଲା ମେଘଖଣ୍ଡ ପରି ।

 

ଅତୀତ ଜୀବନର ଅନେକ ଛବି ଝାପ୍‌ସା ଚଳନ୍ତା ମେଘଭିତରୁ ଉଜ୍ଜ୍ୱଳ ଚନ୍ଦ୍ରପରି ବେଳେବେଳେ ମୁଣ୍ଡ ଟେକୁଛନ୍ତି । ତାଙ୍କର ମନେ ପଡ଼ୁଚି ତାଙ୍କ ବିବାହିତ ଜୀବନର କଥାଗୁଡ଼ାକ । ସ୍ୱାମୀଙ୍କ ସହିତ ଦୀର୍ଘ ଜୀବନର ଲୀଳାଖେଳା...ପୁଣି ସ୍ୱାମୀଙ୍କ ଅନ୍ତେ ବର୍ତ୍ତମାନର ଏଇ ନିଃସଙ୍ଗ ଜୀବନ ।

 

ମନେ ପଡ଼ୁଚି ସେଇ ଝିଅଟିର କଥା–ଯାହାକୁ ସେ ବିଭା ଦେଇଥିଲେ ଆର୍ଜେଣ୍ଟାଇନରେ-। ୟା’ ଭିତରେ ପଇଁଚାଳିଶ ବର୍ଷ ବିତିଗଲାଣି । ଏଇ ପଇଁଚାଳିଶ ବର୍ଷ ଭିତରେ ଝିଅକୁ ଆଉ ସେ ଦେଖିନାହାନ୍ତି ।

 

ସେ ଦୀର୍ଘନିଶ୍ୱାସ ତୋଳିଲେ । ମାତୃହୃଦୟ ତାଙ୍କର ମର୍ମରି ଉଠିଲା ।

 

ଦୀର୍ଘ ପଇଁଚାଳିଶ ବର୍ଷ....

 

ଅର୍ଦ୍ଧ ଶତାବ୍ଦୀ.....

 

ହାୟ ! ଝିଅକୁ ଆଉ କ’ଣ ସେ ଦେଖିପାରିବେ ?

 

ଜୀବନ ନିଃଶେଷ ହେଇଯାଇଚି । ତାଙ୍କର ଦୁଇଟି ଅନ୍ତିମ ଅଭିଳାଷ ଏ ଯାଏ ପୂରଣ ହେଇପାରିନି ।

 

ପ୍ରଥମ ଅଭିଳାଷ : ନିଜ ରାଜ୍ୟ ସ୍ପେନ୍‌ର ରାଜାଙ୍କୁ ଦେଖିବା । ଦ୍ୱିତୀୟ ଅଭିଳାଷ : ଆର୍ଜେଣ୍ଟାଇନାରେ ଥିବା ନିଜର ଝିଅକୁ ଭେଟିବା ।

 

ଏହି ଦୁଇଟିଯାକ ଅଭିଳାଷ ତାଙ୍କ ପାଖରେ ଆକାଶ କୁସୁମ । ତାଙ୍କ ଭଳି ଜଣେ ସାଧାରଣ ନାରୀ ରାଜାଙ୍କର ସାକ୍ଷାତ ପାଇବେ କେମିତି ? ଉଡ଼ାଜାହାଡ଼ ଯାତ୍ରାର ଖର୍ଚ୍ଚ ଯୋଗାଡ଼ କରି ଝିଅ ପାଖକୁ ଯିବେ କେମିତି ?

 

ତଥାପି ତାଙ୍କର ସ୍ୱପ୍ନ ତାଙ୍କୁ ଜିଆଇ ରଖିଥିଲା ।

 

ସ୍ପେନ୍‌ର ଜନଗଣନାରୁ ଜଣାପଡ଼ିଲା ଯେ ସେ ହେଉଛନ୍ତି ରାଜ୍ୟର ସବୁଠାରୁ ଦୀର୍ଘାୟୁ ମହିଳା । ତାଙ୍କର ଦୀର୍ଘ ଜୀବନ ତାଙ୍କୁ ସାହାଯ୍ୟ କଲା ।

 

ରାଜା ଜୁଆନ୍‌ କାରଲସ୍‌ ଏହି ଦୀର୍ଘାୟୁ ମହିଳାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ନିଜ ରାଜପ୍ରାସାଦକୁ ନିମନ୍ତ୍ରଣ କରିଆଣି ସମ୍ମାନ ପ୍ରଦର୍ଶନ କଲେ । ବୃଦ୍ଧା ବିହ୍ୱଳିତା । ଜୀବନର ଗୋଟିଏ ସ୍ୱପ୍ନ ପୂରଣ ହେଲା । କିନ୍ତୁ ଅନ୍ୟଟି.... ?

 

କଥା ପ୍ରସଙ୍ଗରେ ସେ ରାଜାଙ୍କୁ ତାଙ୍କର ଦ୍ୱିତୀୟ ଅଭିଳାଷ କଥା କହିଲେ ।

 

ରାଜା ଦୟାପରବଶ ହୋଇ ତତ୍‌କ୍ଷଣାତ୍‌ ତାଙ୍କୁ ଆର୍ଜେଣ୍ଟାଇନା ଯାତାୟତର ବିମାନ ଟିକେଟଟିଏ ଉପହାର ଦେଲେ ।

 

ବୃଦ୍ଧାଙ୍କର ଆନନ୍ଦ କହିଲେ ନ ସରେ । ପଇଁଚାଳିଶ ବର୍ଷପରେ ନିଜ ଝିଅକୁ ଦେଖିବାର ସୁଯୋଗ ପାଇ ନିଜକୁ ପରମ ସୌଭାଗ୍ୟବତୀ ମନେ କଲେ ଓ ରାଜାଙ୍କ ଉପରେ ଆଶୀର୍ବାଦ ଅଜାଡ଼ିଦେଲେ ।

 

(ସତ୍ୟାଶ୍ରୟୀ ଗଳ୍ପ । ତା ୨୦ । ୪ । ୭୯ Statesman ରେ ପ୍ରକାଶିତ ‘Dreams Come True’ ଉପରେ ପର୍ଯ୍ୟବସିତ ।)

Image

 

କ୍ଷୁଧା

 

ଅଖିଳ ଝୁଣ୍ଟି ପଡ଼ିଲା । ତା’ର ବବୁରି ବାଳଗୁଡ଼ାକରେ ଚାରିଦିନ ହେଲା ତେଲ ଲାଗି ନଥିବାରୁ ପବନରେ ସେଗୁଡ଼ାକ ଫୁର୍‌ଫୁର୍‌ ହେଇ ଉଡ଼ୁଚି । ହାଓ୍ୟାଇନ୍‌ ଶାର୍ଟର ସବୁଗୁଡ଼ିକ ବୋତାମ ଖୋଲିଦେଇ ସେ ଆଗେଇ ଚାଲିଛି ।

 

ଆସାନ୍‌ ସୋଲ୍‌ ଗାଡ଼ି ଟାଇମ୍‌ ହେଇଗଲାଣି । ଗାଡ଼ିରେ ବହୁତ ବଦାନ୍ୟ ବ୍ୟକ୍ତି ନିଶ୍ଚୟ ଯାତ୍ରା କରୁଥିବେ । ଅଖିଳ ତାଙ୍କରି ଆଗରେ ହାତପାତି କିଛି ଭିକ୍ଷା କରିବ ।

 

ୟା’ଛଡ଼ା ତା’ର ଆଉ ଅନ୍ୟ ଉପାୟ କ’ଣ ? ଚିରପରିଚିତ କଟକ ସହରର ରାସ୍ତା ଉପରେ ହାତପାତି ସେ ତ ଭିକ୍ଷା ମାଗି ପାରିବ ନାହିଁ । ତେଣୁ ସେ ଛୁଟିଚି ଷ୍ଟେସନ୍‌ ।

 

-ଆରେ, ଆଖି ଥାଉ ଥାଉ ଅନ୍ଧ ! ରାସ୍ତା ଚାଲିଜାଣୁନୁ ?

 

ଅଖିଳ ପଡ଼ି ଯାଉଯାଉ ରହିଗଲା । ରିକ୍‌ସାବାଲାଟା ଆଉ ଟିକିଏ କ୍ରୂରଦୃଷ୍ଟି ହାଣି ଚାଲିଗଲା ତା’ର ଗନ୍ତବ୍ୟ ପଥରେ । କଲେଜ ଛକ ଯେମିତି ଏକ ଅଟ୍ଟହାସ୍ୟ ତୋଳି ହସିଉଠିଲା–ଉପହାସ କଲା ତା’ର ଆଜିକାର ଏଇ ଦୁର୍ଭାଗ୍ୟକୁ ।

 

ଅଖିଳ ମହାନ୍ତି । ଛ’ବର୍ଷ ତଳେ ଏଇ ବଡ଼ କଲେଜରେ ସେ ପାଠ ପଢ଼ୁଥିଲା । ଏଇ କଲେଜ ଛକରେ ସେ ବି ଏମିତି କେତେ କାହାକୁ ଉପହାସ କରିଛି ।

 

ପ୍ରଭାମୟୀ ପଟ୍ଟନାୟକ–ସେତେବେଳେ ସେ ଥିଲା ଅଖିଳର ସହପାଠିନୀ ।

 

ସୁନ୍ଦରୀ, ସୁଶ୍ରୀ ଏଇ ତନ୍ୱୀ ଯୁବତୀକି ନିଜର କରିବାପାଇଁ ତା’ର କି ଆପ୍ରାଣ ଚେଷ୍ଟା ! ପ୍ରଭାମୟୀର ରିକ୍ସା ପଛରେ ସାଇକେଲ ଛୁଟେଇ ସେ କେତେ ଥର କଟକଚଣ୍ଡୀ ପର୍ଯ୍ୟନ୍ତ ଯାଇଛି । କେତେ କଟାକ୍ଷ–କେତେ ଦୀର୍ଘଶ୍ୱାସ । ପ୍ରଭାମୟୀ ନାରୀ; ତେଣୁ ଦିନେ ସେ ଅଖିଳର ଏକନିଷ୍ଠତା ଆଗରେ ନଇଁଯାଇଥିଲା । ତା’ପରେ ଆରମ୍ଭ ହେଇଥିଲା ଦୁଇଟି ଜୀବନର ହାସ-ରାସର ଉତ୍ସବ ।

 

ଅଖିଳ ଆଜି ନିରୋଳା ମୁହୂର୍ତ୍ତରେ ଭାବେ–କାହିଁଗଲା ସେ’ଦିନର ଚନ୍ଦ୍ର-ଚକିତ ରଜନୀର ହର୍ଷୋତ୍‌ଫୁଲ୍ଲତା, ଜୋବ୍ରା ବନ୍ଧର କଳ କଳ ସଙ୍ଗୀତ ! ଏଇ ବ୍ୟବଧାନ ପରେ ସେ ଖବର ପାଇଛି ପ୍ରଭାମୟୀ ଆଜି ବିଭାହୋଇ ଘରଦ୍ୱାର କରିଛି–କୋଳରେ ପାଇଛି ସନ୍ତାନ । ସ୍ୱାମୀ ତା’ର ଜଣେ କଣ୍ଟ୍ରାକ୍ଟର–ଲକ୍ଷ ଲକ୍ଷ ଟଙ୍କାର ମାଲିକ ।

 

ଆଉ ସେ ? ମୁହଁରୁ ତା’ର ଫୁଟି ଉଠୁଚି ଦୈନ୍ୟର ସଙ୍ଗୀତ । ଛାତି ଭିତରେ ଅନୁଭବ କରୁଛି କ୍ୟାନ୍‌ସର୍‌ର ଯନ୍ତ୍ରଣା । ସେ ବେକାର, ସେ ବୁଭୁକ୍ଷୁ–ବିଜ୍ଞାପନର ଯୁଗରେ ତା’ର ଦାମ୍‌ ନାହିଁ–ଶିକ୍ଷା ତା’ର ମୂଲ୍ୟହୀନ ।

 

ବି.ଏ. ପାଶ୍‌ କରିସାରି ଚାକିରି ଖଣ୍ଡିଏ ପାଇଁ ସେ ଦୁଆର ଦୁଆର ବୁଲିଛି । ଏମ୍ପ୍‌ଲୟମେଣ୍ଟ ଏକ୍ସଚେଞ୍ଜ୍‌ରେ ନାମ ରେଜିଷ୍ଟ୍ରି କରି ବର୍ଷ ବର୍ଷ ଅପେକ୍ଷା କରିଚି, ମାତ୍ର ସବୁ ଆଡ଼ୁ ନିରାଶ ହେଇଚି । ହତଭାଗ୍ୟ ସେ–କିରାଣି ଚାକିରି ଖଣ୍ଡିଏ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପାରିନି ।

 

ତିନିଦିନ ହେଲା ତା’ର ଉପବାସ ।

 

ପେଟ ଭିତରଟା କ୍ଷୁଧାରେ ଘାଣ୍ଟି ଚକଟି ହେଉଚି । ରାସ୍ତାକଡ଼ ଦୋକାନଗୁଡ଼ିକରେ ସଜା ହୋଇ ରହିଥିବା ଖାଦ୍ୟ ଦେଖି ତା’ ମନରେ ଜାତ ହେଉଛି କେତେ ପ୍ରକାର ଦୁର୍ଭାବନା । ଜବରଦସ୍ତ ଏଇ ଖାଦ୍ୟଗୁଡ଼ାକୁ ଲୁଟ୍‌ କରିନେଲେ କ୍ଷତି କ’ଣ ? ଭିତରକୁ ପଶିଯାଇ ପେଟେ ଖାଇ ପଇସା ନଦେଇ ଦଉଡ଼ି ପଳାଇଗଲେ କେମିତି ହୁଅନ୍ତା ?

 

ଚିନ୍ତା ଆଉ ଚିନ୍ତା । ସାମନାରୁ ବେଶ୍‌ ଚକ୍‌ଚକିଆ ମୋଟରଟିଏ ଆସୁଛି । ତା’ରି ପାଖରେ ଆସି ବନ୍ଦ ହୋଇଗଲା ।

 

ଏ-ଏ, ଶୁଣ....

 

ମୋଟର ଭିତରେ ବସିଥିବା ବାବୁ ଜଣକ ଡାକିଲେ । ସେ ପାଖେଇ ଗଲା । ମୋଟର ଭିତରେ ବସିଛି ପ୍ରଭାମୟୀ–ତା’ର ବହୁଦିନର ପରିଚିତ ପ୍ରଭା । ମୁହଁରେ ତା’ର ହସ ଉକୁଟି ଉଠୁଥିଲା । ମାତ୍ର ପ୍ରଭା ଥରଟିଏ ଚାହିଁ ଆଖି ଫେରାଇ ନେଲା–ଚାଲ, ମିଟିଂ କିଲାପଡ଼ିଆରେ ହେଉଥିବ ।

 

ଅଖିଳ ଦୀର୍ଘନିଃଶ୍ୱାସ ପକେଇଲା । ବାବୁଜଣକ ପଚାରିଥିଲେ–ଏ, ଏଠି ଅଗଷ୍ଟ ପନ୍ଦର ମିଟିଂ କେଉଁଠି ହେଉଛି ? ସେଠିକି ମନ୍ତ୍ରୀ ଆସିଛନ୍ତି–ତାଙ୍କ ପାଖରେ ଜରୁରୀ କାମ । କହିପାରିବୁ ?

 

ଅଖିଳ ମୁଣ୍ଡ ହଲାଇ ନାହିଁ କଲା, ସେ’ତ ବେକାର–ବୁଭୁକ୍ଷୁ । ତା’ର ଏ ସବୁ ମିଟିଂ ସହିତ ସମ୍ପର୍କ ବା କ’ଣ ?

 

ମୋଟର ଚାଲିଗଲା, ପ୍ରଭାମୟୀ ଚାହିଁଲା ନାହିଁ । ସଂସାରରେ ବନ୍ଧୁ ତା’ର ମୂଲ୍ୟ କ’ଣ-?

 

ଅଖିଳ ଏକା–ପିତାମାତା ଭାଇ ବନ୍ଧୁର ବନ୍ଧନ ତା’ର ନାହିଁ । ବରଂ ଭଲ ହୋଇଛି । ବନ୍ଧୁ ତା’ର ମୂଲ୍ୟ ଯଦି ଗୋଟିଏ ନୂଆପଇସା ଠାରୁ ବି କମ୍‌, ସଂସାରରେ ଏକା ରହିବା ବରଂ ଭଲ ।

 

ହାୟ ପ୍ରଭାମୟୀ ! ଚିତ୍କାର କରି ଉଠିଲା ଅଖିଳ । ତୋର ଏଇ ଆଭିଜାତ୍ୟକୁ ମୁଁ ଯଦି ଭାଙ୍ଗିପାରନ୍ତି ! ତୋ ମୁହଁରୁ ରୂପାର ଚାମୁଚଟା ମୁଁ ଯଦି ଛଡ଼ାଇ ଆଣିପାରନ୍ତି । ହାୟ ହାୟ, ନିଷ୍ଫଳ ଭାବନା । ଲକ୍ଷପତି କଣ୍ଟ୍ରାକ୍ଟର ଆଉ ସର୍ବହରା ଅଖିଳ । ଆକାଶ ପାତାଳ ପ୍ରଭେଦ ।

 

ସେ ପଛକୁ ଚାହିଁଲା । ବହୁତ ଲୋକ ରାଣୀହାଟ ପୋଲ ପାଖକୁ ଧାଇଁଛନ୍ତି । ମୋଟର ଏକ୍‌ସିଡ଼େଣ୍ଟ୍‌ । ସେ ବି ଧାଇଁଲା ।

 

ଆରେ ! ଏଇ ଯାଇଥିବା ଚକଚକିଆ ମୋଟରଟା ତ ରାଣୀହାଟ ପୋଲରେ ଧକ୍କା ଲାଗିଯାଇଛି–ତା’ରି ଭିତରେ ଥିଲା ପ୍ରଭାମୟୀ ।

 

 

ଲୋକ ଭିଡ଼କୁ ଅତିକ୍ରମ କରି ସେ ଧାଇଁଗଲା । କଣ୍ଟ୍ରାକ୍ଟର ବାବୁ ସଂଜ୍ଞାହୀନ ହୋଇ ପଡ଼ିଛନ୍ତି । ମୋଟରର ସାମନା କାଚ ଭାଙ୍ଗି ଚୂରମାର ହୋଇଯାଇଛି । ସେଇ ଭଙ୍ଗା କାଚ କେଇଖଣ୍ଡ ଲାଗି ପ୍ରଭାମୟୀର କପାଳରୁ ରକ୍ତ ବହୁଛି ।

 

ଅଖିଳ ଭିଡ଼ ଠେଲି ମୋଟର ପାଖକୁ ଆଗେଇ ଗଲା ।

 

-ଏମିତି ଦୁର୍ଯ୍ୟୋଗ !

 

ଅଖିଳ କଣ୍ଠରୁ ଏତକ ଶୁଣି ପ୍ରଭାମୟୀ ଚାହିଁଲା । ପୋଲିସ୍‌ ‘ହଟୋ ହଟୋ’ କହି ଲୋକଙ୍କୁ ଦୂରକୁ ଘଉଡ଼ାଇଛି । ପ୍ରଭାମୟୀ ଚାହୁଁଛି ସାହାଯ୍ୟ–ହସ୍ପିଟାଲ ଯିବାର ପଥ ଖୋଜୁଛି ସେ-

 

ସହୂର ଆଡ଼କୁ ଆଉ ଗୋଟିଏ ମୋଟର ଆସି ଠିଆ ହୋଇଗଲା ସେଇଠି । ସୁନା ଫ୍ରେମ୍‌ଦିଆ ଚଷମା ପିନ୍ଧା ବାବୁ ଜଣେ ତା’ ଭିତରୁ ଓହ୍ଲେଇପଡ଼ି ପଚାରିଲେ–କ’ଣ ହେଇଛି ?

 

ଅଖିଳ ଚିହ୍ନିପାରିଲେ ଏଇ ବାବୁଙ୍କୁ–ସୁରେନ୍ଦ୍ର । ସେ ମଧ୍ୟ ତା’ରି ସହପାଠୀ, ବର୍ତ୍ତମାନ ଡେପୁଟୀ ମାଜିଷ୍ଟ୍ରେଟ୍‌ । ପ୍ରଭାମୟୀ ପାଖକୁ ଆସି ସେ କହିଲେ–ହଲୋ ପ୍ରଭା !

 

–ଆରେ ସୁରେନ୍ଦ୍ରବାବୁ ଯେ ! ଏମିତିକା ଦୁର୍ଯ୍ୟୋଗରେ ଆମେ ପଡ଼ିଚୁ । ଆପଣଙ୍କ କାର୍‌ରେ ଆମକୁ ଟିକିଲ ହସ୍ପିଟାଲ୍‌ ନେଇ ଚାଲନ୍ତୁ ।

 

ଓ, ସିଓର୍‌, ସିଓର୍‌, କହି ସୁରେନ୍ଦ୍ର ଏକ୍‌ସିଡ଼େଣ୍ଟ ହୋଇଥିବା କାର୍‌ର କବାଟ ଖୋଲିଲେ ।

 

ପୋଲିସ୍‌ ଲାଠି ଉଞ୍ଚେଇ ଲୋକଙ୍କୁ ଦୂରକୁ ତଡ଼ୁଛି । ଅଖି, ନିର୍ନିମେଷ ନୟନରେ ଚାହିଁ ରହିଛି ପ୍ରଭାମୟୀର ମୂର୍ଚ୍ଛାହତ ସ୍ୱାମୀଙ୍କ ଆଡ଼େ । ପୋଲିସ୍‌ର ଲାଠି ବସିଗଲା ତା’ କାନ୍ଧରେ–ହଟୋ ହଟୋ ।

 

ଡେପୁଟୀ ମାଜିଷ୍ଟ୍ରେଟ ସୁରେନ୍ଦ୍ର ଆହତ ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲ୍‌ ଆଡ଼େ ଚାଲିଗଲା । ଭାଙ୍ଗିଯାଇଥିବା କାର୍‌ ଖଣ୍ଡିକ ପୋଲିସ୍‌ର ଦାୟିତ୍ୱରେ ରହିଲା ।

 

ଅଖିଳ ପେଟର କ୍ଷୁଧା ଦ୍ୱିଗୁଣିତ ହେଇଗଲା । ଖାଦ୍ୟ ନପାଇଲେ ଏଇ ମୁହୂର୍ତ୍ତରେ ସେ ହୁଏତ ମରିଯିବ । ଆସାନ୍‌ସୋଲ୍‌ ଟ୍ରେନ୍‌ ଚାଲିଯାଇ ନଥିବ । ଟ୍ରେନ୍‌ରେ ମାଗି ମାଗି ଖୋର୍ଦ୍ଧା ପର୍ଯ୍ୟନ୍ତ ଗଜଲେ ଏ ଓଳିର ଖାଦ୍ୟଟା ଯଦି ଯୋଗାଡ଼ ହେଇଯାଏ... ଲଜ୍ଜା କ’ଣ ? ଏଇ ଲଜ୍ଜାକୁ ଜଗି ବସିଲେ ମରଣ ଯେ’ ଅବଶ୍ୟମ୍ଭାବୀ । ଇଂରେଜୀ ପଢ଼ୁଆ ବାବୁମାନଙ୍କୁ ଇଂରେଜୀରେ ନିଜର ଦୁର୍ଦ୍ଦଶା ଜଣାଇଲେ ସେମାନେ ହୁଏତ ଦୟା ବହିବେ ।

 

ସେ ପୁଣି ଷ୍ଟେସନ୍‌ ଆଡ଼େ ପାଦ ବଢ଼େଇଲା । ଶକ୍ତି କୁଳଉ ନାହିଁ ଆଉ । ଏ ଯେଉଁ ଖରା ଆଉ ଝାଞ୍ଜି–ସେଥିରେ ସେ ଉପବାସୀ, ଦେହ ଥରୁଛି, ଗୋଡ଼ ଟଳୁଛି ।

 

ଷ୍ଟେସନ ମୋଡ଼ ଉପରେ ଆସି ସେ ପହଞ୍ଚିଗଲାଣି । ଅନ୍ଧଟିଏ ଖଞ୍ଜଣି ବଜେଇ ଗୀତ ଗାଉଛି । ଯାଉଥିବା ଲୋକେ ପାଞ୍ଚପଇସିଟେ ବା ଦଶପଇସିଟେ ତା’ ହାତରେ ଦେଇ ଯାଉଛନ୍ତି । ଏହି ଅନ୍ଧଟିକୁ ସେ ଆଠବର୍ଷ ହେଲା ଏମିତି ଭାବରେ ଦେଖି ଆସୁଛି । ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଇଠି ଖଞ୍ଜଣି ବଜେଇ ସେ ତା’ର ଜୀବିକା ନିର୍ବାହ କରିପାରୁଛି । ଭିକ୍ଷା ବେଶ୍‌ ଲାଭଜନକ ବ୍ୟବସାୟ ।

 

–ବାବୁ, ଭୋକ ଲାଗୁଛି, କିଛି ପଇସା ଦିଅ, ଗଣ୍ଡେ ଖାଇବି ।

 

ଅଖିଳ ଚାହିଁଲା । ତା’ରି ପାଖରେ ହାତ ପାତି ଠିଆହେଇଚି ଦଶ ଏଗାର ବର୍ଷର ପିଲାଟିଏ । ଦେହରେ ବୋଝେ ମଳି–ଆଖିପତା ଦି’ଇଞ୍ଚ ଗଭୀରକୁ ପଶିଯାଇଛି ।

 

–ଦିଅ ବାବୁ, ଦି’ଦିନ ହେଲା କିଛି ଖାଇନି । ଧରମ ହବ !

 

ଅଖିଳର ଆତ୍ମା କାନ୍ଦି ଉଠିଲା । ଧର୍ମ ଅଧର୍ମ କ’ଣ ବୁଝିଚି ଏ’ ପିଲାଟା ।

 

–ମୋତେ ଦେଲେ କ’ଣ ତମର ସରିଯିବ ?

 

ଅଖିଳ ଭଲ କରି ଚାହିଁଲା ସେ ପିଲାଟାର ମୁହଁକୁ । କି ଉତ୍ତର ସେ ଦେବ ଏଇ ଭିକ୍ଷୁ ପିଲାଟିକି ? ଯାହାକିଛି ଉତ୍ତର ଦେଲେ ମଧ୍ୟ ସେ’ କ’ଣ ବିଶ୍ୱାସ କରିବ ?

 

ପିଲାଟି ତା’ ପେଟରେ ଚାପଡ଼ା ମାରି ପେଟ ଦେଖାଉଛି ।

 

ଅଖିଳ ପଚାରିଦେଲା–ଭିକ ମାଗୁଛୁ କାହିଁକିରେ ପିଲା ?

 

–କ’ଣ କରିବି ବାବୁ, ଘରେ କେହି ନାହାନ୍ତି । ଖାଇବି କ’ଣ ?

 

–ତୋର ଘର ଅଛି ?

 

–କୁଡ଼ିଆଟିଏ ଅଛି ବାବୁ ।

 

ଅଖିଳ ଭାବୁଥିଲା, ତେବେ ତା’ ଅବସ୍ଥା ସହିତ ଏଇ ଭିକ୍ଷୁକ ପିଲାଟିର ଅବସ୍ଥା ସମାନ । ସେ କହିଲା–ଗାଡ଼ିରେ ଭିକ ମାଗୁନୁ ?

 

–ବାବୁ, ଗାଡ଼ିରେ ଭିକ ନଦେବାପାଇଁ ରେଲ୍‌ ସରକାର ଲେଖି ଦେଇଚି । ଗାଡ଼ିରେ ଆଉ କେହି ଭିକ ଦଉନାହାନ୍ତି । ମୁଁ ଗୀତଗାଇ ଜାଣେନା ବାବୁ, ଜାଣିଥିଲେ ଗାଡ଼ିରେ ଗୀତ ଗାଆନ୍ତି-। ଗୀତ ଗାଇବା ଲୋକକୁ ଭିକ ମିଳୁଚି ।

 

ସର୍ବନାଶ ! ଅଖିଳ କ’ଣ କହି ଭିକ ମାଗିବ ?

 

–ଦିଅ ବାବୁ ଦଶ ପଇସିଟେ ! ଭିକାରୀ ପିଲାର ଅଝଟ ।

 

–ମୋ ପାଖରେ ପଇସା ନାହିଁ ରେ ! ତୁ ଯା’ ଅନ୍ୟ କେଉଁଠି ମାଗିବୁ ।

 

–ମିଛ କହୁଚି ବାବୁ !

 

–ନା । ଖାଇବାକୁ ଯଦି ନ ପାଉଛୁ, ରେଲ୍‌ ଲାଇନ୍‌ରେ ଯାଇ ଶୋଇଯା’ ।

 

–ତମେ ଅଦିଆଟାଏ ।

 

ଭିକ୍ଷୁ ପିଲାଟି ଅଖିଳ ପାଖରେ ଆଉ ସମୟ ନଷ୍ଟ ନ କରି ଅନ୍ୟ ଜଣକ ପାଖରେ ଯାଇ ହାତ ପତେଇଲା ।

 

ଅଖିଳ ତା’ ପାଦର ଗତିକୁ ଆହୁରି ବଢ଼େଇ ଦେଲା । ଯେମିତି ହେଉ ତା’କୁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ ।

 

ତା’କୁ ବାନ୍ତି ଲାଗୁଛି–ପେଟ ଅସମ୍ଭବ ମୋଡ଼ୁଛି । ରାସ୍ତା କଡ଼କୁ ଯାଇ ବାନ୍ତି କରି କରି ସେ ବେହାଲ୍‌ ହୋଇପଡ଼ିଲା । ଦେହରେ ଆଉ ଉଠିବାକୁ ବଳ ନାହିଁ । ତଥାପି ତା’କୁ ଉଠିବାକୁ ହେବ । ଆସାନ୍‌ସୋଲ ଗାଡ଼ି ହିଁ ତା’ର ଏକମାତ୍ର ଆଶା ଭରସା ।

 

ସେ ଉଠିଲା । ନା, କ୍ଷୁଧାର ତୀବ୍ର ଦାଉ ସେ ସମ୍ଭାଳି ପାରିବ ନାହିଁ । ଦୁର୍ବଳ ପାଦ ଯୋଡ଼ିକୁ ଘୋଷାରି ଘୋଷାରି ସେ ଆଗେଇଗଲା । ପ୍ଲାଟଫର୍ମରେ ଖୁବ୍‌ ବେଶୀ ଲୋକ ଗହଳି ନାହିଁ-। ତା’ର ପାଖ ଦେଇ ଯୁବକ ଆଉ ଯୁବତୀଟିଏ ମନ ଖୁସିରେ ଚାଲିଗଲେ । ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ସେମାନେ ଦେଖୁଛନ୍ତି । କେଡ଼େ ଲୋଭନୀୟ ସତେ ଏଇ ବୟସଟା । ହେଲେ....

 

ସେଇ ବୟସ ଥାଇ ବି ଅଖିଳ ଆଜି ନିଃସ୍ୱ । ସେ ଯାଇ ଗୋଟାଏ ବେଞ୍ଚ ଉପରେ ବସି ପଡ଼ିଲା । ଆସାନ୍‌ସୋଲ୍‌ ଗାଡ଼ି ପାଇଁ ତା’ର ଅପେକ୍ଷା ।

 

ଘଣ୍ଟାଏ ବିତିଯିବାକୁ ବସିଲା । ଗାଡ଼ି କାହିଁ ? ତା’ କପାଳକୁ ଆଜି କ’ଣ ଗାଡ଼ି ଆସିବ ନାହିଁ ? ପାଖରେ ବସିଥିବା ଆଉ ଜଣେ ଲୋକକୁ ସେ ପଚାରିଲା । ଲୋକଟି ଜବାବ ଦେଲା–ନିର୍ଗୁଣ୍ଡି ଷ୍ଟେସନ୍‌ରେ ଗୋଟିଏ ମାଲଗାଡ଼ି ଦୁର୍ଘଟଣା ହେଇଛି । ସେଥିପାଇଁ ଆସାନ୍‌ସୋଲ୍‌ ଗାଡ଼ି ଛ’ ଘଣ୍ଟା ଡେରିରେ ଆସିବ ।

 

ଦୁର୍ଭାଗ୍ୟ ! ଅଖିଳ କ’ଣ ଏଇ ଛ’ ଘଣ୍ଟା ରହିପାରିବ ?

 

ଆଖିକୋଣରେ ତା’ର ଲୁହ । କେଡ଼େ ଅସହାୟ ସେ । ଅତ୍ୟନ୍ତ ନିରାଶାରେ ସେ ଭାଙ୍ଗି ପଡ଼ିଲା । ବେଞ୍ଚ ଉପରୁ ଢଳି ପଡ଼ିଲା ତଳକୁ । ତା’ର ଶିକ୍ଷା ମାଲଗାଡ଼ିର ନିର୍ମମ ଚକତଳେ ଯେମିତି ପେଷି ହେଇଯାଉଥିଲା । ଚତୁର୍ଦ୍ଦିଗ ତାକୁ ଦିଶୁଥିଲା ଅନ୍ଧକାରମୟ ।

 

-ମୁଁ ମରିବାକୁ ଚାହେଁ–ମୁଁ ମରିବି ।

 

ବେଞ୍ଚ ଉପରେ ବସିଥିବା ଲୋକ ଜଣକ ଅଖିଳକୁ ପାଗଳ ବୋଲି ଭାବି ବେଞ୍ଚ ଊପରୁ ଉଠି ଅନ୍ୟତ୍ର ଚାଲିଗଲେ । କଟକ ଷ୍ଟେସନର ମୁଖରିତ ପ୍ଲାଟଫର୍ମର ଗୋଟିଏ ଅପେକ୍ଷାକୃତ ନିର୍ଜନ କୋଣରେ ପଡ଼ିରହିଲା ଅଖିଳ–ତା’ ଜୀବନରେ ଆଉ ଆସାନ୍‌ସୋଲ୍‌ ଟ୍ରେନ୍ ଆସିବ କି ନାହିଁ ତା’ କିଏ ଜାଣେ ?

Image

 

ଅପରାଧୀ

 

ଦେବବ୍ରତ କିରାଣି–ଦୁଇଶହ ଟଙ୍କା ତା’ର ମାସିକ ଆୟ । ଘରେ ସ୍ତ୍ରୀ ଏବଂ ତିନୋଟି ସନ୍ତାନ । ମାସକର ଫର୍ଦ୍ଦ ତୁଳନାରେ ଏଇ ଟଙ୍କା କିଛି ନୁହେଁ । ଆୟ ଯାହା କିଛି ହେଉ ପଛେ, କିରାଣି ସବୁଦିନେ କିରାଣି । ତା’ରି କ୍ଷୁଧିତ ଅନ୍ତର ଭିତରେ ଜଳିଉଠେ ଅସନ୍ତୋଷର ଅଗ୍ନି । ସବୁ ଯୁଗରେ–ସବୁ କାଳରେ ଚିତ୍କାର କରିଉଠିଛି ତା’ର ଆତ୍ମା–ସେ ବଞ୍ଚିବାକୁ ଚାହେଁ ମଣିଷ ପରି ।

 

ଶୁଣିଚି କିଏ ? ତା’ର ଏହି ଜଠର ନିଆଁର ନିର୍ବାପନ ଲାଗି ତା’କୁ ସହାନୁଭୂତି ଜଣେଇଚି କିଏ ? ଧନୀ ଆଉ ନିର୍ଦ୍ଧନର ଏଇ ବିରାଟ ବ୍ୟବଧାନ ଅତୀତରେ ଥିଲା, ବର୍ତ୍ତମାନ ମଧ୍ୟ ଅଛି ।

 

ପ୍ରକୃତିର ସବୁଜିମା–ପୃଥିବୀର ବିଳାସ କେନ୍ଦ୍ରଠୁ ବହୁ ଦୂରରେ ସେ, ବଞ୍ଚି ମଧ୍ୟ ଯେମିତି ମରିଯାଇଛି । ଅଭାବର ଅଭିଯୋଜ ନିତି ଶୁଣି ଶୁଣି ସେ କାଠ ପାଲଟି ଯାଇଛି ।

 

ବୈଶାଖର ମଧ୍ୟାହ୍ନ । ସକାଳ କଚେରି ସାରି ଦିନ ଦି’ଟାରେ ଫେରି ଏଣୁତେଣୁ ଗଣ୍ଡେ ଖାଇଦେଇ ଦେବବ୍ରତ ଖବରକାଗଜର ପୃଷ୍ଠା ଓଲଟାଉଚି–ମନ ଘୂରିବୁଲୁଚି ଏଣେତେଣେ । ସ୍ତ୍ରୀ ସୁନନ୍ଦାର ମୁହଁରେ ହସ ନାଇଁ । ପୁଅର ପେଣ୍ଟ୍‌ ଚିରିଗଲାଣି, ଝିଅର ଫ୍ରକ୍‌ ଦରକାର ।

 

ସୁନନ୍ଦା ଆସି ଠିଆହେଲା ପାଖରେ–କ’ଣ ବୁଝିଲ ?

 

ବିଷଣ୍ଣ ମୁହଁରେ ଚାହିଁଲା ଦେବବ୍ରତ–ଆଖିତଳୁ ଝରି ପଡ଼ୁଥିଲା ଯେମିତି ଏକ ସକରୁଣ ବେଦନା–ସେ ଅପରାଧୀ ।

 

ସୁନନ୍ଦା ପୁଣି କହିଲା–ବେଳହୁଁ ୟା’ର ପ୍ରତିକାର ନ କଲେ ପଛକୁ ବିପଦ । କଥାଟା ଯେତେବେଳେ ପ୍ରଘଟ ହୋଇଯିବ, ସେତେବେଳେ ଆଉ କିଛି କରିବାକୁ ନ ଥିବ–ପୋଲିସ୍‌ ଲୋକଙ୍କ ଧୂର୍ତ୍ତ ଆଖି ସବୁବେଳେ ପଡ଼ିବ ଆମ ଉପରେ । ଡାକ୍ତରଙ୍କଠୁ କିଛି ବୁଝିଲ ?

 

ଦେବବ୍ରତ ମନେମନେ ଭାବୁଥିଲା ଆକାଶରୁ ପାତାଳ ପର୍ଯ୍ୟନ୍ତ । ଆଖି ସଜଳ-ଆର୍ତ୍ତ ।

 

ସେ କହିଲା–ହଁ, ମୁଁ ବୁଝିଥିଲି ସୁନ, କିନ୍ତୁ....

 

-କିନ୍ତୁ, କ’ଣ ହେଲା କୁହ । ଉତ୍‌କଣ୍ଠିତ ହୋଇ କହିଲା ସୁନନ୍ଦା ।

 

ଡାକ୍ତରଙ୍କ ଦାବି ପାଞ୍ଚଶହ ଟଙ୍କା । ସମ୍ୱଳ କାହିଁ ଆମର ?

 

ସୁନନ୍ଦାର ମନ ମରୁରେ ହଠାତ୍‌ ଦେଖାଦେଲା ଜ୍ୟେଷ୍ଠ ମାସର ଧୂଳିଝଡ଼ । ତା’ ଦେହରେ ଯେତିକି ଅଳଙ୍କାର ଅଛି, ତା’ର ମୂଲ୍ୟ ତ ଦୁଇଶହ ଟଙ୍କାରୁ ବେଶୀ ନୁହେଁ । ଉଦ୍ଧାର ପାଇବାର ଉପାୟ ?

 

ଉପାୟ ଖୋଜୁଥିଲେ ସ୍ୱାମୀ ଆଉ ସ୍ତ୍ରୀ । ପୁଅ ନନ୍ଦନ ଆସି ଅଳି କଲା ଆଠଅଣା ପଇସାଦେଲେ ସେ ଯାଇ ପାଖ ଦୋକାନରୁ ବଲଟିଏ କିଣି ଆଣିବ । ପାଖ ଘରେ ଥିବା ମାଜିଷ୍ଟ୍ରେଟ୍‌ ହେମବାବୁଙ୍କ ପୁଅ ବଲ୍‌ ନେଇ ଖେଳୁଛି । ପିଲାଲୋକ ନନ୍ଦନ–ସେ ବି ଚାହେଁ ବଲ୍‌ନେଇ ଖେଳିବ, ନାଚିବ, କୁଦିବ ।

 

ପହିଲା ରହିଲା ଆଉ ଦି’ଦିନ । ଚାଉଳ ପରିବା ଧାରରେ ଆସୁଛି–ଦରମା ପାଇଲେ ସୁଝାଯିବ । ସବୁଯାକ ସୁଟ୍‌କେଶ୍‌ ଟ୍ରଙ୍କ୍‌ ଅଣ୍ଡାଳିଲେ ଆଠଅଣା ପଇସା ହୁଏତ ମିଳିପାରେ । ସେତକ ସମ୍ୱଳ ବେରାମ-ଆରାମ ପାଇଁ–ଚାରିପାନ ହୋମିଓପାଥିକ ଔଷଧର ଦାମ୍‌ ।

 

ଦେବବ୍ରତ କହିଲା–ହଉ ହଉ, ମୁଁ ସଞ୍ଜକୁ ଗଲେ କିଣିଦେବି ।

 

ନନ୍ଦନ କିନ୍ତୁ ଛାଡ଼ିବା ପିଲା ନୁହେଁ । ପାଟି ଲଗେଇ ସ୍ୱାଭାବିକ ପିଲାଳିଆ କଣ୍ଠରେ ସେ କହିଲା–ହଁ, ତମେ ଛିମିତି କହିକିନି ଦିଅ ନାହିଁ । ମୁଁ କିନିବି । ତା’ପରେ ଝୁଙ୍କରୋଦନ, ଶିଶୁର ଅମୋଘ ଅସ୍ତ୍ର ।

 

ଅଗତ୍ୟା ସୁନନ୍ଦା ଯାଇ ଟ୍ରଙ୍କ୍‌ ଅଣ୍ଡାଳି ଆଠଅଣା ପଇସା ଆଣି ତା’ ହାତରେ ଧରେଇ ଦେଲା । ସେ ଚାଲିଗଲା ପାଖ ଦୋକାନକୁ ନାଚି ନାଚି । ଶିଶୁ ମନର ସେ ଆନନ୍ଦରେ ବାପ ମା କ’ଣ ହସି ପାରିଲେ ?

 

ଦେବବ୍ରତ କହିଲା–ସୁନ, ଏ କଟକଣା ଭିତରେ ଆମର ବାହାହବା ଉଚିତ ନଥିଲା । ସୁନନ୍ଦାର ଚିନ୍ତାଧାରା ଥିଲା ଭିନ୍ନ । ବିବାହର ପଞ୍ଚମ ବର୍ଷରେ ଉଚିତ ଅନୁଚିତର ପ୍ରଶ୍ନ ମୋଟେ ଉଠୁନାହିଁ । ଆଖି ସାମନାରେ ବର୍ତ୍ତମାନ ଏକମାତ୍ର ପ୍ରଶ୍ନ–ଉଦ୍ଧାର ପାଇବାର ଉପାୟ ?

 

ଅନ୍ଧକାରମୟ ଭବିଷ୍ୟତ କଦର୍ଯ୍ୟ ଅବୟବ ବେଶ୍‌ ସ୍ପଷ୍ଟ ହୋଇ ଦିଶୁଥିଲା ସେମାନଙ୍କ ଆଗରେ । ସୂର୍ଯ୍ୟ ନଇଁ ଆସୁଥିଲା–ବାତାୟନ ଦେଇ ଘର ଭିତରକୁ ଝରି ପଡ଼ିଥିଲା ଚେନାଏ ଅସ୍ତସୂର୍ଯ୍ୟର ରଶ୍ମି । ଦକ୍ଷିଣା ପବନର ମୃଦୁ ସ୍ପର୍ଶ ବେଳେବେଳେ ସିଞ୍ଚି ଦେଇ ଯାଉଥିଲା ଅପରୂପ ରସ । ହେଲେ ସେ ରସ ଆଜି ତା’ର ସମସ୍ତ ସମ୍ମୋହିନୀ ଶକ୍ତି ହରାଇ ବସିଚି ଯେମିତି ।

 

ସୁନନ୍ଦାର ଅବୟବରେ ବେଶ୍‌ ଫୁଟି ଦିଶୁଚି ଆଉ ଏକ ଶିଶୁର ପ୍ରତିଚ୍ଛବି । ସ୍ପଷ୍ଟ ଶୁଭୁଚି ଆଗାମୀ କେଉଁ ଅଶୁଭ ସକାଳର ନବାଗତ ଏକ ସନ୍ତାନର ପ୍ରଥମ କଳରବ ।

 

ଜେଲ୍‌ଖାନାର ଫାଟକ ପାଖରେ ଯାଇ ଅଟକି ଯାଇଚି ଭାବନା ।

 

ଦେବବ୍ରତ ଆଖି ବୁଜିଲା ।

 

ଚତୁର୍ଦ୍ଦିଗ ଅନ୍ଧକାର । ସବୁବେଳେ ସେ ଅନ୍ୟମନସ୍କ । ମୁଣ୍ଡରେ ତା’ର ବିଛାର ଦଂଶନ । ସୁନନ୍ଦା ଆଜି ତୃତୀୟ ସନ୍ତାନର ଜନନୀ ହେବାକୁ ଯାଉଛି । ଡାକ୍ତର ଚାହୁଁଛି–ପାଞ୍ଚଶ ଟଙ୍କା ପାଇଲେ ତାକୁ ଏ ଗୁରୁ ଅପରାଧରୁ ମୁକ୍ତ କରିଦିଅନ୍ତା ।

 

କିନ୍ତୁ ଦେବବ୍ରତ କିଏ ଆଉ ପାଞ୍ଚଶ ଟଙ୍କା କିଏ ? ମୁହଁରେ ତା’ର ପାଗଳର ହସ । ଇତିହାସରେ ସେ ପଢ଼ିଚି ତା’ରି ପୂର୍ବପୁରୁଷମାନେ ପନ୍ଦର କୋଡ଼ିଏଟି ସନ୍ତାନର ଜନକ ହେଉଥିଲେ-। ପୁରାଣରେ ତ ଶହ ଶହ ହଜାର ହଜାର ସନ୍ତାନ-ଜନ୍ମର ଦୃଷ୍ଟାନ୍ତ ରହିଛି ।

 

ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା–ବିବାହର ଲକ୍ଷ୍ୟ ଥିଲା ପୁତ୍ର ଉତ୍ପାଦନ । ସେତେବେଳେ ଏ ସବୁ କଟକଣା ନଥିଲା । ସେ ଆଜି ତୃତୀୟ ସନ୍ତାନର ପିତା ହେବାକୁ ଯାଉଛି । କିନ୍ତୁ ସେ କ’ଣ ଏଥିପାଇଁ ଦୋଷୀ ?

 

ତା’ର ଆଦିମ ପ୍ରବୃତ୍ତିକୁ ଉତ୍ତରାଧିକାର ସୂତ୍ରେ ସେ ପାଇଛି । ତା’ର ଅପରାଧ କ’ଣ ? ଯୌନ କାମନା ଯଦି ନଥାନ୍ତା....

 

ଠକ୍ ଠକ୍‌ ଠକ୍‌.....

 

ଦେବବ୍ରତ ଚାହିଁଲା ବନ୍ଦ ଥିବା ଦାଣ୍ଡଦୁଆରକୁ ।

 

ପୋଲିସ୍‌ ! ଆଃ ! ପୁଣି ତା’ର ମୁଣ୍ଡ ଗୋଳମାଳ ହୋଇଗଲା । ଚତୁର ପୋଲିସ୍‌ର ରଙ୍ଗ ଆଖି ତା’ ଉପରେ ଫୋକ୍‌ସ ହେଲାଣି । ରକ୍ଷା ନାହିଁ ଆଉ ।

 

କବାଟ ଖୋଲ–ଦୁଆରୁ ଶୁଭିଲା ।

 

ନା, ସେ କବାଟ ଖୋଲିବ ନାହିଁ ।

 

–ସୁନନ୍ଦା, ସୁନନ୍ଦା, ତୁମେ ଆତ୍ମହତ୍ୟା କର । ସମସ୍ତ ପରିବାରର ମଙ୍ଗଳପାଇଁ ତମେ ଫେରାର ହୁଅ ।

 

କବାଟରେ ଧକ୍କା ପରେ ଧକ୍କା.....

 

–ଖୋଲ, ଜଲଦି ଖୋଲ ବାବୁ !

 

ବାବୁ ? ବାବୁ ? ଦେବବ୍ରତ ?

 

ଯା’ହଉ ପୋଲିସ୍‌ର ଏଇ ସହାନୁଭୂତିଶୀଳ ଡାକ ପାଖରେ ଦବିଗଲା ତା’ର ମନ । ସେ କବାଟ ଖୋଲିଦେଲା । ତିନିଜଣ ପୋଲିସ କନ୍‌ଷ୍ଟେବଲ ପଶି ଆସିଲେ ଭିତରକୁ । ଦେହ ଥରୁଚି ଦେବବ୍ରତର–ପାଟି ଶୁଖିଯାଉଚି । ମୁଣ୍ଡରୁ ବହିଯାଉଚି ଗମ୍‌ଗମ୍‌ ଝାଳ । ସେ ଧରା ପଡ଼ିଯାଇଚି ।

 

–ଆପଣଙ୍କ ସ୍ତ୍ରୀଙ୍କୁ ବର୍ତ୍ତମାନ ଆମ ସହିତ ଡାକ୍ତରଖାନା ଯିବାକୁ ପଡ଼ିବ ।

 

ଦେବବ୍ରତ ନିର୍ବାକ୍‌ ।

 

–ଡେରି କରି ଲାଭ ନାହିଁ । ବାହାରିବାକୁ କୁହନ୍ତୁ–ଓ୍ୟାରେଣ୍ଟ୍‍ ଅଛି ଆମ ହାତରେ । ଓ୍ୟାରେଣ୍ଟ୍‍ ?

 

ସର୍ବନାଶ ! ପୋଲିସ୍‌ ଆଇନର ବୋଲକରା । ସେ ବା’ ଛାଡ଼ିବ କେମିତି ?

 

ଦେବବ୍ରତ ଆଉ ସୁନନ୍ଦା ବାଧ୍ୟ ହୋଇ ଡାକ୍ତରଖାନା ଗଲେ ।

 

ଡାକ୍ତର ରିପୋର୍ଟ ଦେଲେ–ସୁନନ୍ଦା ଗର୍ଭବତୀ–ପାଞ୍ଚମାସ । ଗର୍ଭସ୍ଥ ସନ୍ତାନ ଯେମିତି ନଷ୍ଟ ନ ହୁଏ ଡାକ୍ତର ସେଥିପାଇଁ ତାଗିଦ୍‌ କରିଦେଲେ ।

 

ହସ ମରିଯାଇଚି ମୁହଁରୁ–ପାଞ୍ଚମାସ ପରେ ସେ ହୁଏତ ହେବ ଅଭିଯୁକ୍ତ ଆସାମୀ ।

 

ଦୁଶ୍ଚିନ୍ତାର ଘୂର୍ଣ୍ଣି ଭିତରେ ବିତିଗଲା ପାଞ୍ଚମାସ । ଦେବବ୍ରତ ହେଲା ନୂତନ ଏକା ପୁତ୍ରର ଜନକ । ହସ୍ପିଟାଲ୍‌ର ମୁଖର ଓ୍ୟାର୍ଡ଼ରେ ନବଜାତ ଏକ ଶିଶୁ ତା’ର ପ୍ରଥମ କ୍ରନ୍ଦନରୋଳ ଶୁଣାଇଦେଲା ଜଗତକୁ ।

 

ଏକମାସ ପରର କଥା । ଦେବବ୍ରତ ଠିଆ ହେଇଚି ଡକ୍ ଭିତରେ ଆସାମୀ ହୋଇ । ବିଚାର ସରିଯାଇଚି ତା’ର । ଖାଲି ରାୟ ହେବ । ବୃଦ୍ଧ ମାଜିଷ୍ଟ୍ରେଟ୍‌ ସୁନା ଫ୍ରେମ୍‌ର ପ୍ରଚକ୍ଷୁ ଟେକି ବାରମ୍ୱାର ଚାହୁଁଛନ୍ତି ତାହାରିଆଡ଼େ ।

 

ଶେଷ ପ୍ରଶ୍ନ–ଏଇ ସନ୍ତାନ ଆପଣଙ୍କର ତ ?

 

ଆଉ କାହାର ସନ୍ତାନ ସେ ହେଇପାରନ୍ତା ?

 

ଏଇ ତ ଠିକ୍ ତାହାରି ପରି ନାକ, ତାହାରି ପରି ଆଖି, ମୁହଁ କାନ ସବୁ କିଛି ।

 

ଦୃଢ଼ଭାବରେ ଦେବବ୍ରତ ଜବାବ୍‌ ଦେଲା–ହଁ ସାର୍‌, ସେ ସନ୍ତାନ ମୋର ।

 

-ଆଇନ ଅନୁଯାୟୀ ଆପଣ ଦୋଷୀ ।

 

ତଳକୁ ମୁହଁ ପୋତିଲା ସେ । ଅଦୂରରେ ଛିଡ଼ା ହୋଇଥିବା ସୁନନ୍ଦାର କୋଳରୁ କାନ୍ଦି ଉଠିଲା ନବଜାତ ଶିଶୁଟି । କୋର୍ଟରୁମ୍‌ ଭରପୂର । ଦେବବ୍ରତ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଆଇନ୍‌ ଭଙ୍ଗ କରିଚି । ଚାରିପାଖରେ ପୋଲିସ୍‌ ପହରା ।

 

ଡକ୍ ଭିତରେ ସେ ଭାବୁଥିଲା–ତା’ର ଏଇ ମୁହୂର୍ତ୍ତରେ ମୃତ୍ୟୁ ହୋଇଯାଆନ୍ତା କି ? ବେଶ୍‌ ଖୁସି ହୁଅନ୍ତା ସେ ମୃତ୍ୟୁର ଶୀତଳ ଚିବୁକରେ ଗାଢ଼ ଆଲିଙ୍ଗନ ଦେଇ ଶବ ପାଲଟି ଯିବାକୁ । ଖାଦ୍ୟପାନୀୟ ଅଭାବଠୁ ଆତ୍ମସଂଯମ ଆହୁରି କଷ୍ଟକର ।

 

ମାଜିଷ୍ଟ୍ରେଟ୍‌‌ ଶୁଣି କହିଲେ–ଯେଉଁମାନେ ଏପରି ଅପକର୍ମରେ ଲିପ୍ତ ହେଉଛନ୍ତି, ସେମାନେ ଦେଶଦ୍ରୋହୀ । ତାଙ୍କ ପ୍ରତି କଠିଣ ଦଣ୍ଡର ବ୍ୟବସ୍ଥା ଅଛି ।

 

ଦେବବ୍ରତର ମାନସିକ ଚିନ୍ତାରେ ଆସୁଥିଲା ପରିବର୍ତ୍ତନ–ସେ ହୁଏତ ଏଇ ମୁହୂର୍ତ୍ତରେ ଜେଲ୍‌କୁ ଚାଲିଯିବାକୁ ଚାହୁଁଚି–ସେଇଠି ମିଳିବ ତା’କୁ ଶାନ୍ତି । ବାହାର ଜଗତର ଅଶାନ୍ତ ପରିବେଶ ତା’କୁ ଛୁଇଁପାରିବ ନାହିଁ । ତା’ର ଅବନମିତ ଆଖି ଲାଖି ରହିଲା ସୁନନ୍ଦାର ମୁହଁ ଉପରେ । ଯେଉଁ ସନ୍ତାନମାନଙ୍କ ସହିତ ରକ୍ତ ମାଂସର ସମ୍ପର୍କ ତା’ର ଅଛି ସେମାନେ ସବୁ ସାମନାରେ । ହତଭାଗ୍ୟ ପିତା ସେ । ବନ୍ଧନ ଛାଡ଼ି ଚାଲିଯିବାକୁ ହେବ । ଚାଲିଯିବାକୁ ହେବ ସ୍ତ୍ରୀ ପୁତ୍ର କନ୍ୟାଙ୍କଠାରୁ ଦୂରକୁ । ଜେଲ୍‌ଖାନାର ଅନ୍ଧକାରମୟ ପ୍ରକୋଷ୍ଠ ଭିତରେ କଟିବ ହୁଏତ ଜୀବନର କେତୋଟି ବର୍ଷ । ସେ ଚିତ୍କାର କରି ଉଠିଲା–ଭାବନାର ପ୍ରଖର ଉତ୍ତାପରେ କଚାଡ଼ି ପଡ଼ିଲା ତଳେ ।

 

ମାଜିଷ୍ଟ୍ରେଟ ତାଙ୍କ ରାୟ ଶୁଣାଇଦେଲେ–ଦୁଇଟି ସନ୍ତାନଙ୍କ ଅବସ୍ଥିତିରେ ତୃତୀୟ ସନ୍ତାନର ପିତା ହୋଇଥିବାରୁ ଶ୍ରୀ ଦେବବ୍ରତ ଦାସଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା ।

 

ପ୍ରତୀକ୍ଷମାଣା ସୁନନ୍ଦାର ନୟନରୁ ଝରିପଡ଼ିଲା ଅଶ୍ରୁ ।

 

କୋର୍ଟରୁମ୍‌ରେ ଏକ କରୁଣ ପରିବେଶ ।

 

[ପରିଶିଷ୍ଟ]

 

ଏ ଘଟଣାଟି ହେଉଛି ଆଜିଠାରୁ କିଛି ବର୍ଷ ପରର କଥା । ପୃଥିବୀର ଲୋକସଂଖ୍ୟା ବଢ଼ିଯାଇଛି ଅସମ୍ଭବ ଭିତରେ । ଉତ୍ପାଦନ ଯାହା ହେଉଚି ତାହା ଏତେ ଲୋକଙ୍କର ଚାହିଦା ମେଣ୍ଟାଇ ପାରନାହିଁ । ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଗାମୀ ଏକ ପୃଥିବୀବ୍ୟାପୀ ମହାଯୁଦ୍ଧର କଳ୍ପନାକରି ଭୟଭୀତ ହୋଇ ପଡ଼ୁଛନ୍ତି । ଲୋକସଂଖ୍ୟା ଯେମିତ ବଢ଼ିଚି ଯଦି ହଠାତ୍ କମି ନ ଯାଆନ୍ତି ତେବେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ । ଉନ୍ନତ ବୈଜ୍ଞାନିକ ଉପାୟରେ ନାନାପ୍ରକାର ପଦାର୍ଥ ତିଆରି ଚାଲିଛି–ଖାଦ୍ୟ ପାନୀୟ ପରିଧେୟ । କିନ୍ତୁ ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ବିଜ୍ଞାନ କ’ଣ ଆଉ ଏକ ନୂଆ ପୃଥିବୀ ସୃଷ୍ଟି କରି ଲୋକଙ୍କୁ ସ୍ଥାନ ଦେଇପାରିବ ?

 

ପୃଥିବୀର ସମସ୍ତ ସ୍ୱାଧୀନ ରାଜ୍ୟର ସ୍ୱାର୍ଥ ବଜାୟ ରଖିବାପାଇଁ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସବୁକିଛିର ସମାଧାନ କରିବାପାଇଁ ପୃଥିବୀ ପଞ୍ଚାୟତ ଗଢ଼ାଯାଇଛି । ଆନ୍ତର୍ଜାତିକ ଆଇନ ଜାରି ହେଇଛି ଯେ କୌଣସି ଲୋକର ଦୁଇଟି ସନ୍ତାନ ଜୀବିତ ଥିଲେ, ତୃତୀୟ ସନ୍ତାନକୁ ସେ ଆଉ ଜନ୍ମ ଦେଇପାରିବ ନାହିଁ । ଏଇ ଆଇନ ଜାରି ହେବା ପୂର୍ବରୁ ଜନ୍ମ ନିରୋଧ ପାଇଁ ବହୁ ପ୍ରକାର ଔଷଧ ଉଦ୍ଭାବିତ ହୋଇଥିଲା ଓ ଅସ୍ତ୍ରୋପଚାର ଜରିଆରେ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।

 

କିନ୍ତୁ ସେ ସବୁ ଦ୍ୱାରା ସମସ୍ୟା ସମାଧାନ ହୋଇପାରିନାହିଁ । ତେଣୁ ପୃଥିବୀ ପଞ୍ଚାୟତ ଏହିପରି ଆଇନ୍‌ କରିଛନ୍ତି । ତା’ ନହେଲେ ପୃଥିବୀରେ ଗଢ଼ି ଉଠିବ ପଶୁରାଜ୍ୟ । ଖାଦ୍ୟ ଓ ବାସଗୃହ ଅନୁପାତରେ ଯେତିକି ଲୋକ ଜନ୍ମିଛନ୍ତି ସେତିକି ଆଗେ ଶାନ୍ତିରେ ରହନ୍ତୁ । ଯେଉଁମାନେ ଜନ୍ମ ହେବାର କଥା ସେମାନଙ୍କର ଏଇ ସମସ୍ୟା ବହୁଳ ପୃଥିବୀରେ ପ୍ରବେଶ ନିଷେଧ-

Image

 

ଗାଡ଼ିର ଯନ୍ତ୍ରଣା

 

ଡେପୁଟୀ ମାଜିଷ୍ଟ୍ରେଟ ଚାକିରିରୁ ଅବସର ନେବା ପରେ ଯୋଗେଶ୍ୱର ବାବୁଙ୍କୁ ସବୁଠାରୁ ଅସୁବିଧାରେ ପକାଇଲା ତାଙ୍କ ଗାଡ଼ିଟା ।

 

ଅବସର ନେବାର ସାତଦିନ ଭିତରେ ସେ ସରକାରୀ କ୍ୱାଟର୍‌ ଛାଡ଼ି ବହୁକଷ୍ଟରେ ନିଜେ ତିଆରି କରିଥିବା ପକ୍କା କାନ୍ଥ ଟାଇଲ ଛିଆ ଘରଟାକୁ ଚାଲିଆସିଲେ । ନିଜ ଆୟରୁ ନିଜେ କିଣିଥିବା ଖଟ, ଟେବୁଲ, ଚେୟାର, ପଙ୍ଖା, ଓ ଅନ୍ୟାନ୍ୟ ଆସବାବପତ୍ରଗୁଡ଼ାକୁ ସତୁରି ମଡ଼େଲର ପୁରୁଣା ଆମ୍ୱାସେଡ଼ର ଗାଡ଼ିଟାରେ ନିଜ ଘରକୁ ବୋହିଆଣିଲେ । ସ୍ତ୍ରୀ ବିନୋଦିନୀ ସେ ଦିନ ସନ୍ଧ୍ୟାରେ ଜିନିଷପତ୍ରଗୁଡ଼ାକୁ ଯଥାସ୍ଥାନରେ ରଖି ଆଶ୍ୱସ୍ତିର ନିଃଶ୍ୱାସ ମାରି କହିଲେ–ମୁଁ ସିନା ଜିଦ୍‌ କରି ଏ ଘର ଖଣ୍ଡକୁ ତିଆରି କରେଇଥିଲି ବୋଲି ଆଜି ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଇଲି । ନୋହିଲେ କ’ଣ ଯେ’ ହୋଇଥାନ୍ତା ତା’ ଈଶ୍ୱର ଜାଣନ୍ତି ।

 

କ’ଣ ଆଉ ହେଇଥାନ୍ତା ? ବଡ଼ପୁଅ ଅଧ୍ୟାପକ ଚାକିରି କରି ବାରିପଦାରେ ରହିଚି । ବଡ଼ ମଝିଆଁ ପୁଅ ପୁରୀ ଗ୍ରାମ୍ୟ ବ୍ୟାଙ୍କ୍‌ର ଅଫିସର୍‌ । ଅଗତ୍ୟା ସେମାନଙ୍କ ପାଖକୁ ଚାଲିଯାଇଥାନ୍ତେ ।

 

ସତ ଯେ ! ବିନୋଦିନୀ କହିଲେ–ଆଉ ଯେଉଁ ଦୁଇଟି ପିଲା ଏଠି ପାଠ ପଢ଼ୁଛନ୍ତି ତାଙ୍କୁ କେଉଁଠି ରଖିଥାନ୍ତ ।

 

ଯୋଗେଶ୍ୱରବାବୁ ହଠାତ୍‌ କହି ଉଠିଲେ–କାହିଁକି କିଛି ଦିନ ପାଇଁ ସେମାନଙ୍କୁ ହଷ୍ଟେଲରେ ରଖିଦେଇଥାନ୍ତେ !

 

ଦୁଇ ଛୁଆଙ୍କୁ ଦୁଇ ହଷ୍ଟେଲରେ ରଖିବା ଅର୍ଥ ମାସକୁ ଅନ୍ୟୂନ ପାଞ୍ଚଶ ଟଙ୍କା ତାଙ୍କ ପାଇଁ ଦରକାର ପଡ଼ିଥାନ୍ତା । ଚାକିରି ଯିବାପରେ ପେନ୍‌ସନ ଟଙ୍କା କେତେ ମିଳିବ ଯେ ସେଥିରୁ ଏତେ ଟଙ୍କା ଯୋଗାଇଥାନ୍ତ ?

 

ଯୋଗେଶ୍ୱରବାବୁ ହଠାତ୍‌ ସଚେତନ ହେଇଉଠିଲେ–ସତେ ତ ! ଆଉ ଚାକିରି ଅଛି ଯେ ମାସକୁ ଚଉଦଶହ ଟଙ୍କା ଘରକୁ ଆସିବ ? ପେନସନ ହୁଏତ ପାଞ୍ଚଶ ଖଣ୍ଡେ ଟଙ୍କା ମିଳିବ । ସେ ପୁଣି ଦି’ ତିନିବର୍ଷ ଦଉଡ଼ା ଦଉଡ଼ି କରିବା ପରେ । ବିନୋଦିନୀ ସେତେବେଳେ ଝଗଡ଼ା କରି ଘରଟାଏ ଯଦି ତୋଳାଇ ନଥାନ୍ତା ସତରେ ତାଙ୍କ ଅବସ୍ଥା ଆଜି କ’ଣ ହେଇଥାନ୍ତା ?

 

ଯୋଗେଶ୍ୱରବାବୁ ଏ.ଡି.ଏମ୍‌. ଥିବାବେଳେ ଗୋଟିଏ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଆମ୍ୱାସେଡ଼ର ଗାଡ଼ି ଦଶହଜାର ଟଙ୍କାକୁ କିଣି ପକାଇଥିଲେ । ସେ ଗାଡ଼ିଖଣ୍ଡକୁ ସେ ଖୁବ୍‌ ହେପାଜତ୍‌ରେ ରଖିଛନ୍ତି-। ଗାଡ଼ିର ସେବା ନିଜେ କରନ୍ତି । ସେତେବେଳେ ସରକାରୀ ଡ୍ରାଇଭର୍‌ରେ କାମ ଚଳେଇ ନେଉଥିଲେ । ଏବେ ଆଉ ସେ ସୁଯୋଗ ନାହିଁ । ହେଲେ ନିଜେ ଡ୍ରାଇଭିଂ ଜାଣିଛନ୍ତି । ଡ୍ରାଇଭର ନ ହେଲେ ଚଳିଯିବ । ମାତ୍ର ଗାଡ଼ି ଭଳି ଏକ ଧଳା ହାତୀକୁ ସେ ଏବେ ପୋଷିବେ କେମିତି-?

 

ଗାଡ଼ିକୁ ନେଇ ପ୍ରଥମ ଅସୁବିଧା ହେଲା ସେ ରହିବ କେଉଁଠି ? ତା’ ପାଇଁ ଗେରେଜ୍‌ ନାହିଁ । ସହସା ଗେରେଜ୍‌ ତିଆରିର ସମ୍ଭାବନା ମଧ୍ୟ ନାହିଁ । କିଛି ଦିନ ଘରଆଗ ଖାଲି ଜାଗାଟାରେ ଖରାବର୍ଷାରେ ତାକୁ ପଡ଼ି ରହିବାକୁ ହିଁ ପଡ଼ିବ ।

 

ଘର ବୋଲି ଯାହା ସେ ତିଆରି କରିଛନ୍ତି ସେଇଟା ଖୁବ୍‌ ଛୋଟ । ରୁମ୍‌ ବୋଲି ମାତ୍ର ତିନିଟି । ତା’ରି ଭିତରେ ଶୋଇବା, ଆସବାବପତ୍ର ରଖିବା ଓ ରୋଷେଇ କରିବାର ଗୁଜୁରାଣ ମେଣ୍ଟାଇବାକୁ ପଡ଼େ । ଘର ପଛକୁ ବରପାଲିଟିଏ ପଡ଼ିଛି ଓ ଘର ସାମନାକୁ କୂଅଟିଏ ରହିଛି ।

 

ଗାଡ଼ିକୁ ନେଇ ଦ୍ୱିତୀୟ ଅସୁବିଧା ହେଲା ତାକୁ ଚଳେଇବେ କେମିତି ? ପେଟ୍ରାଲ ଲିଟର ସାଢ଼େ ଛ’ଟଙ୍କା ପାଖାପାଖି ଧରିଲାଣି । ପ୍ରତିଦିନ ଗାଡ଼ିଟାକୁ ନ ଚଳେଇଲେ ବେଟେରି ଡାଉନ୍‌ ହବ, କଳକବ୍ଜା ଅସଜ ହେଇଯିବ । ପ୍ରତିଦିନ ଗାଡ଼ିଟାକୁ ଚଳେଇବାପାଇଁ (କାମ ଥାଉ ବା ନ ଥାଉ) ଅନ୍ତତଃ ଗୋଟାଏ ଲିଟର୍‌ ପେଟ୍ରୋଲ ତ ଲାଗିବ ହିଁ ଲାଗିବ । ମାସରେ ଖୁବ୍‌ କମ୍‌ରେ ଦି’ ତିନି ଲିଟର ମୋବିଲ୍‌ ତ ଦରକାର ପଡ଼ିବ । ହାତୀଟାଏ ପୋଷୀ ତା’ ଦାନା ନଦେଇ ପାରିଲେ ହାତୀର ଅବସ୍ଥା ଯାହା ହୁଏ ଗାଡ଼ିର ଅବସ୍ଥା ତାହାହିଁ ହେବ । ଅବସର ନବାର ଛ’ମାସ ପରେ ଯୋଗେଶ୍ୱର ବାବୁ ତାଙ୍କ ପୁଅମାନଙ୍କୁ ପାଖକୁ ଲେଖିଲେ–‘‘ମୋ ପକ୍ଷରେ ଆଉ ଗାଡ଼ିଟାକୁ ରଖି ପାରିବା ସମ୍ଭବ ନୁହେଁ । ଏ ଅନାଟନ ଯୁଗରେ ତୁମେମାନେ ବି ଯୋଉ ଦରମା ପାଉଚ, ତୁମର ପରିବାରକୁ ପୋଷି, ଗାଡ଼ିର ଦାୟିତ୍ୱ ନବା ତୁମମାନଙ୍କ ପକ୍ଷରେ ମଧ୍ୟ ଅସମ୍ଭବ । ତେଣୁ ଗାଡ଼ିଟାକୁ ବିକ୍ରି କରି ଯାହା ପଇସା ମିଳିବ ସେଥିରେ ଆଉ ବଖରେ ଦି’ବଖରା ଘର ତିଆରି କରିନେବି ବୋଲି ମୁଁ ଭାବୁଚି । ତୁମମାନଙ୍କର ମତାମତ ମୋତେ ଜଣେଇବ ।’’

 

ଦୁଇ ପୁଅଙ୍କଠୁ ସମାନ ମର୍ମରେ ଚିଠିର ଉତ୍ତର ଆସିଲା । ସେମାନେ ଲେଖିଛନ୍ତି–ବାପା, ଯୋଉ ଗାଡ଼ି ତୁମେ ଦଶହଜାର ଟଙ୍କାରେ କିଣିଥିଲ ସେ ଗାଡ଼ିର ନୂଆ ଦାମ ବର୍ତ୍ତମାନ ସତୁରି ହଜାର ଟଙ୍କା । ତୁମେ ଆମକୁ ପାଠ ପଢ଼େଇ ମଣିଷ କରିଚ । ଶାନ୍ତ ଆଉ ଦୁଲା (ସାନ ଦୁଇ ପୁଅ)ଙ୍କର ପଢ଼ା ସରିଆସିଲାଣି । ତା’ପରେ ସେମାନେ ଯୋଉଠି ହେଲେ ଚାକିରିରେ ପଶିଯିବେ । ଆମେ ଚାରିପୁଅ ମିଳି ଗାଡ଼ିଟାର ଦାୟିତ୍ୱ ନିଶ୍ଚୟ ନେଇନେବୁ । ଗୋଟିଏ ବର୍ଷ ଯେମିତି ହେଉ ଗାଡ଼ିଟାକୁ ସମ୍ଭାଳି ନିଅ ।

 

ପୁଅମାନଙ୍କ ଇଚ୍ଛା ବିରୁଦ୍ଧରେ ଅଗତ୍ୟା ଗାଡ଼ିଟାକୁ ହସ୍ତାନ୍ତର କରିବାର ପ୍ରସ୍ତାବକୁ ସ୍ଥଗିତ ରଖି ଯୋଗେଶ୍ୱରବାବୁ ମହାଅସୁବିଧାରେ ପଡ଼ିଲେ । ପୁରୁଣା ଗାଡ଼ି । ତା’ର ମରାମତି ଖର୍ଚ୍ଚ ମଧ୍ୟ ରହିଚି । ସେ ନିଜେ ଗାଡ଼ିଟାକୁ ଚଳାଉଛନ୍ତି । ହେଲେ ଲମ୍ୱା ରାସ୍ତା ଯାଉନଥିବାରୁ ବେଟେି କୋଉଦିନ ଡାଉନ୍‌ ହେଇଯାଉଛି ତ କୋଉଦିନ ମଝି ରାସ୍ତାରେ ଯାଇ ଷ୍ଟାର୍ଟ ବନ୍ଦ ହେଇଯାଉଚି । ଦୁଇ ଲିଟରରୁ ଅଧିକ ପେଟ୍ରୋଲ ଏକା ସମୟରେ ପକାଇବା ସମ୍ଭବ ହେଉନାହିଁ । ଯୋଗେଶ୍ୱରବାବୁ ଓ ବିନୋଦିନୀ ପ୍ରତିଦିନ ଗାଡ଼ିରେ ଚଢ଼ି ବଜାର ସଉଦା କରିବାକୁ ଯାଆନ୍ତି । ଗାଡ଼ି ପାର୍କିଂରେ ଗାଡ଼ି ରଖି ମାର୍କେଟକୁ ଯାଆନ୍ତି । ଫେରିଆସି ଦେଖନ୍ତି ଜାଗାଟି ଗାଡ଼ିରେ ଭର୍ତ୍ତି ହେଇ ଯାଇଥାଏ ।

 

ଦିନ ଯୋଗେଶ୍ୱରବାବୁ ଭାବିଲେ–ସହରରେ ଏତେ ଲୋକ ଗାଡ଼ି ରଖି ପାରିଚନ୍ତି କେମିତି ? ସେମାନେ ଯଦି ରଖି ପାରିଚନ୍ତି ସେ ରଖି ପାରୁନାହାନ୍ତି କାହିଁକି ? ସେ ବିନୋଦିନୀଙ୍କୁ ଗାଡ଼ିରେ ବସେଇ ଦେଇ ସାରା ପାର୍କିଂ ଜାଗାଟା ବୁଲି ଆସିଲେ ଓ ପ୍ରତ୍ୟେକଟି ଗାଡ଼ିକୁ ତନ୍ନତନ୍ନ କରି ପରୀକ୍ଷା କଲେ । ସବୁ ଗାଡ଼ି ଦେଖି ସାରିବା ପରେ ତାଙ୍କର ମନେହେଲା–ବର୍ତ୍ତମାନ ଯୁଗରେ ସରକାର ଓ କଳା ଟଙ୍କା ରୋଜଗାର କରୁଥିବା ବ୍ୟବସାୟୀମାନଙ୍କ ବ୍ୟତୀତ ଅନ୍ୟ କାହାରି ପକ୍ଷେ ଗାଡ଼ିଟାଏ ସମ୍ଭାଳିବା ସମ୍ଭବ ନୁହେଁ ।

 

ତତ୍‌ପରଦିନ ସେ ତାଙ୍କ ଦୁଇ ପୁଅଙ୍କୁ ଚିଠି ଲେଖିଲେ–‘‘ବାପାମାନେ, ବର୍ତ୍ତମାନ ଗାଡ଼ିଟିଏ ସମ୍ଭାଳିବା ଯେତେ ବ୍ୟୟସାପେକ୍ଷ ହେଇଚି ଓ ତାହା ଯେପରି ଭାବରେ ବଢ଼ୁଚି, ତୁମମାନଙ୍କ ପକ୍ଷେ ଗାଡ଼ିଟିଏ ସମ୍ଭାଳିବା ଆଦୌ ସମ୍ଭବ ହେବ ନାହିଁ । ତୁମେମାନେ ହୁଏତ ତୁମ ରୋଜଗାରରୁ କିଛି କିଛି ପଇସା ଗାଡ଼ି ପାଇଁ ମୋ ପାଖକୁ ପଠାଇ ପାର । ମାତ୍ର ମୋର ଆଉ ଗାଡ଼ି ଚଢ଼ିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଗାଡ଼ି ଉପରେ ଥିବା ସମସ୍ତ ମମତା ତୁମେମାନେ ତୁଟେଇ ଦିଅ । ଦଶ ହଜାର ଟଙ୍କାରେ ଆମ ଗାଡ଼ି କିଣା ହୋଇଥିଲା । ସୋରିଷ ତେଲ ହୋଲ୍‌ସେଲ୍‌ର ଦୟାଲାଲ୍‌ କହୁଚି ଦଶ ହଜାର ଟଙ୍କାରେ କିଣିନେବି । କାଲି ଟଙ୍କା ଦେଇ ସେ ଗାଡ଼ିଟା ନେଇଯିବ । ତା’ଠୁ ଦଶ ହଜାର ଟଙ୍କା ଆଣି ମୁଁ ଆଉ ଦୁଇଟି ଟାଇଲ୍‌ ଛପର ଘର ତିଆରି କରିଦଉଚି । ଛୁଟିରେ ଆସିଲେ ଅନ୍ତତଃ ତୁମେ ଦୁହେଁ ସେ ଦୁଇଟି ଘରେ ରହିପାରିବ ।

 

ଗାଡ଼ିଟା ଦଶବର୍ଷ ହେଲା ଥିଲା । ଯୋଗେଶ୍ୱର ବାବୁଙ୍କ ଘରେ କୁକୁରଟିଏ, ବିରାଡ଼ିଟିଏ ଓ ଏ ଗାଡ଼ିଟା ଯେମିତି ତାଙ୍କ ପରିବାରର ଅଂଶ ହେଇଯାଇଥିଲେ । ଦୟାଲାଲ୍‌ଠୁ ଟଙ୍କା ଗଣି ନେଇ ଷ୍ଟାମ୍ପଦିଆ ରସିଦରେ ଦସ୍ତଖତ କରି ଗାଡ଼ିଟାକୁ ଯେତେବେଳେ ସେ ଚିରଦିନ ପାଇଁ ହାତଛଡ଼ା କରିଦେଲେ ସେତେବେଳେ ତାଙ୍କ ଆଖିରେ ଲୁହ ଜମି ଆସିଥିଲା । କବାଟ ପାଖରେ ଠିଆହେଇ ଗାଡ଼ି ଜୀବନର ଶେଷ ଦୃଶ୍ୟ ଦେଖୁଥିବା ବିନୋଦିନୀଙ୍କ ଆଖିରୁ ମଧ୍ୟ ଠପ୍‌ଠପ୍‌ କରି ଲୁହ ଝରି ପଡ଼ୁଥିଲା ।

Image

 

Unknown

ବନ୍ୟାପରର କାହାଣୀ

 

ଗାଡ଼ି ବନାରସ ଷ୍ଟେସନ ଛାଡ଼ିଲା ସନ୍ଧ୍ୟା ପାଞ୍ଚଟାରେ ।

 

ସାଗରମଲ ତା’ର ଲୁଗା ଗଣ୍ଠିଲିଗୁଡ଼ାକୁ ଭଲଭାବରେ ସଜେଇରଖି ନିଜେ ଗୋଟିଏ ବଙ୍କ୍‌ ଉପରେ ବିଛଣା ବିଛେଇ ଶୋଇଛି ।

 

ମନରେ ତା’ର ଅସୁମାରି ଚିନ୍ତା.....

 

ଏଥର ଘରୁ ବାହାରିବାବେଳେ ତା’ ସ୍ତ୍ରୀ ତା’କୁ କହିଚି–ଦେଖ, ଏଥର ଯେମିତି ଆଉ ଡେରି ନକର । ଝିଅର ବୟସ ଆସି କୋଡ଼ିଏ ହେଲା । ଆଉ କେତେଦିନ ସେ ଘରେ ରହିବ ? ଶୀଘ୍ର ଫେରିଆସିଲେ ତା’ ବାହାଘର ଯୋଗାଡ଼ ଯେମିତି ହଉ କରିବାକୁ ହବ ।

 

ସାଗରମଲ ପକ୍ଷରେ ଝିଅ ବାହାଘରଟା ଅତି ସହଜ କଥା ନୁହେଁ । ତା’ର ବେଶୀ ପୁଞ୍ଜି ନାହିଁ ବୋଲି ସେ ଖୁବ୍‌ ବଡ଼ ବ୍ୟବସାୟ କରିପାରୁନି । ପ୍ରତିବର୍ଷ ଏଇ ସମୟରେ ପାଞ୍ଚହଜାର ଟଙ୍କାର ଲୁଗା ନେଇ ସେ ଓଡ଼ିଶା ମୁଲକକୁ ବାହାରିଯାଏ । ଏଇ ଲୁଗାକୁ ବିକିବାପାଇଁ ତା’କୁ ମାସେ ସମୟ ଲାଗେ । ଲୁଗାତକ ବିକ୍ରିକରି ଯାହା ଲାଭପାଏ ତାକୁ ନେଇ ସେ ଫେରିଯାଏ ତା’ ଦେଶକୁ ।

 

ତା’ ଫେରିବାକୁ ଅପେକ୍ଷା କରିଥାନ୍ତି ତା’ ସ୍ତ୍ରୀ ଆଉ ଝିଅ । ବିଚରା ଅପୁତ୍ରିକ ।

 

ପ୍ରତିବର୍ଷ ସେ ବାହାରିବାବେଳେ ଭାବେ–ଏଥର ଫେରିଲା ଝିଅ ବାହାଘର କରିବ । ହେଲେ ହେଇପାରେନା । ଏମିତି କରି ଝିଅ ବାହାଘର ଚାରିବର୍ଷ ଗଡ଼ିଗଲାଣି । ତେଣୁ ଏଥର ବାହାରିବାବେଳେ ସ୍ତ୍ରୀର କଡ଼ା ତାଗିଦା–ବରଂ ଧାରଉଧାର କରି ଏଥର ଟିକିଏ ବେଶୀ ଲୁଗାପଟା ନେଇଯାଅ । ଏଥର ଆଉ ବାହାଘର ତ ଗଡ଼େଇ ଦେଇ ହବନି ।

 

ସାଗରମଲ ନିଜ ପୁଞ୍ଜି ବ୍ୟତୀତ ଆଉ ଜଣେ ଶେଠ୍‌ଙ୍କୁଠାରୁ ପାଞ୍ଚହଜାର ଟଙ୍କା ଲୁଗାଧରି ସେ ଏଥର ବାହାରିଚି । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ତିନିଦିନ ଲାଗିଯିବ । ତିନିଦିନ ଗାଡ଼ି ଭିତରେ ଭାରି କଷ୍ଟ । କ’ଣ କରିବ ସେ । କଷ୍ଟ ନକଲେ କୃଷ୍ଣ ମିଳିବେ କେଉଁଠୁ ?

 

ଗାଡ଼ି ଚାଲିଚି ।

 

ଗୋଟିଏ ଗୋଟି କରି ଷ୍ଟେସନ ସବୁ ପଛରେ ରହିଯାଉଛି । ସାଗରମଲ ଭାବୁଚି–ଏଇ ଦଶହଜାର ଟଙ୍କାର ଲୁଗାକୁ ସେ ଯଦି କୋଡ଼ିଏ ହଜାର ଟଙ୍କାରେ ବିକ୍ରି କରିପାରେ, ଝିଅର ବାହାଘରଟା ଯେମିତି ହେଉ ଚଳିଯିବ ।

 

ମନ ଭିତରେ ଆଶା ବୈତରିଣୀର ସ୍ୱଚ୍ଛନ୍ଦ ଗତି । ଚାଲୁଥିବା ଗାଡ଼ିର ଥଣ୍ଡା ପବନ ଦେହରେ ଲାଗୁଚି । ସାଗରମଲ ଶୋଇ ଶୋଇ ସ୍ୱପ୍ନ ଦେଖୁଚି । କୋଡ଼ିଏ ନୁହେଁ, ତିରିଶ ହଜାର ଆସିଯାଇଚି ହାତକୁ । ଆଉ କ୍ୟା ପରବାୟ ।

 

ହାଓଡ଼ା ଷ୍ଟେସନରେ ଗାଡ଼ି ବଦଳି । ବନାରସରୁ ଆସୁଥିବା ଗାଡ଼ି କଲିକତାରେ ରହିବ । ସେ’ଠୁ ପୁଣି ଓଡ଼ିଶା ଆସୁଥିବା ଗାଡ଼ିରେ ଚଢ଼ିବାକୁ ପଡ଼ିବ ।

 

ହାଓଡ଼ା ଷ୍ଟେସନରେ ଜିନିଷପତ୍ର ଓହ୍ଲେଇ ଓଡ଼ିଶା ଅଭିମୁଖେ ଯାଉଥିବା ଅନ୍ୟ ଏକ ପେସେଞ୍ଜର ଗାଡ଼ିରେ ବସିଲା ସାଗରମଲ । ଆଉ ଚିନ୍ତା କିଛି ନାହିଁ । ଆଉ କେଇ ଘଣ୍ଟା ପରେ ସେ ଯାଇ ତା’ ଲକ୍ଷସ୍ଥଳରେ ପହଞ୍ଚିବ । ସେ ଷ୍ଟେସନଟି ହଉଚି ରୂପ୍‌ସା । ସେଇଠୁ ବଳଦଗାଡ଼ି ଭଡ଼ାକରି ସେ ଯିବ ପାହି ଅଞ୍ଚଳକୁ । ଏଇ ପାହି ଅଞ୍ଚଳରେ ସାର୍ଥା ହଉଚି ଏକ ବିରାଟ ଜନବସତି । ଏଇ ସାର୍ଥା ଗାଁଆରେ ପ୍ରାୟ ପାଞ୍ଚହଜାର ଲୋକ ବାସ କରନ୍ତି । ଜମିଗୁଡ଼ାକ ଖୁବ୍ ଉର୍ବର । ଗାଁଆର ଅନେକଙ୍କ ଘରେ ଖୁବ୍‌ ସରଳ ଅବସ୍ଥା ।

 

ସାଗରମଲ ପ୍ରତିବର୍ଷ ଏଇ ଅଞ୍ଚଳକୁ ଆସେ । ଆଣିଥିବା ଲୁଗାପଟା ଏଇ ଗାଁଆରେ ବିକ୍ରି କରି ସେ ଫେରିଯାଏ । ଏଇ ସାର୍ଥା ଗାଁ ଆଜିକୁ କୋଡ଼ିଏ ବର୍ଷ ହେଲା ସାଗରମଲର ଗ୍ରାହକ । ଏ ଗାଁର ପ୍ରତ୍ୟେକ ଘର ଓ ତା’ର ଅଧିବାସୀ ପିଲାଛୁଆ ପର୍ଯ୍ୟନ୍ତ ତା’କୁ ଭଲ କରି ଜାଣନ୍ତି ।

 

ପଣ୍ଡାଘର ବର୍ଷକ ଯାକର ଲୁଗା ନିଶ୍ଚୟ କିଣିବେ । ପତି ଘର, ପଧାନ ଘର, ପଟ୍ଟନାୟକ ଘର ଜଣକା ଚାରି ପାଞ୍ଚଶ’ ଟଙ୍କାର ଲୁଗାରୁ କମ୍‌ କିଣିବେ ନାହିଁ ।

 

ଏଥର ସାଗରମଲ ନୂଆ ଡିଜାଇନ୍‌ର ଏକ ଶାଢ଼ୀ ଆଣିଚି । ଖୁବ୍ ଚକ୍‌ଚକିଆ–ଶସ୍ତା ସୁନ୍ଦର ମଜ୍‌ବୁତ । ଖାଲି ଏଇ ଶାଢ଼ୀ ତ ତିନି ହଜାର ଟଙ୍କାର ବିକ୍ରି ହୋଇଯିବ ।

 

ପ୍ରତିବର୍ଷ ଏଇ ସମୟକୁ ସାର୍ଥା ଗାଁ ଚାହିଁ ରହିଥାଏ ସାଗରମଲ ପହଞ୍ଚିବାକୁ । ସାଗରମଲ ଏ ଗାଁରେ ବନାରସିବାଲା ନାଁଆରେ ପରିଚିତ । ବନାରସିବାଲା ପହଞ୍ଚିବା ପରେ ସାରା ଗାଁ’ଟାରେ ବିଦ୍ୟୁତ ତରଙ୍ଗ ଖେଳିଯାଏ । ଗାଁ ମଝି ସ୍କୁଲ ପାଖରେ ଯୋଉ ହରିହାଟ ଘର ଅଛି, ଗାଁଲୋକେ ବନାରସିବାଲା ପାଇଁ ସେଇଟାକୁ ଛାଡ଼ି ଦିଅନ୍ତି ।

 

ମାସକରୁ ଅଧିକକାଳ ତା’କୁ ରହିବାକୁ ପଡ଼େ । ଲୁଗାସବୁକୁ ବିକ୍ରି କରିବା, ଟଙ୍କା ଆଦାୟ କରିବା ପାଇଁ ତା’କୁ ପ୍ରାୟ ମାସେ ସମୟ ଲାଗିଯାଏ । ଏଇ ମାସକ ଭିତରେ ଲୁଗା କିଣି ତା’ର ଦାମ୍‌ ପଇଠ କରିବା ପାଇଁ ଗାଁଲୋକଙ୍କୁ କେତେ ଧାନ ବିକିବାକୁ ପଡ଼େ ତା’ କେବଳ ଛ’ ମାଇଲ ଦୂରର ମିଲ୍‌ବାଲା କହିପାରିବ ।

 

ସାଗରମଲର ମନ ଚଞ୍ଚଳ ହେଇଉଠୁଚି । ଶାନ୍ତ ସରଳ ପଲ୍ଲୀର ସବୁଜଶ୍ରୀ, ସନ୍ଧ୍ୟାକାଳୀନ ମନଲୋଭା ଦୃଶ୍ୟ ତା’ ସ୍ମୃତିପଟରେ ନାଚିଯାଉଛି । ଗତ କୋଡ଼ିଏ ବର୍ଷ ହେଲା ଯୋଉ ପଲ୍ଲୀ ଗାଁ ତା’ପାଇଁ ଅନ୍ନର ବ୍ୟବସ୍ଥା କରି ଆସିଚି ତା’ରି ଉଦ୍ଦେଶ୍ୟରେ ତା’ ମୁଣ୍ଡ ନଇଁ ଯାଉଥିଲା ।

 

ସିଙ୍ଗଡ଼ା, ପୁରି, କଚୋରି......

 

ସାଗର ମଲ ବାହାରକୁ ଚାହିଁଲା.....

 

ଜଳେଶ୍ୱର ଷ୍ଟେସନ, ଆଉ ଦୁଇଟା ଷ୍ଟେସନ ପରେ ରୂପ୍‌ସା ଆସିଯିବ । ସେ ଜିନିଷପତ୍ର ତକ ବଙ୍କ୍‌ରୁ ଓହ୍ଲାଇ ତଳେ ରଖିଲା ।

 

ଅଳ୍ପ ସମୟ ମଧ୍ୟରେ ପହଞ୍ଚିଲା ତା’ର ଇପ୍ସିତ-ପରିଚିତ ରୂପ୍‌ସା ଷ୍ଟେସନ । ଜିନିଷପତ୍ରଗୁଡ଼ାକ କୁଲିମାନଙ୍କ ମୁଣ୍ଡକୁ ଟେକିଦେଇ ସେ ପ୍ଲାଟ୍‍ଫର୍ମ ବାହାରକୁ ଆସିଲା । ରୂପ୍‌ସା ବଜାରର ସେଇ ବୁଢ଼ା ହଳିଆ ଗାଡ଼ିବାଲା ଲତିଫ୍‌ ମିଆଁ ସତେ ଯେମିତି ତା’ରି ଅପେକ୍ଷାରେ ବସି ରହିଥିଲା । ଗତ କୋଡ଼ିଏ ବର୍ଷ ଧରି ଏଇ ଲତିଫ୍‌ ମିଆଁ ତା’କୁ ସାର୍ଥା ଗାଁକୁ ନବାଆଣିବା କରିଚି । ହଳିଆ ଗାଡ଼ିରେ ଲୁଗା ବୋଝେଇ କରି ସାଗରମଲ ଆଗେଇ ଚାଲିଲା ।

 

ବାଟରେ ଲତିଫ୍‌ ମିଆଁ କହିଲା–ବାବୁଜୀ ! ସବୁବର୍ଷ ପରି ଏ ବର୍ଷ ତୁମର ଲୁଗାପଟା ବେଶୀ କାଟ୍‌ତି ହବ ନାହିଁ ।

 

କାହିଁକି ? କ’ଣ ହେଇଚି ?

 

ବଢ଼ି ପାଣିରେ ଗାଁଟା ଏଥର ଉଚ୍ଛନ୍ନ ହେଇଯାଇଚି । ଗଲେ ଦେଖିବ ।

 

ସାଗରମଲର କିନ୍ତୁ ଏ ସବୁ କଥାକୁ ଭୃକ୍ଷେପ ନାହିଁ । ତା’ର ଗରାଖ ତ ଧରାବନ୍ଧା । ସେ ତ ଆଉ ଅଜଣା ଅଶୁଣା ନୂଆଥାନକୁ ଯାଉନାହିଁ । ସେ ଡରିବ କାହିଁକି ?

 

ବଳଦଟଣା ଗାଡ଼ିଟା ରୂପସା ଷ୍ଟେସନ୍‌ ରାସ୍ତା ପାରିହେଇ ଜାତୀୟ ରାଜପଥରେ ପହଞ୍ଚିଲା । ରାଜପଥର ଦୁଇପାର୍ଶ୍ୱରେ ଧରାର ସବୁଜିମା ଯେମିତି ଖିନ୍‌ଭିନ୍‌ ହେଇଯାଇଛି । ଜମିରେ ଧାନଗଛର ଚିହ୍ନବର୍ଣ୍ଣ ନାହିଁ । ବହୁ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଚି । ଘର ବି ଭାଙ୍ଗିଛି ଅନେକ ।

 

ଏ କ’ଣ ଲତିଫ୍‌ ମିଆଁ ?

 

କହୁଥିଲି ନା ବାବୁଜୀ ! ଏଇଠାରୁ ଦେଖି ଦେଖି ଚାଲ, ବଢ଼ି କେମିତି ଏ ଅଞ୍ଚଳଟାକୁ ଧ୍ୱଂସ କରିଦେଇଚି । ଆଉ କିଛି ନାହିଁ, ସବୁ ଚାଲିଯାଇଚି ବାବୁଜୀ ! ବୁଢ଼ାବଳଙ୍ଗ ନଈରେ ଏତେ ପାଣି ଆଗରୁ କେବେ ଆସି ନଥିଲା । ଆମ ବାପଅଜା ବି ଏ ବଢ଼ି ଦେଖି ନଥିଲେ । ହଠାତ୍‌ ରାତି ଅଧରେ ଅକାତ ପାଣି ମାଡ଼ିଆସିଲା । କେତେ ମଣିଷ, ଗୋରୁଗାଈ, ଘରଦ୍ୱାର ଯେ ଭାସିଗଲା କଳନା କରିହବନି ।

 

ଧ୍ୱଂସର ଲୀଳା କ୍ରମଶଃ ତୀବ୍ରତର ହେଇଉଠୁଚି । ସାଗରମଲ ଚିନ୍ତିତ ହେଇପଡ଼ିଲା ।

 

ଲତିଫ୍‌ ମିଆଁ କହିଲା–ମୁଁ ତ ଶୁଣୁଥିଲି ବାବୁଜୀ, ସାର୍ଥା ଗାଁରେ ଖୁବ୍‌ କ୍ଷତି ହେଇଚି ।

 

ସାଗରମଲ ଦୀର୍ଘନିଃଶ୍ୱାସ ପକେଇଲା–ଚାଲ, ଯାହା ଭାଗ୍ୟରେ ଥିବ ।

 

ହେଇ, ସାର୍ଥା ଗାଁଟା ଆଗରେ ଦିଶୁଚି । ସାର୍ଥା ଗାଁ ଆରପଟକୁ ସମୁଦ୍ର । ଏ କ’ଣ ? ଗାଁଟା ଖାଲି ଗଛମାଳ ପରି ଦିଶୁଚି ! ଘରଗୁଡ଼ା କାହିଁ ?

 

ସାର୍ଥା ଗାଁର ବିଭବପୂର୍ଣ୍ଣ ଘରଗୁଡ଼ା ମାଟିରେ ମିଶିଯାଇଚି । କି ବଡ଼ ଘର କି କୁଡ଼ିଆ ଘର କାହାରି ଅସ୍ତିତ୍ୱ ନାହିଁ । ଗାଡ଼ି ଯାଇ ଗାଁ ମୁଣ୍ଡରେ ରହିଲା । ସବୁ ବର୍ଷ ପରି ଉତ୍ସାହୀ ଗ୍ରାହକମାନେ ଧାଇଁ ଆସିବା ପରିବର୍ତ୍ତେ ଦଳେ ଭୋକିଲା–ହାଡ଼ୁଆ ଲୋକ ତା’ ପାଖକୁ ଧାଇଁ ଆସିଲେ ।

 

କିଛି ଖାଇବା ଜିନିଷ ଆଣିଚ ?

 

ଦଳଦଳ ପିଲା ନଙ୍ଗଳା-ଫୁଙ୍ଗୁଳା ଦିହରେ ବୁଲୁଚନ୍ତି । ପଣ୍ଡା, ପତି, ପଧାନ ପଟ୍ଟନାୟକ ଘରର ବୁଢ଼ାଦଳ ବାଡ଼ି ଢେରା ମାରି ଆସି ପହଞ୍ଚିଲେ । ସମସ୍ତେ ପିନ୍ଧିଚନ୍ତି ମଳି ଲୁଗା । ଗଛମୂଳରେ ଗାଁର ପାଞ୍ଚହଜାର ଅଧିବାସୀ ପଲାମାରି ରହିଚନ୍ତି । ପଣ୍ଡାଘର ସେ ଧାନଅମାର, ପତିଘର ଦୁଧିଆଳି ଗାଈ, ପଧାନଘର କଳା ମଚମଚ ଛେଳି ପଞ୍ଝା ସବୁ ସମୁଦ୍ର ଗର୍ଭକୁ ଭାସି ଯାଇଚି । ତା’ ସହିତ ଭାସି ଯାଇଚି ଗାଁର କିଛି ଅମୂଲ୍ୟ ପ୍ରାଣ । ହଠାତ୍‌ ନଦୀଟା ଯେମିତି ପୂର୍ବରୁ କିଛି ରାଗର ପ୍ରତିଶୋଧ ନେଇଚି ।

 

ପଣ୍ଡାବୁଢ଼ା କହିଲେ–ବାବୁଜୀ ! ଦିହେଦିହେ ଆମେ ଯାହାସବୁ ବାହାରି ଆସିଚୁ । ବଞ୍ଚି ଯାଇଚୁ ଏଇ ଭାଗ୍ୟ ! ମଳିକ ସାହିରୁ ତ ଅନେକ ଭାସିଗଲେ । ଖଣ୍ଡେ ଖଣ୍ଡେ ପିନ୍ଧା ଲୁଗା ଛଡ଼ା ଆମର ଆଉ ଦ୍ୱିତୀୟ ବସ୍ତ୍ର ନାହିଁ । ମାଇପିଲୋକେ ଲଜ୍ଜାନିବାରଣର ଅନ୍ୟ ଉପାୟ ନ ପାଇ କୁଡ଼ିଆ ଭିତରୁ ବାହାରିପାରୁ ନାହାନ୍ତି । ଖାଇବାକୁ ନାହିଁ–ପିନ୍ଧିବାକୁ ନାହିଁ–ଆମେ ସବୁ ଭିକାରୀ ପାଲଟି ଯାଇଚୁ । ଆମେ ଭାବିଥିଲୁ ଏଥର ତୁମେ ଆସିବ କି ନାହିଁ । ଆମର ବହୁ ଭାଗ୍ୟ ତୁମେ ଆସିଯାଇଚ ।

 

ସାଗରମଲ କହିଲା–ଏ ଘଟଣା ମୋତେ ଜଣା ନ ଥିଲା ।

 

ପଟ୍ଟନାୟକ ବୁଢ଼ା ଆଗେଇ ଆସିଲେ । କହିଲେ–ସାଗରମଲ, ଲଜ୍ଜା ନିବାରଣ ପାଇଁ ତୁମେ ହିଁ ଆମର ଭରସା ।

 

ସମସ୍ତଙ୍କ ମୁହଁରେ ସେଇ ଏକ କଥା । ସମସ୍ତଙ୍କ ଆଖି ବଳଦଗାଡ଼ିରେ ନଦା ହେଇଥିବା ଲୁଗା ଗଣ୍ଠିଳି ଉପରେ ।

 

ଏଇ ଗାଁ ସାଗରମଲକୁ ଗତ କୋଡ଼ିଏ ବର୍ଷ ହେଲା ବଞ୍ଚେଇ ଆସିଚି । ସେ କ’ଣ କରିବ-?

 

ପତିବୁଢ଼ା କହିଲେ–ତମେ ଆମକୁ ଯାହା ଦେଇଯିବ ତା’ର ଦାମ ଆମେ ଆସ୍ତେ ଆସ୍ତେ କରି ଦି’ ତିନି ବର୍ଷ ଭିତରେ ଦେଇଦବୁ ।

 

ସମସ୍ତଙ୍କ ମୁହଁରେ ସେଇକଥା । ଏବର୍ଷ ଲୁଗାଗୁଡ଼ା ଦେଇଯାଅ । ଆଗାମୀ ଦି’ ତିନି ବର୍ଷ ଭିତରେ ସବୁ ସୁଝିଦବୁ ।

 

ସାଗରମଲ ଲତିଫ୍‌ ମିଆଁ ମୁହଁକୁ ଚାହୁଁଥିଲା । ହଜାରେ ଆଖି ସାଗରମଲ ମୁହଁକୁ ଚାହୁଁଥିଲା । ଏଠୁ ଆଉ କ’ଣ ଏ ଲୁଗାବୋଝେଇ ଗାଡ଼ିକୁ ଫେରେଇ ନେଇ ହେବ ?

 

ଗାଁର ସମବେତ କଣ୍ଠ–ତମର କ’ଣ ଅଭାବ ଅଛି ବାବୁଜୀ ! ଏଇ ବର୍ଷଟା ଦୟାକରି ଯାଅ ।

 

ସାଗରମଲ ଆଖିରେ ଲୁହର ବନ୍ୟା । ତା’ ଆଖି ଆଗରେ ଭାସିଯାଉଚି ତା’ ସ୍ତ୍ରୀ ଆଉ ତା’ ବଢ଼ିଲା ଝିଅର ମୁହଁ ।

 

ଗୋଟାଏ କାଗଜରେ ହିସାବ ଲେଖି ସେ ଲୁଗାଗୁଡ଼ାକୁ ବାଣ୍ଟି ଦଉଚି ।

 

ସଭିଏଁ କହୁଛନ୍ତି–ତୁମର ବଢ଼ତି ହଉ ବାବୁଜୀ ! ବଢ଼ତି ହଉ ।

 

ଫେରିଯାଇ ସେ ମହାଜନର ଋଣ କେମିତି ସୁଝିବ ? ଝିଅ ବାହାଘର କେମିତି କରିବ-? କେମିତି ସେ ଫେରିବ ବନାରସ ? ଲତିଫ୍‌ ମିଆଁକୁ ତା’ ଗାଡ଼ିର ଭଡ଼ାଟା ଦେଇଦବା ପରେ ଫେରିବାପାଇଁ ତା’ ହାତରେ ଆଉ ପଇସା ନାହିଁ । ନା–ଘରଦ୍ୱାର ଛାଡ଼ି ଏଇ ଭୋକିଲା ଲୋକଙ୍କ ମେଳରେ ସେ ରହିଯିବ ଆଗାମୀ ଫସଲ ପର୍ଯ୍ୟନ୍ତ..... ?

Image

 

ବାପଝିଅ

 

ଦୈନିକ ଚାରିଟଙ୍କା ମଜୁରିରେ କଣ୍ଟ୍ରାକ୍ଟର ପାଖରେ କାମ କରୁଥିଲା ପବନି । ସେ ବାଲ୍ୟବିଧବା । ବାରବର୍ଷରେ ବିଭା ହେଇ ତେର ବର୍ଷରେ ସ୍ୱାମୀକୁ ହରେଇଛି । ବାପଘର ଛାଡ଼ି ଶ୍ୱଶୁରଘରକୁ ଯାଇନାହିଁ । ବାପ ବିଚରା ଅନ୍ଧ । ବାପର ବଡ଼ପୁଅ ଆଉ ତା’ ବଡ଼ଭାଇ ରତନା ଗତର ଖଟି ବାପକୁ ପୋଷୁଥିଲା । ପବନି ବି ଆଠବର୍ଷ ବୟସ ବେଳୁ କାହାର ଗୋରୁ ଜଗିବା, କାହାଘରେ ଯାଇ ପାଇଟି କରିବା କାମ କରୁଥିଲା । ପବନି ଆଉ ରତନାର ବାହାଘର ଏକା ସାଙ୍ଗରେ ହୋଇଥିଲା । ବାହାଘର ପରେ ରତନା ଭାରିଯାକୁ ନେଇ ବର୍ଷଟିଏ ବାପ ପାଖରେ ରହିଥିଲା । ପବନି ବିଧବା ହେଇଯିବା ପରେ ସେ ତା’ ଭାରିଯାକୁ ନେଇ ଅନ୍ୟ ଆଡ଼େ ଯାଇ ରହୁଚି-। ବାପ ମୁହଁକୁ ଚାହୁଁନି ।

 

ପବନି ତଳେ ଆଉରି ଗୋଟିଏ ପୁଅ ଜନ୍ମ ନେଇଥିଲା । ମାତ୍ର ଆଠବର୍ଷ ବୟସରେ ଆରପୁରକୁ ଚାଲିଗଲା । ବର୍ତ୍ତମାନ ପବନି ହିଁ ବାପର ପୁଅ ଝିଅ ଉଭୟ । ଚାରିଟଙ୍କା ମଜୁରିରେ ବାପଝିଅ କୌଣସି ପ୍ରକାରେ ଚଳିଯାନ୍ତି । ପବନିର ଦେହପା’ ଖରାପ ହେଲେ ବି ସେ କାମ କରିବାକୁ ଯିବାରୁ ବନ୍ଦ ହୁଏ ନାହିଁ । କିନ୍ତୁ ଯୋଉଦିନ ବୁଢ଼ା ଦେହ ଖରାପ ହୁଏ ସେ ଦିନ ତା’କୁ ଦେଖାଶୁଣା କରିବାକୁ ସେ ରହିଯାଏ । ମାତ୍ର ଦିନଯାକ ସେମାନଙ୍କୁ ଉପବାସରେ ରହିବାକୁ ପଡ଼େ-

 

ପବନିର ବାପ ଆଗରୁ ଅନ୍ଧ ନଥିଲା । କଣ୍ଟ୍ରାକ୍ଟରର ପଥର ଖାଦାନ୍‌ରେ କାମ କରୁକରୁ ପଥର ଠିକିରିପଡ଼ି ଦୁଇଟିଯାକ ଆଖି ସେ ହରେଇ ବସିଲା ପାଞ୍ଚବର୍ଷ ତଳେ ।

 

ବାପ ଅନ୍ଧ ହେଇଯିବା ପରେ ପବନି ପଦାକୁ ବାହାରି ପଡ଼ିଲା କାମ କରିବା ପାଇଁ । ସେଇ କଣ୍ଟ୍ରାକ୍ଟରର ପଥର ଖାଦାନ୍‌–ଦୈନିକ ମଜୁରି ଦୁଇ ଟଙ୍କାରୁ ଉଠି ଉଠି ଏବେ ଚାରିଟଙ୍କା ହେଇଚି ।

 

ଦିନ ନ’ଟା ସୁଦ୍ଧା ରନ୍ଧାବଢ଼ା ଶେଷ କରି ବାପକୁ ଖାଇବାକୁ ଦେଇ ସେ କାମକୁ ବାହାରିଯାଏ । ଫେରେ ପୁଣି ପାଞ୍ଚଟାରେ । ଆସିବାବେଳେ ବାଟରୁ ଚାଉଳ, ତେଲ, ଲୁଣ, ଶାଗ ନେଇ ଆସେ । ରାତି ଓଳି ରନ୍ଧାବଢ଼ା ହୁଏନା । ଦିନରୁ ପଖାଳ କରି ଦେଇଥାଏ । ଶାଗ ଖରଡ଼ି ପଖାଳ ଖାଇ ବାପଝିଅ ଶୋଇ ପଡ଼ନ୍ତି ।

 

ଖାଦାନ୍‌ରେ ପବନି କାମରେ ସମସ୍ତେ ସନ୍ତୁଷ୍ଟ । କଣ୍ଟ୍ରାକ୍ଟର ଯେତେବେଳେ କାମ ଦେଖିବାକୁ ଆସନ୍ତି ତା’କୁ ଭାରି ତାରିଫ୍‌ କରିଯାନ୍ତି ।

 

ଥରେ ଲାଗଲାଗ ଚାରିଦିନ ବର୍ଷା ହେଲା । ଖାଦାନ୍‌ କାମ ବନ୍ଦ ହେଇଗଲା । ବର୍ଷା ଥଣ୍ଡାରେ ବୁଢ଼ା ଖୁଁ ଖୁଁ କାଶି ଜ୍ୱରରେ ଶୋଇଲା । ଘରେ ଯାହା କିଛି ଖୁଦମୁଦ ଥିଲା ତା’କୁ ଖୁଣ୍ଟିନାଣ୍ଟି ଜାଉ କରି ସେ ଦୁଇଦିନ ଚଳେଇ ଦେଲା । ତା’ପରେ ଖାଡ଼ାଖାଡ଼ା ଉପାସ । ସକାଳ ଓଳିଟା ଉପବାସରେ କଟେଇ ଉପରଓଳିକି ସେ ଭାଇଭାଉଜଙ୍କ ପାଖକୁ ଗଲା । ସେମାନେ ଉଭୟ ତ ରୋଜଗାରିଆ । ସେଠୁ ଯଦି କିଛି ସାହାଯ୍ୟ ପାଏ । ମାତ୍ର ବର୍ଷାରେ ସେମାନେ ବି କାମ କରିବାକୁ ଯାଇନାହାନ୍ତି ।

 

ପବନି କଥାଶୁଣି ଭାଉଜ କହିଲା–ତତେ ଲାଜନାଇଁ ଆସିଚୁ ଏଠୁ ଚାଉଳ ନବୁ ? ସେ ବୁଢ଼ାଟା ମରିଯାଉନି କାହିଁକି ? ସେ ମଲେ ତୁ ହେଲେ ଅନ୍ୟ ସଂସାର କରି ଚାଲିଯାନ୍ତୁ । ଆମେ ପରଓଳିରେ ମୁଣ୍ଡ ନଗୁଞ୍ଜି ନିଜର ଭଙ୍ଗା କୁଡ଼ିଆଟାକୁ ସଜଡ଼ାସଜଡ଼ି କରି ସେଇଠି ଯାଇ ରହିପାରନ୍ତୁ-

 

ଭାଉଜଠୁ ଏଇ କଥା ଶୁଣି ପବନି ଫେରି ଆସିଲା । ହାଟ ପଲାରେ ଥକା ମାରି ବସି ପଡ଼ିଲା ।

 

ତା’ ଭାଗ୍ୟ । ଯୁଆନ୍‌ ଝିଅଟା ଚାହିଁଲେ ତ ଫେର୍‌ ସଂସାର କରିପାରନ୍ତା । କିନ୍ତୁ ସେ ସଂସାର କଲେ ଅନ୍ଧ ବୁଢ଼ା ବାପର ହେପାଜତ କରିବ କିଏ ? ବୁଢ଼ାଟା ସିନା ମରିଯିବ । ପବନି କେବେ ଦ୍ୱିତୀୟ ସଂସାର କଥା ଭାବି ନାହିଁ । ଜୀବନରେ ଯେ ଗୋଟାଏ ସ୍ୱାମୀ ସୁଖ ଅଛି ସେ ତା’ ଜାଣିବାର ସୁଯୋଗ ପାଇନାହିଁ ।

 

ଭାଉଜର କଥା ତା’କୁ ଭାରି ବାଧିଲା । ହାଟ ପଲାରେ ବସି ସେ ବହେ କାନ୍ଦିଲା । ଘରେ ବୁଢ଼ାବାପ ଭୋକରେ ଆଉଟୁପାଉଟୁ ହଉଥିବ । ବିଚାରୀ କ’ଣ କରିବ ? ପେଟରେ କିଛି ନାହିଁ । ବସୁ ବସୁ ଥଣ୍ଡା ପବନରେ ତା’କୁ ନିଦ ଆସିଗଲା । ସତେ କି ଚେତା ବୁଡ଼ିଗଲା । ନିଦ ଭାଙ୍ଗିବା ବେଳକୁ ବେଳ ବୁଡ଼ିବାକୁ ବସିଲାଣି । ହଠାତ୍‌ ତା’ ମନକୁ ଆସିଲା–ଏଇ ପାଖରେ ତ କଣ୍ଟ୍ରାକ୍ଟରଙ୍କ ଘର । ବାବୁ ତ ଭାରି ଭଲ ଲୋକ । ତା’ କାମକୁ କେତେ ପସନ୍ଦ କରନ୍ତି । ତାଙ୍କୁ ଯାଇ ଦୁଃଖ କହିଲେ ସେ ଅବା କିଛି ଦେଇପାରନ୍ତି ।

 

ମନରେ ବହୁ ଆଶା ଧରି ସେ ଯାଇ ତାଙ୍କ ଘରେ ପହଞ୍ଚିଲା । ବାବୁ ଅଫିସ୍‌ ଘରେ ଥିଲେ । ବର୍ଷା ପାଗ ଯୋଗୁ ଅଫିସର ଖାତା ଲେଖା ବାବୁ ଆସି ନ ଥିଲେ । ପବନି ଚୁପ୍‌ଚାପ୍‌ ଯାଇ ବାବୁଙ୍କ ଆଗରେ ଠିଆ ହେଇଗଲା ।

 

ଏମିତିକା ଅସମୟରେ ପବନିକୁ ଦେଖି ବାବୁ ସାମାନ୍ୟ ହସିଦେଇ ପଚାରିଲେ–କିଲୋ, ତୁ କୁଆଡ଼େ ? କେବେ ଆସୁନା, ଆଜି କେମିତି ? ଡାକିଲେ ତ ମୁହଁ ମୋଡ଼ି ଦେଉ.....

 

ପବନି କହିଲା–ବାବୁ, ଦରକାର ନ ଥିଲେ ମୁଁ ଆସି ନ ଥାନ୍ତି । ବାପଟା ବେମାର । ଘରେ ଖାଇବାକୁ କିଛି ନାହିଁ.....

 

ବାବୁ ହୋହୋକିନା ହସିଉଠି କହିଲେ–ଓ, ତୋ’ ଦରକାର ବେଳେ ଚାଲିଆସିଲୁ ।

 

ପବନି ଧୀର ଭାବରେ କହିଲା–ହଁ ବାବୁ, ପେଟ ନ ପୋଡ଼ିଲେ କିଏ ଆସି କାହା ପାଖରେ ଠିଆ ହୁଏ ?

 

ବାବୁ ବସିଥିବା ଥାନରୁ ଉଠି ପଡ଼ିଲେ ।

 

ଏବେ ବୁଝିଲୁ ତ ପବନି, ଜୀବନରେ ପଇସାଟା କେତେ ଦରକାର ? ବାବୁମାନଙ୍କୁ ମନେଇ ରଖିଲେ ଅସୁବିଧା ବେଳେ ବହୁତ ସାହାଯ୍ୟ ମିଳେ ।

 

ବାବୁ ତାଙ୍କ ହାତଟାକୁ ପବନି କାନ୍ଧରେ ପକେଇଦେଲେ । ପବନି ଶଙ୍କିଯାଇ ପଛେଇ ଗଲା ।

 

ବାବୁ କହିଲେ–ମୋ କଥା ମାନ । କିଛି ଅଭାବ ତୋର ରଖିବି ନାହିଁ ।

 

ପବନି କହିଲା–ପାପ କଥା ବାବୁ । ତମର ଛୁଆପିଲା ଅଛନ୍ତି । ତମେ ପୁଣି ଏ ସବୁ କଥା କହୁଚ ?

 

ବାବୁ ଟିକିଏ କଅଁଳେଇ କହିଲେ–ଏଥିରେ ପାପ କ’ଣ ? ତୁ ଭାରି ଅବୁଝା । ତୁ ଦେଖୁନୁ, ତୋ’ରି ଆଗରେ ମଲ୍ଲୀଟା କେମିତି ଫୂର୍ତ୍ତିରେ ଅଛି ।

 

ପବନି କହିଲା–ମଲ୍ଲୀକି ତ ଧରିଚ ବାବୁ, ଫେର୍‌ କାହିଁକି ?

 

ବାବୁ କହିଲେ–ମଲ୍ଲୀଟା ପୁରୁଣା ହେଇଗଲାଣି ଲୋ ! ଅନେକ ଦିନରୁ ମାନେ ତୋତେ ଦେଖିବା ଦିନରୁ ତୋ ଉପରେ ମୋର ଭାରି ଲୋଭ ।

 

କେହି କୋଉଠି ନାହାନ୍ତି । ବାବୁ ଆଗେଇ ଆସି ତା’ ହାତ ଧରିନେଲେ । ପବନି ହାତ ଟାଣିଆଣି ଦି’ ଦରଜା ମଝିରେ ଯାଇ ଠିଆ ହୋଇଗଲା । ବାବୁ ତା’କୁ ଝିଙ୍କି ଆଣିଲେ ।

 

ଦଶଟଙ୍କା ଦେବି । ଅମଙ୍ଗ ହ’ନା । ଏଣିକି ତତେ ଆଉ କାମ କରିବାକୁ ପଡ଼ିବ ନାହିଁ । ବସି ବସି ମଜୁରି ନବୁ ।

 

ବାହାରେ ବର୍ଷାର ବେଗ ବଢ଼ୁଚି । ସୁ ସୁ ପବନ ବହୁଚି । ବାବୁଙ୍କ ଜୋର୍‌ ହାତମୁଠା ଭିତରେ ପବନି ପୂରାପୂରି ଥରୁଚି । ପବନିର ସବୁ ଚେଷ୍ଟା ବିଫଳ ହେଉଚି । ବାବୁଙ୍କର ଜୋର ବେଶୀ । ସେ ତାକୁ ତଳେ ପକେଇ ଦେବେ । ପବନି ଆଉ ସମ୍ଭାଳି ପାରିଲାନାହିଁ । ତା’କୁ ଜାବୋଡ଼ି ଧରିଥିବା ବାବୁଙ୍କର ହାତକୁ ଜୋର୍‌ରେ କାମୁଡ଼ି ରକ୍ତାକ୍ତ କରିଦେଲା । .ତା’ପରେ ଘରୁ ବାହାରି ଦୌଡ଼ିଲା ଏକମୁହାଁ ।

 

ବାହାରେ ବର୍ଷାର ବେଗ ଆହୁରି ବଢ଼ିଯାଇଚି । ରାସ୍ତା ଦିଶୁନାହିଁ । ସେ ଅଣନିଃଶ୍ୱାସୀ ହେଇ ଧାଇଁଚି । ହଠାତ୍‌ ଧକ୍‌କା ଲାଗିଲା ସାମନାରୁ ଆସୁଥିବା ଟ୍ରକ୍‌ ଦେହରେ । ସେଇଠି ସଙ୍ଗେ ସଙ୍ଗେ ଟ୍ରକ୍‌ ଚକାତଳେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

ଘରେ ଅନ୍ଧ ବୁଢ଼ାବାପ ଜ୍ୱରରେ ଥରିଥରି ଅପେକ୍ଷା କରି ବସିଚି । ପବନି ଆସିଲେ ତା’କୁ ପଥି ଦବ ।

 

ବୁଢ଼ାବାପର ପବନି ପାଇଁ ଅପେକ୍ଷାଟା ମୃତ୍ୟୁ ପାଇଁ ଅପେକ୍ଷା ହେଇଗଲା । ପରଦିନ ସକାଳୁ ବୁଢ଼ାବାପର ମଲା ଦେହଟାକୁ ସେ ଘରୁ ବାହାର କରିଦେଇ ରତନା ଆଉ ତା’ ଭାରିଯା ଆସି ସେ ଘର ଦଖଲ କଲେ । ଯଦିଓ ବୁଢ଼ାବାପ ମର୍ତ୍ତ୍ୟରେ ଜାଣିପାରିଲା ନାହିଁ ତା’ ଝିଅ ଆଉ ସଂସାରରେ ନାହିଁ ବୋଲି, ସ୍ୱର୍ଗପୁରରେ ବାପ ଝିଅ ପରସ୍ପରକୁ ଭେଟିଲେ । ପବନି କହିଲା–ମୁଁ ଆଗରୁ ଆସି ତୋ’ ପାଇଁ ପଥି ବ୍ୟବସ୍ଥା କରିଛି । ତୁ ଆସିଗଲୁ ଭଲ ହେଲା । ଆମେ ଆଉ ସଂସାରକୁ ଫେରିବା ନାହିଁ । ଏଇଠି ରହିଯିବା ସବୁଦିନ ବାପଝିଅ ହେଇ ।

Image

 

ଗରୁଡ଼ ପୁରାଣର ଉକ୍ତି

 

ବୁଢ଼ା ବଅସରେ ଯେ, ମଣିଷ ଏତେ ପ୍ରେମ କରିପାରେ ତା’ ମୁଁ ଜାଣିନଥିଲି ।

 

ସେଦିନ ଏକା ଏକା ବସିଚି । ଦିନ ପ୍ରାୟ ଦୁଇଟା ବାରଟା । ଠିକ୍‌ କ’ଣ ଥିଲା କେଜାଣି ମନେନାଇଁ । ତେବେ ବିବାହ-ଲଗ୍ନ ଥିଲା ନିଶ୍ଚୟ । ହାତରେ ଓଡ଼ିଆା ପତ୍ରିକା ଖଣ୍ଡେ ଧରି ଓଲଟାଉଥିଲି । ଆଗର ରାସ୍ତାଟା ହଠାତ୍‌ କ୍ଷଣେକାଳ ପାଇଁ ଜମକିଗଲା ।

 

ଏ କ’ଣ ?

 

ବିରାଟ ବାହାଘର ଶୋଭାଯାତ୍ରା । ବହୁ ପ୍ରକାରର ବାଜା । ଦିନବେଳେ ମଧ୍ୟ ରୋଷଣିର ଫୁଆରା ।

 

ମୋଫସଲର ଲୋକେ ପ୍ରଥମେ ତଟସ୍ଥ ହେଇଗଲେ । ୟା’ ଆଗରୁ ଏ ଗାଁରେ କେହି ଏକ ସମୟରେ ଏତେ ଲୋକଙ୍କର ଶୋଭଯାତ୍ରା ଦେଖି ନଥିଲେ କି ଏମିତି ଗୋଟାଏ ବାହାଘର ମଧ୍ୟ ଦେଖି ନଥିଲେ । ଅବଶ୍ୟ ଅତି ବୁଢ଼ାମାନେ କହନ୍ତି–ଆଗେ ଯେତେବେଳେ ଗାଁଆର ପରାକ୍ରମୀ ଜମିଦାର ମନ୍ଦରନୀଳ ସାଆନ୍ତେ ବୁଢ଼ା ବଅସରେ ବାହାହେଇ ଆସିଥିଲେ ତାଙ୍କ ସହିତ କୁଆଡ଼େ ଆସିଥିଲେ ଘୋଡ଼ା, ହାତୀ, ଗାଈ, ମଇଁଷୀ ଆଉ ଲୋକ ଅମାପ । ରାତିଟା କୁଆଡ଼େ କିଛି ସମୟପାଇଁ ଦିନ ହେଇ ଯାଇଥିଲା । ଏବେ ଏ କାଳରେ ମୋଫସଲ ଗାଁରେ ଏମିତି ଜାକଜମକର ବାହାଘର ଏଇ ପ୍ରଥମ । ସାରା ଗାଁଟା କମ୍ପି ଉଠୁଚି ।

 

ପତ୍ରିକା ଖଣ୍ଡଟା ଟେବୁଲ ଉପରେ ଥୋଇ ବାହାରକୁ ଆସିଲି । ଦାଣ୍ଡ ଲୋକାରଣ୍ୟ ।

 

ଏ କାହାର ବାହାଘର ?

 

ଆମ ଆରଗାଁଆର ଚାକରଟୋକା କହିଲା–ବୀରହରିପୁର ରାମପ୍ରାଣ ଶାସ୍ତ୍ରୀ ବାହାହେଇ ଫେରୁଚନ୍ତି ।

 

ମୁଁ ପ୍ରଥମେ ଚମକି ପଡ଼ିଲି । ବିଶ୍ୱାସ କରିପାରିଲିନି ରାମପ୍ରାଣ ଶାସ୍ତ୍ରୀ ବାହା ହଉଚନ୍ତି !

 

ମତେ ହସ ମାଡ଼ିଲା । ମାଡ଼ିବାର ବି କଥା । ଯେ’ ଶୁଣିବ ତା’କୁ ହସ ମାଡ଼ିବ । ଶାସ୍ତ୍ରୀ ମହାଶୟଙ୍କ ବୟସ ପଞ୍ଚାବନ ଟପିଥିବ । ମୋ ଜନ୍ମବର୍ଷ ତାଙ୍କୁ ବଡ଼ଝିଅ ଜନ୍ମ ହୋଇଥିଲା । ସେ ଝିଅ ବାହାହେଇ ତା’ର ଦୁଇଟି ପୁଅ ଦୁଇଟି ଝିଅ ହେଲେଣି ।

 

ଶାସ୍ତ୍ରୀଙ୍କ ସ୍ତ୍ରୀ ଅବଶ୍ୟ ଗତବର୍ଷ ମାରା ପଡ଼ିଥିଲେ । ହେଲେ ବି ତାଙ୍କ ଶ୍ମଶ୍ରୂତ ଧଳାହେଇଛ ଆସିଲାଣି–ମୁଣ୍ଡରେ କଳାବାଳ ମିଳିବା କଷ୍ଟ । ଏ ଖଣ୍ଡମଣ୍ଡଳରେ ସେ ଜଣେ ପଣ୍ଡିତ ବ୍ୟବସ୍ଥାପକ (ବ୍ୟବସ୍ଥା ସଭାର ସଭ୍ୟ ନୁହେଁ) । ବାହାଘରର ପ୍ରକୃଷ୍ଟ କାଳ ବିଷୟରେ ଗଣନାକରି ସେ ପରାମର୍ଶ ଦିଅନ୍ତି । ବହୁଲୋକ ନିଜ ପୁତ୍ର କନ୍ୟାର ବିବାହାର୍ଥେ ଜାତକ ମେଳ କରିବାପାଇଁ ତାଙ୍କପାଖକୁ ଆସନ୍ତି । ସେଇ ଶାସ୍ତ୍ରୀ ମହାଶୟ ନିଜେ ପୁଣି ଏଲ ବଅସରେ ବାହାହେଇ ପଡ଼ିଲେ !

 

ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା–ବାହାଘରଟା କ’ଣ ଏଇଥିପାଇଁ ?

 

ଆଶ୍ଚର୍ଯ୍ୟ ହେଲି ଯେତିକି, ଦୁଃଖିତ ବି ହେଲି ସେତିକି । ପଞ୍ଚାବନ ବର୍ଷର ବୁଢ଼ା ଜାକଜମକରେ ବାହାହେଇ ରସିକତାର ସୁଅ ଛୁଟଉଚନ୍ତି.....ଅଥଚ ଠିକ୍‌ ସେଇ ସମୟରେ ଆମପରି ବହୁ ହତଭାଗ୍ୟ ବେକାର ଯୁବକ ବାହାଲଗ୍ନ ବିତିଯାଉଥିଲେ ବି ବାହାହେଇ ପାରୁନାହାନ୍ତି-

 

ଦୁର୍ଭାଗ୍ୟ ! ଦୁର୍ଭାଗ୍ୟ !!

 

ବାହାଘରର ତୃତୀୟ ଦିନ । ମୁଁ ସେଦିନ କେତେକ ଜିନିଷ କିଣିବାପାଇଁ ବଜାରକୁ ଯାଇଥିଲି । ହଠାତ୍‌ କସ୍ମେଟିକ୍‌ ଦୋକାନରେ ଶାସ୍ତ୍ରୀଙ୍କ ସହିତ ଦେଖାହେଲା । ସେ ସ୍ନୋ, ସେଣ୍ଟ୍‌, ପାଉଡ଼ର, ଲିପ୍‌ଷ୍ଟିକ୍‌ ପ୍ରଭୃତି କେତେକ ଜିନିଷ ତାଲିକା ଅନୁସାରେ ଖରିଦ କରୁଥିଲେ । ମୋ ନିଜ ଆଖିକି ମୁଁ ନିଜେ ବିଶ୍ୱାସ କରିପାରିଲି ନାହିଁ । କିଛିଦିନ ପୂର୍ବର ପଞ୍ଚାବନ ବର୍ଷ ବୟସ୍କ ବୃଦ୍ଧ ଶାସ୍ତ୍ରୀ ଆଉ ଆଜିର ଏ ଶାସ୍ତ୍ରୀ–କି ପ୍ରଭେଦ ହୁଏତ ମନୋବୈଜ୍ଞାନିକମାନେ କହିବେ ଏ ପରିବର୍ତ୍ତନର । ମନସ୍ତତ୍ତ୍ୱ ଦେଖିଲି ଅରସିକ କୃପଣ ବୃଦ୍ଧଜଣକ ଆଜି ଶ୍ମଶ୍ରୂବିହୀନ ପୁନଯୌବନ ପ୍ରାପ୍ତ ସୁଗୋଲ ସୁଠାମ ଦାମିକା ବସନ ପରିହିତ ଏକ ଭିନ୍ନ ମଣିଷରରେ ପରିଣତ ।

 

ମୁ ତାଙ୍କୁ ନମସ୍କାର କଲି । ସେ ହାତ ଟେକି ଆଶୀର୍ବାଦ କଲେ । ତା’ପରେ କିଛି ସମୟ କଥାବାର୍ତ୍ତାରେ କଟିଲାପରେ ତାଙ୍କର ବାହାଘର ବିଷୟଟା ପକେଇଦେଲି, ଆଉ ସେ ଯେ ବାହାହେଇ ଗୋଟାଏ ମସ୍ତବଡ଼ ଅନ୍ୟାୟ କରିଛନ୍ତି ଏ କଥା ମଧ୍ୟ ସୂଚେଇ ଦେଲି । ମାତ୍ର ଶାସ୍ତ୍ରୀଙ୍କ ଯୁକ୍ତି ବଡ଼ ଅକାଟ୍ୟ । ତାଙ୍କ ପାନଖିଆ ବଡ଼ ବଡ଼ ପାଚିଲାଦାନ୍ତ ଦେଖିଲେ ଯୁକ୍ତି କରିବାକୁ ବି ଭୟଲାଗେ । ମୁଁ ବିଶେଷ ଯୁକ୍ତି ନ କରି ଚୁପ୍‌ ରହିବାକୁ ପସନ୍ଦ କଲି । ମାତ୍ର ସେ ବନ୍ଦ ନ ହୋଇ କହି ଚାଲିଲେ–

 

ପ୍ରଥମ କଥା–ପୁତ୍ର ଜାତପାଇଁ ଯେଉଁ ବଅସରେ ମଧ୍ୟ ବିଭାହବା ଦୋଷାବହ ନୁହେଁ । ଆମ ସମ୍ୱିଧାନ ପ୍ରଣେତା ଆମ୍ୱେଦକର କୁଆଡ଼େ ଆଉରି ବେଶୀ ବୟସରେ ପୁଣି ବାହା ହେଇଥିଲେ । ବଡ଼ ବଡ଼ ଲୋକେ ଯାହା କରିଗଲେ ସେଇଟା କରିବା ଅବିଧି ନୁହେଁ ।

 

ମହାଜନୋ ଯେନ......

 

ଦ୍ୱିତୀୟ କଥା–ଦେଶର ଅବସ୍ଥା ଖରାପ ଥିବା ସମୟରେ ସେ ଗୋଟିଏ ପୂର୍ବବଙ୍ଗର ରିଫିଉଜି ଝିଅକୁ ବାହା ହେଇଚନ୍ତି । ସେ ଗର୍ବ କରନ୍ତି–ଅନ୍ତତଃ ଗୋଟାଏ ଅନାଥା ଝିଅର ଭରଣପୋଷଣ ଭାର ସେ ନିଜେ ବହନ କରିପାରିଚନ୍ତି ବୋଲି ।

 

ଏତଦ୍‌ବ୍ୟତୀତ ଆଉରି ଅନେକ ଯୁକ୍ତି–ଉତ୍ତର ଦେବାକୁ ଇଚ୍ଛା ହେଉଥିଲେ ବି ଦେଲିନି । ମନ ଭିତରେ ମୋର ଅସୁମାରି ଦୁଃଖର ଝଡ଼ ଉଠୁଥାଏ । ଦେହରେ ଭରାତାରୁଣ୍ୟ ଧରି ମୁଁ ବିଭାହେଇ ପାରୁନି । ବିବାହ ବଜାରରେ ବେକାରମାନଙ୍କ ଦାମ୍‌ ଖୁବ୍‌ କମ୍‌ ।

 

ଆଉ କିଛି ସମୟ କଥାବାର୍ତ୍ତା କରି ଆମେ ଦୁହେଁ ଘରକୁ ଫେରିଲି । ଆଗାମୀ କାଲି ତ ତାଙ୍କର ଚତୁର୍ଥୀ । ମଧୁଶଯ୍ୟା । ଏଇ ଚତୁର୍ଥୀପାଇଁ ସେ ମତେ ନିମନ୍ତ୍ରଣ କରିଗଲେ । ବାରମ୍ୱାର ଅନୁରୋଧ–ମୋ ବାପାଟି ଆସିବ ।

 

ଚତୁର୍ଥୀ ନିମନ୍ତ୍ରଣ ଖାଇବାର ଲୋଭ ଯେତିକି ନଥିଲା ତା’ଠୁ ଅଧିକ ଥିଲା ତାଙ୍କର ବର୍ତ୍ତମାନ ଅବସ୍ଥାକୁ ଦେଖିବାର କୌତୂହଳ । ତେଣୁ ଅସମ୍ଭାଳ ହେଇ ତାଙ୍କ ଘରକୁ ଚାଲିଲି । ତାଙ୍କ ଗାଁ ଦାଣ୍ଡରେ ପିଲାମାନେ ଗୀତ ବୋଲୁଥିଲେ–

 

ବୁଢ଼ା ବଅସରେ ପଣ୍ଡିତେ ଆଣିଚି କନିଆଁ

କନିଆଁକୁ ଦେଖି ଗାଁଆର ଟୋକାଏ ଛାନିଆଁ ।

 

ଆଃ ! ବୁଢ଼ାଟା ବାହାହେଇ କି କାମ ନ କରିଚି ! ଖାଲି ବଦ୍‌ନାମର ବୋଝ ବାହାଘର ପ୍ରତି ଅସମର୍ଥନ ।

 

ଶାସ୍ତ୍ରୀଙ୍କ ଘରେ ପହଞ୍ଚି ଯାହା ଦେଖିଲି ତାହା ନିମ୍ନପ୍ରକାରେ ବର୍ଣ୍ଣନା କରୁଚି-

 

ଶାସ୍ତ୍ରୀ ଆପଣେ ପାଇଜାମା ଆଉ ପଞ୍ଜାବୀ ପିନ୍ଧି ନିମନ୍ତ୍ରିତ ଅତିଥିମାନଙ୍କୁ ତାଙ୍କ ନବବଧୂଙ୍କ ସହିତ ପରିଚୟ କରେଇ ଦେଉଥାନ୍ତି । ଆଖିକି ତ ପ୍ରଥମେ ଅବିଶ୍ୱାସ କଲି । ପଣ୍ଡିତଙ୍କ ଘରେ ଏ ପୁଣି ସମ୍ଭବ ହେଲା ? ନ ଦେଖିଲେ ବିଶ୍ୱାସ କରିବ କିଏ ? ମାତ୍ର ମୋର ସବୁ ଅବିଶ୍ୱାସ ତୁଟିଗଲା–ସବୁପ୍ରକାର ଜଡ଼ତା କଟିଗଲା ଯେତେବେଳେ ବୀଣାଜିଣା କଣ୍ଠରେ ସରୁ ପ୍ରଶ୍ନଟିଏ ମୋ ଉପରେ ଧୀରଭାଗରେ ପଡ଼ିଲା । ସେ ପଚାରିଲେ ବଙ୍ଗଳା ଭାଷାରେ–(ଯାହାର ଓଡ଼ିଆ ଏହିପରି)–

 

‘‘ଆପଣ କ’ଣ କଲିକତାରେ ପଢ଼ନ୍ତି ?’’

 

ଆରେ, ମତେ ଏ କ’ଣ କଲିକତାରେ ଦେଖିଚନ୍ତି ? କେଉଁଠି ଦେଖିଥିବେ ? କେଉଁଠି ଦେଖିଥିବେ ? କଲେଜ ଷ୍ଟ୍ରୀଟ୍‌ରେ ? ହେଦୁଆ ପାର୍କରେ ? ରୂପବାଣୀ ସିନେମାରେ ? ନା ଚିଡ଼ିଆଖାନା ବା କାଳୀଘାଟରେ ?

 

ଟିକିଏ ରହି, ତାଙ୍କ ମୁହଁକୁ ବଲବଲକିନି ଚାହିଁ ମୁଁ କହିଲି–ହଁ, ମୁଁ କଲିକତାରେ ପଢ଼େ । ମାତ୍ର ଆପଣ....

 

ସେ ଟିକିଏ ମୁରୁକି ହସ ହସି କହିଲେ–ଓ ମୁଁ କେମିତି ଜାଣିଲି ?

 

ମୁଁ ପ୍ରଶ୍ନିଳ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଲି ।

 

ସେ କହିଲେ–ମିଷ୍ଟର୍‌ ପ୍ରନ୍‌ ମତେ ଆପଣଙ୍କ କଥା କହୁଥିଲେ ।

 

ମିଷ୍ଟର୍‌ ପ୍ରାନ୍‌ ? ଚଳଚ୍ଚିତ୍ର ଅଭିନେତା ପ୍ରାନ୍ ନୁହନ୍ତି ତ ? ସେ କ’ଣ ଏଠିକି ଆସିଛନ୍ତି ?

 

ମୋର ସନ୍ଧାନୀ ଆଖି ଚାରିଆଡ଼କୁ ଚାହୁଁଥିଲା–ଯଦି ମିଷ୍ଟର ପ୍ରାନ୍‌ଙ୍କୁ ମୁଁ ଦେଖିପାରେ !

 

ମୋର ତଟସ୍ଥ ଭାଙ୍ଗିଲା ଯେତେବେଳେ ପଣ୍ଡିତେ ଦାନ୍ତ ଚିପି ଚିପି ହସିହସି କହିଲେ–ବୁଝିପାରୁନାହିଁ ? ମିଷ୍ଟର୍‌ ରାମ ପ୍ରାଣ୍‌....

 

-ଓ..... ଓ କ୍ଷମା କରିବେ ଆଜ୍ଞା ! ମୁଁ ଏ ଯାଏ କିଛି କଳନା କରିପାରୁ ନଥିଲି ।

 

ସତରେ..... ପଣ୍ଡିତ ରାମପ୍ରାଣ ଶାସ୍ତ୍ରୀ ଯେ’ ମିଷ୍ଟର ପ୍ରାନ୍‌ରେ ପରିଣତ ହେଇ ସାରିଲେଣି ୟା’ ଭିତରେ, ଏ କଥା ମତେ ଜଣାନଥିଲା ।

 

ଘରଭିତରେ ତ ଅନେକ ପରିବର୍ତ୍ତନର ସୂଚନା । ପୁଣି ମିଷ୍ଟର ପ୍ରାନ୍‌ଙ୍କ ଦେହରେ ତା’ର ସୂଚନା ଆଉରି ବେଶି ।

 

ମିସେସ୍‌ ପ୍ରାନ୍‌ କହିଲେ–ମୋତେ ସମ୍ୱୋଧନ କରିବାକୁ ହେଲେ ମିସେସ୍‌ ପ୍ରାନ୍‌ବୋଲି ଡାକିବେ । ଏଇ ଡାକରେ ମୋତେ ବହୁତ ଆନନ୍ଦ ମିଳିବ ।

 

କଲିକତା ବିଷୟରେ ଆମେ ଦୁହେଁ କେତେକ କଥାବାର୍ତ୍ତା ହେଲୁ । ତାଙ୍କ କଥାଭିତରେ ସେ ବାରମ୍ୱାର ମୋତେ ପ୍ରଶଂସା କରିବାକୁ ଲାଗିଲେ ।

 

ମିଷ୍ଟର ପ୍ରାନ୍‌ ମୋର ଖାଇବାପାଇଁ ବ୍ୟସ୍ତ ହେଇପଡ଼ିଲେ । ଅନ୍ୟାନ୍ୟ ଅତିଥିମାନେ ବି ଆସି ଯାଇଥିଲେ ସେତେବେଳକୁ । ଶୀଘ୍ର ଖାଇବାର ଯୋଗାଡ଼ ହେଲା । ମିଷ୍ଟର୍‌ ଓ ମିସେସ୍‌ଙ୍କର ଗୋଟିଏ ଟେବୁଲରେ ବଢ଼ାଯାଇଥିଲା । ମାତ୍ର ମିସେସ୍‌ ପ୍ରାନ୍‌ ଆସି ମୋରି ଟେବୁଲ୍‌ରେ ବସିଲେ । ଏମିତି ବସିବା ଭଦ୍ରତା । ପଣ୍ଡିତଙ୍କର ତାଙ୍କୁ କିଛି କହିବାର ସାହସ ନଥିଲା ।

 

ଯେହେତୁ–ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା.....

 

ମିସେସ୍‌ ପ୍ରାନ୍‌ କେତେ ଯେ’ କ’ଣ କହୁଥିଲେ–ସେ ଶିକ୍ଷିତା–ସେ ଆଧୁନିକା–ପଦ୍ମାନଦୀ ତୀରର ଏକ ସୁନ୍ଦର ସହରରେ ତାଙ୍କର ଘର ଥିଲା । ପୂର୍ବବଙ୍ଗ ଦଙ୍ଗାହାଙ୍ଗାମାରେ ତାଙ୍କ ବାପା ମା’ ଭାଇ ସମସ୍ତଙ୍କୁ ସେ ହରେଇଚନ୍ତି । ତାଙ୍କର ସୌଭାଗ୍ୟ ଯୋଗୁ ସେ ଉଧୁରି ଯାଇଚନ୍ତି ଆଉ ଆଜି ନିଜର ସଂସାର ଗଢ଼ି ପାରିଚନ୍ତି ।

 

କିନ୍ତୁ ଏଇ ନିପଟ ମୋଫସଲ ଗାଁରେ ତାଙ୍କ ଜୀବନ କଟିବ କିପରି ?

 

ସେ ବାରମ୍ୱାର କହୁଥାନ୍ତି–ବୁଝିଲ, ମୁଁ ମନେ ମନେ ଶିକ୍ଷିତ ସାଙ୍ଗଟିଏ ଖୋଜୁଥିଲି । ଯା’ ହଉ, ତୁମେ ମିଳିଗଲ । କିଛି ଲଜ୍ଜା କରିବନି । ଯେତେବେଳେ ସମୟ ମିଳିବ ଆସିବ । ତୁମପାଇଁ ରାତି ଦିନର ବାଛବିଚାର କିଛଇ ରହିବନି । ତୁମପାଇଁ ଏ ଘରର ଦୁଆର ସବୁବେଳେଖୋଲା ରହିବ-। ତୁମେ ନିଶ୍ଚୟ ଆସିବ ।

 

ତାଙ୍କର ଏ ଅନୁରୋଧରେ ହଁ କି ନା କ’ଣ କହିବି ମୁଁ ଭାବିପାରୁ ନଥିଲି ।

 

ସେ ପୁଣି କହିଲେ–ତମେ ତ ଭଲ ବଙ୍ଗଳା କହିପାରୁଚ ଆଉ କିଛି ଅସୁବିଧା ନାହିଁ । ରାଣ ଦଉଚି ଆସିବ ।

 

ଖିଆପିଆ ପରେ । ମିଷ୍ଟର ପ୍ରାନ୍‌ ମତେ କେତେଗୁଡ଼ିଏ ନୀତିକଥା କହିଲେ । ଆରେ ଏ କ’ଣ ? ହଠାତ୍‌ ତାଙ୍କ ମନରେ ମୋ ପ୍ରତି ସନ୍ଦେହ ହେଉଚି ନା କ’ଣ ? କଥା ପ୍ରସଙ୍ଗରେ ସେ ମୋତେ ତାଗିଦ୍‌ କଲେ–ଅବଶ୍ୟ ଅଯଥା ।

 

ବିଦାୟ ନେଲି । ମିସେସ୍‌ ପ୍ରାନ୍‌ ମୋ ସହିତ ହାତ ମିଳେଇଲେ । ‘ଗୁଡ଼୍‌ ବାୟ’ କହିଲେ । ମିଷ୍ଟର ପ୍ରାନ୍‌ ଅସହାୟ ଭାବରେ ଚାହିଁ ରହିଥାନ୍ତି ।

 

ମିସେସ୍‌ ପ୍ରାନ୍‌ କହିଲେ–ତୁମେ ହାତ ମିଳାଉ ନାହିଁ ମିଷ୍ଟର ପ୍ରାନ୍‌–ବୁଦ୍ଦୁ କୋଉଠିକାର । ମିଷ୍ଟର ପ୍ରାନ୍‌ ଥରି ଥରି ତାଙ୍କ ହାତଟାକୁ ମୋ ଆଡ଼କୁ ବଢ଼ାଇ ଦେଲେ ।

 

ତା’ପରେ । ଅନେକ ମଧ୍ୟାହ୍ନରେ–ଅନେକ ସନ୍ଧ୍ୟାରେ ମିସେସ୍‌ ପ୍ରାନ ମତେ ଡକେଇ ପଠେଇଚନ୍ତି । ମାତ୍ର ମୁଁ କାହିଁକି କେଜାଣି ଯିବାକୁ ଆଉ ସାହସ ସଞ୍ଚୟ କରିପାରିନି । କିଛିଦିନ ପରେ । ପୁନର୍ବାର ରାମପ୍ରାଣ ଶାସ୍ତ୍ରୀଙ୍କ ସହିତ ଦେଖାହେଲା ବଜାର ଭିତରେ । ପୁଣି ଏ କି ପରିବର୍ତ୍ତନ ! ସେ ପେଣ୍ଟ୍‌ ହାଓ୍ୟାଇନ୍‌ ଜୋତାମୋଜା ପିନ୍ଧି ଆଉରି ଆଧୁନିକ ହେଇଯାଇଚନ୍ତି ।

 

ସେ ମତେ କହିଲେ–ସେ ଏଇ ବଜାର ଉପରେ ଗୋଟାଏ କୋଠାଘର ତିଆରି କରୁଛନ୍ତି, କାରଣ ମିସେସ୍‌‌ ପ୍ରାନ୍‌ଙ୍କୁ ମୋଫସଲ ପୋଷଉ ନାଇଁ । ଅଧିକ ଦିନ ମୋସଫଲରେ ରହିଲେ ତାଙ୍କୁ କୁଆଡ଼େ ହିଷ୍ଟିରିଆ ହୋଇଯିବ । ତେଣୁ ତାଙ୍କର ସହର ଦର୍କାର–ସହରୀ ବନ୍ଧୁ ଦର୍କାର–ସହର ଆଦବ କାଇଦା ଦରକାର ।

 

ସେ ପୁଣି କହିଲେ–ତୁମେ ଟିକିଏ ଆମ ଘର ଆଡ଼େ ଆସନ୍ତି ନାହିଁ । ଏକୁଟିଆ ବସି ବସି ତାଙ୍କୁ ଭାରି ବୋର୍‌ ଲାଗୁଛି ।

 

ମୁଁ କିନ୍ତୁ ଯିବାପାଇଁ ଅକ୍ଷମତା ପ୍ରକାଶ କଲି । ମୋର ଲ’ ପରୀକ୍ଷାଫଳ ବାହାରି ଯାଇଚି-। ମୁଁ ଆଜି ଯାଉଚି ହାଇକୋର୍ଟରେ ଓକିଲାତି କରିବି ।

 

ସେ ଦୀର୍ଘନିଃଶ୍ୱାସ ପକେଇଲେ ।

 

ମୁଁ ଭାବୁଥିଲି–ହାୟ ବୃଦ୍ଧ ରାମପ୍ରାଣ ଶାସ୍ତ୍ରୀ ବନାମ ମିଷ୍ଟର ପ୍ରାନ୍‌ । ତୁମରି ଜୀବନରେ ତୁମେ ଗରୁଡ଼ ପୁରାଣର ଭବିଷ୍ୟ–ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ କରିଚ ।

Image

 

ଅନ୍ଧାର ଘର

 

ସୁଷମା ଯେତେବେଳେ ଷୋଡ଼ଶ ବସନ୍ତରେ ଉପନୀତ ହେଲା ମୁଁ ତାକୁ ଲକ୍ଷ୍ୟ କରିଥିଲି-। ତା’ର ସଦ୍ୟସ୍ଫୁଟ ଗୋଲାପ ମୁଖରେ ଫୁଟିଉଠିଥିଲା ଉଦ୍ଦାମ ତରଳ ହାସ୍ୟ–ମୃଗିଣୀ ପ୍ରସାରିତ ନେତ୍ରରେ ଫୁଟିଉଠିଥିଲା ଯୌବନ–ସ୍ୱପ୍ନର ସହସ୍ର ରଙ୍ଗୀନ୍‌ ଛବି । ହେମଗୌର ବକ୍ଷରେ ତା’ର ପ୍ରେମର ପ୍ରଥମ ଆଭାସ ମୁଁ ପାଇଥିଲି । ଷୋଡ଼ଶ ବସନ୍ତର ପ୍ରଥମ ଉପହାର ନେଇ ସେ ଯେତେବେଳେ ଯୌବନ ଦେବତାର ପୂଜା କରିଥିଲା, ମୁଁ ମୋର ପ୍ରଥମ ଉପହାର ରକ୍ତ ଗୋଲାପରେ ତା’ର କାକକୃଷ୍ଣ-କବରୀକୁ ରଞ୍ଜିତ କରି ତା’ର ନାରୀତ୍ୱର ଶ୍ରେଷ୍ଠ ରତ୍ନଟିକକ ଅପହରଣ କରିଥିଲି ।

 

ତା’ର ଅକ୍ଷୁଣ୍ଣ ଅକ୍ଷତ ଯୌବନର ଶତସହସ୍ର ଶୋଭାନେଇ ମୋର ନିଖୁଣ୍‌ ମନକୁ ସେ ଆକ୍ରମଣ କରିଥିଲା । ସେଦିନ, ସେଇ ଦିଗ୍‌ବଳୟବ୍ୟାପୀ ସବୁଜ ପ୍ରାନ୍ତରରେ ଥିଲା ଶୀତାର୍ତ୍ତ-ମୁର୍ମୂଷୁ ଅର୍ଦ୍ଧଚନ୍ଦ୍ରର ଅସ୍ପଷ୍ଟ ଆଲୋକ, ଆଉ ନିଦ୍ରିତ ସ୍ୱପ୍ନଭୀତା ପୃଥିବୀ ।

 

ମୋ ପକ୍ଷେ ସେ ଅତି ଗୌରବମୟ । ଯୌବନର ପ୍ରଥମ ପାଦରେ ଉପନୀତ ହୋଇ ତୋଳିଥିଲି ସ୍ମୃତିର ତାଜ୍‌ମହଲ ଅବା ନଭଶ୍ଚୁମ୍ୱୀ କୁତବ ମିନାର । କଳ୍ପନା କରିଥିଲି ଚିରଦିନ ସେ ସେମିତି ସରଳ ରେଖାପରି ଦଣ୍ଡାୟମାନ ହୋଇ ରହିବ । କିନ୍ତୁ ହାୟ, ସେ କଥା ଭାବି ମୁଁ ଆଜି ଅନୁତାପ କରେ, ଶୟନ କକ୍ଷରେ କାନ୍ଦେ, ସେଇ ଗୌରବମୟ ଅତୀତ ମୋତେ ଉପହାସ କରେ....ବିଦ୍ରୂପ କରେ ।

 

ମୁଁ ନିଦ୍ରା ତେଜି ଚମକି ଉଠେ । ହାତ ବୁଲେଇ ଦେଖେ ସୁଷମା ଅର୍ଦ୍ଧନଗ୍ନ....ନିଦ୍ରିତ । ଛାତିରେ ଲୁଗାଟା ଘୋଡ଼େଇ ଦେଉ ଦେଉ ତା’ର ଅଲରା ଅସନା ବାଳଗୁଡ଼ାକରେ ହାତ ବୁଲେଇ ଦିଏ । ମୋର ହାତ ସ୍ପର୍ଶରେ ତା’ର ନିଦ୍ରା ଭାଜେ ।

 

ମୁଁ ଦେଖେ–ସେ ତା’ ଆଖି ଲୁହରେ ଉପାଧାନଟି ଭିଜେଇ ଦେଇଛି । ସନ୍ତାନହୀନା ନାରୀ ସେ–ବାତ୍ସଲ୍ୟ ସ୍ନେହର ଆଧିକ୍ୟ ହେତୁ ଉପାଧାନଟିକୁ ବକ୍ଷରେ ଜାକିଧରି ଘନଘନ ଚୁମ୍ୱନ ଦେଇଛି । ଆହା ! ଭଗ୍ନ ହୃଦୟ ମୋର କାନ୍ଦିଉଠେ । ଜନନୀ ହେବାରେ ଯେ’ କି ଗୌରବ, ତାହା ମୁଁ ବୁଝିବି କାହୁଁ ?

 

ମୋର ସୁନ୍ଦର ରୂପ ନେଇ ସେତେବେଳେ ମୁଁ ଗର୍ବ କରୁଥିଲି । ସେଇ ଯାଦୁକରୀ କାଉଁରି ପରଶରେ କେତେ ନିରୀହ-ଜଡ଼-ନିର୍ଜୀବ କୁମାରୀ ଜୀବନ ପାଇଥିଲେ.....ମୁଁ ତାଙ୍କୁ ବଶ କରିଥିଲି । ମୋର ଏଇ ପ୍ରତାରଣା ଯୋଗୁ ଆଜି ଜୀବନର ମଳିନ ସନ୍ଧ୍ୟାରେ ବସି ମୁଁ ଅନୁତାପ କରେ–କାନ୍ଦେ କଅଁଳ ଛୁଆଟି ପରି କଇଁକଇଁ ହୋଇ ।

 

ସୁଷମା ତୁଳସୀ ଚଉତରା ମୂଳେ ନିତି ସଞ୍ଜବତୀ ଜାଳିଦେଇ ବୃନ୍ଦାବତୀଙ୍କ ପାଖେ କେତେ କ’ଣ ମନାସିଯାଏ । ଗୃହର ଲକ୍ଷ୍ମୀ ସେ....ସରଳା ସେ....ମୋର ରୁକ୍ଷ ନିର୍ମମ ହୃଦୟକୁ ବୁଝିପାରିନଥିଲା । ତା’ର ମନ ପ୍ରାଣ ଯୌବନ ସବୁ ଅଜାଡ଼ି ଦେଇଥିଲା ମୋରି ପାଦତଳେ; କିନ୍ତୁ ମୁଁ ତା’ର ଅପବ୍ୟବହାର କରିଚି । ତା’କୁ ସନ୍ତୁଷ୍ଟ କରିବାରେ ଭୀଷଣ ଅନ୍ୟାୟ କରିଚି–କୃପଣତା କରିଚି-। ସେ ଆଜି ବୁଝିଚି ଏବଂ ସେଥିପାଇଁ ସେ ଦୁଃଖ କରେ–ମୋତେ ନିଜର କରିବାପାଇଁ ଦିଅଁଦେବତାଙ୍କ ପାଖେ ଜଣାଏ ।

 

ମୁଁ ଆଜି ଭାବୁଚି–ମୁଁ ତାକୁ ଭଲ ପାଇନଥିଲେ ଅନ୍ତତଃ ଏତେ ଅନୁତାପ କରିବାକୁ ପଡ଼ୁ ନ ଥାନ୍ତା । ଆଜି ଜୀବନର ଏଇ ଧୂସର ସନ୍ଧ୍ୟାରେ–ସେପାରିକି ପାଦ ଦେଲାବେଳେ ତା’ ଚିନ୍ତା ମୋତେ ଏତେ ବ୍ୟଥିତ କରୁ ନ ଥାନ୍ତା । ମୋର କର୍ମକ୍ଳାନ୍ତ ଜୀବନ ପରେ ଏ ଭଗ୍ନହୃଦୟ ନେଇ ମୁଁ ଚିତ୍କାର ଛାଡ଼େ–ମୋର ସର୍ବନାଶ ମୁଁ ନିଜେ କରିଚି–ସେଥିପାଇଁ ଦାୟୀ ମୁଁ ।

 

ସୁଷମା ଗୃହ କାମରେ ବ୍ୟସ୍ତ ଥାଏ । ମୁଁ ସବୁବେଳେ ତାହାରି କଥା ଭାବେ । ତା’ ପ୍ରତି ଅନ୍ୟାୟ ବ୍ୟବହାର ଯୋଗୁ କାନ୍ଦେ । ସେଥିପାଇଁ ଦିନକୁ ଦିନ ମୋର ସ୍ୱାସ୍ଥ୍ୟ ଖରାପ ହେଉଛି । ସମ୍ପୂର୍ଣ୍ଣ ବାର୍ଦ୍ଧକ୍ୟରେ ପ୍ରବେଶ କରିନଥିଲେ ହେଁ ଚର୍ମ ଶିଥିଳ କୁଞ୍ଚିତ ହୋଇଯାଇଛି–ଚକ୍ଷୁ କୋଟରଗତ ହେଉଛି–ତା’ରି ପାଇଁ ମୋର ଏ ଦଶା । ସେ ବୁଝେ, ବୁଝାଏ–ଯା’ ହବାର ହେଇଯାଇଚି, ଆଉ ଅନୁତାପ କଲେ ଫେରି ଆସିବନି । ତୁମେ କାନ୍ଦନା, ଧନଟି ପରା ମୋର, ମୋରି ଲାଗି ଚିନ୍ତା କରିକରି ଅକାଳ-ବାର୍ଦ୍ଧକ୍ୟରେ ପାଦ ଦେଲଣି... ଆଉରି କାନ୍ଦୁଚ.... ?

 

ମୁଁ ତା’ର ଅଳସ ତନୁଲତାଟିକୁ ମୋ ବକ୍ଷ ଉପରକୁ ଆଉଜେଇ ଆଣେ । କହେ–ସୁଷମା, ମୋତେ କ୍ଷମା କରିବ । ତୁମ ପ୍ରତି ମୁଁ ଭୀଷଣ ଅନ୍ୟାୟ କରିଚି । ମାତୃତ୍ୱର ଗୌରବରେ ନାରୀ ନିଜକୁ ଭାଗ୍ୟବତୀ ମଣେ । ତମର ସେ ଭାଗ୍ୟ ନାଇଁ । ସୁଷମା, ସେଥିପାଇଁ ଦାୟୀ ମୁଁ ନୁହେଁ କି ?

 

ଶିବ-ଜଟା-ନିସୃତ ଭାଗୀରଥୀ ପରି ତା’ର ଉଷ୍ଣ ଲୋତକରେ ମୋ ଦେହର ପରିଧାନ ଓଦା ହେଇଯାଏ । ସରଳ ମନକୁ ସେ ବୁଝେଇ ପାରେନି । କାନ୍ଦେ ।

 

ଜୀବନରେ କି ସୁଖ ସେ ପାଇଲା ?

 

କ’ଣ ନେଇ ସେ ଗର୍ବ କରିବ ?

 

କ’ଣ ଅଛି ତା’ର ଭବିଷ୍ୟତ ପାଇଁ ?

 

ସେ କାନ୍ଦେ । ଅଭାଗିନୀ ସେ–ମୁଁ ତା’ର ଅଯୋଗ୍ୟ ପତି ।

 

ସେ ଯାଏ ରୋଷେଇ ଘରକୁ ନିତି । ମୁଁ ମୋର ଅବସର ଜୀବନର ସାଥୀ ତୁଳସୀ ମାଳି ଧରି ବସି ପଡ଼େ–କୃଷ୍ଣ ନାମ ଜପ କରେ । ସେଇ ଦଣ୍ଡକ ଅନ୍ତତଃ ତା’ର ସବୁ ସ୍ମୃତି ମନରୁ ପୋଛି ପକେଇବାପାଇଁ ଚେଷ୍ଟା କରେ । କିନ୍ତୁ ପାରେନି । ମୋର ଭକ୍ତି-ନିବିଷ୍ଟ ମନ ଭିତରେ ତା’ର ସୁନ୍ଦର ରୂପ ନାଚେ । ମୁଁ ବସି ବସି ସେଇ ଅତୀତ କଥା ଭାବି ଆତ୍ମବିସ୍ମୃତ ହୋଇପଡ଼େ ।

 

ସେ ରୋଷେଇ ସାରି ଆସି ମୋ’ରି ପାଖରେ ବସେ–ସନ୍ଧ୍ୟା ସାରିଲେ ଯିବି–ଖାଇବି । ସେ ଡାକେନି.... ।

 

ମୋ ସନ୍ଧ୍ୟା ସରେନି, ରାତି ବେଶି ହୁଏ । ଇମିତିକି ଦିନେ ଦିନେ ଆମେ ଖାଇ ଶୋଇବା ବେଳକୁ ପାଖ ଘରଗୁଡ଼ାକରେ ସବୁ ଆଲୁଅ ନିଭିଯାଇଥାଏ । ତଥାପି ସେ ଡାକେନି । ମୋର ଜରାଗ୍ରସ୍ତ ହତାଶମୟ ଜୀବନରେ ସେ ବି ମୋତେ ଭଲପାଏ–ଆଦର କରେ ।

 

ମୁଁ ବସୁ ବସୁ ଢଳିପଡ଼େ । ସେ କେତେ କ’ଣ ଆଶଙ୍କା କରି ଧାଇଁଆସେ ।

 

ମୁଁ ପ୍ରଳାପ କରେ–ସେ ବୁଝାଏ ।

 

ମୁଁ କାନ୍ଦେ–ସେ ସାନ୍ତ୍ୱନା ଦିଏ–ଛି, ଏତେ ବୁଝାଇଲି..... ତଥାପି ତୁମେ ଅବୁଝା ! କେତେବେଳୁ ସନ୍ଧ୍ୟା ସାରି କ’ଣ ଭାବୁଚ ?

 

ମୁଁ ଲଜ୍ଜିତ ହୁଏ..... ।

 

ମୁଁ ବସେ । ସେ ଅନ୍ନ ପରଷି ଦେଇଯାଏ । ଏଣୁତେଣୁ ଦି’ଥର ଖାଇ ମୁଁ ଉଠିପଡ଼େ । ଖାଇବାରେ ସୁଖ ନାହିଁ । ସେ ଦୁଃଖ କରେ, ଭାବେ–ତରକାରୀପତ୍ର ଭଲ ନ ଲାଗିବାରୁ ମୁଁ ଉଠିପଡ଼ିଲି ।

 

ରାତିରେ ମୁଁ ସ୍ୱପ୍ନ ଦେଖେ ।

 

ପ୍ରେତପୁରୀରୁ ସେଇ ଅଲିଅଳି ସନ୍ତାନଟି ଆସି ମୋ ବେକ ଚିପିଧରିଚି । ମୁଁ କହେ–ଧନରେ, ମୋତେ ଇମିତି କରୁଚୁ ? ମୁଁ..... ମୁଁ ପରା ତୋ ବାପ..... ।

 

ସୁଷମା ଆସି ତାକୁ ନେଇଯାଏ । ଖେଳନାଟିଏ ଧରେଇ ଦେଇ ଭୁଲେଇ ଦିଏ । ସେ କିନ୍ତୁ ଭୁଲେନି । ଫେର୍‌ ଧାଇଁ ଆସେ । ମୋର ପ୍ରସାରିତ ବକ୍ଷକୁ ତା’ର କଅଁଳ ପାଦ ଦୁଇଟିରେ ଦଳି ଦେଇଯାଏ–ଧୂସର କେଶଗୁଡ଼ିକୁ ମୁଠେଇ ଧରି ଝିଙ୍କେ । ମୋତେ କଷ୍ଟ ହୁଏ । ମୁଁ ସନ୍ତାନର ମାୟା ମମତା ନ ରଖି ତାକୁ କଚାଡ଼ି ଦିଏ । ସେ କାନ୍ଦେ, ମା’ ପାଖକୁ ଧାଇଁଯାଏ ।

 

ସୁଷମା କହେ–ସେ ରାକ୍ଷସ, ରକ୍ତପାୟୀ ପାଖକୁ ଯିବୁନି ବାପ ! ସେ ରକ୍ତ ଶୋଷିନବ ।

 

ମୋ ପ୍ରାଣରେ ଆଘାତ ଲାଗେ । ମୁଁ ପିତା ହୋଇ ସନ୍ତାନର ରକ୍ତି ପିଇବି ?

 

ସେ କ’ଣ ମୋର ନୁହେଁ ସୁଷମା ? ତମେ ତା’ର ଜନନୀ ହୋଇ ଯେତିକି ଗର୍ବ କରୁଚ–ମୁଁ ତା’ର ପିତା ହେଇ ମୋର କ’ଣ ସେତିକି ଗର୍ବ କରିବାର ନାଇଁ ?

 

ସୁଷମା ନିଷ୍ଠୁର ଭାବେ ଉତ୍ତର ଦିଏ–ନାଇଁ ।

 

ମୁଁ କାନ୍ଦେ... ଚିତ୍କାର କରେ ।

 

ନିଦ ଭାଜିଯାଏ । ଶଯ୍ୟା ଅଣ୍ଡାଳି ପକାଇ ଖୋଜେ–ସନ୍ତାନ କାହିଁ ? ଆଖି ଖୋଲି ଚାହେଁ–ସୁଷମା ସେମିତି ଉପାଧାନଟିକୁ ବକ୍ଷରେ ଜଡ଼ାଇ ଧରିଚି । ସନ୍ତାନ ନାଇଁ–ଖାଲି ସ୍ୱପ୍ନ–ଦୁଃସ୍ୱପ୍ନ ।

 

ପ୍ରାଣ କାନ୍ଦି ଉଠେ । ପ୍ରକୃତ ସନ୍ତାନ ପରିବର୍ତ୍ତେ ସୁଷମାକୁ ଆଜି ନକଲି ସନ୍ତାନ ଦେଇ ଭୁଲେଇଚି କିଏ ? ଜଡ଼ ନିର୍ଜୀବ ଉପାଧାନ କାହାପାଇଁ ତା’ର ସେ ସ୍ଥାନଟିକୁ ପୂରଣ କରିଚି ।

 

ନିର୍ମମ ମୁଁ–ମୋର ଯେମିତି ରୂପ ଥିଲା ମୁଁ ଚାହୁଁଥିଲି ସେମିତି ସୁଷମାର ରହୁ । ସେଥିପାଇଁ ସେ ଦିନ ସୁଷମା ଯେତେବେଳେ ଗର୍ବକରି ଆସି କହିଥିଲା ଯେ’–ଯେ ଆଉ ଖାଲି ମୋର ସ୍ତ୍ରୀ ନୁହେଁ–ମୋ ସନ୍ତାନର ମାଆ, ତା’ର ଛାତି ଗର୍ବରେ ଫୁଲି ଉଠୁଥିଲା । ମାତୃତ୍ୱର ଗୌରବରେ ସେ ସେଇ ଅନାଗତ ମୁହୂର୍ତ୍ତର ପ୍ରତୀକ୍ଷାରେ ଚାତକ ପରି ଚାହିଁ ବସି ରହିଥିଲା । ମନ ମୋର ବ୍ୟଥାରେ ଥରି ଉଠିଲା–ସୁଷମା ଆଜି ତା’ର ରୂପକାନ୍ତିକୁ ନଷ୍ଟ କରିବାକୁ ଯାଉଚି । ମୋର ରାଗ ହେଲା । ପିତା ହବାର ଗୌରବ ମୋର ପ୍ରାଣକୁ ବ୍ୟଥିତ କଲାନାଇଁ । ମୁଁ ନରହନ୍ତା–ଶିଶୁହନ୍ତା ଘାତକର ମୂର୍ତ୍ତି ଧରିଲି । ଡାକ୍ତରଙ୍କ ପାଖକୁ ଯାଇ ଔଷଧ ଆଣିଲି । ସୁଷମା ଜାଣେ ନାଇଁ । ତା’ର ବଳିଷ୍ଠ ସନ୍ତାନ ହବ, ଏଇ ପ୍ରତାରଣା କରି ଶିଶିକି ଆଲମାରିରେ ଲୁଚାଇ ରଖି ତା’କୁ ଖୁଆଇଲି । ସେ ସେତେବେଳକୁ ଭାବି ସନ୍ତାନର କୁଆଁ କୁଆଁ କାନ୍ଦ ଖାଲି ଶୁଣୁଥିଲା । ମୋ କଥାରେ ବିଶ୍ୱାସ କରି ଔଷଧତକ ସେ ଅନ୍ଧ ଭାବରେ ଖାଇଦେଲା ।

 

ତା’ପରେ ଦିନେ ସେ ଜାଣିଲା–ଦେଖିଲା, ଗର୍ଭ ନଷ୍ଟ କରିବାର ଔଷଧ । ହୃଦୟ ତା’ର ଭାଙ୍ଗି ପଡ଼ିଲା–ସେ କାନ୍ଦିଲା । ମୁଁ ସେଇ କାନ୍ଦ ନ ଶୁଣିବି ବୋଲି ଘରୁ ପଳେଇଗଲି । ତା’ ମନରେ ଆହୁରି ଦୁଃଖ ଆସିଲା–ମୋ ପାଖକୁ ଚିଠି ଲେଖିଲା ସେ–ଆସ, ଯାହା ହେବାର ହୋଇଗଲାଣି । ମୋ ପୋଡ଼ା କପାଳରେ ମା’ ହେବାର ଗୌରବ ନାଇଁ । ସେଥିପାଇଁ ତମକୁ ଆଉ ମୁଁ ଦୋଷ ଦେଉନାହିଁ । ତମେ ଫେରି ଆସ ।

 

ସେ ସବୁକଥା ଆଜି ମୋ ହୃଦୟକୁ ମନ୍ଥି ଦେଇଯାଏ । ମୋର ସବୁ ଦୋଷରେ ସୁଷମା ମୋତେ କ୍ଷମା କରିଚି–କିନ୍ତୁ ମୁଁ.......

 

ସେଇଦିନୁ ତା’ର ଆଉ ମୋ ଭିତରେ ବିରାଟ ବ୍ୟବଧାନ ସୃଷ୍ଟି କରିଚି ମୁଁ ।

 

ସୁଷମା ଆଜି ବି ଏ ସବୁ ଭାବେ । ଦୁଃଖ କରେ–କାନ୍ଦେ । ସେ ଦିନ ମୋର ସ୍ପଷ୍ଟ ମନେ ପଡ଼ୁଚି । ସେ ଦିନ ଦିଆଲୀ । ମୁଁ ସକାଳେ କଚେରିକି ବାହାରି ଗଲି–କ’ଣ ଗୋଟାଏ କାମ ଥାଏ । କାମ ସାରୁସାରୁ ସୂର୍ଯ୍ୟରଶ୍ମି ତୀର୍ଯ୍ୟକରୁ ସରଳ ଭାବେ ଆସି ପଡ଼ିଲାଣି । ଚଞ୍ଚଳ ହୋଇପଡ଼ିଲି । ଘୋଡ଼ା ଗାଡ଼ିରେ ବସି ଆଦେଶ ଦେଲି–ଚଲା ଜଲ୍‌ଦି । ସୁଷମା କେତେବେଳୁ ରୋଷେଇ ସାରି ସେଇଠି ଶୋଇ ପଡ଼ିଥିବ । ଆଜି ଦିଆଲୀ । ମନେ ପଡ଼ିଲା ରାତିରେ ଭାତ ଖିଆ ହେବନି । ଘୋଡ଼ାଗାଡ଼ିଟାକୁ ଅଟକେଇ କିଛି ଚିନି ଘିଅ ଆଉ ମଇଦା କିଣିଲି । ଗାଡ଼ି ଚାଲିଲା ।

 

ଘରେ ପହଞ୍ଚିଲି । ସୁଷମା ଚେୟାର୍‌ ଉପରେ ବସି ସେଲ୍‌ଫରେ ଥିବା ନିର୍ଜୀବ ଗୋଲାପି ବର୍ଣ୍ଣ କଣ୍ଢେଇଟିକି ଏକ ଧ୍ୟାନରେ ଚାହିଁଚି । ତା’ ଚେୟାର୍‌ ପଛରେ ଯାଇ ଠିଆ ହେଲି । ତା’ର ଲକ୍ଷ୍ୟ ନାଇଁ । ସେ ଗାଉଚି ଧୀରେ ଧୀରେ ବେଦନାଭରା କଣ୍ଠ ଥରାଇ.......

 

ଘର୍‌ ଘର ମେଁ ଦିଓ୍ୟାଲୀ ହୈ

ମେରୀ ଘର ମେଁ ଅନ୍ଧେରା..........

 

ଅଜାଣତରେ ଉଷ୍ଣଲୋତକ ଠୋପେ ତା’ ଦିହରେ ପଡ଼ିଲା । ସେ ଚମକି ଉଠି ପଡ଼ିଲା । ପଛରେ ମୁଁ....ସନ୍ତାନଘାତୀ । ସେ ପଳାଇଗଲା ଭିତରକୁ ।

 

ମୋର ବକ୍ଷପଞ୍ଜର ଥରେଇ ଦୀର୍ଘ ନିଃଶ୍ୱାସଟିଏ ଆସିଲା–ହାୟ, ପିତା ହବାର ଗର୍ବ ମୋର ନାଇଁ !

Image

 

Unknown

ନିର୍ଜନ ନିଶୀର ସ୍ୱପ୍ନ

 

ସେ ସୁନ୍ଦରୀ । ନୟନରେ ତା’ର ଅପୂର୍ବ ଦୀପ୍ତିର ଝଲକ ।

 

ବର୍ଷା ସନ୍ଧ୍ୟାର ଏକ କାତର କରୁଣ ମୁହୂର୍ତ୍ତ । ମେଘଦୂତର ଛନ୍ଦେ ଛନ୍ଦେ ସନ୍ଦେଶ ଦେଇଛି ଚକ୍ରବାକ । ଦରିଆ ତୀରର ନିର୍ଜନ ଡାକବଙ୍ଗଲା ଗୋଠଛଡ଼ା ମଇଁଷିର କଣ୍ଠସ୍ୱରରେ ମୁଖରିତ । ମଉଳି ଆସିଛି କୃଷ୍ଣଚୂଡ଼ା–ଆଷାଢ଼ର ସଜଳ ଲଗ୍ନରେ ତା’ର ଆବଶ୍ୟକତା ଆଉ ବୋଧେ ନାହିଁ ।

 

ସେ ଘୁଞ୍ଚି ଆସିଲା ଆଉରି ପାଖକୁ । ମୁଁ ତା’ର ମୁହଁରେ ମର୍ତ୍ତ୍ୟମେନାର ସୌନ୍ଦର୍ଯ୍ୟ ନିରୀକ୍ଷଣ କରୁଥିଲି । ତା’ପରେ ଗୋଟିଏ ପ୍ରଶ୍ନ–ଯେଉଁ ପ୍ରଶ୍ନର ଉତ୍ତର ଏବେ ବି ସୁଦ୍ଧା ଦେଇପାରିନି-

 

ତା’ର ଡାହାଣ ହାତରେ ମୋ ବାଁ ହାତଟିକୁ ଚାପିଧରି ସେ ପଚାରିଲା–ତମ କବିତାରେ ତମେ ମତେ ଅମର କରି ଯାଇପାରିବ ?

 

କବି ସାଜାହାନ ନିଷ୍ପ୍ରାଣ ପଥର ବୁକୁରେ ଅନବଦ୍ୟ କବିତା ରଚନା କରିଯାଇଛନ୍ତି । ତାଜମହଲର ମୁକ୍ତାନିନ୍ଦୀ ଅଶ୍ରୁ ତ ଆଜି ସେହି ବିରହ ଗୀତର ସ୍ପଷ୍ଟ ସଙ୍କେତ ଦିଏ–ଆଉ ମୁଁ ? ସାଜାହାନ ପରି ହୃଦୟ ମୋର କ’ଣ ଅଛି ?

 

ତେଲ ଲୁଣ ଜଞ୍ଜାଳ ଭିତରେ ଜୀବନ ରଥର ଚକ ଆଜି ତ କ୍ଳାନ୍ତ । ଆଉ ପ୍ରେମ ? ଶୁଦ୍ଧ ପ୍ରେମ ଯାହାକୁ କୁହାଯାଏ–ସେ ତ ଗତ ମହାଯୁଦ୍ଧରେ ମରିଯାଇଛି । ବିରାଟ କଲିକତା ମହାନଗରୀର ପଥର ଖମ୍ୱ ପଛଆଡ଼େ ଆମେରିକାନ୍‌ ବନ୍ଧୁମାନେ ଯେଉଁ କିର୍ତ୍ତୀପତାକା ଉଡ଼ାଇ ଯାଇଛନ୍ତି, ତା’ର ହିସାବ ହୁଏତ ନାହିଁ । କିନ୍ତୁ ନିଜକୁ ନିଜେ ସନ୍ଦେହ କରିବା, ଆଜିକାର ଏ ଦୈନନ୍ଦିନ ଘଟଣା । ଯେଉଁ ଯୁଗରେ ଆତ୍ମହତ୍ୟା କରିବା ପାଇଁ ଖାଣ୍ଟିବିଷ ଟିକିଏ ବି ମିଳୁନାହିଁ, ସେ ଯୁଗରେ ଶୁଦ୍ଧପ୍ରେମ ଗୋଟାଏ ଅବାସ୍ତବ ଆଉ ପଙ୍ଗୁ କଳ୍ପନା ଛଡ଼ା କିଛି ନୁହେଁ ।

 

ପରଶ ତା’ର ଆଉ ଟିକିଏ ତୀବ୍ର ହୋଇ ଉଠିଲା । ପୁଣି ସେ ପ୍ରଶ୍ନକଲା–ପାରିବନି ?

 

ଆଖିରେ ତା’ର ଏଥର ଅଶ୍ରୁ ।

 

ଡାକବଙ୍ଗଲୋକୁ ଆସିଲାବେଳେ ବାଟରେ ମୁଁ ଦେଖିଆସିଥିଲି ଗୋଟିଏ ଷୋଡ଼ଶନାରୀ ତା’ର ସ୍ୱାମୀର ଅତ୍ୟାଚାରରେ ଆତ୍ମହତ୍ୟା କରିବି ବୋଲି ପୋଖରୀକୁ ଡେଇଁ ପଡ଼ିଥିଲା । ନିର୍ବୋଧ-। ଛାଡ଼ପତ୍ର ଆଇନ୍‌ ହେଇସାରିଲା ପରେ ବି ଏ ପ୍ରକାର ମନୋବୃତ୍ତି !

 

ନିଜକୁ ନିଜେ ହସିଲି । ସେ କିନ୍ତୁ ଚମକି ପଡ଼ିଲା ।

 

–ଯୁଗଯୁଗ ପାଇଁ ତୁମ ପ୍ରତିଭାର ପୂଜା ମୁଁ କରିଆସିଛି, ଆଉ ଆଜି ତମେ ମତେ କରୁଛ ଉପହାସ । ନିଷ୍ଠୁର, ତମରି ପାଇଁ କେତେ ଲାଞ୍ଛନା ମୁଁ ନ ସହିଛି !

 

ପ୍ରକୃତିସ୍ଥ ହେଲି ମୁଁ ।

 

–ତମେ ମତେ ଭୁଲ୍‌ ବୁଝନା । ମୁଁ ତୁମକୁ ଉପହାସ କରୁନି । କରିପାରେନା । ଯୁଗଯୁଗ ଲାଗି ତମେ ମତେ ଦେଇଛ ପ୍ରେରଣା । ମନ୍ଦାକିନୀର ଉଚ୍ଛଳ ଜଳସ୍ରୋତ ଭଳି ତମେ ମତେ ଦେଇଛ ସରସ ବସନ୍ତର ସନ୍ଧାନ ଆଉ ମୁଁ କରିବି ତମକୁ ଉପହାସ ! ଛି, ତମ ମୁହଁରେ ଏହା ସାଜେନା ।

 

ରାତ୍ରି ଆଲୋକି ଉଠିଛି । ମେଘ କମିଯାଇଛି ଏକବାରେ । ଆକାଶରେ ଉଠିଛି ପଞ୍ଚମୀ ରାତିର ଚନ୍ଦ୍ର । ଦର୍ଶନ ତା’ର ବେଶ୍‌ ମଧୁମୟ । ଜହ୍ନ ଆଲୁଅରେ ସ୍ପଷ୍ଟ ମୁଁ ଦେଖିପାରିଲି–ଡାକବଙ୍ଗଲୋର ଫାଟକ ପାଖରେ ବୁଢ଼ୀଟିଏ ଆସି ଛିଡ଼ା ହୋଇଛି । ଚୌକିଦାର ତା’ ପାଖକୁ ଦଉଡ଼ିଗଲା । ବୁଢ଼ୀ ପଚାରିଲା ଖୁବ୍‌ ଧୀର କଣ୍ଠରେ–ଶୁଣିଲି, ବାବୁ ଆସିଛନ୍ତି ବୋଲି, କାହାନ୍ତି ସେ-?

 

–ବାବୁ ବ୍ୟସ୍ତ ଅଛନ୍ତି, ତାଙ୍କ ସାଙ୍ଗରେ ବର୍ତ୍ତମାନ ଦେଖାହେଇ ପାରିବନି ।

 

–ପାଞ୍ଚକୋଶ ବାଟରୁ ମୁଁ ଆସିଛି, ଦେଖା ହବନି ?

 

ଚୌକିଦାର ଦୃଢ଼କଣ୍ଠରେ ଜବାବ୍‌ ଦେଲା–ନା । ମୁଁ ନିଜେ ଉଠି ଆସିଲି । ପଚାରିଲି–କଥା କ’ଣ ମାଉସୀ ? ମୋ ପାଖରେ ତୁମର କି କାମ ?

 

ସେ କହିଲା–ବାପା, ତମକୁ ପଚାରିବା ଲାଗି ପାଞ୍ଚକୋଶ ବାଟରୁ ମୁଁ ଚାଲିଚାଲି ଆସିଛି-। ଦି’ ବରଷ ହେଲା ନାତୁଣୀକି ବାହା ଦେଇଥିଲି । ନାତୁଣୀ ଜୋଇଁ ତାକୁ ଘରୁ ବାହାର କରିଦେଇଚି-। ତାକୁ ଖାଇବାକୁ ପିଇବାକୁ ଦଉନାହିଁ । ମାଡ଼ ମାରି ତା’ ପିଠିକୁ ଖଣ୍ଡିଆ କରିଦେଇଚି-

 

ପଚାରିଲି–ତମ ନାତୁଣୀ ଜୋଇଁ କ’ଣ କରେ ?

 

ସେ କହିଲା–କଚିରିରେ କିରାଣୀ ବାବୁ ! କହୁଚି କ’ଣ ଛାଡ଼ପତ୍ର ଦେଇଦବ । ମୋର ଦି’ ମାଣ ଜମି । ସେ ନାତୁଣୀକି ଛାଡ଼ିଦେଲେ ଆମେ ଚଳିବୁ କେମିତି ? ମାସେ ଭିତରେ ନାତୁଣୀର ଛୁଆଟେ ହବ । ମୁଁ କ’ଣ କରିବି ବାବୁ ?

 

ବୁଢ଼ୀର ଦୁଖରେ ମୁଁ ଦୀର୍ଘନିଃଶ୍ୱାସ ପକେଇଲି । ଭାଙ୍ଗି ଯାଇଥିବା ମନକୁ ପୁଣି ଯୋଡ଼ିବାର ଉପାୟ ?

 

ବୁଢ଼ୀ ଥକ୍‌କା ହେଇ ବସିପଡ଼ିଲା ।

 

ତା’ ନାତୁଣୀକୁ କେମିତି ରକ୍ଷା କରାଯାଇପାରିବ ? ବୁଢ଼ୀଟିକୁ ରାତିରେ ବଙ୍ଗଲୋରେ ରହିବାପାଇଁ ବ୍ୟବସ୍ଥା କରିଦବାକୁ ଚୌକିଦାରକୁ କହି ମୁଁ ପୁଣି ରୁମ୍‌ ଭିତରକୁ ଫେରିଆସିଲି ।

 

ପୁଣି ସେଇ ପ୍ରଶ୍ନ–ମଣିଷର ମଣିଷତ୍ୱ ଆଉ ନାରୀର ପ୍ରେମ ଏ ଯୁଗରେ କେତେ ତଳେଇ ଯିବାକୁ ବସିଛି !

 

ନିଭୃତ ଡାକବଙ୍ଗଲୋର ଏକ ନିର୍ଜନ କୋଣରେ ଆମେ ଦୁଇଟି କିଶୋର କିଶୋରୀ । ମୋର ପାଦ ଉପରେ ମୁଣ୍ଡରଖି ସେ ଢାଳିଗଲା ଅବିଶ୍ରାନ୍ତ ଅଶ୍ରୁ–ସେ ଅଶ୍ରୁ ବେଦନାର ।

 

ଏ ଥଣ୍ଡା ରାତିରେ ବି ମୋ ମୁଣ୍ଡରୁ ଝରି ଆସୁଥିବା ଝାଳକୁ ରୁମାଲ୍‌ରେ ପୋଛି ନେଇ ମୁଁ ତାକୁ ଛିଡ଼ା କରେଇ ଦେଲି ।

 

–ଛି, ତୁମେ ପରା ସବୁ କଥା ବୁଝିପାର । ମୋ ଅନ୍ତର ଦେଇ ମୁଁ ଯେ’ ତମକୁ ଭଲପାଏ-। ଏକଥା ବାରବାର କହି ଲାଭ କ’ଣ ? ତମପାଇଁ ଯାହା କରିବାର କଥା ମୁଁ କରିବି-

 

ହସିଲା ସେ । ମୋ ମୁହଁକୁ ଗଭୀର ଭାବରେ ନିରୀକ୍ଷଣ କଲା ।

 

–ମୁଁ ତୁମ ପ୍ରତିଭାର ପୂଜାରିଣୀ । ମୁଁ ଚାହେଁନା ପାର୍ଥିବ ସୁଖ । ମୁଁ ଚାହେଁନା ତୁମ ଦେହଠାରୁ ଆଉ ଅଧିକ କିଛି ଦାନ । ତୁମରି ପ୍ରେମ ଦେଇ ହୃଦୟ ଦେଇ ତୁମେ ମୋତେ ବଡ଼ କରିଯାଅ । ଅମର କରିଯାଅ ।

 

ୟା’ଛଡ଼ା ତା’ର ଆଉ ଦ୍ୱିତୀୟ ଅନୁରୋଧ କିଛି ନାହିଁ । ପ୍ରାର୍ଥନା ବି କିଛି ନାହିଁ ।

 

ମୁଁ ପୁଣି ଥରେ ମୋର କ୍ଷୁଧିତ ଚାହାଣୀରେ ଚାହିଁଲି ମୁହଁକୁ । ସ୍ରଷ୍ଟାର ଅପରୂପ ସୃଜନ ସେ । ବେକରେ ମୋର ବାହୁଲତା ଛନ୍ଦି ସେ ଅସ୍ପଷ୍ଟ କଣ୍ଠରେ କହିଲା–ତମେ ଭାରି ସୁନ୍ଦର ।

 

–ଆଉ, ତୁମେ କ’ଣ ଅସୁନ୍ଦରୀ ? ସେ କହିଲା–ମୋ ଉପରଟାକୁ ତୁମେ ଦେଖିଚ । ମୁଁ କିନ୍ତୁ ତୁମର ଭିତରଟାକୁ ଦେଖିଚି । ତୁମ ଉପରେ ମୋର ରହିଚି ଅତୁଟ ବିଶ୍ୱାସ । ତୁମେ ମୋର ପ୍ରାର୍ଥନା ପୂରଣ କରିବ ।

 

ମୁଁ ତାକୁ ଛାତିରେ ଜଡ଼ାଇ ଧରି ଆଶ୍ୱାସନା ଦେଲି ।

 

ଗେଟ୍‌ ପାଖରେ ଲଣ୍ଠନ ହାତରେ ଧରି କିଏ ଜଣେ ଆସୁଚି । ମୋ ମା’ ଘରର ଚାକରକୁ ପଠାଇଚନ୍ତି । ରାତି ବେଶୀ ହେଲାଣି । ଫେରିଯିବାକୁ ପଡ଼ିବ । ପୁଣି ସେଇ ଜଞ୍ଜାଳମୟ ସଂସାର ଭିତରେ ନିଜକୁ ହଜେଇଦବାକୁ ପଡ଼ିବ । ସ୍ୱପ୍ନ ସବୁ ପଡ଼ିରହିବ ପଛରେ ।

 

ଫେରିଲି ।

 

କିନ୍ତୁ ମଳିନାର ପ୍ରାର୍ଥନା–‘‘କବି, ସାରା ଜୀବନ ମୁଁ ତୁମରି ପାଇଁ ଅପେକ୍ଷା କରିବି । ତୁମେ ମତେ ତୁମ କବିତାରେ ଅମର କରିବ ।’’

 

ଆଉ–

 

ମୋର ପ୍ରତିଶ୍ରୁତି–‘‘ତୁମେ ମୋର, ସାରା ଜୀବନ ପାଇଁ ତୁମେ ମୋର । ମୁଁ ତୁମକୁ ଅମର କରିବି ।’’

 

ନିର୍ଜନ ନିଶୀର ଏଇ ସ୍ୱପ୍ନିଳ ପ୍ରତିଶ୍ରୁତି ସଫଳ ହୁଏ କି ନାହିଁ, ହେଲା କି ନାହିଁ, ତା’ ଆଜି ମୋ’ଠୁ ବହୁ ଦୂରରେ ରହିଥିବା ମଳିନା ହିଁ କହିପାରିବ ।

Image

 

ଜୀବନ-ଜ୍ୱାଳା

 

ସନ୍ଧ୍ୟା ଅତିକ୍ରମି ଯାଇଛି ।

 

ଗୋଟାଏ ଦିଗକୁ ଚାହିଁଲେ ଦିଶୁଚି ଶାନ୍ତ ଶୀତଳ କବର ଅନ୍ୟ ଏକ ଦିଗରେ ଜୀବନ ସଂଗ୍ରାମର ମୁଖର ରାଜପଥ । ବିନୟ ହତାଶ ହୋଇ ପଡ଼ୁଛନ୍ତି । କିଏ ଜାଣେ, କାଲି ହୁଏତ ସମସ୍ତଙ୍କ ଅଜ୍ଞାତରେ ନିଷ୍ଠୁର ମୃତ୍ୟୁ ଦେବତାର ନିମନ୍ତ୍ରଣ ତାଙ୍କୁ ଗ୍ରହଣ କରିବାକୁ ପଡ଼ିପାରେ । ଯଦିବା ଆଉ କିଛିଦିନ ପାଇଁ ଏହି ନିଷ୍ଠୁର ନିମନ୍ତ୍ରଣ ନ ଆସେ, ତେବେ ଜଞ୍ଜାଳର ଘୂର୍ଣ୍ଣିଚକ ତଳେ ନିଷ୍ପେସିତ ଆତ୍ମା ତାଙ୍କର ଚିତ୍କା କରିଉଠିବ ବାର ବାର । ଗତ ପଚିଶ ବର୍ଷର ଇତିହାସ ଅତ୍ୟନ୍ତ କରୁଣ–ଅତ୍ୟନ୍ତ ମର୍ମସ୍ପର୍ଶୀ । ରୋଗଜୀର୍ଣ୍ଣ ଶରୀର ଉପରେ ବହି ଯାଇଚି କେତେ ଅତ୍ୟାଚାରର ଝଡ଼–ଦୁଃଖର ବାତ୍ୟା । ନୈରାଶ୍ୟର ପୁଞ୍ଜୀଭୂତ ଅନ୍ଧକାର ଆହୁରି ନିବିଡ଼ ହେଇଛି । ଶାନ୍ତି ହରାଇ ସେ ସବୁକିଛି ହରାଇଛନ୍ତି ।

 

ବିନୟ ଆଜି ବୃଦ୍ଧ । ମୁଣ୍ଡର କେଶ ଧଳାହେଇ ଆସିଚି । ଶିଥିଳ ଚର୍ମ–ଶିରାଳ ମାଂସପେଶୀ । ଚକ୍ଷୁର ଜ୍ୟୋତି ନିଷ୍ପ୍ରଭ ହୋଇଯାଇଛି । ଛାତି ଭିତରେ ଅସମ୍ଭବ ବେଦନା–ମରଣର କରାଳ ସ୍ପର୍ଶ । ମରିଯିବାକୁ ଚାହୁଁଛନ୍ତି ସେ–ଆଉ ବଞ୍ଚି ରହି ଲାଭ କ’ଣ ? କେତେ ଦିନ ବା ଆଉ ବଞ୍ଚି ପାରିବେ ?

 

ଡାକ୍ତର ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି ଏ ରୋଗ ଦୁଃସାଧ୍ୟ । ହାୟରେ ! ମଣିଷ ବଞ୍ଚି ଥାଉଥାଉ ଏ ଯେଉଁ କରାଳ ପରଓ୍ୟାନା–ବିନୟ ବଡ଼ ମ୍ରିୟମାଣ ହୋଇ ପଡ଼ୁଥିଲେ ।

 

ଅସମ୍ଭବ କାଶ । କାଶ ସଙ୍ଗରେ ମେଞ୍ଚା ମେଞ୍ଚା ରକ୍ତ । କାଶି କାଶି ଦମ ଅଟକି ଯାଉଛି-। ଯକ୍ଷ୍ମା ।

 

ଏଇ ଯକ୍ଷ୍ମା ନାଁର କଳ୍ପନାରେ ଆଜି ପ୍ରାଣତନ୍ତ୍ରୀ ତାଙ୍କର ଶିହରି ଉଠୁଚି–ହୃତ୍‌କମ୍ପ ହେଉଛି-। ହେ ଭଗବାନ, ମଣିଷ ସୃଷ୍ଟି କରି ଏମିତି ସବୁ ଭୟାବହ ରୋଗ ଦାନ କର କାହିଁକି ? ମଣିଷ ବରଂ ସୃଷ୍ଟି ନ ହୋଇଥିଲେ ଭଲ ହେଇଥାନ୍ତା । ସୃଷ୍ଟି ଭିତରେ ପୁଣି ଧ୍ୱଂସର କଳ୍ପନା ସହି ହୁଏନା-

 

ଜୀବନର ସ୍ଥିତିକୁ ଆଉ ସହି ପାରୁ ନଥିଲେ ସେ । ସନ୍ଧ୍ୟାଠୁ ଅବିରାମ ଭାବରେ ବର୍ଷା ଢାଳୁଛି । ଚନ୍ଦ୍ର ପକ୍ଷର ମଧୁର ରଜନୀର ସମସ୍ତ ମାଧୁରୀ ଲୋପ ପାଇଯାଇଛି । ଅସହାୟ ଶିଶୁଟି ଭଳି ଧୀର ଭାବରେ ଭୀତତ୍ରସ୍ତ ହୋଇ ସେ ବସିଛନ୍ତି । ସ୍ତ୍ରୀ କମଳିନୀ ଘର ଭିତରେ କାର୍ଯ୍ୟ ବ୍ୟସ୍ତ । ଅନ୍ୟ କିଛି କାର୍ଯ୍ୟ ନୁହେଁ ବିନୟଙ୍କ ଖାଦ୍ୟ ତିଆରିରେ ସେ ଲାଗିଛନ୍ତି ।

 

ଝରକା ସବୁ ଉନ୍ମୁକ୍ତ, ବର୍ଷା ଛିଟା ଘର ଭିତରକୁ ପଡ଼ୁଛି । ବେଶ ଥଣ୍ଡା ଲାଗୁଛି ଦେହକୁ । ଝରକାକୁ ଲମ୍ୱି ଆସିଥିବା କ୍ରୋଟନ ଗଛର ଡାଳସବୁ ଦୋହଲୁଛି ପବନରେ । ସେ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି କାନ୍ଥରେ ଝୁଲୁଥିବା ଗୋଟାଏ ଛବି ଆଡ଼େ–କମନୀୟ ଭଙ୍ଗୀ–ଏଇ ଛବିଟିର ମୂଲ୍ୟ କଳନା କରି ହୁଏନା । ତାଙ୍କ ଜୀବନର ଏକ ରସାଳ ସ୍ମୃତିର ପ୍ରତୀକ ଏଇ ଛବି । ତାହାରି ଭିତରେ ବହୁତ କିଛି ପାଇ ବହୁତ କିଛି ସେ ପୁଣି ହରେଇ ଦେଇଛନ୍ତି ।

 

ଅନ୍ତନାଡ଼ି ଚିରି ଝଲକାଏ କାଶ ଆସିଲା । କାଶ ଉଠିଲେ ଭୟରେ ଦେବତାର ଛବି ଆଖି ଆଗରେ ଭାସିଯାଏ । କାଶି କାଶି ବେଦମ୍‌ ହେଇ ପଡ଼ିଲେ ସେ । କି ଯନ୍ତ୍ରଣା–କି ଜ୍ୱାଳା । ଘରର ଚାରିକାନ୍ଥ ପ୍ରତିଧ୍ୱନି ତୋଳୁଛି । ସୁଯୋଗ ପାଇଲେ ସମସ୍ତେ ପରିହାସ କରନ୍ତି । ଦୁର୍ବଳତାର ସୁଯୋଗ ନେଇ ଜଡ଼ ପଦାର୍ଥ ମଧ୍ୟ ଦୁର୍ବ୍ୟବହାର କରେ ।

 

ବିନୟ କାଶୁଥିଲେ । ମୁଣ୍ଡା ମୁଣ୍ଡା ନାଲି ରକ୍ତରେ ସିମେଣ୍ଟ ଚଟାଣର କିୟଦଂଶ ଭିଜି ଗଲାଣି । ତଥାପି ବନ୍ଦ ହେଉନି ।

 

କେମିତିକା ଗୋଟାଏ ଅସ୍ପଷ୍ଟ ଚିତ୍କାର କରି ଉଠିଲେ ସେ ।

 

କମଳିନୀ ଧାଇଁ ଆସିଲେ । ପ୍ରତି ମୁହୂର୍ତ୍ତରେ ମନ ଭିତରେ ବିପଦର ଆଶଙ୍କା । ପାଖରେ ବସି ବିନୟଙ୍କର ପିଠି ଛାତି ଆଉଁସି ଦେଲେ । ଦେହରେ ଆଉ ମାଂସ ନାହିଁ । ଖାଲି ହାଡ଼, ସେ ହାଡ଼ ପୁଣି ଶୀର୍ଣ୍ଣ ।

 

କାଶି କାଶି ବିନୟ କମଳିନୀଙ୍କ ହାତ ଉପରେ ଢଳି ପଡ଼ିଲା । ଏଇ ମୁହୂର୍ତ୍ତରେ ପାଣି ଟିକିଏ ଆବଶ୍ୟକ ହୁଏ । କମଳିନୀ ଡାକିଲେ ରତନା-ରତନା ।

 

ଇସ୍‌, ଭୟରେ ଯେମିତି କଣ୍ଠ ତାଙ୍କର ଫିଟିବାକୁ ଚାହେଁନା । ପୁରାତନ ଚାକର ରତନା ଘର ଭିତରେ ଥାଇ ବୁଝିପାରିଲା କ’ଣ ପାଇଁ ଏ ଡାକରା । ଗ୍ଲାସରେ ପାଣି ଟିକିଏ ଧରି ସେ ପହଞ୍ଚିଲା । ଆଖି ଓ ମୁହଁରେ ପାଣି ଟିକିଏ ମାରି ପାଟିରେ ଟିକିଏ ପାଣି ସେ ଦେଲେ । ଦୁଇଜଣଯାକ ଧରାଧରି କରି ବିନୟଙ୍କୁ ଖଟ ଉପରକୁ ନେଇ ଶୁଆଇ ଦେଲେ । ନିଷ୍ପ୍ରଭ ମୁଖମଣ୍ଡଳକୁ ଦେଖି ଯେ କେହି ଲୋକର କରୁଣାର ଉଦ୍ରେକ ହେବ । ସେ କେଉଁ ଏକ ମଙ୍ଗଳଦିନର ମଙ୍ଗଳ ମୁହୂର୍ତ୍ତରେ ଜନ୍ମ ନେଇଥିଲା ଯେଉଁ ଶିଶୁ, ଯାହାର ଆଗମନରେ ମଣିଷ ସହିତ ପ୍ରକୃତି ମଧ୍ୟ ଆନନ୍ଦର ଗୀତ ଗାଇ ଉଠିଥିଲା, ତାର ଆଜି ଏ’କି ଦୂରନ୍ତ ପରିଣତି ?

 

କମଳିନୀ ଧୀର କଣ୍ଠରେ ପୁଣି ଥରେ ଡାକିଲେ–ରତନା ।

 

ଆଖି ଓ ଭାଷା କରୁଣ । ଏଇ ଡାକ ଭିତରେ ଯେମିତି ଲକ୍ଷଯୁଗର ଅସ୍ଫୁଟ ବେଦନା ପୂରି ରହିଛି । ଦିନକୁ ଦିନ ସେ ବେଶୀ ନିରାଶ ହେଉଛନ୍ତି । ଆଉ କେତେ ଦିନ ? ଆଉ କେତେ ରାତ୍ରି ? ରତନା ବିରସ ମୁହଁରେ ଚାହିଁ ରହିଲା । କମଳିନୀ ଆଉ କିଛି କହିବାକୁ ଚାହୁଁ ନଥିଲେ ମଧ୍ୟ ତାଙ୍କର ଏଇ ପଦକ ଡାକ, ନିରସ ଚାହାଣୀ, ଦୀର୍ଘଶ୍ୱାସ ତାଙ୍କର ଚିନ୍ତାଧାରାକୁ ଧରା ପକେଇ ଦେଇଥିଲା ।

 

ବିନୟ ଚାହିଁଲେ–ଅର୍ଦ୍ଧନିମିଳିତ ତାଙ୍କର ଚକ୍ଷୁ । କମଳିନୀଙ୍କ ନୟନରେ ଅଶ୍ରୁ । ଏଇ ଅର୍ଦ୍ଧନିମଳିତ ଚକ୍ଷୁ ଯୋଡ଼ିକର ଉଭୟ ଯେମିତି ଉଭୟଙ୍କର ଭାଷା ବୁଝି ପାରିଲେ ।

 

ରତନା ବାହାରକୁ ଅପସରି ଗଲା । ବିନୟ ଧୀର ଅଥଚ ମୃଦୁ ଗଳାରେ କହିଲେ ଲକ୍ଷ୍ମୀଟି, ମୋପାଇଁ କେତେ କଷ୍ଟ......

 

ଆଉ କହିପାରିଲେ ନାହିଁ । ପୁଣି ଛୁଟିଲା କାଶର ଲହରୀ । ସେ ଲହରୀ ଯେମିତି ଭାଙ୍ଗିବାକୁ ଚାହେଁନା ।

 

କମଳିନୀ ତାଙ୍କ ଛାତି ଆଉଁସି ଦେଉ ଦେଉ ଛାତିରେ ଶୁଭ୍ର ହେଇ ଆସୁଥିବା କେଶକୁ ଦେଖି ନିଜ ମନକୁ ସାନ୍ତ୍ୱନା ଦେଉଥିଲେ । ଧୂଳି ମାଟିର ଏଇ ଦେହ ନିଶ୍ଚୟ ତ ଦିନେ ମାଟିରେ ମିଶିବାର କଥା–ଶୁକ୍ଳ କେଶ ଯେମିତି ନିଶ୍ଚିତ ମୃତ୍ୟୁ ଦେବତାର ବାର୍ତ୍ତାବହ । ବିନୟ ଆଉ କେତେଦିନ ବଞ୍ଚିଥାନ୍ତେ ? ନୋହିଲେ ଏଇ ଯକ୍ଷ୍ମା ତାଙ୍କ ମୃତ୍ୟୁକୁ ଟିକିଏ ଆଗକୁ ଘୁଞ୍ଚେଇ ଆଣିବ । କିନ୍ତୁ ଖାଲି କ’ଣ ସେତିକି ?

 

କମଳିନୀଙ୍କୁ ଡାକ୍ତର କହି ଯାଇଥିଲା–ବିନୟଙ୍କଠୁ ଅଲଗା ରହିବାବୁ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ । ସେ ପ୍ରକାର ରୋଗଠୁ ନିଜକୁ ଅଲଗାକରି ନ ରଖିଲେ ଆକ୍ରାନ୍ତ ହେବାର ନିଶ୍ଚିତ ସମ୍ଭାବନା । କମଳିନୀଙ୍କର ମାଂସପେଶୀ ମଧ୍ୟ ଦୁର୍ବଳ ହେଇ ପଡ଼ିଲାଣି । ଯକ୍ଷ୍ମାର ବଳିଷ୍ଠ ଜୀବାଣୁ ତାଙ୍କ ଦେହରେ ସହଜରେ ପ୍ରବେଶ କରିପାରିବ । ତେଣୁ ଡାକ୍ତର ବାରବାର କରି ତାଙ୍କୁ ଚେତେଇ ଦେଇ ଯାଇଥିଲା–ଖୁବ୍‌ ସାବଧାନରେ ଚଳିବାକୁ, ରୋଗୀ ସହିତ ଯେତେଦୂର ସମ୍ଭବ କମ ସମ୍ପର୍କ ରଖିବାକୁ.....ରୋଗୀକୁ ଗୋଟିଏ ଏକପାଖିଆ ଘରେ ଅଲଗାକରି ରଖିବାକୁ–ଅଲଗା ବାସନରେ ରୋଗୀର ଖାଦ୍ୟ ପରଷିବାକୁ–ଏହାବାଦେ ଆହୁରି କେତେ କ’ଣ ? ସ୍ୱାସ୍ଥ୍ୟରକ୍ଷା ବହିର ସବୁକିଛି ନିୟମ କାନୁନ ମାନିବାକୁ କମଳିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

 

କିନ୍ତୁ ସେ କିଛି ରକ୍ଷାକରି ପାରିନାହାନ୍ତି । ପାରନ୍ତେ ବା କିପରି ? ସ୍ୱାମୀର ମର୍ମଭେଦୀ ଯନ୍ତ୍ରଣାରେ କେଉଁ ସ୍ତ୍ରୀ ନିଜ ଛାତିକୁ ପଥର କରି ରଖିପାରିବ ? ସ୍ୱାମୀ ଦେବତା ସଦୃଶ ବୋଲି ନୀତିକାରମାନେ କହିଯାଇଛନ୍ତି । ଆମର ସାମାଜିକ ସଂସ୍ଥା ଯାହା ସେଥିରେ ସ୍ତ୍ରୀର ଭଲମନ୍ଦ ସ୍ୱାମୀର ଭଲମନ୍ଦ ଉପରେ ପୂରାପୂରି ନିର୍ଭର କରେ । ନ ବର୍ତ୍ତନ୍ତେ ବିନାଶ୍ରୟେ କବିତା ବନିତା ଲତା-। ସେହି ଆଶ୍ରୟ ଟିକକ ହଜିଗଲେ ସ୍ତ୍ରୀ ହୁଏ ପଥହରା, ନିରାଶ୍ରୟା, ବେଓ୍ୟାରିସ୍‌ ।

 

କମଳିନୀ ସବୁ ବୁଝିଛନ୍ତି । ସ୍ୱାମୀ ଦେବତାର ସେବା କରିବା ତାଙ୍କ ଜୀବନର ବ୍ରତ ବୋଲି ସେ ଧରି ନେଇଛନ୍ତି । ଇହ ଜନ୍ମରେଏଇ ସେବାରେ ମୂଲ୍ୟ ହୁଏତ ଆଉ କିଛି ନାହିଁ, କିନ୍ତୁ ଏଇ ଜୀବନର ପରେ ଆଉ ଯଦି ଜୀବନ ଆସେ ସେତେବେଳେ ହୁଏତ ଏଇ ସେବାର ଫଳ ମିଳିପାରେ ।

 

କାଶ ଥମିଚି । କମଳିନୀ ବିନୟଙ୍କ ଦୁର୍ବଳ ଛାତି ଉପରେ ମଥା ରଖି ତାଙ୍କର ହୃଦୟର ସ୍ପନ୍ଦନକୁ ବେଶ୍‌ ବୁଝି ପାରୁଛନ୍ତି । କି ଦ୍ରୂତ ତା’ର ଗତି । ଖେଳଓ୍ୟାଡ଼ ରେସ୍‌ ସାରି ଧଇଁସଇଁ ହେଇ ପଡ଼ିଲେ ତା’ ଛାତିର ସ୍ପନ୍ଦନ ଯେମିତି ଦ୍ରୂତ ହୁଏ, ବିନୟଙ୍କ ଛାତିର ସ୍ପନ୍ଦନ ଠିକ୍‌ ସେମିତି ।

 

ଡାକ୍ତର କହୁଥିଲା ଏମିତି ହେଉଁ ହେଉଁ କେତେବେଳେ ସବୁଦିନ ପାଇଁ ଏଇ ଛାତିର ସ୍ପନ୍ଦନ ବନ୍ଦ ହେଇଯିବ ।

 

କମଳିନୀଙ୍କୁ ଜଣା ଯାଉଥିଲା ସ୍ପନ୍ଦନର ଶବ୍ଦ ଯେମିତି ବେଳେ ବେଳେ ବନ୍ଦ ହେଇଯାଉଛି । ସେ ଆହୁରି ଗହିରେଇ ଶୁଣୁଥିଲେ । ଅମୂଳକ ତାଙ୍କର ଧାରଣା । ଖାଲି ମନର ଭ୍ରାନ୍ତି ।

 

–କଷ୍ଟ ହେଉଚି ଆଉ ?

 

ପଚାରିଲେ ସେ ।

 

ବିନୟ ଖୁବ୍‌ କ୍ଷୀଣ ଗଳାରେ କହିଲେ–କଷ୍ଟ ଦିହସୁହା ହେଇଗଲାଣି । କଷ୍ଟକୁ ଆଉ ମୋର ଭୟ ନାହିଁ ।

 

କମଳିନୀ ମୁଣ୍ଡ ତୋଳି ବିନୟଙ୍କ ମୁହଁରେ ହାତ ବୁଲାଉଥିଲେ ।

 

ଦୀର୍ଘ ବହୁବର୍ଷ ପରେ । ତାଙ୍କର ଯେମିତି ମନେ ହେଉଥିଲା ଅଲିଅଳି କୁମାରୀ ଝିଅଟି ପରି ତାଙ୍କ ଛାତି ଉପରେ ଘନ ଘନ ଲୋଟି ପଡ଼ନ୍ତେ । ପ୍ରେମର କଣ୍ଠଲଗ୍ନା ହୋଇ କହନ୍ତେ–ନା ଗୋ, ନା; ମୁଁ ତମକୁ ଛାଡ଼ିବି ନାହିଁ; ଛାଡ଼ି ପାରିବି ନାହିଁ । ମତେ ତମେ ବଞ୍ଚେଇଥିଲ, ମୁଁ ଆଜି ତମକୁ ଛାଡ଼ିବି କିପରି ?

 

କି ମମତା । କି ଅନୁରକ୍ତି । ବାର୍ଦ୍ଧକ୍ୟର ନିର୍ଯାତନାରେ ବିନୟଙ୍କ ରୋଗ କ୍ଷୀଣ ମୁହଁ ତା’ର ସମସ୍ତ ସୌନ୍ଦର୍ଯ୍ୟ, ସବୁକିଛି ଲାଳିତ୍ୟ ହରାଇ ବସିଛି । ତଥାପି ଏଇ ମୁହଁ ଖଣ୍ଡକ ପାଇଁ ତାଙ୍କର କି ଅନୁରାଗ ।

 

ସେ ସେଇ ମୁହଁକୁ ଚାହିଁ ଚାହିଁ ଏକ ତରୁଣ ମୁହଁର ସ୍ୱପ୍ନ ଦେଖୁଥିଲେ । ବହୁଦିନ ତଳେ ଏଇ ଅଧରର ମଧୁ ଚାଖିବାପାଇଁ ତରୁଣୀ ମନ ପାଗଳହେଇ ଉଠିଥିଲା । ଶାନ୍ତ ଶୀତଳ ଚଇତାଳି ପବନର କାନ୍ତ ପରଶରେ ବାହାରର ପ୍ରକୃତି ହୋଇ ଉଠିଥିଲା ଆହୁରି କମନୀୟ । ସଲଜ୍ଜ ଲତା ବଧୂର ଅନ୍ତରାଳରେ ଛପି ରହି କୋକିଳ ଗାଉଥିଲା ବସନ୍ତର ବନ୍ଦନା । ଆଜି ଏଇ ଅନୁଭୂତିହୀନ ରାତ୍ରିରେ ସବୁ ମନେପଡ଼େ । ମନେପଡ଼େ ଶୈଶବର ବାଲିଖେଳ ଚିତ୍ର, ତାରୁଣ୍ୟର ସ୍ନିଗ୍‌ଧ ଚଳଚ୍ଚିତ୍ର-

 

ବିନୟ ପଚାରିଲେ–କମଳା, ରାତ୍ରି ଏତେ ଭୀଷଣ କାହିଁକି ? ମେଘ ବନ୍ଦ ହେଲାଣି ?

 

ପୂରା ବନ୍ଦ ନ ହୋଇଥିଲେ ମଧ୍ୟ ମେଘର ଗତି କମି ଆସିଛି । ଆକାଶ କୋଳରେ ମେଘ ଖଣ୍ଡ ଅନ୍ତରାଳରୁ ଫୁଟି ଦିଶୁଚି ଇତସ୍ତତଃ ତାରକା ପୁଞ୍ଜି–ଚନ୍ଦ୍ରର ଉପସ୍ଥିତି ବାହାରର ଝାପ୍‌ସା ଆଲୋକରୁ ବେଶ୍‌ ଜଣା ପଡ଼ୁଛି ।

 

ତଥାପି ଏଇ ରାତ୍ରି ଭୀଷଣ । ବିନୟଙ୍କୁ ଲାଗୁଥିଲା ସେ ଯେମିତି ଏମିତିକା ରାତ୍ରିରେ ଅଣନିଃଶ୍ୱାସୀ ହେଇ ପଡ଼ୁଛନ୍ତି ।

 

କମଳିନୀ କହିଲେ ମେଘ ବନ୍ଦ ହେଇଯିବ ଏଇନା । ତମପାଇଁ ଟିକିଏ ଗରମ ଦୁଧ ଆଣିଦିଏଁ । ଥଣ୍ଡାରେ ବସି ଦେହସବୁ ହେମାଳ ହେଇଗଲାଣି ।

 

ପ୍ରତ୍ୟୁତ୍ତର କଲେ ବିନୟ–କାହିଁକି କେଜାଣି ସବୁ ଋତୁକୁ ମୁକ୍ତ ଭାବରେ ଉପଭୋଗ କରିବାପାଇଁ ଭାରି ଇଚ୍ଛା ହେଉଛି । ବର୍ଷା ଋତୁ ଚାଲିଗଲେ ପୁଣି ଥରେ ତାକୁ ଉପଭୋଗ କରି ପାରିବି, ଏ ବିଶ୍ୱାସ ତ ମୋର ନାହିଁ । କେତେବେଳେ କ’ଣ ହେବ.... ?

 

–ଛି ଛି, ତମେ ଏସବୁ କ’ଣ କହୁଛ ? ନିଜ ମୁହଁରେ ନିଜର ଅମଙ୍ଗଳ କଥା କହିବାକୁ ଅଛି ? ସେସବୁ ତୁମେ କାହିଁକି ଚିନ୍ତା କରୁଛ ? ସବୁବେଳେ ଯଦି ଏଇକଥା ଭାବ, ତୁମର ଅବସ୍ଥା କ’ଣ ହେବ ଜାଣ ? ମୋ ସୁନାଟି ତମେ, ସେସବୁ କଥା ମନକୁ ଆଣନାହିଁ ।

 

ବିସ୍ଫାରିତ ହୋଇଗଲା ବିନୟଙ୍କ ନେତ୍ରଯୁଗଳ, କମଳିନୀଙ୍କ ଭାଷାରେ ଯେଉଁ ଦରଦ ରହିଛି ତାହା ତାଙ୍କ ମନକୁ ଅତୀତ ସ୍ମୃତିର ଗହ୍ୱର ଭିତରକୁ ନେଇଗଲା । ଏ ଭାଷା କ’ଣ କମଳିନୀଙ୍କର ? ବାର୍ଦ୍ଧକ୍ୟର ପାଦଦେଶରେ ପହଞ୍ଚି ଜଣେ ନାରୀ କ’ଣ ନିଜକୁ ଏତେ କୋମଳ କରିପାରେ ? ତା’ର ଭାଷାରେ କ’ଣ ଏମିତିକା ସାବଲୀଳ ଭାବ ଫୁଟିପାରେ ?

 

କମଳିନୀ ପୁଣି କହିଲେ–ଦୁଶ୍ଚିନ୍ତା ପରା ମଣିଷକୁ ସାରିଦିଏ । ତମେ ବରଂ ବହି ପଢ଼ । ମୋ କଥା ମାନ । ଡାକ୍ତରମାନେ ତ ପଇସାଖୋର । ରୋଗ ଭଲହେଲା ବା ନହେଲା ସେ ବିଷୟରେ ଚିନ୍ତା କରନ୍ତି ନାହିଁ । ଶହେଜଣ ରୋଗୀଙ୍କର ଅମଙ୍ଗଳ ଘଟିଲେ ସେମାନଙ୍କର କିଛି ଯାଏ ଆସେନା । ନିତିଦିନ ସେମାନେ କେତେ ଦୁର୍ଘଟଣା ଘଟଉଛନ୍ତି । ମଣିଷ ଜୀବନ ପ୍ରତି ସେମାନଙ୍କର ପରବାୟ ନାହିଁ ।

 

ବିନୟ କିଛି କହିଲେ ନାହିଁ । କମଳିନୀଙ୍କର ଏଇ ଉପଦେଶ ଅତ୍ୟଧିକ ସ୍ନେହର ନିଦର୍ଶନ । ଗୋଟାଏ ଜନ୍ମର ପରିଚୟ, ଘନିଷ୍ଠତା ଦୁଇଟି ପ୍ରାଣକୁ ଏକ କରିଦେଇଛି । ଜଣକର ଚିନ୍ତାର ଛାପ ଅନ୍ୟର ମନ ଉପରେ ପଡ଼େ । ବାସ୍ତବିକ ସ୍ୱାମୀ ସ୍ତ୍ରୀର ବନ୍ଧନରଜ୍ଜୁ କେଡ଼େ ଶକ୍ତ ।

 

ବିନୟ ତାଙ୍କର ଥରିଲା ଛାତି ଭିତରେ ନୂଆ ଏକ ଅନୁଭୂତିର ସ୍ପର୍ଶ ପାଉଥିଲେ । ବିବାହର ପ୍ରଥମ ଲଗ୍ନରେ ଏଇ କମଳିନୀଙ୍କ କମଳିନୀ ମୁହଁ ଖଣ୍ଡିକ ଥିଲା କି ସୁନ୍ଦର–କୁଞ୍ଚିତ କେଶ ଗୁଚ୍ଛରେ ରଜନୀଗନ୍ଧା ଫୁଲର ବିକାଶ ଭାରି ଚମତ୍କାର ଦିଶୁଥିଲା । କପାଳର ମଧ୍ୟଦେଶରେ ଚିକ୍ ଚିକ୍‌ କରୁଥିଲା ରକ୍ତ ରଙ୍ଗ ସିନ୍ଦୂର । କାନରେ ଝରା ବକୁଳ–ଆଖିରେ ସରୁ କଜ୍ଜ୍ୱଳର ଗାର । ତାଙ୍କର ସୁନା ରଙ୍ଗର ପତଳା ଦେହକୁ ଆକାଶୀ ରଙ୍ଗର ଶାଢ଼ୀ ବେଶ୍‌ ମାନୁଥିଲା । ମାନସରୋବର କଳ୍ପିତ ଦେବକନ୍ୟାର ସୁଷମା ନେଇ ନିସ୍ତବ୍‌ଧ ରାତ୍ରିର ଅନ୍ଧାର ପକ୍ଷତଳେ ସେ ଯେତେବେଳେ ଶୟନ କକ୍ଷରେ ପ୍ରବେଶ କରୁଥିଲେ ସେତେବେଳେ ତରୁଣ ବିନୟଙ୍କର ସମସ୍ତ ଅବୟବ ଶିହରି ଉଠୁଥିଲା–ଭାଷା ସ୍ଫୁରୁ ନଥିଲା ମୁଖରୁ । ନିଜକୁ ସେ ଦୁର୍ବଳ ମନେ କରୁଥିଲେ । ଯୁବତୀ ସ୍ତ୍ରୀର ସଲଜ ବଦନର ଦୀପ୍ତ ହାସ୍ୟରେଖା ଆଜି ହୁଏତ ସ୍ୱପ୍ନ-

 

ସେଦିନ କ’ଣ ଆଉ ଥରେ ଫେରିବ ? ସେ ଆଉ ଫେରି ପାରେନା । ତଟିନୀର ଯେଉଁ ଜଳ ନିମ୍ନଗାମୀ ହେଇ ମହାସିନ୍ଧୁ ସଙ୍ଗରେ ନିଜକୁ ମିଶେଇ ଦେଇସାରିଛି, ସେ ଜଳ ଆଉ କେବେ ତଟିନୀର ବକ୍ଷକୁ ଲେଉଟି ଆସେ ନାହିଁ । ବିଗତ ହେଇଯାଇଚି ଯେଉଁ ଯୌବନ, ସେ ଆଉ ଲେଉଟି ଆସେନା ।

 

ମନ କିନ୍ତୁ ମରେନା ।

 

ବିନୟଙ୍କର ମନେ ହେଉଥିଲା ସେ ଯେମିତି ଆଜି କମଳିନୀଙ୍କ ସ୍ପର୍ଶରେ ନୂତନ ଜୀବନର ଗନ୍ଧ ପାଉଛନ୍ତି । ଭାରି ଇଚ୍ଛା ହେଉଥିଲା ତାଙ୍କ କଣ୍ଠର ସଙ୍ଗୀତ ଗୋଟିଏ ଶୁଣିବାକୁ । ବୟସ ଯେତେବେଳେ ଥିଲା ସେ ସେତେବେଳେ କେତେ ସଙ୍ଗୀତ ଶୁଣାଇଛନ୍ତି । ସେହି ସଙ୍ଗୀତ ହିଁ ଥିଲା ଦୁହିଁଙ୍କ ମଧ୍ୟରେ ପ୍ରଧାନ ଆକର୍ଷଣ ।

 

ବିନୟ ଚିତ୍ରଶିଳ୍ପୀ–କବି ମଧ୍ୟ । କମଳିନୀ ତାଙ୍କର କବିତା । ଦୁହିଁଙ୍କର ମିଳନ ଯୁକ୍ତିଯୁକ୍ତ, ରୁଚିକର ।

 

ସେଇ ଅତୀତ ଚିନ୍ତାରେ ବିନୟଙ୍କ ପ୍ରାଣ ଆଜି ପୂରି ଉଠୁଛି । ଏମିତିକା ଶୀତଳ ରାତ୍ରିରେ କମଳିନୀଙ୍କ ପରଶ ବେଶ୍‌ ଭଲ ଲାଗୁଛି ।

 

ଦୁର୍ବଳ ହାତ ଦୁଇଟିକୁ ସେ କମଳିନୀଙ୍କ କଣ୍ଠ ଦେଶରେ ଛନ୍ଦି ଆଣିଲେ । କି ଶାନ୍ତି ସତେ ଏଇ ମିଳନରେ ।

 

ପର ମୁହୂର୍ତ୍ତରେ କିନ୍ତୁ ସେ ଚମକି ଉଠିଲେ । ସେ ଏକ ସାଂଘାତିକ ରୋଗରେ ଆକ୍ରାନ୍ତ–କମଳିନୀ ସୁସ୍ଥ । ସ୍ୱାମୀତ୍ୱର ଅଧିକାର ଜାହିର କରି ସେ ଅନ୍ୟାୟ କରୁନାହାନ୍ତି ତ ?

 

କମଳିନୀ ବିନୟଙ୍କ ମୁଣ୍ଡରେ ହାତ ମାରୁମାରୁ କହିଲେ–ଭଗବାନ କେତେ ନିଷ୍ଠୁର । ନୁହେଁ କି ?

 

ବିନୟ କଥା ନକହି ମୁଣ୍ଡଟି ହଲାଇ ସମ୍ମତି ଜଣାଇଲେ । ନିଷ୍ଠୁର ନ ହୋଇଥିଲେ ଏଇ ଦମ୍ପତିର ଆଜି ଏ ଦୁର୍ଦ୍ଦଶା ହୋଇଥାନ୍ତା କାହିଁକି ? କମଳିନୀ ପୁଣି କହିଲେ–ତମେ କହୁଥିଲ ନା ଗୋଟେ ଗୀତ ଶୁଣିବି ବୋଲି ? କିନ୍ତୁ.... । ନୀରବ ରହିଲେ ସେ ।

 

ବିନୟ କହିଲେ–କମଳା, ସୁନ୍ଦର ଯେ ସେ ସବୁଦିନେ ସୁନ୍ଦର । ତୁମର ଗୀତ ସବୁବେଳେ ମତେ ଭଲ ଲାଗେ । ତୁମେ ଗାଅ ।

 

ସ୍ୱାମୀଙ୍କର ମନ ଭାଙ୍ଗିଦବାର ଇଚ୍ଛା କମଳିନୀଙ୍କର ମୋଟେ ନଥିଲା । ଗୀତ ଗାଇବାର ସ୍ପୃହା ନାହିଁ । ଏ ବୟସରେ ବା ସେ କି ଗୀତ ଆଉ ଗାଆନ୍ତେ ? ତଥାପି ଗାଇଲେ । ହାରମୋନିୟମ ବହୁଦିନ ହେଲା ବ୍ୟବହୃତ ହୋଇନାହିଁ । ବେସୁରା ମଧ୍ୟ ହେଇଗଲାଣି । ତଥାପି ସେଇ ବେସୁରା ଯନ୍ତ୍ରଟିରେ ସ୍ୱର ସଂଯୋଗ କରିବାକୁ ପଡ଼ିଲା ।

 

ଗୀତ ଶେଷ ହେଲା । ସେହି ଚିର ପରିଚିତ ପ୍ରିୟ ଗୀତଟି । ଯୌବନର କେଉଁ ଜୁଆରିଆ ମୁହୂର୍ତ୍ତରେ ବିନୟ ନିଜେ ଏହି ଗୀତଟି ରଚନା କରିଥିଲେ । ଗୀତଟିର ଛତ୍ରେ ଛତ୍ରେ ଯୌବନର ଉଦ୍ଦାମ ଆକାଂକ୍ଷା–ବଞ୍ଚିରହି ଉପଭୋଗ କରିବାର ପ୍ରବଳ ପିପାସା ।

 

ଜୀବନର ସନ୍ଧି କ୍ଷଣରେ ସେହି ଗୀତଟିକୁ ପୁଣି ଥରେ ଶୁଣି ସେ ଚିତ୍କାର କରି ଉଠିଲେ–କମଳା, ନା ନା ମୁଁ ମରିବାକୁ ଚାହେଁନା । ମୁଁ ବଞ୍ଚିବି । ତମର ଅମାନିଆ ଅଞ୍ଚଳ ତଳେ ମତେ ବାନ୍ଧିରଖ । ମୁଁ ପୁଣିଥରେ ଜୀବନକୁ ଉପଭୋଗ କରିବି କମଳା, ତୁମେ ମୋତେ ବଞ୍ଚେଇ ପାରିବ-?

 

ହଠାତ୍‌ ଏ କ’ଣ ହେଲା ?

 

କମଳିନୀଙ୍କ ମୁହଁ ଶୁଖି ଯାଇଚି । ନୟନ କୋଣରେ ଢଳ ଢଳ କରୁଛି ଅଶ୍ରୁ । ସେ ମଧ୍ୟ ପାଟି କରି ଉଠିଲେ–ମୋତେ କ୍ଷମା କର ଗୋ ! ମୋର ଭୁଲ ହେଇଚି । ଏଇ ପୁରୁଣା ଗୀତଟିକି ଗାଇ ତମ ମନରେ ପୁଣି ମୁଁ ପୂର୍ବର ସ୍ମୃତିକୁ ଜଗାଇ ଦେଇଚି । କ୍ଷମାକର ମୋତେ, ମୋର କୋଟି ଅପରାଧ ।

 

ତାଙ୍କ ଆଖିର ଅଶ୍ରୁ ଟୋପାଏ ଯାଇ ବିନୟଙ୍କ ଛାତି ଉପରେ ପଡ଼ିଲା । ସେ କହିଲେ–କମଳା, ତୁମେ କାନ୍ଦୁଛ ? ଛି ଛି....

 

କମଳିନୀଙ୍କ ଛାତି ଫଟାଇ କୋହ ଆସୁଥିଲା । ସେ ଆତ୍ମସମ୍ୱରଣ କରି ନପାରି ପଳାଇ ଆସିଲେ । ତାଙ୍କର ଯିବା ବାଟକୁ ଚାହିଁ ରହିଥିଲେ ବିନୟ । ଅତ୍ୟନ୍ତ କରୁଣ ଆଉ ଅର୍ଥପୂର୍ଣ୍ଣ ସେହି ଦୃଷ୍ଟି ।

 

କମଳିନୀ ଚାଲି ଆସିଲେ ତାଙ୍କ ଶୋଇବା ଘରକୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କର ଶୋଇବା ଘର ପୃଥକ ହୋଇଯାଇଛି । ପଲଙ୍କ ଉପରେ ପଡ଼ି ରହିଲେ ସେ । କାନ୍ଥରେ ଝୁଲୁଚି ବିନୟଙ୍କ ହାତ ଅଙ୍କା ତାଙ୍କରି ଚିତ୍ରପଟ । ନିଜ ଚିତ୍ରପଟକୁ ଦେଖି ନିଜେ ସେ ଚମକି ପଡ଼ିଲେ ।

 

ସେ କ’ଣ ସତରେ ଏଡ଼େ ସୁନ୍ଦରୀ ଥିଲେ ? ଆଜିର ଚେହେରା ସହିତ ପୂର୍ବର ସେଇ ଚେହେରାକୁ ଖାପ୍‌ ଖୁଆଇ ପାରୁ ନଥିଲେ ସେ । ସେ ବୟସରେ ବାସ୍ତବିକ ସେ ଥିଲେ ରୂପ ଆଉ ଯୌବନର ଏକ ମଧୁମୟ ସମ୍ମିଶ୍ରଣ ।

 

ଏଇ ଚିତ୍ରପଟ । ବିବାହର ପ୍ରଥମ ବର୍ଷରେ ବିନୟ ନିଜେ ହାତରେ ଆଙ୍କିଥିଲେ । ଆଜି ହୁଏତ ସେଇ ସବୁ ସ୍ମୃତି ତାଙ୍କର ମନେପଡ଼ୁଚି ।

 

–ଯୌବନ ଯାଇଚି । ସୁଖ ସମ୍ଭୋଗବାସନା ସବୁ କିଛି ଲୁପ୍ତ । ଆଜି ଆଉ ଏ ଚିତ୍ରରେ ଆବଶ୍ୟକତା କ’ଣ ? ମରୁଭୂମି ଭିତରେ ରହି ଜଳର ସ୍ୱପ୍ନ ଦେଖିବାରେ କେଉଁ ସାର୍ଥକତା ରହିଛି ?

 

ସେ ଆଉ ବିନୟଙ୍କୁ ପାଗଳ କରିବାକୁ ଚାହୁଁ ନଥିଲେ । ହଠାତ୍‌ ତାଙ୍କର ସ୍ମୃତି ପଟରେ ଉଙ୍କି ମାରୁଥିଲା ଏଇ ରୂପ ତଳର କରୁଣ ଇତିହାସ ।

 

ସେତେବେଳେ ସେ ଷୋଡ଼ଶୀ–ଶାନ୍ତିନିକେତନରେ ସଙ୍ଗୀତ ଅଧ୍ୟୟନ କରୁଥାନ୍ତି । କବି ରବୀନ୍ଦ୍ରଙ୍କ ନନ୍ଦନକାନନରେ ମୁକ୍ତ ମନ ତାଙ୍କର ଘୂରି ବୁଲୁଥାଏ । ଫୁଲର ସ୍ୱପ୍ନ–ଜଗତକୁ ସେ ଦେଖୁଥାନ୍ତି ରଙ୍ଗୀନ ଆଖିରେ ।

 

ତାଙ୍କରି ସହପାଠୀ–ଶ୍ରୀମନ୍ତ ଓ ବିନୟ ଉଭୟ । ଦୁହିଁଙ୍କ ସହିତ ତାଙ୍କର ବନ୍ଧୁତା । ଶ୍ରୀମନ୍ତ କିନ୍ତୁ ଖୁବ୍‌ ବଡ଼ଲୋକ ଘରର ପିଲା, ଘରେ ଅମାପ ସମ୍ପତ୍ତି । କାର୍ତ୍ତିକେୟ ପରି ଚେହେରା । କମଳିନୀ ପ୍ରଥମେ ଦେଖାରେ ହିଁ ତାଙ୍କ ପ୍ରେମରେ ପଡ଼ିଗଲେ । ଯୁବକ ଯୁବତୀ ଜୀବନର କଣ୍ଟକବିହୀନ ପଥରେ ପଦଚାରଣା କରୁକରୁ ପ୍ରେମ ବନ୍ଧନ ସ୍ୱାଭାବିକ ଭାବରେ ଘଟେ । ଏ ତ ପୃଥିବୀର ଚିରନ୍ତନ ସତ୍ୟ । ଆଦିପୁରୁଷ ଆଦିମାତାଙ୍କ ପ୍ରେମରେ ପଡ଼ି ନଥିଲେ ଏତେ ବଡ଼ ସୃଷ୍ଟି କ’ଣ ସମ୍ଭବ ହେଇପାରିଥାନ୍ତା । ପ୍ରେମ ହିଁ ଜଗତର ମୂଳ ।

 

ଶାନ୍ତି ନିକେତନର ମଞ୍ଜୁଳ ପରିବେଶରେ ଯୁବକ ଶ୍ରୀମନ୍ତ ଓ ଯୁବତୀ କମଳିନୀ ନିଜ ନିଜକୁ ହରାଇ ବସିଲେ ।

 

ଗୋଟିଏ ଦିନର କଥା–ସ୍ପଷ୍ଟ ମନେଅଛି ତାଙ୍କର । ସେ କେଉଁ ଏକ ପର୍ବ ଉପଲକ୍ଷେ ସମଗ୍ର ବିଦ୍ୟାମନ୍ଦିର ମୁଖର ହେଇ ଉଠିଥିଲା । ନାଚ ଗୀତର ଧୂମଧାମ ଭିତରେ ଜୀବନର ସତ୍ତା ଆହୁରି ସୁନ୍ଦର ହେଲା ।

 

ବକୁଳ କୁଞ୍ଜର ଛାୟାରେ ଶ୍ରୀମନ୍ତ କରିଥିଲେ ପ୍ରଥମ ପ୍ରେମ ନିବେଦନ । ମନର ସ୍ୱର୍ଗୀୟ ଭାବ ଦେହ ସୁଖ ସ୍ତରକୁ ଓହ୍ଲାଇ ଆସିଥିଲା । ଷଷ୍ଠୀ ଚନ୍ଦ୍ରର ରାତି । ବହୁ ଫୁଲର ଗନ୍ଧରେ ବାୟୁମଣ୍ଡଳ ସୁରଭିତ । ସିମେଣ୍ଟଡ଼୍‌ ବେଞ୍ଚ ଉପରେ ବସି ରହିଥିଲେ କମଳିନୀ । କୃଷ୍ଣ କୁନ୍ତଳ ଲମ୍ୱି ଆସିଥିଲା ତଳକୁ । ନୀଳ ରଙ୍ଗର ଶାଢ଼ୀ ଚଞ୍ଚଳ ପବନରେ ଉଡ଼ି ବୁଲୁଥିଲା । ମନଯାଇ ଉଡ଼ିବୁଲୁଥିଲା ସ୍ୱପ୍ନ ରାଜ୍ୟରେ ।

 

ପାଖରେ ବସିଛନ୍ତି ଶ୍ରୀମନ୍ତ । ତାଙ୍କରି ବଳିଷ୍ଠ ଚେହେରା ଦେଖିଲେ ଯେ କେହି ନାରୀ ତରଳିଯିବ । ନାରୀ ଦମ୍ଭହରା ରୂପ ସତେ !

 

ଶ୍ରୀମନ୍ତ କହିଲେ, କମଳା–ଆଜିର ଏ ରାତ୍ରିଟି ଜୀବନରେ ସ୍ମରଣୀୟ ହୋଇ ରହୁ । ରାତ୍ରିଚାରୀ ପକ୍ଷୀର କଳରବ ଶୁଭୁଚି । ଶ୍ରୀମନ୍ତ ଘୁଞ୍ଚି ଆସିଲେ ଆହୁରି ନିକଟକୁ । କମଳିନୀଙ୍କର ଦେହରେ କେମିତି ଏକ ଅନନୁଭୂତ ରୋମାଞ୍ଚ ।

 

ସେ କହିଲେ–ଦେଖୁନାହଁ, ଏଇ ଗଛ ଡାଳରେ ବସି କେଉଁ ପକ୍ଷୀଟିଏ ଚାହିଁ ରହିଛି ଆମ ଆଡ଼କୁ ।

 

ଶ୍ରୀମନ୍ତ ହସିଲେ । ଅନ୍ଧାରିଆ ଗଛ ଡାଳରେ ପକ୍ଷୀ ବସିଚି । ତା’ ବସିବା ସହିତ କ’ଣ ସମ୍ପର୍କ ବା ଅଛି ଏଇ ପରିବେଶର ।

 

ମଦନ ଦେବତା ଅନ୍ଧ । ସେହି ଦେବତାଙ୍କ ଉପାସକମାନେ ମଧ୍ୟ ମୁହୂର୍ତ୍ତକ ପାଇଁ ଅନ୍ଧ ହେଇଯାନ୍ତି ।

 

ଜଣେ କିଏ ସେମାନଙ୍କ ଆଡ଼କୁ ଆସୁଚି । ଉଭୟ ଶଙ୍କିଗଲେ । ନା, ଆଉ କିଛି ଭୟ ନାହିଁ । ଆଗନ୍ତୁକ ଅନ୍ୟ ରାସ୍ତା ଧରିଛନ୍ତି ।

 

ଯୁବକ-ଯୁବତୀର ପ୍ରାଣ-ତନ୍ତ୍ରୀରେ ବାଜୁଥିଲା ପଞ୍ଚମ ରାଗିଣୀ । ରାତ୍ରି ହେଉଥିଲା ଗୀତମୟ ।

 

ଶ୍ରୀମନ୍ତ ଆଉ କମଳିନୀ । ବିଦ୍ୟାମନ୍ଦିରର ବହୁ ଛାତ୍ରଛାତ୍ରୀଙ୍କର ଆଲୋଚନାର ବିଷୟ ବସ୍ତୁ ଥିଲେ । ଉଦ୍ଦାମ ଯୌବନର ଅମାନିଆ ସ୍ରୋତ ଭିତରେ ଯୁବକ ଯୁବତୀ ବାହାରର ସବୁକିଛି ଯେମିତି ଭୁଲି ଯାଆନ୍ତି । ବାହାର ପରିସ୍ଥିତି, ସମାଜର ଶାସନ ସବୁକୁ ସେମାନେ ମଣନ୍ତି ତୁଚ୍ଛ ।

 

ପୁଣି କିଛିଦିନ ପରର କଥା । ବିନୟ ବିଦ୍ୟାମନ୍ଦିରର ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଚିତ୍ରଶିଳ୍ପୀ ରୂପେ ପୁରସ୍କୃତ ହୋଇଥାନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଗଣ ତାଙ୍କୁ ଅଭିନନ୍ଦନ ଦେବାପାଇଁ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାର ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ କମଳିନୀ । କୋକିଳଜିଣା କଣ୍ଠରେ ତାଙ୍କର ସେ କି ଛନ୍ଦ ମଧୁର ରାଗିଣୀ । ସଭାସ୍ଥ ସମସ୍ତେ ଚମତ୍କୃତ ହେଇଥିଲେ ।

 

ସଭାପରେ । କମଳିନୀଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣେଇଲେ ବିନୟ । ତା’ପରେ କଥା ଅତି ସହଜ । ଯେଉଁ ବାଘ ଥରେ ମଣିଷ ମାଂସ ଆସ୍ୱାଦନ କରିଛି ସେ ଆଉ ତା’ ଲୋଭ ସମ୍ଭାଳି ପାରେନାହିଁ । ଶିକାର ଆଶାରେ ଗୁଳି ମୁହଁକୁ ମଧ୍ୟ ସେ ଚାଲିଯାଏ । ପରିଣାମ କଥା ଭାବିବାର ବେଳ ନଥାଏ । କମଳିନୀ ଏଥର ବିନୟଙ୍କ ପାଖରେ ଆପେ ଆପେ ଧରା ଦେଇଥିଲେ-। ବିନୟ କବି-ଶିଳ୍ପୀ । ଶିଳ୍ପୀ କେତେ ତା’ର ଶିଳ୍ପକୁ ଓ କବି କେବେ ତା’ର କବିତାକୁ ଅନାଦର କରିପାରେନା ।

 

ବର୍ଷକ ପରର ଆଉ ଏକ ସନ୍ଧ୍ୟାର କଥା । ବକୁଳ କୁଞ୍ଜର ସାନ୍ଧ୍ୟ ଚନ୍ଦ୍ରର ଛାୟାରେ ବସିଥିଲେ ଯୁବକ ବିନୟ ଓ ଯୁବତୀ କମଳିନୀ । କମଳିନୀଙ୍କ ହୃଦୟରେ ପ୍ରେମର କାଉଁରୀ ସ୍ପର୍ଶ । ବିନୟ କିନ୍ତୁ ପ୍ରେମ ନିବେଦନ କରି ନଥିଲେ–ଅର୍ଥାତ୍‌ ଦେହ ମିଳନରେ ଯେଉଁ ସୁଖ ଆସେ ତା’ ସେ କେବେ ଚାହିଁ ନଥିଲେ । କବି କଳ୍ପନାରେ ହିଁ ପାଏ ଆନନ୍ଦ । ଯେଉଁମାନେ କବିଙ୍କୁ ଚରିତ୍ରହୀନତା ଦୋଷରେ ଦୋଷୀ କରନ୍ତି ସେମାନେ ଅନେକ ସମୟରେ ଅବିଚାର କରିଥାନ୍ତି । କବିର ଦିଗନ୍ତପ୍ରସାରୀ ମନ ସବୁକିଛିର କଳ୍ପନା କରେ–ତା’ ନ କଲେ ସେ ବଞ୍ଚିପାରିବ ନାହିଁ ।

 

କମଳିନୀଙ୍କର ଆଜି ମନେ ପଡ଼ୁଛି–ସେଦିନ ସନ୍ଧ୍ୟାରେ ବିନୟ ଶାନ୍ତ ବିନମ୍ର କଣ୍ଠରେ କହିଥିଲେ–କମଳା, ତୁମେ କ’ଣ ଜୀବନର ଧାରା ବଦଳାଇ ପାରିବ ନାହିଁ ? ତମେ ଯେଉଁ ଅନିଶ୍ଚିତ ପଥରେ ପାଦ ଦେଇଛ ତାହା ବିପଜ୍ଜନକ । ବିଶୃଙ୍ଖଳ ଜୀବନ ସବୁଦିନ ପାଇଁ କ’ଣ ତମକୁ ଆନନ୍ଦ ଦେଇପାରିବ ?

 

କମଳିନୀଙ୍କ ଆଗରେ ଗୁରୁତର ପ୍ରଶ୍ନ । ଶୃଙ୍ଖଳିତ ଜୀବନ ସେ ଚାହାନ୍ତି, ନା ସେ ଚାହାନ୍ତି ମୁକ୍ତ ବିହଙ୍ଗୀ ଭଳି ବନ୍ଧନବିହୀନ ଜୀବନ ?

 

ସେ ନୀରବ ରହିଥିଲେ । ପ୍ରେମର ନିଶ୍ଚିତ ପରିଣତି ଯଦି ବିବାହ, ସେ ପ୍ରେମ ସେ ଚାହୁଁ ନ ଥିଲେ । ତାଙ୍କର ଏତି ନୀରବତାରେ ବିନୟ କହିଲେ–ବିଦାୟ କମଳା, ଆଜି ମୁଁ ଯାଉଛି । ଭାବିଚିନ୍ତି ମୋ ପ୍ରଶ୍ନର ଉତ୍ତର ଦେବ । ଯଦି ମୋ କଥାକୁ ଗ୍ରହଣ କରିପାର, ପରେ ସାକ୍ଷାତ କରିବ-

 

କମଳିନୀ ସନ୍ଦିଗ୍‌ଧ ଦୃଷ୍ଟିରେ କ୍ଷଣକାଳ ଚାହିଁ ରହିଥିଲେ । ତାଙ୍କର ମନ କାହିଁକି କେଜାଣି ଜୀବନର କୌଣସି ବନ୍ଧନକୁ ସମର୍ଥନ କରିପାରୁ ନଥିଲା ।

 

ରୂପବତୀ ସେ । ପିଞ୍ଜରୀ ଭିତରେ ଆବଦ୍ଧ ରହି ନିଜକୁ ପ୍ରସ୍ଫୁଟିତ କରିବାକୁ ନ ଦେଇ ମଉଳିଯିବେ କାହିଁକି ?

 

ଚକ ପୁଣି ଘୂରିଗଲା । ବିନୟ ତାଙ୍କ ପଥରେ କଳାଚର୍ଚ୍ଚା କରି ଚାଲିଲେ । ଆଉ କମଳିନୀ ?

 

ହଠାତ୍‌ ତାଙ୍କର ଦେହ ଆଜି ଥରି ଉଠିଲା । ଇସ୍‌, କି ମାରାତ୍ମକ ଭୁଲ ସେ ନ କଲେ ଜୀବନରେ ? ଜୀବନର ବାରମାସ ଯଦି ମଧୁମାସ ହୋଇଥାନ୍ତା, ତାହାହେଲେ କିଛି ଅନୁଶୋଚନା ନ ଥିଲା । ବସନ୍ତ ପରେ ଗ୍ରୀଷ୍ମର ଅସହ୍ୟ ଜ୍ୱାଳା ଯେ ସହିବାକୁ ପଡ଼ିବ, ଗ୍ରୀଷ୍ମ ନ ଆସିଲା ପର୍ଯ୍ୟନ୍ତ ଅନେକ ତାହା ଉପଲବ୍‌ଧି କରିପାରନ୍ତି ନାହିଁ । କମଳିନୀଙ୍କ ଜୀବନରେ ତାହାହିଁ ଘଟିଥିଲା ।

 

ସେ ଆଉ ବିନୟଙ୍କୁ ସାକ୍ଷାତ କରି ନ ଥିଲେ । କାହିଁକି ବା କରନ୍ତେ ? ଜୀବନକୁ ଯେ ଜୀବନ ଭଳି ଉପଭୋଗ କରିବାକୁ ଚାହାନ୍ତି ନାହିଁ ସେ ଯେ କେମିତିକା ମଣିଷ କମଳିନୀ ତାହା ବେଶ୍‌ କଳ୍ପନା କରିପାରୁଥିଲେ । ସେ ତାଙ୍କ ନିଜ ପଥ ବାଛି ନେଲେ । ଯାବତ୍‌ ଜୀବେତ୍‌ ସୁଖମ୍‌ ଜୀବେତ୍‌....ଭସ୍ମି ଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ?

 

ବାଧା ବନ୍ଧନ ନ ମାନି ସେ ଚାଲିଲେ । ଆଜି ସେ ନିଜେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ, ଅତୀତରେ ଦିନେ ସେ ଏତେ କାମୁକା ଥିଲେ । ଅଥବା ସୌନ୍ଦର୍ଯ୍ୟ ସହିତ କାମନା ଓତଃପ୍ରୋତ ଭାବରେ ଜଡ଼ିତ । ବ୍ୟଭିଚାରୀ ରାତ୍ରିର ନିଃଶବ୍ଦ ଲଗନରେ ସେ ସାଜୁଥିଲେ ଅଭିସାରିକା ।

 

ଜୀବନ ମଧୁମାସରେ ପୁଣି ଦେଖା ଦେଇଥିଲେ ଶ୍ରୀମନ୍ତ । ବେଶ୍‌ ଆନନ୍ଦରେ କଟିଯାଇଥିଲା ପୁଣି କିଛି ଦିନ ।

 

କିନ୍ତୁ ତା’ପରେ ଘୋଟି ଆସିଥିଲା ତମସାର ଝଡ଼ । ମିଳନ ଲଗ୍ନର ଅବ୍ୟବହିତ ପରେ କମଳିନୀ ଶୁଣିଲେ ଭାବୀ ଶିଶୁର ହୃତ୍‌ସ୍ପନ୍ଦନ । ସର୍ବନାଶ ! ନିଜକୁ କୁମାରୀ ବୋଲାଇ ସେ ଦେଖିଲେ ଜନନୀ ହେବାର ଦୁଃସ୍ୱପ୍ନ ।

 

ମୋହ ତାଙ୍କର କଟିଗଲା । ମାତ୍ର ଉପାୟ ? ?

 

ଉପାୟ ? ଉପାୟ, ଉପାୟ ?

 

କୌଣସି ଉପାୟ ନ ପାଇ ସେ ଧାଇଁଲେ ଶ୍ରୀମନ୍ତଙ୍କ ପାଖକୁ । ତାଙ୍କରି ମୁହଁରୁ ବହୁ ଆଶ୍ୱାସନା ସେ ପାଇଛନ୍ତି । ଏଥର ମଧ୍ୟ ପାଇବେ । ମନେ ପଡ଼ୁଥିଲା ବିନୟଙ୍କ କଥା । ଠିକ୍‌ କହି ନ ଥିଲେ କି ସେ ?

 

କିନ୍ତୁ ହାୟରେ ! ନିଷ୍ଠୁର ସତ୍ୟକୁ ବହୁତ ଡେରିରେ ସେ ଉପଲବ୍‌ଧି କଲେ, କମଳିନୀ ଯାଇ ପହଞ୍ଚିବା ବେଳକୁ ଶ୍ରୀମନ୍ତ ଏକ ସୁନ୍ଦରୀ ଅପ୍‌ସରାର ମୂର୍ତ୍ତି ଆଙ୍କି ବସିଥିଲେ । କମଳିନୀଙ୍କୁ ଦେଖି ସେ ପ୍ରେମ ଗଦଗଦ ହୋଇ ଅସ୍ଥିର ହାତ ଦୁଇଟିକୁ ପ୍ରସାରି ଦେଲେ । କିନ୍ତୁ ତାଙ୍କର ବାହୁବନ୍ଧନ ଭିତରେ ବନ୍ଦିନୀ ହେବା ପୂର୍ବରୁ କମଳିନୀ ହଠାତ୍‌କିନା ଠିଆ ହେଇଗଲେ । ଶ୍ରୀମନ୍ତ କହିଲେ–କ’ଣ ହେଇଚି ? ପାଖକୁ ଆସ କମଳା । ଏତେଦିନ ପରେ ମଧ୍ୟ ତୁମର ଏପରି ବ୍ୟବହାର ବଡ଼ ଅସହ୍ୟ ହୋଇ ଉଠୁଚି । ମୁଁ ଯେ ଦିନରାତି ତୁମରି କଥା ସ୍ୱପ୍ନ ଦେଖୁଚି । ଆସ ।

 

କମଳିନୀ କିନ୍ତୁ ଆଉ ଆଗେଇ ପାରିଲେ ନାହିଁ । ଅନାଗତ ଦିନର ଭୟରେ ଅନ୍ତର ସାରା ଦୋହଲି ଗଲା ।

 

ଶ୍ରୀମନ୍ତ ଉଠି ଆସିଲେ–ରାଣୀଟି ପରା । ଆସ ।

 

କମଳିନୀଙ୍କର ହାତ ଧରି ସେ ତାଙ୍କୁ ନେଇ ଖଟ ଉପରେ ବସାଇ ଦେଲେ । ଏ କ’ଣ ? ଲଜ୍ଜା ଆଉ ସଙ୍କୋଚରେ ସାରା ପ୍ରାଣପୁର ଯେମିତି ଦୋହଲିଗଲା ଏଇ ତରୁଣୀଙ୍କର । ବହୁତ କଷ୍ଟରେ ଚୂପି ଚୂପି ଶ୍ରୀମନ୍ତଙ୍କ କାନ ପାଖରେ କହିଲେ ତାଙ୍କ ଦୁର୍ଦ୍ଦଶାର କରୁଣ କଥା । ପୂର୍ଣ୍ଣମୀ ଚାନ୍ଦକୁ ରାହୁ ଗ୍ରାସ କଲେ ସାରା ପୃଥିବୀ ଯେମିତି ଅନ୍ଧକାର ହୋଇଯାଏ ତାଙ୍କ କଥା ଶୁଣି ଶ୍ରୀମନ୍ତଙ୍କ ମୁଖଚନ୍ଦ୍ର ସେମିତି ବିମର୍ଷ ଅନ୍ଧକାରରେ କଳା ହୋଇଗଲା ।

 

ତଥାପି ଆଶା ଅଛି । ସେ ସାହସ ମଧ୍ୟ ଦେଲେ–କହିଲେ ଆଚ୍ଛା, ତୁମେ କାଲି ଆସ କମଳିନୀ, ମୁଁ ସବୁ ବନ୍ଦୋବସ୍ତ କରିଦେବି ।

 

କମଳିନୀ କହିଲେ–ଆଉ ଅନ୍ୟ କିଛି ପନ୍ଥା ନାହିଁ । ତମକୁ ମତେ ବିବାହ କରିବାକୁ ପଡ଼ିବ ।

 

ଶ୍ରୀମନ୍ତ ଉତ୍ତର ଦେଲେ–ଆଜି ଦିନଟି ମତେ ସମୟ ଦିଅ । ମୁଁ ସବୁକଥା ଧୀର ସ୍ଥିର ଭାବରେ ଭାବିନିଏ । ତା’ପରେ ଆଗାମୀର କର୍ମପନ୍ଥା ଠିକ୍‌ କରିବା ।

 

କମଳିନୀ ଅଶ୍ରୁଳ ମୁହଁରେ ଫେରିଆସିଲେ । ଏ ଆଘାତ ତ କମ୍‌ ନୁହେଁ । ସାରା ପୃଥିବୀ ଯେମିତି ତାଙ୍କୁ ଉପହାସ କରି ଉଠୁଛି । ଗଛପତ୍ରଲତା ହସ ବିବର୍ଜିତ ହୋଇ ପଡ଼ିଛନ୍ତି–କୋଇଲି ହରାଇ ବସିଛି ଛନ୍ଦ–ବସନ୍ତ ତା’ର ନିଜସ୍ୱ ତ୍ୟାଗ କରିଛି ।

 

ପରଦିନ । ନିର୍ଦ୍ଧାରିତ ମୁହୂର୍ତ୍ତରେ ଶ୍ରୀମନ୍ତଙ୍କ ପାଖକୁ ଗଲେ ସେ । କିନ୍ତୁ ଯାଇ ଯାହା ଶୁଣିଲେ ମୁଣ୍ଡରେ ତାଙ୍କର ବଜ୍ରାଘାତ ହେଲା । ଶ୍ରୀମନ୍ତ ସେହିଦିନ ସକାଳେ ଗାଁକୁ ଚାଲିଯାଇଛନ୍ତି ।

 

ପର ମୁହୂର୍ତ୍ତରେ କମଳିନୀ ଭାବିଲେ–ଶ୍ରୀମନ୍ତ ବୋଧହୁଏ ଘରକୁ ଯାଇଛନ୍ତି ଏ ବିଷୟରେ ଗୋଟାଏ ସ୍ଥାୟୀ ବ୍ୟବସ୍ଥା କରିବାକୁ; ସବୁ ଠିକ୍‌ କରି ସେ ନିଶ୍ଚୟ ଫେରି ଆସିବେ ।

 

ଦିନ ପରେ ଦିନ ଚାଲିଗଲା । ଶ୍ରୀମନ୍ତ ଆଉ ଫେରିଲେ ନାହିଁ । ଅସ୍ଥିର ହେଇପଡ଼ିଲେ କମଳିନୀ । ଆଉ କିଛି ଦିନ ଗଲେ ତାଙ୍କ ଅପକୀର୍ତ୍ତିରେ ସାରା ବିଦ୍ୟାମନ୍ଦିର ଦୋହଲି ଉଠିବ । ସାଙ୍ଗସାଥୀ ବନ୍ଧୁବାନ୍ଧବମାନେ ଶୁଣିବେ ଏ କଥା । ଆଉ ବିନୟ ? ତାଙ୍କୁ ସେ ମୁହଁ ଦେଖାଇବେ କେମିତି ?

 

ବିନୟ ସାଧନାରତ । ଜଣେ ଦକ୍ଷ ଶିଳ୍ପୀ ହିସାବରେ ସେ ପରିଚିତ । ସେଦିନ ଥାଏ ଛୁଟି-। କମଳିନୀ ସ୍ଥିର କଲେ ଏଥର ସେ ଆଉ ଅପେକ୍ଷା କରିପାରିବେ ନାହିଁ । ବିନୟଙ୍କ ପାଖକୁ ଯାଇ ସେ ସବୁ କଥା କହିବେ । ଉଦ୍ଧାର ପାଇବାର ପଥ ପଚାରିବେ । ଯଦି ସାହାଯ୍ୟ ମିଳେ ରକ୍ଷା । ଯଦି ନମିଳେ ଏ କଳଙ୍କିତ ମୁହଁକୁ ଦେଖେଇ ବଞ୍ଚି ରହିବା ଅସମ୍ଭବ । ସେ କରିବେ ଆତ୍ମହତ୍ୟା-

 

ଗୋଧୂଳି ଲଗ୍ନ । ଛାତ୍ରଛାତ୍ରୀଗଣ କ୍ରୀଡ଼ାରତ । କମଳିନୀ ଯାଇ ପହଞ୍ଚିଲେ ବିନୟଙ୍କ ପାଖରେ । ବିନୟ ସେତେବେଳକୁ କବିତା ଲେଖୁଛନ୍ତି । କମଳିନୀଙ୍କୁ ଦେଖି ପ୍ରଥମେ ସେ ବିଶ୍ୱାସ କରିପାରିଲେ ନାହିଁ । ଯେଉଁ ସୁନ୍ଦରୀ ତରୁଣୀଙ୍କ ପରିକଳ୍ପନାରେ କିଛି ସମୟ ତାଙ୍କର କଟିଯାଇଛି, ସେ ଆସି ସମ୍ମୁଖରେ । ବିନୟ ହସି ହସି ସ୍ୱାଗତ ସମ୍ଭାଷଣ ଜଣାଇଲେ ।

 

କମଳିନୀ କହିଲେ–ଶିଳ୍ପୀ, ଆପଣ ହିଁ ଜିତିଲେ, ମୁଁ ହାରିଗଲି ।

 

ବିନୟ ମୃଦୁ ହସି କହିଲେ–ଜିତିବା ହାରିବା ତ ଜଗତର ଦୈନନ୍ଦିନ ନିୟମ । ସେଥିରେ ଗୋଟାଏ ଆଉ ବଡ଼କଥା କ’ଣ ?

 

କମଳିନୀ ଉତ୍ତର ଦେଲେ–ମୋ ଜୀବନରେ ଆଜି ତା’ର ଗୁରୁତ୍ୱ ଖୁବ୍‌ ବେଶୀ । ଲୁଚେଇ ଆଉ ଲାଭ ନାହିଁ....

 

ସ୍ୱାଭାବିକ ଗତିରେ ସବୁକଥା ସେ କହିଗଲେ, ଆଉ ରକ୍ଷା ପାଇବାର ଉପାୟ ପଚାରିଲେ ।

 

ତାଙ୍କ କଥା ଶୁଣି ବିନୟ ନୀରବ ରହିଲେ ।

 

କମଳିନୀ ଚାହିଁ ରହିଲେ ଉତ୍ତର ଆଶାରେ । ସେ ଚାହାନ୍ତି ଏକ ନିର୍ଭୀକ ଉତ୍ତର । ସେ ପୁଣି କହିଲେ–ଶ୍ରୀମନ୍ତବାବୁଙ୍କ ପରି ଆପଣ ମଧ୍ୟ ନିରୂପାୟ । କ’ଣ କହୁଛନ୍ତି ?

 

ବିନୟ ଭଦ୍ର । ଏଇ ରୂପସୀର ଆସନ୍ନ ବିପଦରେ ନିଜେ ଥରି ଉଠିଥିଲେ । କିଛିକାଳ ନୀରବତା ରକ୍ଷାକରି ସେ କହିଲେ–ତୁମକୁ ଆସନ୍ନ ବିପଦରୁ ମୁଁ ଆଗେ ରକ୍ଷାକରି ସାରେ–ତା’ପରେ ଯାଇ ଅନ୍ୟକଥା ।

 

କମଳିନୀଙ୍କ ମସ୍ତକ ଉପରୁ ଖୁବ୍‌ ଗୋଟାଏ ଭାରି ଜିନିଷ ଖସିଗଲା ଯେମିତି । ସେ ଆଶ୍ୱସ୍ତିର ନିଶ୍ୱାସଟିଏ ମାରିଲେ । ବିନୟଙ୍କ ପ୍ରଶାନ୍ତ ମୁହଁରେ ଆଶ୍ୱାସନାର ମୃଦୁ ସଙ୍ଗୀତ । କମଳିନୀ କୃତଜ୍ଞତାରେ ଝରିପଡ଼ିଲେ ।

 

କମଳିନୀଙ୍କୁ ନେଇ ବିନୟ କଲିକତା ଆସିଲେ । କୌଣସି ଏକ ନର୍ସିଂହୋମରେ ଅସ୍ତ୍ରୋପଚାର କରାଗଲା ।

 

ଏ ପାପ କାହାର ? କମଳିନୀଙ୍କର ନା ବିନୟଙ୍କର ?

 

କାହାର ଏ ପାପ, ଏ ଭାବନା ବିନୟଙ୍କର ନଥିଲା । କାରଣ ସେ ଭଲ ରୂପେ ଜାଣିଥିଲେ ଆଉ ଯାହା କିଛି ହେଉ ତାଙ୍କର କର୍ତ୍ତବ୍ୟ ସେ କରିଛନ୍ତି ।

 

ନର୍ସିଂହୋମରେ ରୁଗ୍‌ଣା କମଳିନୀ । ବିନୟ ତାଙ୍କର ପାଖେ ପାଖେ ଥା’ନ୍ତି । ଅତ୍ୟନ୍ତ ଆତ୍ମୀୟ ପାଖରେ ଥିଲେ ମନ ଭିତରେ ଯେମିତି ସାହସ ଥାଏ, ବିନୟ ପାଖରେ ଥିବାରୁ କମଳିନୀ ସେମିତି ଆଶ୍ୱସ୍ତ ।

 

ସେଦିନ ବିନୟଙ୍କ ପାଦ ଛୁଇଁ ସେ ଶପଥ କଲେ–ବିନୟ ବାବୁ, ଜୀବନରେ ଆଉ ଏସବୁ ନୁହେଁ । ଆପଣଙ୍କ କଥାରେ ମୁଁ ରାଜି । ଆପଣ ମତେ ଗ୍ରହଣ କରନ୍ତୁ । ଝରାଫୁଲ ପରି ମତେ ଯଦି ଫିଙ୍ଗି ଦିଅନ୍ତି, ଭାବୁଚନ୍ତି ତ ମୋ ଅବସ୍ଥା କ’ଣ ହେବ ? ରାସ୍ତାର ଆବର୍ଜନା ସହିତ ମିଶିଯାଇ ମୁଁ ସିନା ମୋ ନିଜତ୍ୱ ହଜାଇ ବସିବି !

 

ନା, ଏହା କଦାପି ହେଇପାରେନା । କମଳିନୀଙ୍କ ଚାରୁ ଦେହର ଶୋଭାକୁ ସେ ବ୍ୟର୍ଥ ହେବାକୁ ଦେବେ ନାହିଁ । ମଣିଷ ଜୀବନରେ ଅନେକ କିଛି ଭୁଲକରି ବସେ । ସେ ଭୁଲର ଯଦି ସଂଶୋଧନ ନ ହୁଏ ତେବେ ସଂସାର ତିଷ୍ଠି ପାରିବ ନାହିଁ ।

 

ବିନୟ କମଳିନୀଙ୍କ ମୁହଁ ତଳେ ବେଶ ଆନ୍ତରିକତାର ପରଶ ପାଉଥିଲେ । କ୍ଷତି କ’ଣ-? କବି ଯଦି ତା’ର ଲୁପ୍ତ କବିତାକୁ ଫେରିପାଏ ସେ ତ ଅଗୌରବର କଥା ନୁହେଁ ।

 

ବିନୟ କଥା ଦେଇଥିଲେ ସେ ନିଶ୍ଚୟ କମଳିନୀଙ୍କୁ ଗ୍ରହଣ କରିବେ । ସେ ତାଙ୍କ କଥା ରକ୍ଷା କରିଛନ୍ତି । ଆଉ କମଳିନୀ, ସେ ମଧ୍ୟ ପ୍ରାଣ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ତାଙ୍କୁ ସନ୍ତୁଷ୍ଟ କରିବାକୁ-

 

ଉଭୟ ଉଭୟଙ୍କୁ ବିବାହ କରି ଶାନ୍ତିନିକେତନରୁ ଫେରି ଆସିଲେ । ତା’ପରେ ଆରମ୍ଭ ହେଲା ବିନୟଙ୍କ କର୍ମ ଜୀବନ । କମଳିନୀ ହେଲେ ଗୃହିଣୀ । ବିସ୍ମୃତି ଗର୍ଭରେ ଶ୍ରୀମନ୍ତଙ୍କ ସ୍ମୃତି ଲୁଚିଗଲା ।

 

ଜୀବନର ପ୍ରଥମ ମଧୁ ଲଗ୍ନ ବେଶ କଟିଗଲା । ଶୟନ କକ୍ଷରେ ଯେଉଁ ଛବି ଖଣ୍ଡିକୁ ଦେଖି ସେ ଆଜି କଇଁକଇଁ ହେଇ କାନ୍ଦି ଉଠୁଥିଲେ, ସେଇଟିକୁ ବଡ଼ ଯତ୍ନରେ ଆଙ୍କି ବିନୟ ଏକ ସ୍ମରଣୀୟ ମୁହୂର୍ତ୍ତରେ ତାଙ୍କୁ ଉପହାର ଦେଇଥିଲେ ।

 

କମଳିନୀ ବସି ସଙ୍ଗୀତର ସୁର ଛୁଟାଇ ଦେଇଥାନ୍ତି । କଣ୍ଠର ଲହରରେ ସାରା ବାୟୁମଣ୍ଡଳ ଗୀତ ମୁଖରିତ ହୋଇ ଉଠୁଥାଏ । ଗୀତଟି ବିନୟଙ୍କ ରଚନା । କମଳିନୀଙ୍କ କଣ୍ଠରେ ଜୀବନର ସଙ୍ଗୀତ–ସେ ଗୀତ-ବିଭୋରା ।

 

ତାଙ୍କ ଅଜ୍ଞାତରେ ଛପି ଛପି ଆସି ଯୁବକ ବିନୟ କେତେବେଳେ ଗୀତ ଶୁଣୁଛନ୍ତି ତାହା ତାଙ୍କୁ ଜଣା ନାହିଁ । ଗୀତ ଶେଷହେବା ପର୍ଯ୍ୟନ୍ତ ବିନୟ ଆଉ ଅପେକ୍ଷା କରିପାରିଲେ ନାହିଁ । ଆବେଗରେ କମଳିନୀଙ୍କ ପାଖରେ ଯାଇ ବସି ପଡ଼ିଲେ–କମଳିନୀ ଚମକି ଉଠିଲେ । ଦୁଷ୍ଟ ତୁମେ ! ଲୁଚି ଲୁଚି ଆସି ଡରାଇବାର ଚେଷ୍ଟା କରୁଛ ?

 

ବିନୟ ତାଙ୍କ କାନ୍ଧ ଦେଶରେ ହାତ ଥୋଇ କହିଲେ–କମଳୀ, ମାଇଁ ହନି, ଦେଖିଲ ଏ ଛବିଟି କେମିତି ହେଇଛି ?

 

କମଳିନୀ ବାସ୍ତବିକ ନିଜ ଆଖିକି ବିଶ୍ୱାସ କରିପାରିଲେ ନାହିଁ । ଶିଳ୍ପୀ ଜୀବନ୍ତ ମୂର୍ତ୍ତିର ନିଖୁଣ ଚିତ୍ର ଯେ ଆଙ୍କିପାରେ ଆଉ ସେହି ନିର୍ଜୀବ ଚିତ୍ରରେ ଜୀବନ୍ତ ପରିକଳ୍ପନା ଫୁଟି ଉଠିଥାଏ, ଏହା ତାଙ୍କର କଳ୍ପନାର ବାହାରେ ଥିଲା । ଏକଦମ୍‌ ନିଖୁଣ–ବାସ୍ତବ ମୂର୍ତ୍ତିଠୁଁ ଆହୁରି ସୁନ୍ଦର । ସରୁ ସରୁ ଭ୍ରୂଯୁଗଳରେ ପ୍ରାଣଭରା ପ୍ରେମର ନିବେଦନ ।

 

ଏଇ ଚିତ୍ର । ତାଙ୍କ ଯୁବତୀ ଦିନର ଅଭୁଲା ପ୍ରତୀକ । ଆଜି ସେଇ ଛବିଟିକୁ ଦେଖି ସେ କାହିଁକି କେଜାଣି ସହି ପାରୁନଥିଲେ ।

 

କାହାନ୍ତି ସେ କମଳିନୀ ? କାହିଁ ତାଙ୍କର ସେହି ଯତି-ମନୋହରା-ରୂପ-ଲାବଣ୍ୟ ? ସେଇ କଟାକ୍ଷ, ଭ୍ରୂବିଳାସ, ଅଧର-କୋଣର ସ୍ମିତହାସ୍ୟ ? ସବୁ ଆଜି ମରିଯାଇଚି । ସମୟର ପ୍ରଭାବରେ ସବୁ ଏମିତି ମରିଯାଏ ।

 

–ମା ।

 

କମଳିନୀ ଶଯ୍ୟା ଉପରୁ ଗ୍ରୀବା ଭାଙ୍ଗି ଚାହିଁଲେ ?

 

–କ’ଣ ହେଇଚି ରତନା ? ମନରେ ପୁଣି ଭୟର ସଞ୍ଚାର ହେଉଥିଲା ।

 

ରତନା କହିଲା–ମା’, ବାବୁ ଡାକୁଛନ୍ତି ।

 

ଯାଉଛନ୍ତି କହି ରତନାକୁ ବିଦାୟ କରିଦେଲେ ସେ । ପଣତରେ ମୁହଁର ଲୋତକ ପୋଛି ଆଣିଲେ । ବଡ଼ ଦୁର୍ବଳ ଲାଗୁଛି । ସୃଷ୍ଟି-କର୍ତ୍ତା । ତମେ ଯଦି ମଣିଷକୁ ସ୍ମୃତି ଶକ୍ତିରୁ ବଞ୍ଚିତ କରିଥାନ୍ତ, ଏକ ପକ୍ଷରେ ଭଲ ହେଇଥାନ୍ତା । ପଶୁପକ୍ଷୀ ଇତର ପ୍ରାଣୀ କୌଣସି କଥା ମନେରଖି ପାରନ୍ତି ନାହିଁ, ତେଣୁ ଦୁଃଖର ମାତ୍ରା ତାଙ୍କର କମ୍‌ । ସ୍ମୃତି ସର୍ବନାଶୀ । ଯାହା ସମୟର ପଦ୍ମ ପତ୍ର ତଳେ ଲୁଚି ଯାଇଛି, ତା’ର ସ୍ମୃତି ମନ ତଳେ ପୁଣି ଖେଳେ କାହିଁକି ? ବ୍ୟର୍ଥତା, ନୈରାଶ୍ୟ, ଦୁଃଖ ଆସେ ଯାହା ଖାଲି ତା’ର ପ୍ରତିବଦଳରେ ।

 

କମଳିନୀ ଶେଯ ଛାଡ଼ି ଉଠି ପଡ଼ିଲେ । ବିନୟଙ୍କ ଘରକୁ ଯାଇ ଦେଖିଲେ ସେ ଗୁଣୁ ଗୁଣୁ ହେଇ କ’ଣ ଆଉଡ଼ାଇଛନ୍ତି । ସେ ନିଃଶବ୍ଦରେ ଆହୁରି ନିକଟକୁ ଗଲେ । ଏ କ’ଣ ? କମଳିନୀଙ୍କର ପୁରୁଣା ଦିନର ଛବିଟିଏ ଧରି ସେ କହୁଚନ୍ତି–ସୁନ୍ଦରେ ତୃପ୍ତିର ଅବସାଦ ନାହିଁ–ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । କମଳା, ତୁମେ ରାଗ କଲ ନା ? ମତେ ଆଉ ଥରେ ତମକୁ ସ୍ପର୍ଶ କରିବାକୁ ଦିଅ । ସେଇ ରୂପରେ ମୁଁ ତୁମକୁ ଚାହେଁ ଯେଉଁ ରୂପ ନେଇ ତୁମେ ଶାନ୍ତିନିକେତନରେ ମୋ ପାଖକୁ ଯାଇଥିଲ, ସେଇ ଆଗାମୀର ଜନନୀ ବେଶରେ ଆଉ ଥରେ ଆସ । ଏଥର କିନ୍ତୁ ତମକୁ ଆଉ କଲିକତା ଯିବାକୁ ପଡ଼ିବ ନାହିଁ । ପେଟରେ ଅସ୍ତ୍ରୋପଚାର କରିବା ପାଇଁ ଉପକାରୀ ଡାକ୍ତରଙ୍କୁ ଅର୍ଥର ଲୋଭ ଦେଖେଇବାକୁ ପଡ଼ିବ ନାହିଁ । ଯାହାକୁ ଦିନେ ତମେ କଳଙ୍କ ବୋଲି ଭାବୁଥିଲ, ଆଜି ସେ ହେବ ତୁମର ଗୌରବ....

 

କମଳିନୀ ନିର୍ବାକ ହୋଇ ଲେଉଟି ଆସିଲେ । ଏ ଖାଲି ପ୍ରଳାପ । ସେ ଆଉ ଜନନୀ ହେବେ ଏକଥା ସ୍ୱପ୍ନାତୀତ । ନିଷ୍ଠୁର ଭାବରେ ଦିନେ ମାତୃତ୍ୱକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆଜି ତା’ର ପରିଣତି ତାଙ୍କୁ ଭୋଗିବାକୁ ପଡ଼ୁଚି । ସେଇ କାମରେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିଥିଲେ ବିନୟ । ଜଣେ ଯୁବତୀର ସମ୍ମାନ ଆଉ ଇଜ୍ଜତ ରକ୍ଷାପାଇଁ ଗୋଟାଏ ଭ୍ରୂଣକୁ ଶାଣିତ ଛୁରୀରେ କାଟି ଟିକି ଟିକି କରି ଫିଙ୍ଗି ଦେବାକୁ ସେ ଅନାୟାସରେ ଆଦେଶ ଦେଇଥିଲେ । ସେଦିନ ରାତ୍ରିର ସେଇ ରକ୍ତ ବଲବଲ ଦୃଶ୍ୟ ଆଜି ସତେଜ ହେଇଉଠୁଚି ମନରେ । ବିନୟ କ’ଣ ସେଦିନର ପାପ ପାଇଁ ଦାୟୀ ନୁହନ୍ତି ?

 

କାହିଁକି ?

 

ସେ ଯଦି ଏଇ କାର୍ଯ୍ୟର ଭାର ନିଜ ହାତକୁ ନେଇ ନଥାନ୍ତେ କମଳିନୀ ନିଶ୍ଚୟ ଆତ୍ମହତ୍ୟା କରିଥାନ୍ତେ । ବିଶ୍ୱ ଉପବନରେ ଗୋଟିଏ ପ୍ରସ୍ଫୁଟିତ ଫୁଲର ମୂଲ୍ୟ ଯଥେଷ୍ଟ ବେଶୀ । କମଳିନୀଙ୍କୁ ରକ୍ଷାକରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଧରି ନେଇଥିଲେ ।

 

ସାରାଜୀବନ ଆକାଂକ୍ଷାର ଅନଳରେ ଦଗ୍‌ଧ ହୋଇଚନ୍ତି ସେ । କମଳିନୀ ମାତୃତ୍ୱ କାମନା କରି ବହୁ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି । କିନ୍ତୁ ନିଷ୍ଫଳ ହେଇଛି ସବୁ । ବସ୍ତୁ ଜଗତରେ ଗୋଟାଏ ଆକସ୍ମିକ ବିସ୍ଫୋରଣ ଫଳରେ ପ୍ରାଣର ସୃଷ୍ଟି ହୋଇଥିଲା ବୋଲି ଅନେକ ବୈଜ୍ଞାନିକ କହିଥାନ୍ତି । ତା’ ଯଦି ସତ୍ୟ ହୋଇଥାଏ କମଳିନୀଙ୍କ ପୂଜାର୍ଚ୍ଚନା ବ୍ୟର୍ଥ ହେବାରେ ବିସ୍ମିତ ହେବାର କିଛି ନାହିଁ ।

 

ରାତ୍ରି ପରେ ରାତ୍ରି ବିତିଯାଇଛି । ଗ୍ରୀଷ୍ମ ବର୍ଷା ଶୀତ ବସନ୍ତର ଆଗମନରେ ନୂତନ ଦିନର ସ୍ୱପ୍ନ ଖେଳିଯାଇଛି ମନରେ । କେତେ କାମନା ଆକାଂକ୍ଷା ବିତିଯାଇଛି । ନିଷ୍କ୍ରିୟ ଜରାୟୁରେ ଜୀବନର ସଞ୍ଚାର ତଥାପି ହୋଇନାହିଁ । ବହୁ ଡାକ୍ତର କବିରାଜ ଗୁଣୀ ସନ୍ନ୍ୟାସୀ ଚେଷ୍ଟା କରି ବିଫଳ ହୋଇଛନ୍ତି । କମଳିନୀ ଆଉ ମାଆ ହେଇପାରି ନାହାନ୍ତି ।

 

ବିନୟ କର ଲେଉଟାଇଲେ । ତାଙ୍କ କଣ୍ଠରୁ ଅସ୍ପଷ୍ଟ ଭାଷାରେ ଶୁଭୁଥାଏ–ହୁ ଇଜ୍‌ ଆଫଟେର୍‌ ମି ? ଶେଷ ହୋଇଯିବ ସବୁ । ତାଙ୍କରି ଦିନ ଗଣି ହେଇଯାଉଛି । ତା’ପରେ ବଂଶର ପ୍ରଦୀପ ଚିରଦିନ ପାଇଁ ନିର୍ବାପିତ ହେବ । କମଳା, କମଳା । ପୁଣି କ୍ଷୀଣ କଣ୍ଠରେ ଡାକିଲେ ସେ । କମଳିନୀ ସେତେବେଳକୁ ତାଙ୍କ ତରୁଣୀ ଦିନର ଚିତ୍ରପଟ ସବୁକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ଏକାଠି କରୁଥାନ୍ତି ।

 

ବିନୟଙ୍କ ଡାକ ତାଙ୍କ କାନରେ ବାଜିଲା । ସେ ଆଉ ଯିବାକୁ ଚାହୁଁ ନ ଥିଲେ । ପୁଣି ବାହାରିବ ସେଇ ପାଗଳାମି । ଡାକ୍ତର କହିଛନ୍ତି, ଏ ସବୁ ଲକ୍ଷଣ ଭଲ ନୁହେଁ । ଉତ୍ତେଜିତ ହେବା ତାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ । ଦୀପ ଲିଭିଯିବା ଆଗରୁ ଜଳିଉଠେ । ଚିରଦିନ ପାଇଁ ବାସନାର ସମାପ୍ତି ହେବା ପୂର୍ବରୁ ସେ ପୁଣି ଉଗ୍ର ଭାବରେ ଜାଗି ଉଠେ ।

 

ଉଃ–କେମିତି ଏକ ଅସ୍ଫୁଟ ଚିତ୍କାର କରିଉଠିଲେ ବିନୟ । ଯା’ ହବାର ପଛେ ହବ, କମଳିନୀ ଆଉ ଥୟ ଧରି ପାରିଲେ ନାହିଁ । ଏକ ନିଃଶ୍ୱାସକେ ସେ ଯାଇ ଶେଯ ପାଖରେ ଉପସ୍ଥିତ ହେଲେ ।

 

କାନ୍ଥରେ ଝୁଲୁଥିବା ଚିତ୍ରଟି ଆଡ଼େ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି ବିନୟ–ବାଁ ହାତରେ ଛାତି ଉପରଟାକୁ ଜାକି ଧରିଛନ୍ତି । ଆଖିକୋଣରେ ମୁକ୍ତା ଭଳି ଚିକ୍‌ ଚିକ୍‌ କରୁଛି ଅଶ୍ରୁ ।

 

 

ପୁଣି ସେଇ ଚିତ୍ର ! ସେଇ କାମନା ! କମଳିନୀ ଯାଇ କାନ୍ଥରେ ଝୁଲୁଥିବା ଚିତ୍ରଟିକୁ ଓଲଟାଇ ଦେଲେ । ବିନୟଙ୍କ ଦୃଷ୍ଟି ଚିତ୍ର ଉପରୁ ଅପସରି ଆସିଲା । ସେ କହିଲେ–ଲକ୍ଷ୍ମୀ, ଭାରି କଷ୍ଟ, ପାଣି ଟିକିଏ ।

 

କମଳିନୀ ପରିଷ୍କାର କାଚ ଗ୍ଲାସରେ ପାଣି ଢାଳି ଧୀରେ ଧୀରେ ପିଆଇ ଦେଲେ । ପାଣି ପିଇ ଟିକିଏ ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ବିନୟ । ତା’ପରେ କହିଲେ–ତମର ଧାରଣା ଅମୂଳକ । ଯେଉଁ ଛବିକୁ ନେଇ ତମେ ଆଶଙ୍କା କରୁଛ ତା’ର ମଡ଼େଲ ଆଉ ବର୍ତ୍ତମାନ ଜୀବିତ ନାହିଁ । ସେ ମରିଯାଇଛି । ଜୀଇ ରହିଚି ଖାଲି ସ୍ମୃତି । କମଳା, ତମର ସେ ଦିନର ରୂପ ମନଗହନରେ ବ୍ୟଥାର ସ୍ୱର ତୋଳୁଛି । ମତେ କ’ଣ ଆଉ ଥରେ ତୁମେ ପାଗଳ କରିପାରିବ ନାହିଁ-? ତା’ ନହେଲେ ମୁଁ ବଞ୍ଚିବି କେମିତି ? ମୋର ଶିଳ୍ପୀ ପ୍ରାଣ ବଞ୍ଚିବ କେମିତି ? କମଳିନୀ ଚିତ୍କାର କରି ଉଠିଲେ–ଥାଉ, ଥାଉ ଗୋ, ତୁମେ ଏସବୁ ବନ୍ଦ କର । ଦିନକୁ ଦିନ ତୁମର କ’ଣ ହେଉଚି-? ପିଲା ହେଇଯାଉଚ ନା କ’ଣ ?

 

ବାଳବୃଦ୍ଧ ସମାନ–ଯେଉଁ ଶାସ୍ତ୍ରକାର ଏହି ଉକ୍ତି କରିଥିଲେ ସେ ଏକ ନିରାଟ ସତ୍ୟକୁ ସେଦିନ ପ୍ରକାଶ କରିଥିଲେ । ବିନୟ କହିଲେ–କବିତ୍ୱ ମୋର ମରିଯାଉଚି–କିନ୍ତୁ ତୁମେ କବିତା ରୂପରେ ଆଉଥରେ କ’ଣ ସେଇ ମୃତ ଶକ୍ତିକୁ ଜାଗ୍ରତ କରାଇପାରିବ ନାହିଁ ? କବିତା ଚିରଯୌବନା, କିନ୍ତୁ ତୁମ ପାଖରେ ଆଜି ଏ ବ୍ୟତିକ୍ରମ ସମ୍ଭବ ହେଲା କେମିତି ?

 

କମଳିନୀ ଆଜି କିନ୍ତୁ ଏଇ ସବୁ ଭାବନାଠୁ ବିନୟଙ୍କୁ ଦୂରରେ ରଖିବାକୁ ଚାହୁଁଥିଲେ । ସେ କହିଲେ–କଥା କହିବା ପରା ଖରାପ । ତୁମେ କଥା କୁହ ନାହିଁ ।

 

ବିନୟ ଦୀର୍ଘନିଃଶ୍ୱାସ ତୋଳିଲେ । କିଛି ସମୟ ନୀରବ ରହି ପୁଣି କହିଲେ–ଭଜନା ଆଜି ଆସିନାହିଁ ? ତା’ମା’ର କ’ଣ ହେଲା କେଜାଣି ?

 

ଭଜନା ପ୍ରତିଦିନ ଆସେ । ତେର ଚଉଦ ବର୍ଷର ପିଲାଟିଏ । ସଂସାରରେ ମା’ ବ୍ୟତୀତ ତା’ର ଆଉ କେହି ନାହିଁ । ସେମାନେ ବଡ଼ ଦରିଦ୍ର । ବିନୟଙ୍କ ପଡ଼ିଶା ସେମାନେ । ଭଜନା ପିଲାଟି ଖୁବ୍‌ ଭଲ । ଦରିଦ୍ର ଘରେ ଜନ୍ମ ନେଇଥିଲେ କ’ଣ ହେବ, ବେଶ୍‌ ଶାନ୍ତ ଆଉ ସୁଧୀର ।

 

ସେମାନଙ୍କ ପରିବାରର ସମସ୍ତ ସୁବିଧା ଅସୁବିଧା କଥା ବିନୟଙ୍କୁ ବୁଝିବାକୁ ପଡ଼େ । କମଳିନୀ ଖୁବ୍‌ ଦୟାଶୀଳା । ସେମାନଙ୍କ ଅଭାବ ତୁରନ୍ତ ପୂରଣ ହୋଇଯାଏ ।

 

ତିନିଦିନ ହେଲା ଭଜନାର ମା’କୁ ଜ୍ୱର । ରତନା ଯାଇ ବେଳେବେଳେ ତା’ କଥା ବୁଝିଆସେ । କିନ୍ତୁ ଏଇ କେଇଦିନ ହେଲା ବିନୟଙ୍କ ଦେହ ଖରାପ ଆଡ଼କୁ ଯାଉଥିବାରୁ ସେ ଆଉ ଘରଛାଡ଼ି ବାହାରକୁ ଯାଉନାହିଁ ।

 

ଭଜନା ମଧ୍ୟ ଆସିନାହିଁ ।

 

ପରଦିନ ସକାଳେ ଭଜନା ଆସି କମଳିନୀଙ୍କ ପାଖରେ ହାଜର ହେଲା । ତା’ର ମୁହଁ ଶୁଖିଯାଇଛି । ତା’ର ଶୁଖିଲା ମୁହଁ ଦେଖି ସେ ପଚାରିଲେ–ଭଜ, ତୋ ମା’ କେମିତି ଅଛି ?

 

ହଠାତ୍‌ ଭଜନା ଛାତିରେ କ୍ରନ୍ଦନର ବିସ୍ଫୋରଣ ହେଲା । ସେ କହିଲା–ମା’, ମା’ ଆଜି ଭୋର ମରିଯାଇଛି ।

 

ତା’ର କ୍ରନ୍ଦନର ସ୍ୱର ଖୁବ୍‌ ଉଚ୍ଚକୁ ଉଠି ଯାଇଛି । ଘରେ ରୋଗୀ–କମଳିନୀ ତାକୁ ଆଦର କରି ନିଜ ଛାତି ଭିତରକୁ ଆଉଜାଇ ଆଣିଲେ ।–କାନ୍ଦିଲେ କ’ଣ ମା’ ଫେରି ଆସିବରେ ଭଜ ? ଯେ ଯିବାର କଥା ତାକୁ ତ ଆଉ ଅଟକେଇ ହେବ ନାହିଁ ।

 

ବିନୟ ଶୁଣିଲେ ଭଜର ମା’ ମରିଯାଇଛି । ସେ ଉଠି ତା’ର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କଲେ ।

 

ଅନ୍ତ୍ୟେଷ୍ଟି କ୍ରିୟାର ଯାବତୀୟ ଖର୍ଚ୍ଚ ବିନୟଙ୍କୁ କରିବାକୁ ପଡ଼ିଲା ।

 

କିଛିଦିନ ପରର କଥା । ଖରା ତେଜ ପ୍ରଖର ହୋଇଥାଏ । ବିନୟଙ୍କର ଖିଆଲ ହେଲା ସନ୍ଧ୍ୟାରେ ସେ ଗାଁଆ ଆଡ଼େ ଯିବେ । ଚାକିରି ଜୀବନର ଅବ୍ୟବହିତ ପରେ ସେ ଏଇ ଗାଁ ମାଟିକୁ ଅତି ଆପଣାର କରିନେବେ ବୋଲି ଭାବିଥିଲେ । ଚାକିରି ଜୀବନ ସମାପ୍ତ ହେବା ପୂର୍ବରୁ ତାଙ୍କୁ ବାଧ୍ୟ ହୋଇ ଦାସତ୍ୱକୁ ବିଦାୟ ଦେବାକୁ ହେଲା ।

 

ସେ ଥିଲେ ସାମାନ୍ୟ ବେତନଭୋଗୀ ଜଣେ ଡ୍ରଇଂ ଶିକ୍ଷକ । ପିଲାଙ୍କ ଅନ୍ତେ ଯାହା ଜମିବାଡ଼ି ଥିଲା ତାଙ୍କ ପାଇଁ ଯଥେଷ୍ଟ । ସେଇଥରୁ କେତେ ମାଣ ଜମି ବିକ୍ରି କରିଦେଇ ପୁରାତନ ଘର ଡିହ ଉପରେ ନୂତନ ଧରଣର ଏଇ ଘରଟି ତିଆରି କରିଛନ୍ତି । ବାଡ଼ିରେ ଛୋଟ ପୋଖରୀଟିଏ କାଟି ପହଣା ମାଛ ଛାଡ଼ିଛନ୍ତି । କଦଳୀ, ଆମ୍ୱ, ପଣସ, ଲିଚୁ ପ୍ରଭୃତିର ନାନାପ୍ରକାର ଗଛ ଲଗେଇଛନ୍ତି । ଆର୍ଟିଷ୍ଟ ସେ–ନାନା ରଙ୍ଗର ଫୁଲ ଗଛରେ ସଜେଇ ଦେଇଛନ୍ତି ଘରର ଚତୁର୍ଦ୍ଦିଗକୁ ।

 

ବେଳେବେଳେ ଭବିଷ୍ୟତ ନେଇ ସେ ବ୍ୟସ୍ତ ହୋଇପଡ଼ନ୍ତି । ଉତ୍ତରାଧିକାରୀ କେହିନାହିଁ–ନିଜେ ଯକ୍ଷ୍ମାକ୍ରାନ୍ତ । ତାଙ୍କ ଅନ୍ତେ ? କମଳିନୀ ଆଉରି ଦୀର୍ଘାୟୁ ହେଉନ୍ତୁ–ତାଙ୍କର ପରମାୟୁ ଶହେବର୍ଷ ହେଉ । ସେ ଏ ବଂଶର ଶେଷ ସନ୍ତକ ।

 

ସନ୍ଧ୍ୟାବେଳେ । ଚଉତରା ମୂଳରେ ରତନା ସଞ୍ଜବତୀ ଲଗେଇ ଦେଇଛି । ଅଳ୍ପ ଦୂରରେ କମଳିନୀ ବସି ମନାସୁଛନ୍ତି ନିଜର ଆଶୁ ମରଣ । ସେ ମରିଯାଆନ୍ତେ କି ?

 

କିନ୍ତୁ ସେ ମରିଗଲେ ରୁଗ୍‌ଣ ବିନୟଙ୍କ ଶୁଶ୍ରୂଷା କରିବ କିଏ ? ଭବିଷ୍ୟତ ?

 

ବିନୟ ପ୍ରସ୍ତାବ କଲେ–କମଳା, ଆମ ଦୁଇଜଣଙ୍କ ସ୍ମୃତିରକ୍ଷା ପାଇଁ ଆମର ସମସ୍ତ ସମ୍ପତ୍ତିକୁ କୌଣସି ଏକ ମହତ୍ତର ଅନୁଷ୍ଠାନକୁ ଦାନ କରିଦେଇ ଗଲେ କେମିତି ହୁଅନ୍ତା ? କମଳିନୀଙ୍କର ମନେପଡ଼ୁଥିଲା ଭଜନା କଥା । ସେ ପିଲାଟି କେମିତି ଚଳିବ ? ମାତୃବିୟୋଗ ପରେ ସେ ଆସି ତାଙ୍କରି ଘରେ ଆଶ୍ରୟ ନେଇଛି । ସନ୍ତାନ-ପାଗଳ କମଳିନୀ ତାହାରି ପାଇଁ ବ୍ୟସ୍ତ ହେଉଛନ୍ତି । ପିଲାଟିକୁ ଥୟ କରିଗଲେ ସବୁ ଦିନକୁ ନାଁ ରହନ୍ତା ।

 

ସେତିକିରେ କଥା ଶେଷ ହେଲା ।

 

ବିନୟ ଧୀରେ ଗାଁକୁ ବାହାରିଲେ । ଗ୍ରୀଷ୍ମସନ୍ଧ୍ୟା–ପବନ ବେଶ୍‌ ଶାନ୍ତିପ୍ରଦ । କମଳିନୀ ମନା କରୁଥିଲେ–ଅତି ମାତ୍ରାରେ ଦୁର୍ବଳ, ଗୋଡ଼ ଥରୁଛି । ମାତ୍ର ସେ ମନା ମାନିଲେ ନାହିଁ । ଏଇ ଗାଁର ପ୍ରତ୍ୟେକ ପଦାର୍ଥ ତାଙ୍କ ନିକଟରେ ଅତିପ୍ରିୟ । ସେହି ସବୁ ପ୍ରିୟ ପଦାର୍ଥକୁ ଆଉ ଥରେ ଭଲକରି ଦେଖିବା ପାଇଁ ତାଙ୍କର ମନ ବଳିଛି । ପଡ଼ିଶା ଲୋକଙ୍କ ସହିତ ବହୁତ ଦିନରୁ ସେ ଆଳାପ କରିନାହାନ୍ତି । ସେ ଏହି ଶକ୍ତି ସଂକ୍ରାମକ ବ୍ୟାଧିରେ ଜଡ଼ିତ ହେଇପଡ଼ିଛନ୍ତି ଜାଣି ଅତି ଆପଣାର ପଡ଼ିଶା ଲୋକେ ମଧ୍ୟ ତାଙ୍କ ପାଖକୁ ଆଉ ଆସୁନାହାନ୍ତି ।

 

ହାୟରେ ଜୀବନ ! ଏ ମର ଦେହର କି ଭୟାନକ ପରିଣାମ । ‘ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ’ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’–ବିନୟଙ୍କ ଅଙ୍ଗପ୍ରତ୍ୟଙ୍ଗ ଥରୁଛି । ଧଇଁ ସଇଁ ହେଇ ପଡ଼ୁଛନ୍ତି । ନା, ନିଷ୍ଫଳ ଚେଷ୍ଟା । ଏ ଜୀବନରେ ହୁଏତ ମୁକ୍ତ ପ୍ରକୃତିକୁ ଆଉ ଉପଭୋଗ କରିବା ସମ୍ଭବ ନୁହେଁ ।

 

ସେ ଫେରି ଆସିଲେ ।

 

ସେହିଦିନ ରାତ୍ରିରେ ସେ ଭୀଷଣ ଅସୁସ୍ଥ ହେଇପଡ଼ିଲେ । ଭଜନା ଓ ରତନା ଉଭୟ ମିଳି ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ।

 

ଡାକ୍ତରଖାନା ସେଠାରୁ ଏକ ମାଇଲ ଦୂର । ସରକାରୀ ଡାକ୍ତରଖାନା । ପୂର୍ବରୁ ଯେଉଁ ଡାକ୍ତର ଜଣକ ସେଠାରେ ଥିଲେ, ସେ ୟା’ ଭିତରେ ବଦଳି ଗଲେଣି । ତାଙ୍କ ସ୍ଥାନରେ ଜଣେ ନୂଆ ଡାକ୍ତର ଆସିଛନ୍ତି । ଯୁବକ । ଅଳ୍ପ ଦିନ ଭିତରେ ଜଣେ ଭଲ ଡାକ୍ତର ହିସାବରେ ତାଙ୍କ ନାମ ଚାରିଆଡ଼େ ପ୍ରସାରି ଗଲାଣି ।

 

ଭଜନା ଆଉ ରତନା ସାଙ୍ଗରେ ଏଇ ନୂଆ ଡାକ୍ତର ଜଣକ ଆସିଲେ । କମଳିନୀ ଏଇ ଡାକ୍ତରଙ୍କୁ ଦେଖି ଚମକି ପଡ଼ିଲେ । ଠିକ୍‌ ଶ୍ରୀମନ୍ତଙ୍କ ଭଳି ଚେହେରା । ସେଇ ଆଖି, ସେଇ ନାକ, ଭ୍ରୂଲତା, ମୁହଁ ସବୁ କିଛି ।

 

ପୁଣି ଥରେ ସେଇ ଲୁପ୍ତ ସ୍ମୃତି ତାଙ୍କ ମନପଟରେ ଜାଗ୍ରତ ହେଲା । ଏ କ’ଣ ଶ୍ରୀମନ୍ତଙ୍କ ପୁଅ ?

 

ଡାକ୍ତର ଆସି ଚିକିତ୍ସା ଆରମ୍ଭ କରିଦେଲେ ।

 

–ବହୁଦିନ ଧରି ନିୟମିତ ଚିକିତ୍ସା ଆବଶ୍ୟକ । ଡାକ୍ତର କହିଲେ ।

 

କମଳିନୀ ଆଶାୟୀ କଣ୍ଠରେ ପଚାରିଲେ–ନିୟମିତ ଚିକିତ୍ସା କଲେ ଏ ରୋଗ କ’ଣ ଭଲ ହେବ ?

 

ଡାକ୍ତର ହସିଲେ । ଇସ୍‌, ଶ୍ରୀମନ୍ତଙ୍କ ହସର ଅବିକଳ ନକଲ । କମଳିନୀଙ୍କ ଛାତିରେ ଛୁରୀ ଚାଲିଗଲା ଯେମିତି । ମନେପଡ଼ିଲା ତାଙ୍କର ଜୀବନର ଯୌବନର ପ୍ରଥମ ଅଙ୍କରେ ଶାନ୍ତିନିକେତନର ଅଭିନୟ । ସେ ଆଖି ବନ୍ଦ କରିଦେଲେ ।

 

ଡାକ୍ତର ପୁଣି କହିଲେ–ଆଜିକାଲି ଯକ୍ଷ୍ମା ଆଉ କ’ଣ ଦୁଃସାଧ୍ୟ ହେଇ ରହିଛି ?

 

–କଣ କହିଲେ ? କମଳିନୀ ଏ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଯେମିତି ।

 

–ଯଦି କହନ୍ତି, ମୁଁ ଚେଷ୍ଟା କରିବି । ୟା’ଭିତରେ ଯକ୍ଷ୍ମା ପାଇଁ ବହୁ ଔଷଧ, ଇଞ୍ଜେକ୍‌ସନ ବାହାରିଲାଣି । ଚେଷ୍ଟା କଲେ ହୁଏତ ସଫଳ ହେଇପାରେ । ଡାକ୍ତର କହିଲେ ।

 

ଯକ୍ଷ୍ମା ଭଲ ହେବ ? ଯଦି ଭଲ ହୁଏ ସବୁ କିଛି ବିନିମୟରେ କମଳିନୀ ଚେଷ୍ଟା କରିବାକୁ ପ୍ରସ୍ତୁତ ।

 

ପୁଣି ଆସିବେ କହି ଡାକ୍ତର ଚାଲିଗଲେ । ଯିବାବେଳେ ଭଜନା ଦଉଡ଼ିଯାଇ ପଚାରିଥିଲା ତାଙ୍କ ନାମ ।

 

ସେ ହସିଥିଲେ–ମୋ ନାଁରୁ କ’ଣ ପାଇବ ? ମୁଁ ତ ଡାକ୍ତର, ମତେ ଡାକ୍ତର ବୋଲି ଡାକିବ ।

 

ଭଜନା କହିଲେ–ନା, ମା’ ପଚାରି ପଠେଇଲେ ଆପଣଙ୍କ ନାଁ ।

 

ମା’ ? ଗତ ପାଞ୍ଚ ବର୍ଷର ଚାକିରି ଜୀବନରେ କୌଣସି ମା’ର ସଂସ୍ପର୍ଶରେ ସେ ଆସି ନାହାନ୍ତି । ନିଜର ବାରବର୍ଷ ବେଳୁ ମା’କୁ ହରାଇ ମାତୃସ୍ନେହରୁ ସେ ବଞ୍ଚିତ ହେଇଛନ୍ତି । ଆଜି କାହିଁକି କମଳିନୀଙ୍କୁ ଦେଖି ତାଙ୍କର ଭାବାନ୍ତର ହେଉଛି !

 

କମଳିନୀ ସନ୍ତାନ ସ୍ନେହରୁ ବଞ୍ଚିତ ଆଉ ଡାକ୍ତର ମାତୃସ୍ନେହରୁ ବଞ୍ଚିତ । ଡାକ୍ତର କହିଲେ–ମୋ ନାଁ ଶ୍ରୀକାନ୍ତ ପଟ୍ଟନାୟକ ।

 

ତା’ପରେ ଚାଲିଗଲେ ସେ ।

 

ଶ୍ରୀକାନ୍ତ ପଟ୍ଟନାୟକ ! ସେ ଥିଲେ ଶ୍ରୀମନ୍ତ ପଟ୍ଟନାୟକ । ଆଜି ଯଦି ସେ ବଞ୍ଚିଥିବେ ନିଶ୍ଚୟ ବୃଦ୍ଧ ହେଇଯିବେଣି କିନ୍ତୁ ସେତେବେଳେ ସେ ଠିକ୍‌ ଏମିତି ଥିଲେ । ଏ ଯେ, ତାଙ୍କରି ପୁଅ କମଳିନୀଙ୍କର ଏ ବିଶ୍ୱାସ ଦୃଢ଼ ହେଇଗଲା ।

 

ବିନୟ ଡାକିଲେ କମଳା, କମଳା ।

 

–କ’ଣ କହୁଛ ? ଶୁଣିଲ, ଏ ଡାକ୍ତର କ’ଣ କହିଗଲେ ?

 

ଉତ୍କଣ୍ଠିତ ହେଇ ବିନୟ ପଚାରିଲେ–କ’ଣ କହିଗଲେ ? ଆଉ କେତେଦିନ ?

 

–ନା ଗୋ ନା, ସେ କହିଗଲେ ତୁମର ରୋଗ ଭଲ ହେଇଯିବ ।

 

ଏଇ ଆଶାର ବାଣୀ ଶୁଣି ତାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇଉଠିଲା । ସେ ଆତ୍ମସମ୍ୱରଣ କରି ନ ପାରି ପାଟି କରି ଉଠିଲେ–କାହିଁ ? କାହିଁ ସେ ଡାକ୍ତର ? ତାକୁ ଆଉ ଥରେ ମୋ ପାଖକୁ ଡାକିଦିଅ ।

 

ସେ କାଲି ପୁଣି ଆସିବେ ।

 

ତା’ପରେ ଏକ ଶାନ୍ତ ଶୀତଳ ପରିବେଶ । ବାୟୁମଣ୍ଡଳ ନିସ୍ତବ୍‌ଧ ।

 

ପରଦିନଠାରୁ ଡାକ୍ତର ଶ୍ରୀକାନ୍ତଙ୍କ ପରାମର୍ଶରେ ନିୟମିତ ଚିକିତ୍ସା ଚାଲିଲା । ସ୍ୱୟଂ ମୃତ୍ୟୁ ଦେବତାଙ୍କ ସହିତ ରୀତିମତ ଯୁଦ୍ଧ । ଭବିଷ୍ୟତ ହିଁ କେବଳ କହିବ ମଣିଷର ଐକାନ୍ତିକ ଚେଷ୍ଟା, ଏକନିଷ୍ଠ ଏକାଗ୍ରତା ଜୟୀ ହେବ ନା ହିଂସ୍ରକ ମୃତ୍ୟୁଦେବତାର ଇଚ୍ଛା ହିଁ ପୂର୍ଣ୍ଣ ହେବ ।

 

କମଳିନୀ ବିନୟଙ୍କର ଆରୋଗ୍ୟ ପାଇଁ ସେବା ପୂଜା ଆରମ୍ଭ କରିଦେଇଛନ୍ତି । ମନୁଷ୍ୟ ଅବସ୍ଥାର ଦାସ । ଶାନ୍ତିନିକେତନର ଛାତ୍ରୀ ଥିବାବେଳେ ସେ ହୁଏତ ଭାଗ୍ୟ ଆଉ ଦେବତା ବିଶ୍ୱାସ କରୁ ନ ଥିଲେ । ବସ୍ତୁବାଦୀ ଦୁନିଆରେ ବସ୍ତୁର ହିଁ ମୂଲ୍ୟ ଥିଲା ତାଙ୍କ ନିକଟରେ ଚରମ ସତ୍ୟ । କାଳଚକ୍ରର ଆବର୍ତ୍ତନରେ ସବୁ ଯେମିତି ବଦଳିଗଲା । ଥରେ ସନ୍ତାନ ପ୍ରାପ୍ତି ଆଶାରେ ସେ ଏମିତି ସେବାପୂଜା ଆରମ୍ଭ କରି ଦେଇଥିଲେ କିନ୍ତୁ ସେ ହେଇଥିଲା ନିଷ୍ଫଳ, ଏଥର ଦେଖାଯାଉ କ’ଣ ହେଉଛି ?

 

ଡାକ୍ତର ଶ୍ରୀକାନ୍ତ । ଦିନୁ ଦିନ ଏଇ ଯୁବକଟି ପ୍ରତି କମଳିନୀଙ୍କର ମାତୃ ହୃଦୟ ଆକୃଷ୍ଟ ହେଉଛି । ସେ ଏମିତି ଜଣେ ସନ୍ତାନର ଜନନୀ ହେଇପାରିଥାନ୍ତେ କି ?

 

ସେଦିନ ଏହି ଚିନ୍ତାରେ ହିଁ ବସି ବସି ସେ ଲୁହ ଝରାଉଥିଲେ । ଭଜନା ଆସି ସମ୍ୱାଦ ଦେଲା–ଡାକ୍ତର ଆସିଛନ୍ତି ।

 

ଲୁହଧାର ବନ୍ଦ କରି ସେ ଉଠିଗଲେ । ବିନୟ ବେଶ୍‌ ଆରାମରେ ଶୋଇଛନ୍ତି । ରୋଗ ଯାହାହେଉ ଏ କେଇଦିନ ହେଲା ସେ ବେଶ୍‌ ଶାନ୍ତିରେ ଶୋଉଛନ୍ତି । ଡାକ୍ତର ଗୋଟାଏ ଚେୟାର ଟାଣି ନେଇ ରୋଗୀ ଶେଯ ପାଖରେ ବସିଲେ ।

 

କମଳିନୀ ମୃଦୁ କଣ୍ଠରେ ପଚାରିଲେ–କ’ଣ ଦେଖୁଛ ବାପ ?

 

–ଏତେ ଶୀଘ୍ର ମୁଁ କିଛି ଦେଖିବାକୁ ପାଇନାହିଁ । ତେବେ ଶୋଇବାଟା ଖୁବ୍‌ ଭଲ ଲକ୍ଷଣ-

 

–ଭଲ ହେବାର ଆଶା ଦେଖୁଛ ?

 

–ଡାକ୍ତରମାନେ ତ ସବୁବେଳେ ଆଶାୟୀ ମା ! ମୁଁ ଖୁବ୍‌ ଭଲ ଆଶା ଦେଖୁଚି । ଶ୍ରୀକାନ୍ତଙ୍କ ମୁହଁରେ ନିର୍ଲିପ୍ତଭାବ । ଡାକ୍ତରଙ୍କ କର୍ତ୍ତବ୍ୟ ସେବା କରିବା । ଫଳାଫଳ ଉପରେ ତାଙ୍କର ହାତ ନାହିଁ । ନିଶ୍ଚିତ ମୃତ୍ୟୁ ଜାଣି ମଧ୍ୟ ଡାକ୍ତର ରୋଗୀକୁ ସାନ୍ତ୍ୱନା ଦିଅନ୍ତି, ଆଶା ଦିଅନ୍ତି । ତଥାପି ଏହି ଆଶା ଅନେକ ସମୟରେ ନିରର୍ଥକ ଯାଏନା । ରୋଗୀର ମନ ବଳ ବଢ଼ିଲେ ରୋଗବଳ ହଟିଯାଏ ।

 

କମଳିନୀ ଏଯାଏ ଶ୍ରୀକାନ୍ତଙ୍କ ପରିଚୟ ପଚାରି ନ ଥିଲେ । ହଠାତ୍‌ ସେ ପଚାରି ବସିଲେ ସେଇସବୁ କଥା ।

 

ଶ୍ରୀକାନ୍ତ ଶ୍ରୀମନ୍ତଙ୍କ ଜ୍ୟେଷ୍ଠ ପୁତ୍ର । ଶ୍ରୀମନ୍ତ ବର୍ତ୍ତମାନ ସୁଦ୍ଧା ଜୀବିତ–କଳା ଚର୍ଚ୍ଚାରେ ରତ ।

 

ଏହାଠୁ ଆଉ ବେଶୀ ଜାଣିବାକୁ କମଳିନୀ ଚାହୁଁ ନ ଥିଲେ । ଚାହିଁ ବା ଲାଭ କ’ଣ ? ସେ ସବୁ ସ୍ମୃତି ଚିରଦିନ ପାଇଁ ଖତଗଦା ତଳେ ଲୁଚିଯାଉ । ଏ ବୟସରେ ସେ ସବୁ କଥା ମନ ଭିତରକୁ ନବା ପାପ, ମହାପାପ ।

 

ତଥାପି–ସେଇ ଅତୀତ ସ୍ମୃତି ତାଙ୍କ ମହାବ୍ୟସ୍ତ କରୁଛି । ତାଙ୍କ ଜୀବନ କାନନରେ ଝଡ଼ ଭଳି ପ୍ରବେଶ କରିଥିଲେ ଶ୍ରୀମନ୍ତ । ପରାଜୟର ମାଳା ପିନ୍ଧାଇଦେଇ ପୁଣି ଅନ୍ତର୍ଦ୍ଧାନ ହେଇଗଲେ । ତା’ପରେ ଭ୍ରୂଣହତ୍ୟା–ଯାହାର ପରିଣାମ ଗୋଟାଏ ଜନ୍ମ ପାଇଁ ସେ ଭୋଗ କରୁଛନ୍ତି ।

 

ମନେପଡ଼ୁଛି ତାଙ୍କର ଆଜି–କଲିକତା ଡାକ୍ତର ତାଙ୍କୁ ପରୀକ୍ଷା କରି ପିଲା ନ ହେବାର କାରଣ ସ୍ୱରୂପ କହିଥିଲା ଏକ ନିର୍ମମ ସତ୍ୟ । ଗର୍ଭରେ ଅସ୍ତ୍ରୋପଚାର ହେବା କାଳରେ ସବୁଦିନ ପାଇଁ ତାଙ୍କର ଜନନଶକ୍ତି ନଷ୍ଟ ହେଇଯାଇଛି । ସେ ଆଉ ଫେରି ଆସି ପାରେନା ।

 

ଏଥିପାଇଁ ଦାୟୀ ଶ୍ରୀମନ୍ତ । ତାଙ୍କରି ପୁଅ ଆଜି ପିତୃଋଣ ପରିଶୋଧ କରୁଛି, କରୁ । ଯଦି ବିନୟ ଭଲ ହେଇଯାନ୍ତି, ତେବେ ଶ୍ରୀମନ୍ତଙ୍କର ସବୁ ପାପ ନିଶ୍ଚୟ ଖଣ୍ଡନ ହେଇଯିବ ।

 

ବିନୟଙ୍କର ନିଦ ଭାଙ୍ଗିଗଲା । ସେ ପାଟିକରି ଉଠିଲେ–କମଳା, କୁଆଡ଼େ ଗଲ କମଳା-? ଓଃ ଭୟଙ୍କର ଦୁଃସ୍ୱପ୍ନ ଦେଖିଲି । ନା, ଦିନକୁ ଦିନ ମୋ ଅବସ୍ଥା ଖରାପ ହେଉଛି । ଡାକ୍ତର ତୁମେ କିଛି ଲକ୍ଷ୍ୟ କରିପାରୁଛ ?

 

–ଭୁଲ, ଭୁଲ୍‌ ଆପଣ କହୁଛନ୍ତି, ଆଗଠାରୁ ଆପଣ ଆଉ ଟିକିଲ ଭଲ ଆଡ଼କୁ ଆସିଛନ୍ତି-। ଡାକ୍ତର କହିଲେ ।

 

–ବୋଗସ୍‌, ରବିସ୍‌ । ଏଇ ସବୁ ଡାକ୍ତରୀ ବହିକି ତମେ ନଈ ଗର୍ଭରେ ଝାସ ଦେଇଆସ-। ବିନୟଙ୍କ କଣ୍ଠରେ ନୈରାଶ୍ୟର ଭାବ ।

 

–ଆପଣ ନିଶ୍ଚିନ୍ତ ରହନ୍ତୁ ।

 

–ନିଶ୍ଚିନ୍ତ ମୁଁ କି ରହିପାରେ ଡାକ୍ତର ? କେହି କ’ଣ ରହିପାରେ ? ଗୋଟିଏ ପାଦକୁ ସମାଧି ଉପରକୁ ଟେକିଦେଇ ମୁଁ ନିଶ୍ଚିନ୍ତ ରହିବି କେମିତି ? ମୋ ପାଇଁ କଷ୍ଟ କରନା । ଲାଭ କ’ଣ ମିଳିବ ସେଥିରୁ ? ବରଂ ମତେ ଛାଡ଼ିଦଅ ମୋ ଭାଗ୍ୟ ଭୋଗିବାକୁ ।

 

ଆଉରି କ’ଣ କହିଥାନ୍ତେ ବିନୟ, କିନ୍ତୁ କମଳିନୀ ବାଧା ଦେଇ କହିଲେ–ତମେ ବେଶୀ କଥା କୁହ ନାହିଁ । ଆମ କାମ ଆମକୁ କରିବାକୁ ଦିଅ ।

 

ଡାକ୍ତର ଇଞ୍ଜେକ୍‌ସନ ଦେଲେ । ସବୁଦିନେ ଦିଅନ୍ତି । ବାଧା ଦେଲେ ନାହିଁ ବିନୟ । କମଳିନୀଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

କାନ୍ଥ ଘଡ଼ିରେ ବାଜିଲା ଛ’ । ନୀଡ଼ ଫେରନ୍ତା ପକ୍ଷୀଦଳର କଳରବ ଯେମିତି ଏକ ଅଶାନ୍ତ ବାୟୁମଣ୍ଡଳ ସୃଷ୍ଟି କରିଛି । ଡାକ୍ତର ତାଙ୍କ କାମ ଶେଷ କରି ଚାଲିଗଲେ । କମଳିନୀ ବସି ରହିଥିଲେ ବିନୟଙ୍କ ଶେଯ ପାଖରେ ।

 

ସାମାନ୍ୟ ନୀରବତା । ତା’ପରେ ବିନୟ କହିଲେ–କମଳା, ଆଜି କାହିଁକି ବଞ୍ଚିବାର ଆଶା ମରି ଯାଉଛି । ଆଉ ବଞ୍ଚିରହି ଲାଭ କ’ଣ ? ତୁମେ ହିଁ କୁହ । ଡାକ୍ତର ମୁହଁରୁ ତ ଶୁଣିଛ–ଯଦିବା ମୁଁ ଭଲ ହୁଏ, ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯିବି । ପରିଶ୍ରମ ଯିବ ନାହିଁ ଦେହରେ । କି ଲାଭ ମିଳିବ ସେ ଜୀବନରୁ ?

 

କମଳିନୀଙ୍କ କପାଳ ସିନ୍ଦୂର ଦାଉଦାଉ ଜଳୁଥିଲା । ସେ ଭାବୁଥିଲେ ସେଇ ସିନ୍ଦୂରର ମହତ୍ୱ । ସେତକ ଥିଲା ପର୍ଯ୍ୟନ୍ତ ନାରୀ ସର୍ବ-ସୁଲକ୍ଷଣା ଥାଏ । ସେତକ ଚାଲିଗଲେ ଯେ ହୁଏ ଅଭାଗିନୀ ଅପବିତ୍ରା । ସ୍ୱାମୀ ପଙ୍ଗୁ ହେଉ, ଅନ୍ଧ ହେଉ, ଅକର୍ମଣ୍ୟ ପଛେ ହେଉ, ସ୍ୱାମୀ ଥିବାରେ ଗୌରବ । ସେହି ଗୌରବ ଟିକକ ଯଦି ରହେ, ସେତିକି ଯଥେଷ୍ଟ ! ତା’ ବ୍ୟତୀତ ଆଉ ତ କିଛି କାମନା ବର୍ତ୍ତମାନ ତାଙ୍କର ନାହିଁ ।

 

ବିନୟଙ୍କ ଦେହ ରକ୍ତଶୂନ୍ୟ ହୋଇଯାଇଛି । ଡାକ୍ତର ଶ୍ରୀକାନ୍ତ କହୁଥିଲେ ରକ୍ତ ଦେବାକୁ-। କିଏ ଦେବ ତାଙ୍କ ପାଇଁ ରକ୍ତ ? କମଳିନୀ ଦୁର୍ବଳ ହେଇପଡ଼ିଛନ୍ତି–ପୁତ୍ର କନ୍ୟା ନାହାନ୍ତି । କିଏ ଦେବ ରକ୍ତ ?

 

କମଳିନୀ ବସି ବସି ସେହି କଥା ହିଁ ଭାବୁଥିଲେ । ଭଜନା ସହିତ ଡାକ୍ତର ଆସି ପହଞ୍ଚିଲେ । ସାମନାରେ କମଳିନୀଙ୍କୁ ଦେଖି ପଚାରିଲେ–କ’ଣ ହେଲା ମା’ ? ତୁରନ୍ତ ରକ୍ତ ଦେବା ଦରକାର । ନୋହିଲେ....

 

କମଳିନୀ ବିମର୍ଷ ମୁଖରେ କ୍ଷଣକାଳ ଚାହିଁ ଦୀର୍ଘନିଃଶ୍ୱାସ ଛାଡ଼ିଲେ । ଆଖିରେ ନୈରାଶ୍ୟର ଭାବ । ସେ ଯେମିତି କାହାର ସାହାଯ୍ୟ ଚାହୁଁଛନ୍ତି । ମାତ୍ର କିଏ ଦେବ ସାହାଯ୍ୟ ? କିଏ ଅଛି ତାଙ୍କର ?

 

ବିନୟ ଆର୍ତ୍ତନାଦ କରୁଛନ୍ତି । ତାଙ୍କ ଛାତିର କୋମଳ ମାଂସକୁ ପଳେ ପଳେ ଦଂଶନ କରୁଛି ଯକ୍ଷ୍ମା କୀଟ ।

 

କମଳିନୀଙ୍କ ମୁହଁକୁ ଚାହିଁ ଡାକ୍ତର କି ସଙ୍କେତ ପାଇଲେ କେଜାଣି ସେ ସ୍ୱତଃପ୍ରବୃତ୍ତ ହେଇ କହିଲେ–ଆଚ୍ଛା ମା’, ମୁଁ ରକ୍ତ ଦେବି ।

 

କମଳିନୀ ନିର୍ବାକ ।

 

ଯଥା ସମୟରେ ବିନୟଙ୍କ ଦେହରେ ରକ୍ତ ଦିଆଗଲା । କମଳିନୀ ସେ ଦିନ ଡାକ୍ତରଙ୍କୁ କହିଥିଲେ–ବାବା, ଆର ଜନ୍ମରେ ତମେ ମୋର ପୁଅ ଥିଲ ନିଶ୍ଚୟ । ତମର ଏ ଉପକାର ଆମେ ସୁଝି ପାରିବୁନି ।

 

ପ୍ରତି ଉତ୍ତରରେ ଡାକ୍ତର ହସି ହସି କହିଥିଲେ–ଆପଣଙ୍କ ଭଳି ମା’ ଭାଗ୍ୟରେ ଥିଲେ ମିଳେ ।

 

ୟା ଭିତରେ ଛଅଟି ମାସ ବିତି ଯାଇଛି । ସଂସାରର ଇତିହାସ ପାଞ୍ଜିରେ ବହୁ ନୂଆ କଥା ଘଟି ଯାଇଛି, ପୁରାତନ ଧ୍ୱଂସ ପାଇଛି । କେତେ ମଣିଷ ସଂସାରର ବନ୍ଧନ ତୁଟାଇ ଆରପୁରର ଯାତ୍ରୀ ହେଇଛନ୍ତି–କେତେ ନବାଗତ ଶିଶୁର ଅବୋଧ୍ୟ କ୍ରନ୍ଦନରେ ଧରଣୀର ଛାତି ମୁଖର ହେଇଛି । କେତେ ନୈରାଶ୍ୟର ରଜନୀ ବିତି ଯାଇଛି, ଆଶା ସକାଳର ଆଗମନରେ ପଥଘାଟ ଦୀପ୍ତ ହେଇ ଉଠିଛି । ଫୁଲ ଫୁଟିଛି ଅମାପ, ଝରିଯାଇଛି ବି ଅମାପ ।

 

କମଳିନୀଙ୍କ ପରିବାରରେ ଈଷତ୍‌ ଆଶା ସଞ୍ଚରି ଯାଇଛି । ବିନୟଙ୍କ ଦେହ ଅପେକ୍ଷାକୃତ ଭଲ ହେଇ ଆସିଛି । ଡାକ୍ତର ଶ୍ରୀକାନ୍ତ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି–ବେଳେବେଳେ ସାରା ରାତ୍ରି ରୋଗୀ ଶଯ୍ୟା ପାଖରେ ବସି କଟାଇ ଦେଇଛନ୍ତି ।

 

ଏଇ ତରୁଣ ଡାକ୍ତରଙ୍କ ପ୍ରତି କମଳିନୀଙ୍କ ହୃଦୟ ଏକାଧାରରେ ସ୍ନେହ ଆଉ କୃତଜ୍ଞତାରେ ଭରି ଯାଇଛି ।

 

ବିନୟ ଟିକିଏ ଟିକିଏ ଚାଲି ବୁଲି ପାରିଲେଣି । ଉଦ୍ୟାନରେ ନୂଆ ଫୁଲ ଫୁଟିବାର ଦେଖିଲେ ତାଙ୍କ ପ୍ରାଣ ଆନନ୍ଦରେ ଭରି ଉଠୁଚି ।

 

ପାଖରେ ଅଛନ୍ତି କମଳିନୀ । ସଞ୍ଜ ପବନ ଦେହକୁ ବେଶ୍‌ ଭଲ ଲାଗୁଛି । ସେ ଧୀରେ ଧୀରେ ବୁଲୁଛନ୍ତି ।

 

ପୂର୍ବାକାଶରେ ସାଦା ମେଘଖଣ୍ଡେ ଖେଳି ବୁଲୁଛି । ଶିଳ୍ପୀ ପ୍ରାଣରେ ତା’ର ପ୍ରତିଚ୍ଛବି ।

 

ଘାସ ଉପରେ ଯାଇ ସେ ବସିଲେ । ପ୍ରାଣରେ ଶାନ୍ତି । ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ମୁକ୍ତ ପୃଥିବୀର ଶୋଭା ପୁଣି ଥରେ ଜୀବନରେ ଉପଭୋଗ କରିପାରିବେ ବୋଲି ।

 

ସେ କହିଲେ–କମଳା, ଯୌବନର ରଙ୍ଗିମା ଥିଲେ ଆଜି ରାତି କେଡ଼େ ମଧୁମୟ ହୋଇ ନଥାନ୍ତା ?

 

ତାଙ୍କର ଏଇ କଥା ଶୁଣି କମଳିନୀ ହସିଲେ–ଆଉ ଥରେ କ’ଣ ଫେରି ଯାଇହବ ପଛକୁ-?

 

–ତୁମ ପାଖରେ ମୁଁ ହାରିଯାଇଛି କମଳା । ବିନୟ କହିଲେ ।

 

ହାରି ଯାଇଛନ୍ତି ? କମଳିନୀଙ୍କ ପ୍ରାଣତନ୍ତ୍ରୀରେ ଆଘାତ କରୁଥିଲା ଯବନୀକା ତଳର ଇତିବୃତ୍ତ ।

 

ପୁଣି ସେଇ ଶ୍ରୀମନ୍ତ–ଠିକ୍‌ ଏକ ସନ୍ଧ୍ୟାରେ ସେ ଏହି କଥା କହିଥିଲେ । ମାତ୍ର ପର ମୁହୂର୍ତ୍ତରେ ବାସ୍ତବ ଜୀବନରେ ତା’ର ବିପରୀତ ଘଟିଲା । ଶ୍ରୀମନ୍ତ ଜିତିଗଲେ, ହାରିଗଲେ କମଳିନୀ-

 

ଆଜି ପୁଣି ସେହି କଥା କହୁଛନ୍ତି । ଶ୍ରୀମନ୍ତଙ୍କ ପ୍ରତିଚ୍ଛବି ପୁଣି ଆଖି ଆଗରେ ନାଚୁଛି । ତାଙ୍କର ସବୁ ଚିନ୍ତାଧାରା ଗୋଳମାଳ ହେଇଗଲା । ସେ କହିଲେ–ସନ୍ଧ୍ୟା ହେଲାଣି, ଏବେ ଘରକୁ ଚାଲ ।

 

–ମୁଁ ଆଉ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହେବାକୁ ଚାହେଁନା କମଳା । ସେଠିକି ଯିବା ମୋ ପାଖରେ ଯମ-ଯନ୍ତ୍ରଣା । ମୁଁ ଏଇଠି ବସିବି ।

 

ଯେଉଁ ବିହଙ୍ଗ ବନ୍ଦୀତ୍ୱରୁ କ୍ଷଣକ ପାଇଁ ମୁକ୍ତି ପାଏ, ସେ ଆଉ ଚାହେଁନା ଫେରିଯିବାକୁ ସୁବର୍ଣ୍ଣ ପିଞ୍ଜରାକୁ । ବହୁଦିନ ଘର ଭିତରେ ବନ୍ଦୀହେଇ ଯେ ବାହାରର ଆଲୋକକୁ ଆସିଛି ତାକୁ ଆଉ ଘରର ଅନ୍ଧକାର ଭଲ ଲାଗେନା ।

 

ଆକାଶରୁ ସାଦା ମେଘ ଖଣ୍ଡେ ଅନ୍ତର୍ଦ୍ଧାନ ହେଇଗଲାଣି । ତା’ ସ୍ଥାନରେ ଦେଖା ଦେଇଚି କଳା ବଉଦ । ଚତୁର୍ଦ୍ଦିଗରେ ମେଘ ହେବା ଭାବ ।

 

ଚାଲ । ମେଘ ଆସିଲାଣି ଦେଖୁ ନାହିଁ । କମଳିନୀ ପୁଣି କହିଲେ ।

 

ବିନୟ ଉତ୍ତର ଦେଲେ–ମୁଁ ସେଇୟା ଚାହୁଁଛି । ପ୍ରକୃତିକୁ ଉପଭୋଗ କରିବାକୁ ପ୍ରବଳ ଇଚ୍ଛା । ମତେ ବାଧା ଦିଅନା କମଳା ।

 

ମେଘ ପକେଇବାକୁ ଆରମ୍ଭ କରିଛି । କମଳିନୀ ବ୍ୟସ୍ତ ହେଇ ପଡ଼ିଲେ–ଉଠ, ଭିଜିଗଲେ ଥଣ୍ଡା ଲାଗିବ । ଯକ୍ଷ୍ମା ରୋଗୀ ତମେ, ଥଣ୍ଡା ତମର ଚିରଶତ୍ରୁ ।

 

–ମୋର ସବୁଠୁଁ ବଡ଼ ଶତ୍ରୁକୁ ମୁଁ ଆଜି ମିତ୍ରଭାବରେ ଦେଖିବାକୁ ଚାହେଁ । ତମେ ବାଧା ଦିଅନା ।

 

କମଳିନୀ ଏଥର ବିନୟଙ୍କର ଗୋଟାଏ ହାତ ଧରି ଟାଣିଲେ–ପାଗଳ ଭଳି ହେଉଛ କାହିଁକି ? ଉଠିଆସ ଚଞ୍ଚଳ ।

 

ବିନୟ ବାଧ୍ୟ ହୋଇ ଉଠିଲେ । ତାଙ୍କର ଅନ୍ତରଟାକୁ ବାହାରେ ଛାଡ଼ିଦେଇ ଘରର ଅନ୍ଧକୂପ ଭିତରେ ନିଜକୁ ମିଶେଇ ଦେଲେ ।

 

ବିନୟ ଭଲ ହେଇ ଆସିଛନ୍ତି । ଡାକ୍ତର ଶ୍ରୀକାନ୍ତଙ୍କ ମୁହଁରେ ସଫଳତାର ହସ । ଗୋଟିଏ ପରିବାର ଭୁଷୁଡ଼ି ପଡ଼ିଥାନ୍ତା, ଗୋଟିଏ ଜୀବନକୁ ରକ୍ଷା କରିପାରିଛନ୍ତି ସେ । ଡାକ୍ତରଙ୍କ ପକ୍ଷରେ ଏହା କମ୍‌ ବଡ଼ ଗୌରବର କଥା ନୁହେଁ ।

 

ବିନୟଙ୍କ ପରିବାର ସହିତ ସେ ବର୍ତ୍ତମାନ ଖୁବ୍‌ ଘନିଷ୍ଠ ଭାବରେ ଜଡ଼ିତ । କମଳିନୀ ତାଙ୍କର ସଞ୍ଚିତ ମାତୃସ୍ନେହ ତାଙ୍କରି ଉପରେ ଅଜାଡ଼ି ଦେଇଛନ୍ତି । ନାରୀର ହୃଦୟ ଏମିତି ଯେ ଯେଉଁଠି ସେ ସ୍ନେହ ଢାଳିଦିଏ ସେଠି ଅନ୍ୟ କିଛି ବିଚାର ତା’ର ନଥାଏ ।

 

ସେଦିନ ତିନିଜଣଯାକ ଘର ସାମନାରେ ବସିଥାନ୍ତି । ବିନୟ ରୋଗରୁ ଉଠି ଗୋଟାଏ ଚିତ୍ରପଟ ଆଙ୍କି ତାକୁ ସମାପ୍ତ କରୁଥାନ୍ତି । ଶ୍ରୀକାନ୍ତ ଏହି ଚିତ୍ରପଟକୁ ଦେଖି ତାଙ୍କର ଅସାମାନ୍ୟ କଳା ପ୍ରତିଭାର ଭୁରି ଭୁରି ପ୍ରଶଂସା କରୁଛନ୍ତି ।

 

ବିନୟ କହିଲେ–ତମେ ଦେଖିନାହଁ ଡାକ୍ତର, ମୋ ଜୀବନର ଶ୍ରେଷ୍ଠ ଚିତ୍ରଟିକୁ । ସେହି ଚିତ୍ରଟିକୁ ଦେଖିଲେ ଆଜି ବି ମୋର ମନେହୁଏ ମୁଁ ଯେମିତି ତରୁଣ–ବାର୍ଦ୍ଧକ୍ୟର ସମସ୍ତ କଳ୍ପନା ଅନ୍ତର୍ଦ୍ଧାନ ହେଇଯାଏ ମନରୁ । ତମର ଆଜିକାଲିକାର ମିସ୍‌ ଇଣ୍ଡିଆଙ୍କର ରୂପ ସେହି ଛବି ଆଗରେ ନିଷ୍ପ୍ରଭ ହେଇଯିବ ।

 

ଆହୁରି ସେ କହିଥାନ୍ତେ । ମାତ୍ର ଏହି ସମୟରେ ଡାକ୍ତରଙ୍କୁ ଖୋଜି ଖୋଜି ଜଣେ ଆସି ପହଞ୍ଚିଲା । ତା’ର ବାପ ବେମାର–ଦି’ଦିନ ହେଲା ଅଚେତ । ଡାକ୍ତର ସେହି ଲୋକଟି ସାଙ୍ଗରେ ଚାଲିଗଲେ ।

 

ବିନୟ କହିଲେ–ମୁଁ ଯେଉଁ ଚିତ୍ରଟି କଥା କହୁଥିଲି ତମେ ଜାଣ କମଳା ? ତୁମରି ସେଇ ଚିତ୍ରଟି..... । ମୋ ଜୀବନର ସେଇ ବୋଧହୁଏ ସର୍ବଶ୍ରେଷ୍ଠ ଚିତ୍ର । ତାକୁ ଆଙ୍କିବାବେଳେ କୌଣସି ଐଶ୍ୱରିକ ଶକ୍ତି ମୋ ଭିତରେ କାମ କରୁଥିଲା ।

 

କମଳିନୀ ଅନ୍ୟମନସ୍କା ଥିଲେ । ବିନୟ ପୁନର୍ବାର କହିଲେ–ଯାଅ କମଳା, ସେ ଚିତ୍ରଟିକୁ ଆଣ । ମୁଁ ତାକୁ ଆଉଥରେ ଭଲ କରି ଦେଖେ । ଅତୀତକୁ ଫେରିଯିବାକୁ ଅନେକ ସମୟରେ ଭାରି ଭଲ ଲାଗେ ।

 

କମଳିନୀଙ୍କ ମୁହଁ ଫିକା ପଡ଼ିଗଲା ହଠାତ୍‌ । ତାଙ୍କର ଯୁବତୀ ଦିନର କୌଣସି ଚିତ୍ର ବା ଫଟୋ ସେ ରଖି ନାହାନ୍ତି । ସେଦିନ ସବୁଗୁଡ଼ିକୁ ସେ ଟିକି ଟିକି କରି ନଷ୍ଟକରି ଦେଇଛନ୍ତି ।

 

ବିନୟ ବ୍ୟସ୍ତ ହେଇପଡ଼ୁଥିଲେ–ଯାଅ । ମୋର ସେଇ ରୂପରାଣୀ କମଳାକୁ ଥରେ ମୋତେ ଦେଖିବାକୁ ଦିଅ ।

 

କମଳିନୀ ଭାବୁଥିଲେ–ରୂପରାଣୀ କମଳା ସବୁଦିନ ପାଇଁ ହଜିଯାଇଛି । ଉଷର ମରୁଭୂମିର ନଦୀଭଳି କୌଣସି ଚିହ୍ନ ସେ ରଖି ଯାଇନାହିଁ । କି ପ୍ରୟୋଜନ ଥିଲା ଆଉ ଏଇ ନିର୍ଜୀବ ଛବିରେ ! ରୋଗଗ୍ରସ୍ତ, ଉନ୍ମାଦ ବିନୟଙ୍କୁ ରକ୍ଷା କରିବାକୁ ଯାଇ ସେଦିନ ସେ ସବୁକୁ ସେ ନଷ୍ଟ କରି ଦେଇଛନ୍ତି ।

 

ରତନାକୁ ଡାକି ସେହି ଛବିଟିକୁ ଆଣିବାପାଇଁ ବିନୟ ନିର୍ଦ୍ଦେଶ ଦେଲେ । ମାତ୍ର ସେ ମଧ୍ୟ ନୀରବରେ ରହିଲା । ଛବି ତ ନାହିଁ । ଆଣିଦେବ କୁଆଡ଼ୁ ସେ ? ବିନୟ ଆଶ୍ଚର୍ଯ୍ୟ ହେଲେ । କମଳିନୀଙ୍କ ଆଖି ତଳୁ ସରୁ ସରୁ ଲୁହଧାର ଝରି ଆସୁଥିଲା । କ’ଣ ହେଇଚି କମଳା କୁହ । ତୁମେ ହଠାତ୍‌ କାନ୍ଦୁଛ କାହିଁକି ? କୁହ ।

 

ତଥାପି ସେ ନିର୍ବାକ । ଶିଳ୍ପୀ ଯେତେବେଳେ ଜାଣିବେ ତାଙ୍କର ସର୍ବଶ୍ରେଷ୍ଠ ଚିତ୍ରଟିକୁ ନଷ୍ଟକରି ଦିଆଯାଇଛି ସେ ସେତେବେଳେ ତାଙ୍କୁ କ୍ଷମା କରିପାରିବେ ତ ?

 

ପାରିବେ ? କମଳିନୀ ଆକାଶ ପାତାଳ ଭାବି ଯାଉଥିଲେ । ମନରେ ପୁଣି ଆଶାର ସଞ୍ଚାର ହେଉଥିଲା । ଯେଉଁ ଶିଳ୍ପୀ ଦିନେ ଏକ ଅକ୍ଷମଣୀୟ ଅପରାଧିକୁ କ୍ଷମା ଦେଇ ପାରିଥିଲେ, ସେ ଆଜି ଏଥିପାଇଁ କ’ଣ କ୍ଷମା ଦେବେନାହିଁ ?

 

ବିନୟ ପୁଣି ପଚାରିଲେ-କ’ଣ ହେଇଚି ? ତମେ ସବୁ ଚୁପ ରହିଛ କାହିଁକି ?

 

ଅଶ୍ରୁଳ କଣ୍ଠରେ କମଳିନୀ କହିଲେ–ତମକୁ ଆଜି ମତେ କ୍ଷମା କରିବାକୁ ପଡ଼ିବ । ସେଇ ଚିତ୍ରଟିକୁ ମୁଁ ନଷ୍ଟ କରିଦେଇଛି ।

 

–ନଷ୍ଟ କରି ଦେଇଛ ? ଚିତ୍କାର କରି ଉଠିଲେ ବିଜୟ । ତମେ କ’ଣ କରିଛ କମଳିନୀ-? ଶିଳ୍ପୀର ସବୁଠୁଁ ଆଦରର ଚିତ୍ରଟିକି ତମେ ନଷ୍ଟକରି ଦେଇଛ ? ଶିଳ୍ପୀକୁ ତୁମେ ହତ୍ୟା କରିଛ ?

 

–ମତେ କ୍ଷମା କର ଗୋ, ତମରି ଭଲପାଇଁ ମୁଁ ଏୟା କରିଛି ।

 

–ନା, ନା, ତମର ଏକଥା ଶୁଣି ମୋ ମୁଣ୍ଡ କ’ଣ ହେଇଯାଉଛି । ତମେ ତ ଜାଣିଛ, ମୋର କେତେ ପ୍ରିୟ ଥିଲା ସେ ଚିତ୍ରଟି ? ବିନୟ କହିଲେ ।

 

–ସବୁ ମୁଁ ଜାଣିଛି, ତଥାପି ତମରି ଭଲପାଇଁ....

 

–ମୋରି ଭଲପାଇଁ ନା ମୋରି ମରଣ ପାଇଁ ତମେ ଏମିତି କରିଛ ? କହିପାରିବ ପାଷାଣୀ, ସେଇ ଚିତ୍ରଟିକୁ ନଷ୍ଟକରି କେଉଁ କାମନା ତମେ ଚରିତାର୍ଥ କଲ ? ତମ ପାଖରେ ମୁଁ କି ଅପରାଧ କରିଥିଲି କମଳା, ଏ ବୟସରେ ତମେ ମତେ ଏ ଶାସ୍ତି ଦେଲ ? ତମକୁ ନର୍କରୁ ଉଦ୍ଧାର କରି ଦେବୀର ସମ୍ମାନ ମୁଁ ଦେଇଥିଲି, ତମେ ମୋ କଳାର ଆଦର କରିବ ବୋଲି । ମାତ୍ର.....

 

ଆଉ କହିପାରିଲେ ନାହିଁ । ତାଙ୍କର କଣ୍ଠରୁଦ୍ଧ ହେଇଗଲା । ଦିନେ ସେ ଯାହାର ହିମାଳୟ ପରି ଅପରାଧକୁ ହସି ହସି କ୍ଷମା ଦେଇଥିଲେ; ସେ ଆଜି କମଳିନୀଙ୍କର ଏଇ କାମ ପାଇଁ ତାଙ୍କୁ କ୍ଷମା ଦେବାକୁ ନାରାଜ ।

 

ସଙ୍ଗେ ସଙ୍ଗେ ଯେମିତି ଘୋଟିଗଲା ଅମାବାସ୍ୟାର ଅନ୍ଧକାର । ବିନୟଙ୍କ ମୁଖମଣ୍ଡଳ କଳା ପଡ଼ିଗଲା । ସାରା ଦେହ ଥରି ଉଠିଲା । ସେ ପାଟିକରି ଉଠିଲେ–ଏ ଅବିଶ୍ୱାସୀ ଦୁନିଆରେ ମୁଁ ଆଉ ବଞ୍ଚି ରହିବାକୁ ଚାହେଁନା । କମଳା, ତୁମକୁ ମୁଁ ଆଜି ଅଭିଶାପ ଦେବି ।

 

କମଳିନୀ ଧୀର କଣ୍ଠରେ କହିଲେ–ତମେ ତ ଅବୁଝା ନୁହଁ । ଯାହାର ଚିତ୍ରପଟ ପାଇଁ ତମେ ଏତେ ବ୍ୟାକୁଳ, ସେ ତ ରକ୍ତମାଂସର ଶରୀର ନେଇ ତୁମ ସାମନାରେ ରହିଛି । ଜୀବନ୍ତ କମଳିନୀ ଥାଉ ଥାଉ ନିର୍ଜୀବ ଛବିପାଇଁ ଏତେ ଅନୁଶୋଚନା କାହିଁକି ?

 

ବିନୟଙ୍କ ମୁହଁରେ ବିଦ୍ରୂପର ହସ । ସେ କହିଲେ–କାହିଁ ସେ କମଳିନୀ ? ଯେଉଁ କମଳିନୀର ଛବିକୁ ତୁମେ ନଷ୍ଟ କରିଛ, ତା’ର ତ ତୁମେ ପ୍ରତିନିଧି ନୁହଁ ।

 

–ନୁହେଁ ? ମୁଁ କ’ଣ ସେଇ କମଳିନୀ ନୁହେଁ ? ରୋଗରୁ ଉଠି କ’ଣ ହେଇଯାଇଚି ତୁମ ମୁଣ୍ଡ ?

 

–ଠିକ୍‌ ଅଛି ମୋ ମୁଣ୍ଡ । ବରଂ ତୁମର ମୁଣ୍ଡ ବିଗିଡ଼ି ଯାଇଛି । ଯେଉଁ କଳ୍ପନା ରାଜ୍ୟର ଅପରୂପା ସୁନ୍ଦରୀ କମଳିନୀର ଛବି ମୁଁ ଆଙ୍କିଥିଲି ସେ କମଳିନୀ କେବେ ହେଲେ ରକ୍ତ ମାଂସର କମଳିନୀ ହେଇପାରେନା । ସେ କମଳିନୀ ଜରାଗ୍ରସ୍ତ ହେଇ ତା’ର ସମସ୍ତ ସୌନ୍ଦର୍ଯ୍ୟ ହରାଇ ପାରେନା । ସେ ଚିର ସୁନ୍ଦରୀ, ଚିର ଯୌବନା, ଚିର ଶୋଭନା......ଶିଳ୍ପୀ କଳ୍ପନା କରେ ଅକ୍ଷତ ଯୌବନା ସୁନ୍ଦରୀ ମୂର୍ତ୍ତିର । ଶିଳ୍ପୀର ଚକ୍ଷୁରେ ଜରାଗ୍ରସ୍ତ ରୋଗ ବିକଳାଙ୍ଗ ଛବିର ମୂଲ୍ୟ ନାହିଁ । ତୁମେ ଭ୍ରାନ୍ତ–ଶିଳ୍ପୀ ହିସାବରେ ତୁମର ସେଇ ତରୁଣୀ ମୂର୍ତ୍ତି ଥିଲା ମୋର ଆରାଧ୍ୟ–ତୁମର ଏଇ ରକ୍ତ ମାଂସର ଶରୀର ମୋ ଆଗରେ ତୁଚ୍ଛ–ୟାର ଦାମ୍‌......

 

–ବନ୍ଦ କର, ବନ୍ଦ କର ଗୋ ତମର ବକ୍ତୃତା । ଏ ସବୁ ଶୁଣିବା ଆଗରୁ ମତେ ମରିବାକୁ ଦିଅ ।

 

–ତମକୁ ଶୁଣିବାକୁ ହବ କମଳା, ତୁମେ ଶୁଣିବାକୁ ବାଧ୍ୟ । ଶିଳ୍ପୀ ଆଗରେ ସୌନ୍ଦର୍ଯ୍ୟର ମହତ୍ତ୍ୱ କେବଳ ଫୁଟି ଉଠେ । କହିପାରିବ ବର୍ତ୍ତମାନ ତୁମ ପାଖରେ ସେ ସୌନ୍ଦର୍ଯ୍ୟ ଅଛି କି ?

 

କିଛି ନାହିଁ, କିଛି ନାହିଁ । ତମ ଆଖିରେ ମୁଁ ମୂଲ୍ୟହୀନା ଝରାଫୁଲ ।

 

–ଶିଳ୍ପୀ ଆଖି ତା’ର ଚିର ସବୁଜ । ତାହା ବିକାଶର ସ୍ୱପ୍ନ ଦେଖେ–ଧ୍ୱଂସର ଦୃଶ୍ୟ ତା’ପାଖରେ ଅସହ୍ୟ ।

 

ତାହା ହେଲେ ?

 

କମଳିନୀ କରୁଣ ଦୃଷ୍ଟିରେ ଚାହିଁଲେ । ସାମନାରୁ ଜଣେ କିଏ ଭଦ୍ରଲୋକ ଆସୁଛନ୍ତି । ନିକଟେଇ ଆସିବାରୁ ଜଣାଗଲା ସେ ଡାକ୍ତର ଶ୍ରୀକାନ୍ତଙ୍କ ପିତା ଶ୍ରୀମନ୍ତ । ଏ ଦୁଃସମୟରେ ସେ ପୁଣି କାହିଁକି ? ହାୟ ଭଗବାନ ! ଧ୍ୱଂସମୁଖୀ ସ୍ମୃତିକୁ ବହନ କରି କାଳପୁରୁଷ ପରି ସେ କାହିଁକି ଆସୁଛନ୍ତି ? କମଳିନୀ ଅସ୍ତବ୍ୟସ୍ତ ହେଇ ଘର ଭିତରକୁ ଧାଇଁଗଲେ । ତାଙ୍କର ଅନ୍ତର ଭିତରୁ କିଏ ଯେମିତି ଚିତ୍କାର କରୁଥାଏ–ଫେରିଯାଅ ଶ୍ରୀମନ୍ତ ! ଫେରିଯାଅ ଦସ୍ୟୁ !

 

ଶିଳ୍ପୀ କ’ଣ ଚିରଦିନ ମରୀଚିକାର ସ୍ୱପ୍ନ ଦେଖେ ? ଅକ୍ଷତ ଯୌବନର କଳ୍ପନା ପାଗଳ ବ୍ୟତୀତ ଆଉ କିଏ କରେ ? ତେବେ ଶିଳ୍ପୀ ମାତ୍ରେଇ କ’ଣ ପାଗଳ ?

 

ଶ୍ରୀମନ୍ତଙ୍କୁ ଦେଖି ବିନୟ ଉଠି ପଡ଼ିଲେ ।

 

ଶ୍ରୀମନ୍ତ କହିଲେ–ଭାଇ, ମୋ ପୁଅଠୁ ଶୁଣିଲି ତୋ ଦୁରବସ୍ଥା କଥା । ଭଗବାନଙ୍କ ଦୟାରୁ ଯା’ହଉ ଭଲ ହେଇଆସିଛୁ । ଶୁଣିଥିଲି ତୁ କୁଆଡ଼େ କମଳିନୀଙ୍କୁ ବିବାହ କରିଛୁ । ମୋର ସବୁ ଦୋଷ ଭାଇ, ତୁମ ଦୁହିଁଙ୍କ ପାଖରୁ ମୁଁ କ୍ଷମା ନବାକୁ ଆସିଛି ।

 

ବିନୟ ମାର୍ବଲର ଏକ ପ୍ରତିମୂର୍ତ୍ତି ଭଳି ଛିଡ଼ା ହେଇଥିଲେ । ନିରୀକ୍ଷଣ କରି ନ ଚାହିଁଲେ ଆଖିପତା ତାଙ୍କର ପଡ଼ୁଥିଲା କି ନା କହିହେବ ନାହିଁ ।

 

ଶ୍ରୀମନ୍ତ ପୁଣି ପଚାରିଲେ–ତୁ କଥା କହୁନୁ କାହିଁକି ବିନୟ ? କମଳିନୀ କାହିଁ ?

 

ତନ୍ଦ୍ରା ଯେମିତି ତୁଟିଗଲା । ବିନୟ ବଡ଼ ରୁକ୍ଷ କଣ୍ଠରେ କହିଲେ–କମଳିନୀ ନାହିଁ । ସେ ମରିଯାଇଛି ।

 

ମରିଯାଇଛି ? କେବେ ? କେତେବେଳେ ?

 

ରତନା ଧାଇଁ ଆସି ଖବର ଦେଲା–ବାବୁ, ମା’ ବିଷ ଖାଇ ଦେଇଛନ୍ତି ।

 

ବିନୟଙ୍କର ସବୁ ମୋହ ଯେମିତି କଟିଗଲା । ସେ ପାଗଳଙ୍କ ଭଳି ଘର ଭିତରକୁ ଧାଇଁଗଲେ–ଶ୍ରୀମନ୍ତ ମଧ୍ୟ ତାଙ୍କର ଅନୁଗମନ କଲେ ।

 

କମଳିନୀ ବିଷ ଖାଇ ଦେଇଛନ୍ତି । ସର୍ବାଙ୍ଗ ତାଙ୍କର ଜଳୁଛି–ବିଷ ଜ୍ୱାଳାରେ ସେ ଛଟପଟ ହେଉଛନ୍ତି । ଭଜନା ଧାଇଁ ଯାଇଛି ଡାକ୍ତର ଡାକିବାକୁ ।

 

ଶ୍ରୀମନ୍ତ କିଛି ହେଲେ ବୁଝି ପାରୁ ନଥିଲେ । ସବୁ ଯେମିତି ନାଟକୀୟ ମନେ ହେଉଥିଲା-। ଏଇ ଦୁରନ୍ତ ପରିଣତି ପାଇଁ ଦାୟୀ କିଏ ?

 

କମଳିନୀଙ୍କ ମୁଖର ଜ୍ୟୋତି ନିଷ୍ପ୍ରଭ ହେଇ ଆସୁଛି । କରୁଣ ସେ ଦୃଶ୍ୟପଟ । ଶ୍ରୀମନ୍ତ ତରୁଣୀ କମଳିନୀଙ୍କ ସହିତ ଆଜିର କମଳିନୀଙ୍କର ତୁଳନା କରୁଥିଲେ । ବୟସ ମଣିଷକୁ କ’ଣ ନ କରିଦିଏ ? ତାଙ୍କର ମନେ ହେଉଥିଲା ପୂର୍ବର ସେଇ କମଳିନୀ ଯେମିତି ବହୁଦିନ ଆଗରୁ ମରି ଯାଇଛନ୍ତି । ସେ ଯାହାଙ୍କୁ ଦେଖୁଛନ୍ତି ସେ କମଳିନୀଙ୍କର ପ୍ରେତାତ୍ମା ।

 

କମଳିନୀଙ୍କ ମୁହଁରେ ଅସ୍ପଷ୍ଟ ଭାଷା–ତମେ ଫେରିଯାଅ । ମତେ ମୁକ୍ତି ଦିଅ ।

 

ଆଖିପତା ତାଙ୍କର ବୁଜି ଆସୁଛି । ଶ୍ରୀମନ୍ତଙ୍କ ପ୍ରାଣରେ ଉଠୁଚି ଭୟାବହ ସ୍ମୃତିର ଝଙ୍କାର-। କି ଅନ୍ୟାୟ ସେ ନ କରିଛନ୍ତି ? ତାଙ୍କ ଚକ୍ଷୁରେ ମଧ୍ୟ ଅଶ୍ରୁ ଜମି ଆସୁଛି ।

 

ଡାକ୍ତର ଶ୍ରୀକାନ୍ତ ପ୍ରବେଶ କଲେ । ସାମନାରେ ପଡ଼ିଛନ୍ତି କମଳିନୀ । ନିଷ୍ପ୍ରଭ ଚେହେରା-। ସେ ମା’ ମା’ ଡାକି ଦଉଡ଼ିଗଲେ । କମଳିନୀଙ୍କର ଆଖିପତା ଟିକିଏ ଖୋଲିଯାଇ ସବୁଦିନ ପାଇଁ ବନ୍ଦ ହେଇଗଲା । ସେ ଦେଖିଲେ ଶେଷଥର ପାଇଁ ଗୋଟିଏ ପୁଅର ଚେହେରା ।

 

ଶ୍ରୀକାନ୍ତ ଦେଖିଲେ ବିନୟ ଆଉ ଶ୍ରୀମନ୍ତ ଦୁଇପାଖର ଠିଆ ହେଇ ଅଶ୍ରୁ ଝରାଉଛନ୍ତି । ସେ ନିଃଶବ୍ଦରେ ଘର ଭିତରୁ ବାହାରି ଆସିଲେ ।

 

ଦେହର ଆବେଷ୍ଟନୀରୁ ଏଇ ମୁକ୍ତି ପାଇ ଯେଉଁ ବିହଙ୍ଗୀଟି ସୁଦୂରକୁ ଚାଲିଯାଇଛି ତା’ପାଇଁ ଆକୁଳ ପ୍ରାର୍ଥନା ଜଣେଇଲା ଦୁଇଟି ହୃଦୟ ।

 

ହଠାତ୍‌ କ’ଣ ହେଲା କେଜାଣି ବିନୟଙ୍କର ପୁଣି କାଶ ଉଠିଲା । କାଶି କାଶି ସେ ବେଦମ ହେଇ ତଳେ ପଡ଼ିଗଲେ । କାଶ ସଙ୍ଗରେ ପୁଳାଏ ରକ୍ତ ଦୂରକୁ ଛିଟିକି ପଡ଼ି କମଳିନୀଙ୍କ ସୀମନ୍ତ ସିନ୍ଦୂରକୁ ଢାଙ୍କି ପକେଇଲା ।

Image

 

ନିହତ ଚନ୍ଦ୍ରମା

 

ଗୋଟାଏ ପାଖରେ ଧଉଳି ପାହାଡ଼–ଯେଉଁଠି ଦିନେ ଜଳି ଉଠିଥିଲା ଯୁଦ୍ଧର ଲେଲିହାନ ଶିଖା । ଆଉ ଗୋଟାଏ ପାଖରେ ଖଣ୍ଡଗିରି ଉଦୟଗିରିର ଶାନ୍ତ ତପୋବନ–ଯେଉଁଠୁ ଦିନେ ଝଂକୃତ ହୋଇଥିଲା ଶାନ୍ତିର ମହାମନ୍ତ୍ର ।

 

ମଝିରେ ନୂଆ ରାଜଧାନୀ । ଏବେ ଅବଶ୍ୟ ପୁରୁଣା ହେଇଗଲାଣି କିନ୍ତୁ ଲୋକମୁଖର ନୂଆ ନାଁଟା ଆଜି ବି ରହିଚି ।

 

ସଚିବାଳୟରେ ପ୍ରଥମ ନିଯୁକ୍ତି ପାଇ ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ଧାଇଁ ଆସଛି ଏଠିକି ଅମରେନ୍ଦ୍ର । ସଚିବାଳୟକୁ ଦେଖି ତା’ ମନ କୁଣ୍ଢେମୋଟ ହେଇଯାଉଚି । ମନେ ମନେ ଗର୍ବ ବି ଅନୁଭବ କରୁଚି ସେ । କି ଭାଗ୍ୟ ତା’ର ! ଏ ସୁଯୋଗ କେତେଜଣଙ୍କୁ ମିଳେ ! ବିରାଟ କୋଠାକୁ ମନେ ମନେ ସମ୍ମାନ ଦେଇ ସେ ମେନ୍‌ଗେଟ୍‌ ଭିତରେ ପଶିଲା । ପୋଲିସ୍‌ ଅଟକେଇବାରୁ ସେ ପକେଟରୁ ତା’ ନିଯୁକ୍ତିପତ୍ରଟା କାଢ଼ି ଦେଖେଇଦେଲା । ଏଇ ନିଷିଦ୍ଧ କୋଠା ଭିତରକୁ ପ୍ରବେଶାଧିକାର ସେ ପାଇଛି । ମନରେ ନୂତନ ଉନ୍ମାଦନା–ପ୍ରେରଣା–କର୍ମପ୍ରବଣତା ।

 

କର୍ମମୟ ଜଗତ । କର୍ମରେ ହିଁ ଆନନ୍ଦ । କର୍ମ ଭିତରେ ହିଁ ଅମରେନ୍ଦ୍ରର ଗୋଟିଏ ବର୍ଷ କଟିଗଲା । ରାଜଧାନୀ ତା’କୁ ବେଶ୍‌ ଭଲ ଲାଗିଚି । ମନ୍ଦିର ମାଳିନୀ ନଗରୀର ଅତୀତଟା ହିଁ ସବୁଠୁ ବଡ଼ ଆକର୍ଷଣ । ଏଠି ପ୍ରତ୍ୟେକଟି ପଥରଖଣ୍ଡ କଥା କହନ୍ତି । ଏଠିକାର ବାୟୁମଣ୍ଡଳରେ ଜାତୀୟ ଗାରିମାର ଉଜ୍ଜ୍ୱଳ ସ୍ୱାକ୍ଷର । ଧୂଳିକଣାରେ ନାନାବିଭବର ରଙ୍ଗୀନ ଚିତ୍ରପଟ ।

 

ଅଫିସ୍‌ କାମ ସାରି ଅମରେନ୍ଦ୍ର ଚାଲିଯାଏ ପୁରୁଣା ଭୁବନେଶ୍ୱରକୁ । ଏଇ ପୁରୁଣା ଭୁବନେଶ୍ୱରଟା ହିଁ ତାକୁ ନୂଆ ଲାଗେ ଆଉ ନୂଆଟା ପୁରୁଣା ।

 

ବିନ୍ଦୁସରୋବର ଆଡ଼ିରେ ପ୍ରତ୍ୟହ ଯାତ୍ରୀ ସମାବେଶ । ନୂଆ ନୂଆ ମୁହଁ । ନୂଆ ନୂଆ ପୋଷାକ । କାହିଁ କେତେ ଦୂରରୁ ସେମାନେ ଆସନ୍ତି । ପଶ୍ଚିମବଙ୍ଗଳା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ର, ତାମିଲନାଡ଼ୁରୁ କେଉଁ ଆକର୍ଷଣ ସେମାନଙ୍କୁ ଏଠିକି ଟାଣିଆଣେ ?

 

ରାଜଧାନୀ ?

 

ତା’ର ଆଲୋକ ସଜ୍ଜା ?

 

ତା’ର ଆକାଶଚୁମ୍ୱୀ ନବତଳ ପ୍ରାସାଦ ?

 

ନା-

 

ଲିଙ୍ଗରାଜ, ରାଜରାଣୀ, ମୁକ୍ତେଶ୍ୱର ମନ୍ଦିର ସୂଚ୍ୟଗ୍ର କାରୁକାର୍ଯ୍ୟ–ବିନ୍ଧାଣୀର ସେଇ ଅପରୂପ କଳ୍ପନା–କେତେ ଗଳ୍ପ କିମ୍ୱଦନ୍ତୀ ଏଇଠି ଜୀବନ୍ତ ହେଇରହିଚି । ଏଇଟା ହିଁ ଆକର୍ଷଣ । ସଚିବାଳୟରେ କିରାଣି ନିଜକୁ ଭାବୁଥିଲା ତୀର୍ଥଯାତ୍ରୀ ।

 

–କାମରେ ତୁମେ ଖୁବ୍‌ ଅବହେଳା କରୁଚ ଅମରେନ୍ଦ୍ର ! ଏ ବଅସରେ ଏଭଳି ଦାୟିତ୍ୱହୀନତା ଶୋଭା ପାଏନା ।

 

ଇମେଡ଼ିଏଟ୍‌ ବସ୍‌ଙ୍କର ଏଇ ମନ୍ତବ୍ୟରେ ଅମରେନ୍ଦ୍ର ଶିହରି ଉଠିଲା । କାମରେ ମନୋନିବେଶ କରିବାକୁ ଚେଷ୍ଟା କଲା । ସାମନାରେ ପର୍ବତ ପ୍ରମାଣେ ଗଦା ହେଇଥିବା ଫାଇଲ୍‌ଗୁଡ଼ାକୁ ଗୋଟେ ପରେ ଗୋଟେ ଆଣି ନିଜର ମନ୍ତବ୍ୟ ଦେବାକୁ ଚେଷ୍ଟା କଲା ।

 

ଡଟ୍‌ପେନ୍‌ ଚାଲୁନାହିଁ । ଫାଇଲ୍‌ ପରେ ଫାଇଲ୍‌ ସେ ଓଲଟେଇ ଯାଉଛି । ଇଂରାଜୀରେ ଏମ୍‌.ଏ.ପାଶ୍‌ କରି ବି ଫାଇଲର ଇଂରାଜୀଗୁଡ଼ାକ ସେ ବୁଝିପାରୁନାହିଁ ।

 

ଏଠିକି ଆସି କ’ଣ ହେଇଗଲା ତା’ର ?

 

ଦି’ ବର୍ଷ ତଳେ ତା’ ମନରେ କାମ କରିବାର ଯେଉଁ ଉନ୍ମାଦନା ଥିଲା ସେ ସବୁ ଆଜି ଗଲା କୁଆଡ଼େ ? ତା’ର ଶକ୍ତି, ତା’ର ସ୍ପୃହା, ତା’ର ନିଷ୍ଠା ହଜିଯିବାର କାରଣ ?

 

ଘରୁ ଚିଠି ଆସିଚି । ବାପା ଚିଠି ଦେଇଚନ୍ତି । ତା’ର ବିବାହ ସ୍ଥିରୀକୃତ ହେଇଯାଇଚି । ଆଗାମୀ ପନ୍ଦରଦିନ ପରର ଲଗ୍ନରେ ତା’ର ବିଭାଘର ।

 

ଏ ଖବର ପାଇ ବି ମନରେ ତା’ର ରୋମାଞ୍ଚ ନାହିଁ ।

 

ତା’ର ମନ–ତା’ର ଚେତନା କ’ଣ ପଙ୍ଗୁ ହେଇଗଲା ?

 

ଇଂରାଜୀ ସାହିତ୍ୟରେ ଏମ୍‌.ଏ. ପଢ଼ୁଥିବା ବେଳେ ସେ ଥିଲା ଜଣେ ବିଦଗ୍‌ଧ ପାଠକ । ସମୟ ସମୟରେ ଲେଖକ ମଧ୍ୟ । ତା’ର ତ ବହୁ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଇଚି-। ସମ୍ପାଦକମାନେ ତା’ ଲେଖାର ତାରିଫ୍‌ କରି କେତେ ପତ୍ର ତାକୁ ଲେଖିଛନ୍ତି । ତା’ ଜୀବନରେ ପ୍ରଥମ ଧକ୍‌କା ଏମ୍‌.ଏ.ରେ ତୃତୀୟ ଶ୍ରେଣୀ ଲାଭ । ତା’ପରେ ଦୀର୍ଘଦିନ ଚାକିରି ଖୋଜିବାର ଯନ୍ତ୍ରଣା । ଆଇ.ଏ.ଏସ୍‌. ହେବାର ସୁନେଲି କଳ୍ପନା ଛାତ୍ର ଜୀବନର ବିଫଳତା ପରେ ପରେ ହିଁ ତା’ମନ ଆକାଶରୁ ଅସ୍ତ ହେଇଯାଇଥିଲା । ତା’ ପାଇଁ ଆଉ ଅନ୍ୟ କି ଚାକିରି ମିଳିଥାନ୍ତା ? ସଚିବାଳୟର କିରାଣି ଚାକିରିଟା ତାକୁ ସେତେବେଳେ ମନେ ହେଇଥିଲା ସ୍ୱର୍ଗର ଚନ୍ଦ୍ରମା । ନିଯୁକ୍ତିପତ୍ର ମିଳିବାଦିନ ସେ କାହା ଘରକୁ ନ ଯାଇଚି ? ଏ ଶୁଭ ଖବରଟା କାହାକୁ ନ ଦେଇଚି ? ତା’ର ଭାଗ୍ୟଦେଖି ସେତେବେଳେ କେତେ ଯେ ଈର୍ଷାନ୍ୱିତ ହେଇଚନ୍ତି ତା’ର ହିସାବ ଖୋଜିଲେ ଆଜି ହୁଏତ ମିଳିବନି । କିନ୍ତୁ ସେ ଦିନଥିଲା ତା’ ଜୀବନରେ ଏକ ସ୍ମରଣୀୟ ଦିନ ।

 

ଜୀବନର ନୂଆମୋଡ଼ ଉପରେ ଠିଆହେଇ ସେ ହସିଥିଲା ପରିତୃପ୍ତିର ହସ । ସଚିବାଳୟର ଫାଇଲ୍‌ଗୁଡ଼ା ତା’ମନରେ ଭୟ ସଞ୍ଚାର କରେଇ ନଥିଲା ।

 

କିନ୍ତୁ ଆଜି ! ସଚିବାଳୟ ଯିବାକୁ ତା’ର ଇଚ୍ଛା ହୁଏନା । ଫାଇଲ୍‌-ଚାଷ ତାକୁ ବିରକ୍ତିକର ଲାଗୁଚି ।

 

ଡାକ୍ତରଖାନାରେ ନିଜର ମସ୍ତିଷ୍କକୁ ଛାଡ଼ି ଆସି ବେଶ୍‌ ସୁରୁଖୁରରେ କିରାଣି କାମ କରୁଥିବା ଗଳ୍ପର ସେଇ ଅଜ୍ଞାତ ନାୟକର କଥା ତା’ର ବାରମ୍ୱାର ମନେପଡ଼ୁଥିଲା । ମନକୁ ମନ ସେ ହସୁଥିଲା–ଭାବୁଥିଲା–ଫାଇଲ୍‌ କାମ ତ କୌଣସି ଯନ୍ତ୍ରଦ୍ୱାରା ବେଶ୍‌ କରାଯାଇ ପାରନ୍ତା । ତାହା ନ କରାଯାଇ ସେଥିପାଇଁ ଏତେ ମଣିଷ-ଶକ୍ତିକୁ ଅପଚୟ କରାଯାଉଛି କାହିଁକି ?

 

କିରାଣି ସତେ କିରାଣି ନୁହେଁ ସରଳୀକୃତ ଯନ୍ତ୍ରର ଅନ୍ୟ ଏକ ରୂପ ।

 

ବିବାହ ସରିଗଲା । ଅମରେନ୍ଦ୍ର ଜୀବନରେ ପୁଣିଥରେ ରୋମାଞ୍ଚର ବିକଚ ଶତଦଳ । କିନ୍ତୁ କେତେଦିନ ? ଏଇ ରୋମାଞ୍ଚର ପରମାୟୁ ବର୍ଷେ କି ଦୁଇବର୍ଷ । ବିବାହର ସେଇ ନୂଆ ନୂଆ ଦିନଗୁଡ଼ିକ । ଯେତେଦିନ ପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ଭିତରେ ପରିଚୟର ନିବିଡ଼ତା ଆସିନଥାଏ ସେତିଦିନ ପର୍ଯ୍ୟନ୍ତ ନବବିବାହର ରୋମାଞ୍ଚ ଅନୁଭବ କରିହୁଏ । ପୁରୁଣା ହେଇଗଲା ପରେ ବିବାହ ହୁଏ ଏକ ସମସ୍ୟା । ପୁତ୍ର-କନ୍ୟାମାନେ ହୁଅନ୍ତି ଲଏବିଲିଟି ।

 

ତା’ପରେ ବଢ଼ିଉଠେ ଖର୍ଚ୍ଚର ତାଲିକା । ପ୍ରତ୍ୟେକଦିନ ନୂଆନୂଆ ଅଭାବ ।

 

ଜୀବନ ଅସରନ୍ତି କାମନାର ଏକ ଅମୁହାଁ ଦେଉଳ ।

 

ଅମରେନ୍ଦ୍ରର ପିତାମାତା ଖୁବ୍‌ ଉଚ୍ଚଶିକ୍ଷିତ ଶିକ୍ଷିତା ନ ହେଲେ ବି ରକ୍ଷଣଶୀଳ ନୁହନ୍ତି । ତେଣୁ ବିବାହର ଦୁଇମାସ ଭିତରେ ସେ ସୁଯୋଗ ପାଇଥିଲା ସ୍ତ୍ରୀକୁ ସାଙ୍ଗରେ ନେଇ ଆସିବାକୁ । କର୍ମକ୍ଷେତ୍ରର କର୍ମବ୍ୟସ୍ତତା ଭିତରେ କେତୋଟି ମୁହୂର୍ତ୍ତ ଯଦି ସରସ ହେଇପାରେ.....

 

ବର୍ଷେ....

 

ଦୁଇବର୍ଷ.....

 

ତିନିବର୍ଷ....

 

ଅମରେନ୍ଦ୍ର ଅନୁଭବ କଲା–ସଚିବାଳୟର ରୋଟୀନ୍‌ ଭିତରେ ସେ କ୍ରମଶଃ ନିର୍ଜୀବ ପାଲଟି ଯାଇଚି । ତା’ର ଇଚ୍ଛାମାନେ କ୍ରମଶଃ ତା’ ଆୟତ୍ତରୁ ବାହାରି ଯାଉଛନ୍ତି ।

 

ସକାଳ.....ନ’ଟାରେ ସ୍ନାନସାରି ଯାହାତାହାକି ଗଣ୍ଡେ ଗିଳି ପାଞ୍ଚକିଲୋମିଟର ଦୂରରୁ ସାଇକେଲରେ ତାକୁ ଅଣନିଃଶ୍ୱାସ ହେଇ ଧାଇଁବାକୁ ପଡ଼େ । ଯୋଉଦିନ ବାଟରେ ଦଶପନ୍ଦର ମିନିଟ୍‌ ଡେରି ହେଇଯାଏ ସେ ଦିନ ଅଫିସ୍‌ରେ ବଡ଼ବାବୁଙ୍କର ସେ କି ଜିଙ୍ଘାସ । ବଡ଼ ମର୍ମନ୍ତୁଦ ଏଇ କିରାଣି ଜୀବନ ।

 

ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ । ତେଣୁ ସୃଷ୍ଟିରେ ହିଁ ତା’ର ଆନନ୍ଦ ।

 

ମାତ୍ର ସଚିବାଳୟର ଚାରିକାନ୍ଥ ଭିତରେ ଅମରେନ୍ଦ୍ର କ’ଣ କରୁଚି ?

 

ସେ ଦିନ ବଡ଼ବାବୁ ଆସି ହଠାତ୍‌ ପାଖରେ ଠିଆ ହେଇଗଲେ । ହାତରେ ଧରିଥିବା ଫାଇଲ୍‌ଟାକୁ ଅମରେନ୍ଦ୍ରର ଟେବୁଲ୍‌ ଉପରେ ଦୁମ୍‌କିନା କଚାଡ଼ି ଦେଇ କହିଲେ–ଫାଇଲଟା କ’ଣ ତୁମ ଘରୋଇ କାଗଜ ? କ’ଣ ଯାହା ତାହା ଲେଖିଦଉଚ ଫାଇଲ୍‌ରେ । ସରକାରଙ୍କ ଆଭିମୁଖ୍ୟ ତମକୁ କ’ଣ ଜଣାନାହିଁ ?

 

ବିଚରା ଅମରେନ୍ଦ୍ର ବଡ଼ବାବୁଙ୍କ ମୁହଁକୁ ବଲବଲ କରି ଚାହିଁଲା । ବୁଝି ପାରିଲା ନାହିଁ କୋଉଠି ତା’ର ଭୁଲ୍‌ ରହିଗଲା !

 

ମହାତ୍ମାଗାନ୍ଧି କହିଥିଲେ–ସ୍ୱାଧୀନତା ପରେ ଭାରତବର୍ଷରେ ରାମରାଜ୍ୟ ପ୍ରତିଷ୍ଠିତ ହେବ-। ସେଇ ରାମରାଜ୍ୟର କଳ୍ପନାରେ ବିଭୋର ହେଇ ସେଇ ଲକ୍ଷ୍ୟ କେମିତି ଅଚିରେ ହାସଲ ହେଇପାରିବ ସେ ଦିଗରେ କାର୍ଯ୍ୟ କରୁଚି ଅମରେନ୍ଦ୍ର । ଦାରିଦ୍ର୍ୟକୁ ଦୂର କରିବାପାଇଁ ଯାହା କରଣୀୟ, ସେଇସବୁ ଯୋଜନାକୁ ଅଗ୍ରାଧିକାର ଦେବାପାଇଁ ତ ସେ ମନ୍ତବ୍ୟ ଲେଖୁଛି ।

 

ବଡ଼ବାବୁଙ୍କୁ ସେ କାତର କଣ୍ଠର କହିଲେ–ସାର୍‌, ବେକାରମାନଙ୍କୁ ଭତ୍ତାଦେବାଟାକୁ ସରକାର ତ ନୀତିଗତ ଭାବରେ ଗ୍ରହଣ କରିଚନ୍ତି ।

 

ବଡ଼ବାବୁ ତାଙ୍କ ଡିମାଡ଼ିମା ଆଖି ଦିଟାକୁ ଆଉରି ବଡ଼ କରି କହିଲେ, ଯାହାକୁ ନୀତିଗତ ଭାବରେ ଗ୍ରହଣ କରାଯାଏ ସେ ସବୁକୁ କ’ଣ କାର୍ଯ୍ୟକାରୀ କରିହୁଏ ? ଏ ସବୁ ବ୍ୟୟସାପେକ୍ଷ ଯୋଜନା ପାଇଁ ନିଜର ପୈତୃକ ସମ୍ପତ୍ତି ବିକ୍ରି କରି ତୁମେ କ’ଣ ଅର୍ଥ ବ୍ୟବସ୍ଥା କରିବ ? ଫାଇଲ୍‌ରେ ଲେଖ, ଏଇ ସୁନ୍ଦର ଯୋଜନାଟି ଅର୍ଥ ସମ୍ଭାବନା ଉପରେ ନିର୍ଭର କରେ । ଅର୍ଥବ୍ୟବସ୍ଥା ହେବାପରେ ଏହା କାର୍ଯ୍ୟକାରୀ ହେବ ।

 

ଅଫିସ୍‌ରୁ ଫେରିବା ପରେ ତା’ ମୁହଁର ଗାମ୍ଭୀର୍ଯ୍ୟ ଦେଖି ସ୍ତ୍ରୀ ବିଚାରୀ ଚମକି ପଡ଼େ । ଭାବେ–ତା’ର କୋଉଠି କ’ଣ ଭୁଲ ରହିଯାଉଚି କି ? ସ୍ୱାମୀଙ୍କୀ ଏମିତି ଚିଡ଼ଚିଡ଼ା ସ୍ୱଭାବ ଆଗରୁ ତ ସେ କେବେ ଦେଖି ନଥିଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ କ’ଣ ଯେ ହେଇଯାଉଚି....

 

ଦୋଷଟା କାହାର ?

 

ଅମରେନ୍ଦ୍ର ଆଜିକାଲି ଆଉ ପୁରୁଣା ଭୁବନେଶ୍ୱର ଯାଏନା । ଖଣ୍ଡଗିରି ଉଦୟଗିରିର କୌଣସି ଆକର୍ଷଣ ତା’ ପାଖରେ ନାହିଁ । ଧଉଳିର ଆଲୋକ ତା’ଆଖିକୁ କଷ୍ଟ ଦିଏ । ପିତାଙ୍କର କାଳ ହେଇଗଲା । ଶେଷବେଳରେ ସେ ଉପସ୍ଥିତ ହୋଇପାରିଲା ନାହିଁ । ହତଭାଗ୍ୟ !

 

ପିଲାପିଲିଙ୍କୁ ନେଇ ଘରକୁ ଯିବାକୁ ପଡ଼ିବ । ପନ୍ଦରଦିନ ପାଇଁ ଛୁଟି ଦରଖାସ୍ତ ନେଇ ସେ ବଡ଼ବାବୁଙ୍କ ଟେବୁଲ୍‌ ପାଖରେ ଯାଇ ଠିଆ ହେଲା ।

 

ବଡ଼ବାବୁ ପଚାରିଲେ–କୁଆଡ଼େ ଆସିଲ ?

 

ଅମରେନ୍ଦ୍ର କହିଲା–ବାପା ମରିଗଲେ ସାର୍‌ !

 

ବଡ଼ବାବୁ କହିଲେ–ମରିଗଲେ ?

 

ହଁ ସାର ! କହିଲା ଅମରେନ୍ଦ୍ର ।

 

ବଡ଼ବାବୁ କହିଲେ–ଯେ ଥରେ ମରେ ସେ ଆଉ ଫେରିଆସେନା ।

 

ଅମରେନ୍ଦ୍ର ଛୁଟିର ଦରଖାସ୍ତଟା ବଡ଼ବାବୁଙ୍କ ହାତକୁ ବଢ଼େଇଦେଲା । ବଡ଼ ଅନିଚ୍ଛାରେ ବଡ଼ବାବୁ ସେଇଟାକୁ ନେଇ ଦେଖିଲେ ।

 

ବିଧାନସଭାର ବଜେଟ ଅଧିବେଶନ କାଲିଠୁ ଆରମ୍ଭ ହବ ଜାଣିଚ ତ !

 

–କିନ୍ତୁ ମୋ ବାପା ଯେ’ ମରିଯାଇଚନ୍ତି ସାର୍‌ ।

 

–ଅର୍ଥ ଦପ୍ତରରେ ତୁମେ ଚାକିରି କରୁଚ ଏ ଖିଆଲ ତମର ଅଛି ତ ? ତୁମ ସେକ୍‌ସନ୍‌ରେ କେତେଜଣ କିରାଣି ବର୍ତ୍ତମାନ ଅଛନ୍ତି ? ଜଣେ ଦଶଦିନ ହେଲା ହସ୍‌ପିଟାଲ୍‌ରେ ବେମାର । ଜଣେ ବିଭାହବା ପାଇଁ ଗାଁକୁ ଚାଲିଯାଇଛି । ଆଉ ତୁମେ ବାପର ଶୁଦ୍ଧିକାମ କରିବାକୁ ପନ୍ଦରଦିନ ଚାଲିଯିବ । ସରକାରଙ୍କୁ କହି ବିଧାନସଭା ଅଧିବେଶନଟାକୁ ବନ୍ଦ କରିଦେଇ ଯାଅ । ମୁଁ ଏକା ଏକା ସେକ୍‌ସନ୍‌ଟାକୁ ସମ୍ଭାଳିବି କେମିତି ?

 

ଅମରେନ୍ଦ୍ର ଅନୁନୟ କରି କହିଲା–ମୁଁ କ’ଣ କରିବି ସାର୍‌ ! ବାପାଙ୍କର ମୁଁ ବଡ଼ପୁଅ । ଶେଷବେଳରେ ଉପସ୍ଥିତ ହେଇପାରିଲିନି ।

 

–ବାପାଙ୍କୁ କହିଲନି ନୋଟିସ୍‌ ଦେଇ ମରିଥାନ୍ତେ । ତା’ ହେଲେ ତୁମେ ଠିକ୍‌ ସମୟରେ ଯାଇ ଉପସ୍ଥିତ ହେଇପାରିଥାନ୍ତ !

 

ବଡ଼ବାବୁ ଦରଖାସ୍ତ ଉପରେ ଏଣୁ ତେଣୁ ଗୁଡ଼ାଏ କ’ଣ ଲେଖିଲେ । ତା’ପରେ କହିଲେ–ବାପର ଦଶଦିନ ତ ଡେରି ଅଛି । ଏତେ ଆଗରୁ ଯିବ କାହିଁକି ? ମୁଁ ହିସାବ କରି ଦେଖୁଚି ଦଶ ଦିନଟା ଆଗାମୀ ରବିବାର ପଡ଼ୁଚି । ଶନିବାରଟା ସେକେଣ୍ଡ ସଟର୍‌ ଡେ । ବିଧାନସଭା ଅଧିବେଶନ ତ ବନ୍ଦ । ସଚିବାଳୟ ବି ବନ୍ଦ । ତେଣୁ ଶୁକ୍ରବାର ବିଧାନସଭାର ସକାଳୁଆ ଅଧିବେଶନ ସରିଗଲା ପରେ ତୁମେ ଚାଲିଯିବ । ସୋମବାର ଗୋଟିଏ ଦିନ ଛୁଟିଦେଲି । ସେଇଦିନ ଏଗାର ଦିନର କାମ ସାରିଦେଇ ରାତି ଗାଡ଼ିରେ ଚାଲିଆସିବ । ମଙ୍ଗଳବାର ଦିନ ଦଶଟାବେଳେ ଅଫିସ୍‌ କରିବ । ଯାଅ ।

 

ଅମରେନ୍ଦ୍ର ତାଙ୍କୁ କି ଉତ୍ତର ଦବ ! ତୀବ୍ର ପ୍ରତିବାଦ କରିବାକୁ ଇଚ୍ଛା ହେଉଥିଲେ ବି ସେ ପ୍ରତିବାଦ କରିପାରିଲା ନାହିଁ । କରି ଲାଭ ବା କ’ଣ ?

 

ସ୍ତ୍ରୀକୁ କହିଆସିଥିଲା ଜିନିଷପତ୍ର ବନ୍ଧାବନ୍ଧି କରି ପ୍ରସ୍ତୁତ ହେଇଯିବାକୁ । ରାତିଗାଡ଼ିରେ ଯାଇ ଭୋର୍‌‌ ଭୋର୍‌ ଓହ୍ଲାଇ ପୁଣି ବସ୍‌ ଧରି ସକାଳ ନ’ଟା ଭିତରେ ସେ ଗାଁଆରେ ପହଞ୍ଚିଯିବ ।

 

ମାତ୍ର ବଡ଼ବାବୁ ଏ କ’ଣ କଲେ ?

 

ସେ କିରାଣି ହେଲା ବୋଲି ତା’ର କ’ଣ ପରିବାର ନାହିଁ ?

 

ତା’ର କ’ଣ ସମାଜ ନାହିଁ ?

 

ମନ ତା’ର ବିଦ୍ରୋହ କରିଉଠିଲା । ମନରେ ଜାଗ୍ରତ ହେଲା ଚାକିରି ଛାଡ଼ିଦବାର ଭାବନା ।

 

କିନ୍ତୁ ଚାକିରି ଛାଡ଼ିଦେଲେ ତା’ର ଭବିଷ୍ୟତ ?

 

ତା’ର ପିଲାପିଲିଙ୍କର ଭବିଷ୍ୟତ ?

 

ଘରେ ବାପା ରଖିଯାଇଥିବା ସମ୍ୱଳରେ ତା’ର ଗୁଜୁରାଣ କ’ଣ ମେଣ୍ଟିବ ?

 

ତା’ ସାନଭାଇଟି ମେଟ୍ରିକ୍‌ ଟପି ନପାରି ଦରପାଠୁଆ ହେଇ ଗାଁରେ ରହିଚି । ସାନଭଉଣୀଟିର ବିବାହ ପାଇଁ ଗତ ଦୁଇବର୍ଷ ହେଲା ବାପା ବ୍ୟସ୍ତ ହେଉଥିଲେ । ଯେପରି ହେଉ ଏ ବର୍ଷ ସେ କାମ ସମ୍ପନ୍ନ କରିବାକୁ ହେବ ? ବାଇଶିବର୍ଷର ଅବିବାହିତା ଭଉଣୀକୁ ଆଉ କେତେ ଦିନ ଘରେ ରଖାଯାଇପାରେ ?

 

ବଡ଼ବାବୁ ତାଗିଦ୍‌ କରି କହିଲେ–ଆଉ ଠିଆହେଇ ରହିଲ କାହିଁକି ? ଠିଆହେଲେ କ’ଣ ଅଧିକ ଫଳିବ ? ଯାଅ–

 

ଅମରେନ୍ଦ୍ରର ଆକୁଳ ଆର୍ତ୍ତ ଚାହାଣି ବଡ଼ବାବୁଙ୍କର ପଥର କଠିଣ ଛାତିରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ । ନିର୍ଜୀବ ଫାଇଲ୍‌ଗୁଡ଼ାକୁ ଦେଖି ଦେଖି ଅଥବା ତାଙ୍କର ହୃଦୟଟା ବି ନିର୍ଜୀବ ହେଇଯାଇଛି ।

 

ଅମରେନ୍ଦ୍ର ତା’ ସିଟ୍‌ ପାଖକୁ ଫେରିଆସିଲା ।

 

ତା’ର ମନେହେଲା ଏଇ ବିରାଟା ସଚିବାଳୟର ବୃହଦାକାର କୋଠାଟା ଯେମିତି ତା’ ଉପରେ ଚାପି ହେଇଯାଇଚି ଓ ତା’ର ଶ୍ୱାସରୁଦ୍ଧ ହେଇ ଆସୁଚି ।

 

ଘରକୁ ଫେରି କ୍ରନ୍ଦନରତା ସ୍ତ୍ରୀକୁ ସବୁକଥା ସେ କହିଲା ଓ ନିଜେ ମଧ୍ୟ ଛୋଟ ପିଲାଟି ପରି କଇଁ କଇଁ ହେଇ କାନ୍ଦିଲା ।

 

ସେଇଦିନ ରାତିରେ ହିଁ ଆଉ ଏକ ଦାରୁଣ ଟେଲିଗ୍ରାମ ମିଳିଲା । ସମ୍ୱାଦ ଆସିଲା–ମା’ଙ୍କର ଅବସ୍ଥା ସାଙ୍ଘାତିକ ।

 

ଅମରେନ୍ଦ୍ର ପାଗଳ ପ୍ରାୟ । ଆଉ ବଡ଼ବାବୁଙ୍କର ଅନୁମତି ନେବାପାଇଁ ସମୟ ନାହିଁ । ଚାକିରି ରହିଲେ ରହୁ, ଗଲେ ଯାଉ । ତାକୁ ଯିବାକୁ ହିଁ ପଡ଼ିବ । ମଧ୍ୟ ରାତ୍ରିର ଟ୍ରେନ୍‌ରେ ସସ୍ତ୍ରୀକ ସେ ଗାଁ ଅଭିମୁଖେ ବାହାରି ପଡ଼ିଲା । ଭାଗ୍ୟକୁ ମା’ ଏଥର ଯାତ୍ରାରୁ ବର୍ତ୍ତିଗଲେ ସତ୍ୟ, କିନ୍ତୁ ସୁସ୍ଥ ହେବାକୁ ସମୟ ଲାଗିଲା । ବାପାଙ୍କ ଦଶାହ କାମ ସରିବାପରେ ବି ଅମରେନ୍ଦ୍ରକୁ ଆଉରି ଦଶଦିନ ରହିବାକୁ ପଡ଼ିଲା । ବିପଦର ଘନଘଟା ଭିତରେ ଚାକିରି, ଛୁଟି, ନିୟମକାନୁନ୍‌ ସବୁକିଛି ସେ ଭୁଲିଗଲା । ଫଳରେ କର୍ମକ୍ଷେତ୍ରକୁ ସେ ଯେତେବେଳେ ଫେରିଲା, ଶୁଣିଲା–ଅନୁମତି ନ ନେଇ ଅନୁପସ୍ଥିତ ରହିଥିବା ଯୋଗୁ ତାକୁ ଚାକିରିରୁ ସାମୟିକ ଭାବେ ଅନ୍ତର କରି ଦିଆଯାଇଛି ଓ ତା’ ବିରୁଦ୍ଧରେ ପ୍ରସିଡ଼ିଂ ଆରମ୍ଭ ହେଇଛି । ତା’ ମନ ଆକାଶର ଚନ୍ଦ୍ରଟାକୁ ହଠାତ୍‌ ରାହୁ ନାମକ ଏକ ରାକ୍ଷସ ଯେମିତି ଗ୍ରାସ କରି ଯାଇଚି । ଜୀବନ ଅନ୍ଧକାରମୟ । ଭବିଷ୍ୟତକୁ ଚାହିଁ ତା’ ଆଖିରୁ ଲୁହ ଝରୁଚି । କାଲି ସେ ବାପ ହବା ପରେ ଅନାଗତ ଶିଶୁକୁ ଓ ଭବିଷ୍ୟତର ଶିଶୁମାନଙ୍କୁ ବଞ୍ଚେଇବ କେମିତି ? ନିଜେ ବି ବଞ୍ଚିବ କେମିତି ?

 

କିଏ କରିବ ତା’ ସମସ୍ୟାର ସମାଧାନ !

 

ଲାଲ୍‌ଫିତା ଚିରଦିନ ହିଁ ନିର୍ଦ୍ଦୟ, ହୃଦୟହୀନ ।

 

 

ଲେଖକଙ୍କ ସଂପର୍କରେ

 

ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ଦକ୍ଷତାର ସହିତ ଲେଖନୀ ଚଳାଇ ଶ୍ରୀଦାଶ ମହାପାତ୍ର ସୁନାମ ଅର୍ଜନ କରିଛନ୍ତି ।

 

ଗଳ୍ପ, କବିତା, ନାଟକ, ଉପନ୍ୟାସ, ସମାଲୋଚନା, ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ସୁପ୍ରତିଷ୍ଠିତ ।

 

୧୯୭୮ ମସିହାର ସର୍ବଶ୍ରେଷ୍ଠ ଓଡ଼ିଆ ନାଟକ ହିସାବରେ ତାଙ୍କ ରଚିତ ‘ଅଥବା ଅନ୍ଧାର’ ନାଟକ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଚି । ଓଡ଼ିଶା ସାହିତ୍ୟ ଏକାଡ଼େମୀ କର୍ତ୍ତୃକ ପ୍ରକାଶିତ ‘ବିଂଶ ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ କବିତା, ଶ୍ରେଷ୍ଠ ଓଡ଼ିଆ ଗଳ୍ପ ଓ ଶ୍ରେଷ୍ଠ ଓଡ଼ିଆ ଶିଶୁ ସାହିତ୍ୟ’ ସଙ୍କଳନରେ ତାଙ୍କ ଲେଖା ସ୍ଥାନ ପାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ଇଂରାଜୀ କବିତା ପାଇଁ ପୁରସ୍କୃତ ଅଧ୍ୟାକ ଜୟନ୍ତ ମହାପାତ୍ରଙ୍କ ଦ୍ୱାରା ଶ୍ରୀଦାଶ ମହାପାତ୍ରଙ୍କ କେତେକ ପ୍ରସିଦ୍ଧ କବିତାର ଇଂରାଜୀ ଅନୁବାଦ ‘Wings of the Past’ ପୁସ୍ତକ ଇଂରାଜୀ ପାଠକମାନଙ୍କ ଦ୍ୱାରା ଆଦୃତ ଓ ଉଚ୍ଚ ପ୍ରଶଂସିତ ।

 

ସମାଜସେବା ଓ ରାଜନୀତି କ୍ଷେତ୍ରରେ ଶ୍ରୀଦାଶ ମହାପାତ୍ରଙ୍କ ପ୍ରତିଷ୍ଠା ମଧ୍ୟ ସର୍ବଜନ ବିଦିତ । ଓଡ଼ିଶା ଶାସନରେ ଉପମନ୍ତ୍ରୀ ଓ ମନ୍ତ୍ରୀ ଭାବରେ ଶିକ୍ଷା ଓ ଅର୍ଥଭଳି ଗୁରୁତ୍ୱପୂର୍ଣ୍ଣ ଦପ୍ତରର ଦାୟିତ୍ୱ ନେଇ ସେ ଜଣେ ଦକ୍ଷ ପ୍ରଶାସକର ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି ।

 

ସାଧାରଣ ଜୀବନରେ ସେ ଅତ୍ୟନ୍ତ ସରଳ, ମିଷ୍ଟଭାଷୀ ଓ ଅନାଡ଼ମ୍ବର ମଣିଷ । ପଢ଼ିବା ଓ ଲେଖିବା ତାଙ୍କର ଦୈନନ୍ଦିନ ଅଭ୍ୟାସ । ଆମେ ପୂର୍ବରୁ ତାଙ୍କ ରଚିତ ଦୁଇଟି ଉପନ୍ୟାସ ‘ସାତ ତାଳ ପଙ୍କ’, ‘ଅନ୍ୟାନ୍ୟ ଓ ପ୍ରେମର ପ୍ରଥମ ସମ୍ୱୋଧନ’ ଓ ସମାଲୋଚନା ପୁସ୍ତକ ‘ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ’ ପ୍ରକାଶ କରିଥିଲୁ । ସଂପ୍ରତି ‘ନିହତ ଚନ୍ଦ୍ରମା’ ଗଳ୍ପ ସଙ୍କଳନ ପ୍ରକାଶ କରୁଛୁ । ପୂର୍ବ ପ୍ରକାଶିତ ପୁସ୍ତକମାନଙ୍କ ଭଳି ଏ ବହିଟି ସର୍ବସାଧାରଣରେ ଆଦୃତ ହେବ ବୋଲି ଆମର ବିଶ୍ୱାସ ।

 

ପ୍ରକାଶକ

Image